Unknown

 

 

 

 

 

 

 

 

 

 

 

ସବୁଜ ସଂହାର

ବଳରାମ ରାଉତ

 

 

 

 

 

 

 

 

 

 

ମୋର ବାଲ୍ୟଗୁରୁ

ଶ୍ରୀଯୁକ୍ତ ପଦ୍ମନାଭ ପାଣିଙ୍କ ଶ୍ରୀଚରଣରେ

ଯତ୍‌କିଞ୍ଚିତ୍‌ ଗୁରୁଦକ୍ଷିଣା

 

–ବଳରାମ

Image

 

ସେମାନଙ୍କ ସମ୍ପର୍କରେ

 

ବିପରୀତଧର୍ମ୍ମୀ କେତେଗୁଡ଼ିଏ ଗଳ୍ପ ସମାରୋହରେ ଏଇ କ୍ଷୁଦ୍ରଗଳ୍ପ ସଂକଳନ ‘ସବୁଜ ସଂହାର’ । ଗଳ୍ପଗୁଡ଼ିକ ମଧ୍ୟରୁ କେତେକ ବିଭିନ୍ନ ସମୟରେ ‘ଆସନ୍ତା କାଲି’ ‘ନବଜୀବନ’, ‘ବନଫୁଲ’, ‘ରବିବାର ପ୍ରଜାତନ୍ତ୍ର ପ୍ରଭୃତି ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହା ସହିତ ଆଉ କେତେଗୁଡ଼ିଏ ନୂତନ ଗଳ୍ପକୁ ନେଇ ‘ସବୁଜ ସଂହାର’ର ସୃଷ୍ଟି ।

 

ପ୍ରକାଶିତ ଗଳ୍ପଗୁଡ଼ିକ ପାଇଁ ଉକ୍ତ ପତ୍ରପତ୍ରିକାର ସମ୍ପାଦକମାନଙ୍କ ନିକଟରେ ମୁଁ କୃତଜ୍ଞ । ଜନଶକ୍ତି ପୁସ୍ତକାଳୟର ସତ୍ତ୍ୱାଧିକାର ଶ୍ରୀଯୁକ୍ତ ଏନ୍‌. ଏଲ୍‌. ଗୁପ୍ତ ‘ସବୁଜ ସଂହାର’ର ପ୍ରକାଶନ ଦାୟିତ୍ୱ ଗ୍ରହଣ କରିଥିବାରୁ ମୁଁ ତାଙ୍କଠାରେ ଋଣୀ ରହିଲି ।

 

ଲେଖକ

Image

 

ସୂଚୀପତ୍ର

 

୧.

ଫୁଲ ମଉଳିଯାଏ

୨.

ହାତ ଖଣ୍ଡୀ

୩.

ତମସା

୪.

ଅଧ୍ୟାପକଙ୍କ ସ୍ୱପ୍ନଭଙ୍ଗ

୫.

ଆହ୍ୱାନ

୬.

ମାଟିର ମାୟା

୭.

ଛବି କଥା କହେ

୮.

ଆକାଶବାଣୀ, ଖବର ପଢ଼ୁଛନ୍ତି

୯.

ରଂ ନମ୍ୱର

୧୦.

ପୁରୁଷ

୧୧.

ପ୍ରତୀକ୍ଷା

୧୨.

ସମ୍ୱାରିଆ, ଗୁରୁବାରୀ ଓ ଫ୍ଳାଟଘର

୧୩.

ମୁଁ, ଆପଣ ଓ ନିତ୍ୟାନନ୍ଦ ସାହୁ

୧୪.

ଆଜି ଓ କାଲି

୧୫.

କାଚଘର

୧୬.

କକ୍‌ଟେଲ

୧୭.

ଅନ୍ୱେଷଣ

୧୮.

ନିରନ୍ଧ୍ର ଅନ୍ଧକାର

୧୯.

ନାନୀ

୨୦.

ଗଦାଧରଙ୍କ ଶୋକ

୨୧.

ସବୁଜ ସଂହାର

Image

 

ଫୁଲ ମଉଳିଯାଏ

 

ଦୁମୁଦୁମିଆ ଖରାବେଳ, ଟିକିଏ ବି ପବନ ନାଇ । ଗୁଳୁଗୁଳିରେ ରହି ହେଉନି, କୋଚଟ ମଇଳା କସ୍ତା ଖଣ୍ଡିକ ଝାଳରେ ଜଡ଼ୁବୁଡ଼ୁ ହେଲାଣି । ତେବେ ବି କଇଁର ଫୁରୁସତ ନାଇଁ । ବୋଝ ଉପରେ ବୋଝ ପଥର ବୋହି ଚାଲିଛି । ବେକମୂଳ ବଥା କଲାଣି, ଅଣ୍ଟା ପିଠି ଧକ୍‌ ଧକ୍‌ କରୁଛି ।

ପାଛିଆଟା ତଳେ ଥୋଇ ଦେଇ କଇଁ ଟିକିଏ ଅଣ୍ଟା ସଳଖିଲା ।

ପଛରୁ ସୁବନମା ଡାକ ଛାଡ଼ିଲା-କିଲୋ ଛିଡ଼ା ହେଲୁ ଯେ ? କାନତରାଟି ବାବୁ ଦେଖିଲେ ରବେଇ ଖବେଇ ହେବ, ପଇସା କାଟିବ ।

ଦୁଃଖୀ ରଙ୍କି ହେଲା ବୋଲି କଣ ତାର ଜୀବନ ନାଇଁ ? ଝାଳ ମାରିବାକୁ ଫୁରୁସତ୍‌ ମିଳିବ ନାଇଁ ?

କାନତରାଟି ବାବୁ ଉପରେ ତାର ରାଗ ହେଲା, ପଛକୁ ମୁହଁ ଫେରାଇ ଚାହିଁଲା । ଇଆଡ଼କୁ ଆସୁଛନ୍ତି ନା କ’ଣ ।

କଇଁ ଛାତିରେ ଛନକା ପଶିଲା, ନଇଁପଡ଼ି ପାଛିଆ ଗୋଟାଇଲା, ମିଶିଗଲା ତା ପରି ଆଉ ପାଞ୍ଚଜଣଙ୍କ ସାଙ୍ଗରେ ।

ପଥରକଟା ମେସିନ୍‌ ଗର୍ଜ୍ଜୁଛି, ଯୁଆଡ଼େ କାନ ପାତିବ ସିଆଡ଼େ ଧଡ଼ ଧଡ଼ ଶବ୍ଦ । କାନ ଅତଡ଼ା ପଡ଼ୁଛି । କାହା କଥା କାହାକୁ ଶୁଭୁନି । ବେଳେ ବେଳେ ଖୁବ୍‌ ଜୋରରେ ଶୁଭୁଛି ଖସିଲା-ଖସିଲା-ପଡ଼ିଲା ଘୁଞ୍ଚିଯା; ପାହାଡ଼ ଉପରୁ ବଡ଼ ବଡ଼ ପଥର ଖଣ୍ଡ ଖସୁଛି । ଆଗରେ ପଡ଼ିଲେ ପେଶିଦେବ । ହାଡ଼ ଗୋଡ଼ ଚୂନା କରିଦେବ ।

ଚାରିଆଡ଼େ ପିମ୍ପୁଡ଼ି ଧାରପରି ଲୋକ ଲାଗିଛନ୍ତି । ସୋରିଷ ପକାଇବାକୁ ରାହା ନାହିଁ । କିଏ ପଥର ବହୁଛି, କିଏ ମାଟି ବହୁଛି, କିଏ ସିମେଣ୍ଟରେ ବାଲି ମିଶାଉଛି-ଏମିତି କେତେ କାମ ।

କେତେ ମେହେନତ, ମୁଣ୍ଡଝାଳ ତୁଣ୍ଡରେ ମରୁଛି । ପଥର ବୋଝ ତଳେ ହାଡ଼ କଡ଼ କଡ଼ ଡାକୁଛି । ଗୋଡ଼ ଥରୁଛି, ବେକ ଶିରା ଗୁଡ଼ାକ ଫୁଲି ଉଠୁଛି, ତେବେବି କଇଁ ଚାଲିଚି ।

ଏ ସବୁତ ପେଟ ଚାଖଣ୍ଡକ ପାଇଁ !

ବରଷେ ହେଲା ଏଠି କାମ ହେଲାଣି, କଇଁ ଆସିଚି ମୋଟେ ଛଅମାସ ହେବ, ଏଇ କେତେ ମାସ ଭିତରେ ତା ହାତରେ ଦି’ ପଇସା ହେଇଚି । ନିଜ ପେଟ ଚାଖଣ୍ଡକ ସେ ପେଜ ତୋରାଣିରେ ଚଳେଇଦେଇ ମାସକୁ ମାସ ଖରଚ ପଠୋଉଚି ଘରକୁ । ଘରେ ବାପା ମା, ପାଚିଲା ତାଳ । ଥିବା ନଥିବା ସମାନ । ହେଲେ ପୋଡ଼ା ପେଟ କାହାର ମରୁ ନାଇଁ ଏଠି ତା ସହିତ ଅଛନ୍ତି ତା ସାନ ବାପା ସାନବୋଉ, ତାଙ୍କ ଗାଁର ରାଧୀନାନୀ । ସମସ୍ତଙ୍କର ସେଇ ପେଟ ଚିନ୍ତା !

ବୋଝଟା ଦୁମ୍‌ କରି ପକେଇ ଦେଲା କଇଁ, ଟିକିଏ ଉଶ୍ୱାସ ଲାଗିଲା । ବୋଝ ପକେଇ ପୁଣି ନୂଆ ବୋଝ ଆଣିବା ସମୟତକ ଭାରି ହାଲୁକା ଲାଗେ । ଝାଳ ପୋଛିବାକୁ ତର ମିଳେ ।

କଇଁ ତା ଦେହକୁ ଅନେଇଲା ।

ଆହା କଇଁଫୁଲିଆ ଦେହ ତାର କ’ଣ ହେଲାଣି ! ରଙ୍ଗ ବଦଳିଛି । ଆଗପରି ଚହଟ ଚିକ୍‌କଣ ଆଉ ନାହିଁ । ଏଣିକି ଅଇନାରେ ମୁହଁ ଦେଖିଲେ ନିଜକୁ ଖରାପ ଲାଗେ । ଖରା ତରାରେ କାମକରି ମୁହଁ କଳାକାଠ ପଡ଼ିଲାଣି । ଆଖି ଦିଓଟି କୋଟର ଭିତରକୁ ପଶିଗଲାଣି । କେଶ ଫୁରୁଫୁରୁ ଉଡ଼ୁଛି । ଆଠଦିନେ ଥରେ ପାନିଆ ପଶୁନାହିଁ । କେତେବେଳେ କରିବ ସେ ? ସଞ୍ଜଯାଏ ଖଟି ଖଟି ହାଲିଆ ହୁଏ । ସେଥିରେ ପୁଣି ଗଣ୍ଡେ ଫୁଟେଇବ । ସକାଳ ଓଳି ସିନା ପଖାଳ ପେଜରେ ଚଳେଇ ଦିଏ ରାତିପାଇଁ ଗଣ୍ଡେତ ରାନ୍ଧିବାକୁ ପଡ଼ିବ ।

 

ଖଟି ଖଟି ହାଡ଼ ରସା ହେଲାଣି, କିଏ ତା ଦୁଃଖ ବୁଝିବ ?

 

ଗଲାକଥା ମନେ ପଡ଼ିଲା କଇଁର । ମୋଟେ ମାସେ ହେବ ଆସିଥାଏ, କାନତରାଟି ବାବୁର ତା ଉପରେ ସୁନଜର, ସବୁବେଳେ ଚୋରଣୀ ବିଲେଇ ପରି ତା ଆଗରେ ଏପାଖ ସେପାଖ ହୁଅନ୍ତି ।

 

କିଲୋ କଇଁ, ଏତେ ମାଟି କାହିଁକି ବୋଝରେ ପୂରେଇଛୁ ? ପିଲାଲୋକ, ପାଞ୍ଚଜଣଙ୍କ ସାଙ୍ଗସରିସା ହୋଇ କାମ ନକଲେ ମୁଁ କ’ଣ ତୋ ପଇସା କାଟି ଦେଉଛି ?

 

କାନତରାଟି ବାବୁର ବୟସ ପଇଁତିରିଶ ଟପିଲାଣି, ହନୁହାଡ଼ ପଦାକୁ ଫୁଟି ଦିଶୁଛି । ପାନବୋଳରେ ଦାନ୍ତର ଧଳାରଙ୍ଗ କେବେଠୁଁ ଉଭେଇଗଲାଣି । ବିଡ଼ି ପିଇ ପିଇ ଓଠ କଳା ଖପରା-। ତେବେ ବି ରସିକତା ଛାଡ଼ ଯାଇନି !

 

ଆଉ କଇଁ ? ସେ ସବୁବେଳେ ଖଣ୍ଡାଧାରରେ ଚାଲିଲା ବାଲା । ଖଟିବ ଖାଇବ । ସେଥିପାଇଁ ନିଜର ମାନ ଇଜ୍ଜତ ଖୋଇବ କାହିଁକି ? ପଇସା ଦେଇ ଖାଇବ ଦହି, ଗୌଡ଼ୁଣୀ ସଙ୍ଗେ କିଆଁ ସହି ?

ରାଧୀନାନୀ ତାକୁ କେତେ ଥର ଫୁସୁଲେଇଚି ।

ଆଲୋ କଇଁ ସେ ପିଲା ବୁଦ୍ଧି ଛାଡ଼ । ତୋର କଇଁଫୁଲିଆ ଦେହ ଅଛି । ଆଖିରେ ବିଜୁଳି ଖେଳୁଚି । ହସରେ ରଂଗଣୀ ଫୁଟୁଚି । ଟିକିଏ ଇସାରା ଦେଲେ ଗଣ୍ଡା ଗଣ୍ଡା ତୋ ପାଦତଳକୁ ଆସିବେ । କାନତରାଟିବାବୁଟି କେଡ଼େ ଭଲ ମଣିଷ ! ମୋତେ କେତେ ଥର କହିଲେଣି କଇଁକୁ ଟିକିଏ ସାଙ୍ଗରେ ଆଣୁନୁ । ତାଙ୍କ ସୁନଜର ହୋଇଛି । କାମ କଲେ ହେଁ, ନକଲେ ହଁ । ମଜୁରୀକୁ ମଜୁରୀ ପାଇବୁ । ତା ଛଡ଼ା ଉପୁରୀ... ।

ହଠାତ୍‌ କଇଁର ଭାବନା ଅଟକିଗଲା । ଛି, କେଡ଼େ ଛତିରୀ ଏ ରାଧୀନାନୀଟା । ବାର ତୁଠରେ ପାଣି ଚାଖିଲାଣି ତେବେ ବି ତା ଶୋଷ ମରୁନି !

ବୋଝଟା ପକେଇ ଦେଇ କଇଁ ପିନ୍ଧା କାନିରେ ଝାଳ ପୋଛିଲା । କି ନିଆଁଲଗା ଖରାଟା-। ଝାଳରେ ବୁଡ଼ିଗଲାଣି ତା ଦେହସାରା । ନା ଆଉ ଏ ଝାଳ ମରିବ ନାଇଁ ।

ମନ ତାର ବିଦ୍ରୋହୀ ହେଲା, କାହିଁକି ସେ ରାଧୀନାନୀ କଥାରେ ରାଜି ନ ହେଲା । ଆଉ ତିନିଟା ବଅସ ଥିଲା ଝିଅଙ୍କ ପରି ସେ ବି ପଇସା କମେଇ ପାରୁଥାନ୍ତା । ରାଧୀନାନୀ କି ଆଉ ତାପରି ଝିଅମାନଙ୍କୁ ସେ ଅବା କାହିଁକି ଦୋଷ ଦେବ ? ଦିନସାରା ଖଟି ଖଟି ସେ ଯାହା ପାଇବ ସେମାନେ ବସି ଶୋଇ ପାଇବେ ତାର ତିନିଗୁଣ, ହାଡ଼ ମାଉଁସ ମାଟି କରି ଖଟିବାକୁ କାହାକୁ କ’ଣ ସୁଖ ଲାଗେ ? ସେ ଆଜି ଖଣ୍ଡେ କସ୍ତାକୁ ଧୋଇ ଶୁଖେଇ ପିନ୍ଧୁଚି । ଆଉ ସେମାନଙ୍କର ଶାଢୀ କ’ଣ ଦେଖିବ ? ଯାହାକୁ ଯେତେ । ସଞ୍ଜ ହେଲେ ବାସ ସାବୁନରେ ଗାଧୋଇ, ରଙ୍ଗରଙ୍ଗିଆ ଶାଢୀ ପିନ୍ଧି, ଜୁଡ଼ାରେ ମାଳେ ମଲ୍ଲୀଫୁଲ ବାନ୍ଧି ତାରି ଆଗରେ ଦମ ଦମ ହୋଇ ରାଧୀନାନୀ ଚାଲିଯାଏ । ଦେଖେଇ ଶିଖେଇ କେତେ କଥା କହେ । ମିଛରେ ରବେଇ ଖବେଇ ହୁଏ । ସେ ମୁଣ୍ଡପୋତି ସବୁ ସହେ, ଆଖିରେ ଲୁହ ଜମେ । କପାଳକୁ ନିନ୍ଦେ ।

ଏ ସୁଖ ଛାଡ଼ି ରାଧୀନାନୀ କାହିଁକି ଦିନସାରା ଖଟି ଖଟି ସୁନା ଦେହକୁ ଚୂନା କରିବ ?

ପଛରୁ କାନତରାଟି ବାବୁର ଗର୍ଜନ ଶୁଭିଲା-

କିଲୋ ଟୋକି ସେଠି ଖୁଣ୍ଟଟା ପରି ଛିଡ଼ାହେଲୁ କାହିଁକି ? ତୋର ଏଠି କିଏ ଅଛିଲୋ ବସେଇ ବସେଇ ମଜୁରୀ ଦେବ ? ମୋ ପଇସାରେ କଣ ସନ ନାଇଁ ତମପରି ଛତିରୀ ବାରବୁଲିଙ୍କୁ ପୋଷିବି ? କାମ କରିବାର ମନ ଅଛି ତ କର ନହେଲେ ଚାଲିଯା, କୋଉ ଲୋକ ଅଭାବ ଅଛନ୍ତି ।

ଗର୍ଜନରେ କଇଁର ତନ୍ଦ୍ରା ଭାଜିଲା । ବାଜେ କଥାଗୁରାକ ଭାବି ଭାବି ସେ ଛିଡ଼ା ହୋଇଯାଇଚି । କାନତରାଟିବାବୁର ପାଟିଶୁଣି ରାଧୀନାନୀ, ସୁଲି, ସୁବନମା ସମସ୍ତେ ଘେରି ଆସିଲେଣି, ସେ ଖାଲି ଲୋକହସା ହେଲା, ଭଗାରିଏ ନାକରେ କାଠି ପୂରେଇ ଛିଙ୍କିବେ !

ତରତର ହୋଇ ସେ ପାଛିଆ ଗୋଟେଇ ଆଗେଇଲା, ଆଖିରୁ ଲୁହଧାର ଗଡ଼ିଆସିଲା-। କେଡ଼େ ହନ୍ତସନ୍ତିଆ ଜୀବନ ତାର, ସେ ଯଦି କାହାର ହାତଧରି ସୁଖରେ ଘର ସଂସାର କରନ୍ତା......।

କଇଁ କାମରେ ମନଦେବାକୁ ଚେଷ୍ଟା କଲା । କାମରେ ମୋଟେ ମନ ଲାଗୁନି । ନା ଆଜି କିଛି ଗୋଟେ ଠିକଣା କରିବାକୁ ହେବ । ପେଟରେ ବରଂ ଓଦାକନା ଦେଇ ରହିବ ସେ; ଏଠାରେ କାମ କରିବ ନାଇଁ ।

 

ଗାଁର ଦଦରା ଚାଳ ଖଣ୍ଡିକ ତା ଆଖି ଆଗରେ ନାଚି ଉଠିଲା । ସୁରିଆଭାଇ କଥା ମନେପଡ଼ିଲା । ସୁରିଆଭାଇ-କଳା ମିଚି ମିଚି ଦେହ । ବଳିଲା ବଳିଲା ହାତଗୋଡ଼ । ବାଘପରି ଦେହରେ ବଳ । ସେ ତାକୁ କେତେ ସ୍ନେହ କରେ ।

 

ସୁରିଆ ଲେଖାଯୋଖାରେ ସିନା ଭାଇ ! ଆହା ! ଗାଁରେ ସେ ସୁଖର ଦିନଗୁଡ଼ିକ କୁଆଡ଼େ ଗଲା ।

 

ଭଙ୍ଗା ଦଦରା ଚାଳଘର ଭିତରେ ରୋଗୀ ବୁଢ଼ାଟିଏ ଖୁଁ ଖୁଁ କାସି ଉଠିଲା । ମା’ ଷାଠିଏ ବରଷର ବୁଢ଼ୀ ଆଖିର ତେଜ ଗଲାଣି । ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ତା ଆଗରେ ଛିଡ଼ା ହେଲା । କଇଁ କାନ ପାରିଲା । ଘର ଭିତରୁ ଦୁଇଟି ଆତ୍ମାର ବିକଳ ଡାକ !

 

ନାଁ ସେ ଫେରିଯାଇ ପାରିବ ନାଇଁ । କେଉଁଠୁ ଆଣି ସେମାନଙ୍କ ମୁହଁରେ ମୂଠେ ଦାନା ଦେବ ? ଧନୁର୍ଦ୍ଧରା ପୁଅ ତାଙ୍କୁ ଭସେଇ ଦେଇ ଯାଇଛି ଗତବର୍ଷ । ନା ସେ କଦାପି ଫେରିଯାଇ ପାରିବ ନାହିଁ । ରାଧୀନାନୀ ସୁଲି କି ଆଉ ପାଞ୍ଚଜଣଙ୍କ ପରି ସେ ବି ପଇସା କମେଇବ । ସଂଜରେ ବେଶ ହେବ ଜୁଡ଼ାରେ ମଲ୍ଲୀ ଫୁଲରେ ମାଳ ଖୋସିବ !

 

ସୁରିଆ ଭାଇକୁ ସେ ଭୁଲିଯିବ । ଆଖିରେ ତାର ଲୁହ ଜମିଲା । ଖସିଲା-ଖସିଲା-ଘୁଞ୍ଚିଯା ।

 

ଖୁବ୍‌ ଜୋର୍‌ ଶବ୍ଦ ତା କାନରେ ବାଜିଲା । କିଏ କଣ କହୁଛି ବୁଝିବାକୁ ତାର ବେଳ ନଥିଲା ।

 

ହଠାତ୍‌ କଣ ଧକ୍‌କା ଖାଇଲା ତା ଦେହରେ, ସେ ଭୂଇଁରେ ଲୋଟିଲା । ଚେତା ବୁଡ଼ିଲା-

 

କଇଁ ଆଖି ଖୋଲି ଦେଖିଲା ଶୋଇଚି ଡାକ୍ତରଖାନାର ସଫା ବିଛଣା ଉପରେ । ଦେହସାରା ଧଳାକନାର ପଟି ।

 

ବିଛଣା କଡ଼ରେ ବସିଚି ତା ସାନବୋଉ ।

 

ଆଖିରୁ ତାର ଲୁହ ଝରୁଚି ।

Image

 

ହାତ ଖଣ୍ଡୀ

 

ହେଇ ଆସିଲା...ଆସିଲା...ଦଉଡ଼ି ଆସରେ ।

 

ଉପରୁ ଡାକ ଛାଡ଼ିଲା କୁଞ୍ଜ, ଏକା ନିଃଶ୍ୱାସକେ ଧାଇଁଲୁ ମୁଁ ଆଉ ସନତ୍‌ । ତରତରରେ ଯାଉଁ ଯାଉଁ ହାଓ୍ୱାଇ ଚପଲ ଖସିଗଲା ଗୋଟେ ଗୋଡ଼ରୁ । ବେଶ କଚଡ଼ାଟେ ଖାଇଥାନ୍ତି, ଅଳ୍ପକେ ରକ୍ଷା ପାଇଗଲି । ପୁଣି ଚପଲଟା ଗୋଡ଼ରେ ଗଳେଇ ଚାରି ଛ’ଟା ପାହାଚ ଡେଇଁ ଯିବାବେଳକୁ ସନତ୍‌ ଯାଇଁ କୁଞ୍ଜ ସହିତ ମୁହଁ ଲଗାଇ ଦେଲାଣି ।

 

ଛୋଟ ଝରକାରେ ଆଉ ଗୋଟିଏ ମୁଣ୍ଡପାଇଁ ଜାଗା ନଥିଲେ ମଧ୍ୟ କୌଣସି ପ୍ରକାରେ ମୁହଁ ଗଳେଇ ଦେଲି ରେଲିଂ ପାଖରେ ।

 

ସେ ରାସ୍ତା ଉପରେ ଛିଡ଼ା ହୋଇଛି । ଲମ୍ୱ ବେଣୀଟା ପିଠି ଉପରେ ଝୁଲି ପଡ଼ିଛି । ମୂଳରୁ ଶେଷଯାଏ ଫୁଲର ମଉଛବ । କୁଆଁରପୁନେଇ ଦିନ ଝିଅଟିଏ ଫୁଲଘର କରୁ କରୁ ଗୋଟିଏ ଧାଡ଼ି ଦେଇ ଚାଲିଯାଇଛି କି ଆଉ ! ନା ଆରଗଳିର ମାଳୀଝିଅଟି ଫୁଲ ମାଳଟି ଦରଗୁନ୍ଥା କରି ଚାଲିଯାଇଛି ?

 

ମୁହଁ ସଞ୍ଜବେଳ, ଧଳା ଛିଟ ଶାଢୀଟି ବେଶ୍‌ ଦିଶୁଛି । ଶାଢୀ ଦେହରେ ଛୋଟ ଛୋଟ ଫୁଲ ଗୁଡ଼ିକ ଗଣି ହେବ । ସାମ୍ନା ବଗିଚା ଆଡ଼କୁ ଚାହିଁଲି । ସେଠି ବି ସୂର୍ଯ୍ୟମୁଖୀ କେତୋଟି ଚାହିଁ ରହିଛନ୍ତି । ଫୁଲର ପରିବେଷ୍ଟନୀ । ଫୁଲର ମନମତାଣିଆ ମହକ ।

 

ସେ ଆମ ଆଡ଼କୁ ମୁହଁ ବୁଲେଇଲା ।

 

ହେଇ ଚାହିଁଲାରେ....କୁଞ୍ଜ ଚିମୁଟି ଦେଲା ପୁଳାଏ ।

 

ଓ ହାତ ଖଣ୍ଡୀ-ଆଶ୍ଚର୍ଯ୍ୟ ନହୋଇ କହିଲି, ଇଆରି ପାଇଁ ଏତେ ଉଚ୍ଛନ୍ନ ।

 

କୁଞ୍ଜ ଆଡ଼କୁ ଆଉ ପାରିହେଲାନି-ସନତ୍‌ କହିଲା ।

 

ଏ ସନତ୍‌ଟା ଗୋଟେ ତୁଚ୍ଛା ବେରସିକ, ଖାଲି ଢୋଲେ ଖାଇବ ଆଉ ଶୋଇବ । କଲେଜରେ ଥିଏଟର ହେଲେ କୁମ୍ଭକର୍ଣ୍ଣ ପାର୍ଟଟା ତାର ଥୁଆ ହୋଇଥିଲା ।

 

କୁଞ୍ଜର ଏ ରସିକତାରେ ସମସ୍ତେ ଜୋରରେ ହସି ଉଠିଲୁ । ସେତେବେଳକୁ ହାତଖଣ୍ଡୀ ଆମ ଆଡ଼କୁ ଚାହିଁ ମୂରୁକି ହସା ଦେଲାଣି ।

 

ୟାଲା ୟାଲା ଦିଲ୍‌ ଲେଗୟା-କୁଞ୍ଜବିହାରୀ ଆରମ୍ଭ କଲା ଶସ୍ତା ଗୀତ !

 

ଯାଃ-କି ଚଏସ ତୋର । କିରେ ମାଂସ ମିଳୁନି ବୋଲି ବାଘ କଣ ଘାସ ଖାଇବ ?

 

ସେ ଡହରାମି ରଖିଦେ ସନତ୍‌ । କେଉଁଠି କ’ଣ କରୁଥିବୁ ଆଉ ଏଠି ମାରୁଛୁ ଚାଲ୍‌-ମୂରବୀ ଢଙ୍ଗରେ କୁଞ୍ଜ କହିଲା ।

 

ସେ ଏକ ଧ୍ୟାନରେ ଆମ ଆଡ଼କୁ ଚାହିଁଛି । ନାମ ଉପରେ ସୁନାର ମରିଚଟି ଛାଡ଼ିଦେଲେ ତାର ସାଜସଜା ବେଶ୍‌ ଆଧୁନିକ ଧରଣର । ଜୁଡ଼ାରେ ଯଦି ସେ ଅସମ୍ଭବ ରକମର ଅଧିକ ଫୁଲ ବାନ୍ଧି ନଥାନ୍ତା ତେବେ ସେ କୌଣସି ଭଦ୍ରଘରର ଝିଅ ପରି ଜଣାଯାଉଥାନ୍ତା ।

 

ତାକୁ ସେଦିନ ମାର୍କେଟ ପାଖରେ ଦେଖି ମୁଁ ବି ସେଇ ଭ୍ରମରେ ପଡ଼ିଥିଲି । ସେଦିନ ତାର ଏ ବେଶ ନ ଥିଲା । ଦୂରରୁ ଦିଶୁଥିଲା ବେଶ୍‌ ସାଦାସିଧା ଝିଅଟିଏ, ଛନ ଛନ ଚାହାଣୀ ଆଉ ଧୀର ଚାଲିରେ ସେ ରାଜପଥର ଶୋଭା ବଢ଼େଇଥିଲା ।

 

ତା ଦିନେ ଦି’ଦିନ ପରେ ତାକୁ ଦେଖିଲି ଆମ ବସା ପାଖରେ । ଆଉ ଦି’ଚାରି ଥର ମଧ୍ୟ ଦେଖାହେଲା । ଆଖିରେ ଆଖି ମିଶିଲା । ନଈ ବାଲିରେ ଦେଉଳ ତୋଳି ବସିଲି !

 

ମନକଥା ମନରେ ଥାଏ । ଟୁର୍‌ରୁ ଫେରିଲେ ବସନ୍ତବାବୁ, ବସାର ମାଲିକ । ତାଙ୍କ ପିଲାମାନେ ଗାଁକୁ ଯାଇଥିବାରୁ ଆମେ ତାଙ୍କ ବସାରେ ରହିବାର ସୁବିଧା ପାଇଥାଉଁ ।

 

ସେଦିନ ରବିବାର, ଉପର ମହଲାରେ ମୁଁ ଏକୁଟିଆ, ସେ ଆସି ଛିଡ଼ା ହେଲା ଆରପଟ ରାସ୍ତାରେ । ଝରକାରେ ମୁହଁ ଲଗେଇ ଚାହିଁଥାଏ, ପଡ଼ିଲି ବସନ୍ତ ବାବୁଙ୍କ ହାବୁଡ଼ରେ । କୁଞ୍ଜ ସନତ୍‌ ସମସ୍ତେ ମିଶି ଆରମ୍ଭ କଲେ ନାହିଁ ନଥିବା କଥା ।

 

ଆଚ୍ଛା ସେ କିଏ ? ମୁଁ କୁଞ୍ଜ ଆଉ ସନତ୍‌ ସମସ୍ତେ ଜାଣିବାକୁ ବ୍ୟସ୍ତ ।

 

ବସନ୍ତବାବୁ କପେ କଫି ଓ ଗୋଟେ ପାକେଟ୍‌ କାପଷ୍ଟାନ ଲାଞ୍ଚର ପ୍ରତିଶ୍ରୁତି ପାଇ ଆରମ୍ଭ କଲେ-

 

ସେ ପରା ଟୁର୍‌ ବାଲୀ !

 

ସେ ପୁଣି କ’ଣ ? କି ଟୁର୍‌ ? କ’ଣ ଚାକିରୀ କରୁଛି ?

 

ନା, ତା ନୁହେଁ । ତା ବାପା ମା’ କିଏ ଜାଣେନା, ସେ ଯାହାକୁ ପ୍ରଥମେ ବିବାହ କରିଥିଲା ସେ କୁଆଡ଼େ ତାକୁ ନିର୍ଧୂମ ପିଟେ । ତେଣୁ ତା ପାଖରୁ ପଳେଇ ଆସିଲା । ତାପରେ ପେଟର ଦାଉ, ରୂପର ମୋହ ଆଉ ବୟସର ଚାହିଦା ତାକୁ ଅଥୟ କଲେ । ସେ ଆରମ୍ଭ କଲା ବ୍ୟବସାୟ-ବେଶ୍ୟାବୃତ୍ତି ! ପ୍ରଥମେ ପ୍ରଥମେ ଲୁଚିଛପି । ଘରୋଇ ବେଶ୍ୟା ! ତାପରେ ଡକାପିଟା । ଯିଏ ଯେତେବେଳେ ଚାହିଁଲା । ଧନୀ, ଦରିଦ୍ର, ଛାତ୍ର, ଅଧ୍ୟାପକ, ଅଫିସର, ବ୍ୟବସାୟୀ ଯିଏ ପଇସା ଦେଇପାରିଲା ସିଏ ତା ଦେହକୁ ଉପଭୋଗ କଲା ।

 

ସେ ଘରୋଇ ବ୍ୟବସାୟ କରୁଥାଏ । ଏଇ ସହରର ଲୋକ । କାଳେ ଚିହ୍ନା ପଡ଼ିଯିବ ଏ ଭୟରେ ଗଲା ଆଉ ଗୋଟିଏ ପାଖ ସହରକୁ ତା ବ୍ୟବସାୟରେ-କିଛିଦିନ ପାଇଁ ଟୁର୍‌ରେ ! ଗୋଟିଏ ଟ୍ରକ ଡ୍ରାଇଭର ହେଲା ତାର ମିଡ଼ିଏଟର୍‌ । ଦିନେ ତା ଟ୍ରକରେ ଫେରୁଥାଏ, ଡ୍ରାଇଭର ବୋଧହୁଏ ମଦ ପିଇ ଦେଇଥିଲା । ହେଲା ଏକ୍‌ସିଡ଼େଣ୍ଟ, ତା ବାଁ ହାତରେ ଆଘାତ ଲାଗିଲା ବଡ଼ ସାଙ୍ଘାତିକ ଭାବରେ, ଡାକ୍ତରଖାନାରେ ଭର୍ତ୍ତି ହେଲା । ସେ ଡାକ୍ତରବାବୁ ଦିନେ ନିରାଶ ହୋଇଥିଲେ ତା ପାଖରୁ ବୋଧହୁଏ, ମୂଲଚାଲ ଠିକ୍‌ ହୋଇପାରିଲା ନାହିଁ । କାରଣ-ଡାକ୍ତରବାବୁ ଟିକିଏ କୃପଣ ଥିଲେ । ସେ ଏବେ ନେଲେ ପ୍ରତିଶୋଧ । ତା ହାତ ଭଲ ନହୋଇ ଦିନକୁ ଦିନ ଖରାପ ହେଲା, ଶେଷରେ ସେ ହାତଟା କାଟି ଦେଲେ । ଡାକ୍ତରବାବୁ ଯେଉଁ ରୂପର ମୂଲ୍ୟ ଦେଇପାରି ନଥିଲେ ସେ ରୂପକୁ ହତ୍ୟା କଲେ ଅତି ନିଷ୍ଠୁର ଭାବରେ !

 

ସେ ଦିନରୁ ସେ ହେଲା ହାତଖଣ୍ଡୀ । ତା ରୂପର ମୂଲ୍ୟ କମିଲା । ତଥାପି ତାର ବ୍ୟବସାୟ ଅଚଳ ହେଲାନି ।

 

ଆଜିବି ସେ ବ୍ୟବସାୟ କରେ, ଦେହ ବିକି ବଞ୍ଚେ !

 

ବସନ୍ତବାବୁଙ୍କର କଥା ଶୁଣି ମନେପଡ଼ିଲା ସତେତ ମୁଁ କେବେ ତାର ଦୁଇଟି ହାତ ଦେଖିନାହିଁ । ବାଁ ହାତଟା ଲୁଗା ଭିତରେ ଥାଏ ।

 

ଆହା ବିଚାରୀ କି କଷ୍ଟ ପାଇନଥିବ ।

 

ସେ ଡାକ୍ତର ଉପରେ ରାଗ ହେଲା । ନୋବେଲ ପ୍ରଫେସର ତାର । ମନୁଷ୍ୟର ସେବା ତାର ଧର୍ମ, ନିଚ୍ଚ ମନୋବୃତ୍ତି ନେଇ ସେ ଡାକ୍ତର ହେଲା କାହିଁକି ? କେଉଁଠି କଳାବଜାର କରି ଚାଉଳରେ ବାଲି, ତେଲରେ ଅଗରା ମିଶାଇ ପେଟ ପୋଷିବା ତାର ଉଚିତ ଥିଲା ।

 

ହାତଖଣ୍ଡୀ ପାଇଁ ମନରେ ବିଶେଷ କଷ୍ଟ ହେଲା, ସେ କେବଳ ଏକା ନୁହେଁ ତା’ପରି ଆଉ ଶହ ଶହ ଆମ ଦେଶରେ ଅଛନ୍ତି, ସମସ୍ତଙ୍କର ଜୀବନ ଇତିହାସ ପ୍ରାୟ ଏକ ପ୍ରକାର । ସଉକିରେ କେହି ବେଶ୍ୟାବୃତ୍ତି କରୁନି, ଅଭାବ ଅନାଟନ ସେମାନଙ୍କୁ ପଥଭ୍ରଷ୍ଟ କରିଛି ।

 

ଏଇ ବେଶ୍ୟାମାନଙ୍କ ପ୍ରତି ସହାନୁଭୂତିରେ ମୋ ମନ ଭରିଯାଏ, ସେମାନଙ୍କ ମନରେ ବିବାହିତା ସ୍ତ୍ରୀପରି କପଟ ନାହିଁ, ଛଳନା ନାହିଁ ଗର୍ବ ଅହଙ୍କାର ନାହିଁ, କେତୋଟି ଟଙ୍କା ବିନିମୟରେ ସେମାନେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରନ୍ତି । ଦାଣ୍ଡର ଭିକାରୀପରି ସେମାନେ କାହା ପାଖରେ ପଇସାଟେ ପାଇଁ ହାତ ପତେଇବାକୁ ଯାଆନ୍ତି ନାହିଁ । କୌଣସି କର୍ମଚାରୀ ଯେପରି ନିର୍ଦ୍ଦିଷ୍ଟ ଅଙ୍କର ମୂଦ୍ରା ବିନିମୟରେ ନିଜର ସମୟ ଦେଇ ମାଲିକର କାର୍ଯ୍ୟ କରେ, ବ୍ୟବସାୟୀ ଯେପରି ଜିନିଷ ବିକ୍ରୟ କରି ତା ବଦଳରେ ପଇସା ନିଏ, ଓକିଲ କିମ୍ୱା ଡାକ୍ତର ଯେପରି ନିଜର ଉପଦେଶ ବିନିମୟରେ ନିର୍ଦ୍ଦିଷ୍ଟ ଅର୍ଥ ଦାବୀ କରେ ବେଶ୍ୟାମାନେ ସେମିତି କେତେ ସମୟ ପାଇଁ ନିଜର ଦେହ ବିନିମୟରେ କିଛି ଟଙ୍କା ନିଅନ୍ତି । ସେ ସମୟ ପାଇଁ ଅର୍ଥ ଦେଉଥିବା ଲୋକ ପାଖରେ ନିଜକୁ ସମ୍ପୂର୍ଣ୍ଣଭାବେ ଉତ୍ସର୍ଗ କରନ୍ତି ।

 

ଆମେ ଆଳସ୍ୟପରାୟଣ ଭିକାରୀମାନଙ୍କୁ ଘୃଣାକରୁନା । ମାଲିକକୁ ଠକି ଉପଯୁକ୍ତ କାମ ନ କରି ଯେଉଁ କର୍ମଚାରୀ ଦରମା ନେଇଯାଏ ତାକୁ ଘୃଣା କରୁନା । ଯେଉଁ ଡାକ୍ତର କିମ୍ବା ଓକିଲ ଲୋକର ଅସହାୟ ଅବସ୍ଥାର ସୁଯୋଗ ନେଇ ଅଧିକ ଅର୍ଥ ଦାବୀ କରେ ତାକୁ ଘୃଣା କରୁନା କିମ୍ୱା ଯେଉଁ ବ୍ୟବସାୟୀ ଖାଦ୍ୟରେ ଅଖାଦ୍ୟ ମିଶେଇ ବିକ୍ରିକରେ ତାକୁ ଘୃଣା କରୁନା । ତା ହେଲେ ଆମେ ବେଶ୍ୟାମାନଙ୍କୁ ଘୃଣା କରୁ କାହିଁକି ?

 

ବେଶ୍ୟା ନିଜର ବିବାହିତ ସ୍ତ୍ରୀ ସହିତ ସମାନ । କାରଣ ସେ କେତୋଟି ମୁଦ୍ରା ବିନିମୟରେ କେତେ ଘଣ୍ଟା ପାଇଁ ନିଜ ଦେହକୁ ବିକ୍ରୟ କରେ ଏବଂ ବିବାହିତା ସ୍ତ୍ରୀ ନିଜର ଭରଣପୋଷଣ ପାଇଁ ସାରା ଜୀବନ ନିଜ ଦେହକୁ ବିକ୍ରୟ କରିଥାଏ ।

 

ନିଜ ସ୍ୱାମୀର ବାହୁବନ୍ଧନରେ ଥାଇ ଅନ୍ୟ ପୁରୁଷର ସ୍ୱପ୍ନ ଦେଖୁଥିବା ପତ୍ନୀ ଅପେକ୍ଷା କେତେ ଘଣ୍ଟା ପାଇଁ ନିଜକୁ ସଂପୂର୍ଣ୍ଣ ଭାବରେ ଉତ୍ସର୍ଗ କରୁଥିବା ବେଶ୍ୟା ଉତ୍କୃଷ୍ଟତର ! ତଥାପି ସମାଜ ସେମାନଙ୍କୁ କହେ ଭ୍ରଷ୍ଟାଚାରିଣୀ । ସମସ୍ତେ ତା ପ୍ରତି ଘୃଣାରେ ନାସିକା କୁଞ୍ଜନ କରନ୍ତି । ଯେଉଁ ସମାଜ ସେମାନଙ୍କ ପାଇଁ ଅନ୍ନ ବସ୍ତ୍ର ସଂସ୍ଥାନର ଭିନ୍ନ ପନ୍ଥା ଉଦ୍‌ଭାବନ କରି ନ ପାରେ, ସେ ତାଙ୍କୁ ସମାଜ ଭ୍ରଷ୍ଟାଚାରିଣୀ ଆଖ୍ୟା ଦେଇ ନାସିକା କୁଞ୍ଜନ କରେ କେଉଁ ଅଧିକାରରେ ? ସେଦିନ ରାତିରେ ଆଦୌ ନିଦ ହେଲାନି । ଖାଲି ଭାବୁଥାଏ କଣ ହେବ ହାତଖଣ୍ଡୀର ଭବିଷ୍ୟତ ? ଆଉ କିଛିଦିନ ପରେ ବୟସ ଖସିବ । ରୂପ ମଉଳିବ । ଆଜି ଯେଉଁମାନେ ରସିକ ଭ୍ରମର ସାଜି ତାରି ଦ୍ୱାରସ୍ଥ ହେଉଛନ୍ତି ସେମାନେ ଦୂରେଇ ରହିବେ । ଅଭାବରେ ସେ ଦୁଇଓଳି ଦୁଇମୁଠା ଖାଇବାକୁ ପାଇବନି ।

ଆଖି ଆଗରେ ହାତଖଣ୍ଡୀର ସେ ଦିନର କୁତ୍ସିତ ରୂପ ନାଚି ଉଠୁଛି । ସେ ବୁଢ଼ୀ ହୋଇଯାଇଛି । ନାକରୁ ପାଣି ଗଡ଼ୁଛି । ଥର ଥର ହାତରେ ବାଡ଼ି ଖଣ୍ଡେ ଧରି ସେ ଦ୍ୱାର ଦ୍ୱାର ଭିକ୍ଷା କରୁଛି । ପିଲାଏ ଟେକା ପଥର ପକାଉଛନ୍ତି । ଆଘାତ ପାଇ ରକ୍ତ ଝରୁଛି । ଦିନେ ଯେଉଁମାନେ କେତୋଟି ମାତ୍ର ମୁଦ୍ରା ବିନିମୟରେ ତାର ସର୍ବସ୍ୱ ଲୁଟି ନେଇଥିଲେ ସେମାନେ ତାକୁ ଆଜି ଆଡ଼ ଆଖିରେ ଚାହୁଁ ନାହାନ୍ତି ।

ଭାବି ଭାବି କେତେବେଳେ ଛାଇ ନିଦ ଲାଗିଯାଇଥିଲା ।

ସରକାରଙ୍କ ତରଫରୁ ବେଶ୍ୟାବୃତ୍ତି ବନ୍ଦ କରିବାପାଇଁ ଆଇନ ପ୍ରଣୟନ ହୋଇଯାଇଛି । ସେମାନଙ୍କ ପାଇଁ ଖୋଲାଯାଇଛି ଆଶ୍ରମ, ବିଭିନ୍ନ କୁଟୀର ଶିଳ୍ପର ଯୋଜନା ହୋଇଛି । ସବୁରି ମୁହଁରେ ଫୁଟି ଉଠିଛି ମନଖୋଲା ହସ !

ଗୋଟିଏ ଆଶ୍ରମରେ ସିଟ୍‌ ଯୋଗାଡ଼ କରି ମୁଁ ଧାଇଁଗଲି ହାତଖଣ୍ଡୀ ଦୁଆରକୁ ।

 

ହାତ ଖଣ୍ଡୀ....ହାତ ଖଣ୍ଡୀ...

 

ପାଖ ଖଟରୁ ସନତ୍‌ ଖୁବ୍‌ ଜୋରରେ ହସିଉଠିଲା, କିରେ, ସ୍ୱପ୍ନରେ ବି ହାତଖଣ୍ଡୀ କଥା ଭାବୁଛୁ ?

 

ସେତେବେଳକୁ ମୋ ଆଖି କଣରେ ଲୁହ ଜମି ଆସୁଥିଲା !

Image

 

ତମସା

 

କଟକରେ ଏକ ଅଖ୍ୟାତ ଗଳିରେ ଆମ ମେସ୍‌ଟି, ସେଇଠି ଅଣ୍ଡର ଗ୍ରାଜୁଏଟ୍‌ ଶ୍ରେଣୀର ବିପିନ୍‌, ଧୀରେନ୍ଦ୍ର, ପୋଷ୍ଟଗ୍ରାଜୁଏଟ୍‌ ଶ୍ରେଣୀର ମିତ୍ର, ଜେନା ଓ ମିଶ୍ରବାବୁ ସେଇଠି ସେକ୍ରେଟେରୀଏଟ୍‌ର କିରାଣୀ ପରିଡ଼ା ଓ ଆଇ. ଏ. ଏସ୍‌ ଏବଂ ଓ. ଏ. ଏସ୍‌ ପାଇଁ ପ୍ରସ୍ତୁତ ହେଉଥିବା ମହାନ୍ତିବାବୁ ସମସ୍ତେ ଏକଜୁଟ । ସବୁପ୍ରକାର ଛାତ୍ର ଓ ଚାକିରୀଆମାନଙ୍କ ମଧୁର ସମନ୍ୱୟରେ ସତେ ଯେପରି ଏ ଗୋଟିଏ ଚିଡ଼ିଆଖାନା ।

 

ଏଇଠି ପ୍ରେମଚର୍ଚ୍ଚା ହୁଏ, ସିନେମାଷ୍ଟାରଙ୍କ ଉପରେ କମେଣ୍ଟ୍‌ କରାଯାଏ, ଏଠି ରାଜନୀତି ଚର୍ଚ୍ଚା ହୁଏ । ଏଠିବି ବିଜ୍ର ଖେଳ ହୁଏ । ଆଉ ରବିବାର ଦିନ କଣ୍ଠ ସଙ୍ଗୀତର ଅଧିବେସନ ବସେ ।

 

ମିଶ୍ରବାବୁ ଯେତେବେଳେ ଗାଇ ବସନ୍ତି-ଏ କୋଇ ଯାଦୁଗର....ଲେକେ ପହିଲା ପହିଲା ପ୍ୟାର ସେତେବେଳେ ପରିଡ଼ାବାବୁ ତାଙ୍କ ହାତ ରିଂ ସାହାଯ୍ୟରେ ଟେବୁଲ ଉପରେ ଭଲ ତାଳଦେଇ ପାରନ୍ତି ଆଉ ବିପିନ୍‌ ହାତରେ ଫୁଟୁକି ଫୁଟାଇ ବେଶ୍‌ ଉପଭୋଗ କରେ ।

 

ଏ ମେସ୍‌ରେ କେତେ କୂଅ ଦଉଡ଼ି ଛିଡ଼ିଗଲାଣି । କେତେ ବାଲଟି ଫୁଟି ଗଲାଣି କେତେ ପ୍ଳେଟ୍‌ ଭାଙ୍ଗି ଗଲାଣି, କେତେ ପୂଜାରୀ ଆସି ଗଲେଣି କିନ୍ତୁ ମେସ୍‌ଟି ସବୁଦିନେ ଚାଲିଛି । କେଉଁଦିନ ମାଂସ ପଲାଉ ମିଳୁଛି ତ କେଉଁ ଦିନ ଖାଲି ଡାଲି ଆଳୁ ଚଟଣି । କାହାରି ମନରେ ଦୁଃଖ ନାହିଁ, ଅଶାନ୍ତି ନାହିଁ, ଦ୍ୱିଧା ନାହିଁ-ଯେ ଯାହାର କାମ କରି ଚାଲିଛି । ମେସ୍‌ଟି ସବୁଦିନେ ସରଗରମ-

 

ଠିକ୍‌ ସାଢେ ଚାରିଟା କିମ୍ୱା ପାଞ୍ଚଟା ବେଳକୁ ବାରଣ୍ଡାରେ ଖୋଲା ଅଧିବେସନ ବସେ ।

 

-ଆଜି ଆମ କ୍ଳାସର ଚପଳା ପଟ୍ଟନାୟକ ମୋତେ ନୋଟ୍‌ବୁକ୍‌ ମାଗିଲା !

 

-ଆଜି ଆମ ସେମିନାର୍‌ରେ ମିସ୍‌ ସୁଚିତ୍ରାଙ୍କ ଉପରେ ଭୀଷଣ ଚିଡ଼ିଗଲି ।

 

-ଆଜି ଲାଇବ୍ରେରୀ ପାଖରେ ପ୍ରଫେସର ମହାନ୍ତି ମୋତେ ଖୁବ୍‌ କଡ଼ା କରି ଶୁଣେଇଦେଲେ ମୁଁ ଆରତି ଘରକୁ ଯାଉଛି ବୋଲି ।

 

-ଆଜି ଆମ ହାକିମଙ୍କୁ ମୁଁ ଦି’ପଦ ଶୁଣେଇ ଦେଇଛି ବଡ଼ବାବୁଙ୍କ ଜରିଆରେ ।

 

ଏମିତି କେତେ କଥା । ଶେଷରେ ଧୀରେନ୍ଦ୍ର କହେ ହେଲେ କଣ ହେବ ତୁମେ ସବୁ ବାଜେ କଥାରେ ମାତିଛ । ଆହା ଜେନେବାବୁ ଯେଉଁ ଟିଉସନ ପାଇଛନ୍ତି । ଯାହା ମିଳୁଛି ତା’ଅପେକ୍ଷା ଅଧିକ ଖର୍ଚ୍ଚ ହେଉଛି ସ୍ୱନାମଧନ୍ୟା ଛାତ୍ରୀଟି ପିଛେ !

 

ସମସ୍ତେ ହୋ ହୋ ହୋଇ ହସିଉଠୁ ।

 

ମେସ୍‌ର ଅବସ୍ଥିତି ଗୋଟିଏ ପଡ଼ିଆ ଉପରେ, ଚାରିପଟେ ସିଜୁ ଆଉ ବାରଜାତି ଗଛର ସବୁଜବାଡ଼ । ଦିନେ ସାଢେ ଚାରିଟା ଅଧିବେଶନରେ ଜେନା ମୋତେ କହିଲା, ବୁଝିଲୁ ଦିନେଶ-ଏ ସାମନା ବାଡ଼ଗୁଡ଼ାକ ବହୁତ ବଢ଼ିଗଲାଣି । ଅଗରୁ ଟିକିଏ ଟିକିଏ କାଟି ପକାଇବାକୁ ହେବ ।

 

ମହାନ୍ତିବାବୁ କହିଲେ କି ସେ ବାଡ଼ ତମର କି ଅସୁବିଧା କରୁଛି କି ? ବଢ଼ୁଥାଉ ଯେତେ ବଢ଼ିବ । ଜେନା କହିଲା ଆପଣ ତ ସବୁବେଳେ ଏନ୍‌ସାଇକ୍ଳୋପେଡ଼ିଆ ଅଫ୍‌ ଜେନେରାଲ ନଲେଜ୍‌ରେ ବୁଡ଼ି ରହିଲେ ଆଇ. ଏ. ଏସ୍‌. ପାଇଁ । ବାହାର ଦୁନିଆଁରେ କ’ଣ ହେଉଛି ଜାଣିବେ କେମିତି ? ଏଇ ରାସ୍ତା ଆରପଟେ ସେ ଯେଉଁ ଏକ ମହଲା କୋଠା ତା ଉପରକୁ ଚାହିଁଲେ ।

 

ସମସ୍ତଙ୍କ ଦୃଷ୍ଟି ସେ ଆଡ଼କୁ ପଡ଼ିଲା । ଧେତ୍‌ ଆପଣ ବଡ଼ ବେରସିକ ହେଲେଣି, ମହାନ୍ତିବାବୁ କହିଲେ । ସେଇଟା ପିତା କାଳୀ !- ଆହା ରାଜଗୋପାଳାଚାରୀ କହୁଛନ୍ତି କାଳୀ କନ୍ୟା ବିବାହ କରିବାକୁ ଆଉ ଆପଣ ନାକ ଟେକୁଛନ୍ତି ! ଆଇ. ଏ. ଏସ୍‌ ହେଲେ ଆପଣ ଦେଶ ଶାସନରେ ଫେଲିଓର୍‌ ହେବେ ।

 

ସମସ୍ତେ ଏକାବେଳକେ ହସି ଉଠିଲେ । ଦେଖିଲି କେତେବେଳୁ ଆସି ପୁଝାରୀ ଟୋକାଟା ଆମ ସହିତ ଯୋଗ ଦେଲାଣି । କିରେ ତୁ କ’ଣ ଏଠି ? ଗଲୁ ଗୋଟେ ସିଙ୍ଗଲ ।

 

ନା ନା ଆଠଟା ସିଙ୍ଗଲ । କେଟଲିଟା ନେଇ ଯା, ଆଜି ଉଠିଲା ଦିନେଶ ଉପରୁ ଚାନ୍ଦା-ଜେନା କହିଲା । ସୁନା ପିଲାଟି ପରି ପୁଝାରୀକୁ ସିଲିପ୍‌ଟିଏ ଲେଖି ଦେଲି ସାହୁ ଦୋକାନକୁ ।

 

ମୁଁ ଆରମ୍ଭ କଲି କିରେ ସେ କିଏ ତା ନାଁ କ’ଣ ? ଜେନା କହିଲା କିଏ ଜାଣେ-ଧର କାଳୀ ମହାମାୟା ଅଭୟା.....

 

ମୁଁ କହିଲି ନାଇଁରେ ତା ନାଁ ଦିଅ ଅନ୍ଧାର...ତମସା ।

 

ସେଇ ଦିନୁ ତା ନାଁ ତମସା, ଆଉ ସେଇଦିନୁ ସାଢେ ଚାରିଟା ଅଧିବେଶନରେ ପଡ଼େ ଖାଲି ତମସା କଥା । ସେ କେମିତି ଶାଢୀ ପିନ୍ଧିଛି କେମିତି ବେଶୀ ଝୁଲେଇ ବୁଲୁଛି-ଇତ୍ୟାଦି ।

 

ସାମନା ବାଡ଼ ବଢ଼ି ଯାଉଛି, ତାକୁ ମଝିରେ ମଝିରେ ପୁଝାରୀ ଟୋକା ହାତରେ ଜେନା କଟେଇ ଦେଉଛି, ଅଥଚ ସମସ୍ତେ ଥଟ୍ଟା କରୁଛନ୍ତି ମୋତେ, କିରେ ତମସା ଉପରେ ତୋର ଏଡ଼େ ସରାଗ କାହିଁକି ?

 

ଜେନା ତମସା ଉଦ୍ଦେଶ୍ୟରେ ଗୀତ ବାନ୍ଧିଛି-

 

ତମସା ରହିଛି ଅନେଇ

 

ତମସାର ପାଖେ ନଯାଅ ଦନେଇ !

 

ଜେନା ଏହା ଭିତରେ ଖବର ନେଇଛି-ଆରେ ତମସା ହାଇସ୍କୁଲରେ ପଡ଼ୁଛି, ମୁଁ ଆଜି ତାକୁ ଗାର୍ଲସ୍କୁଲ ଗେଟ୍‌ ପାଖରେ ଦେଖି ଆସିଛି ।

 

ବାସ୍ତବିକ୍‌ ତମସା କଥା ମୁଁ ବେଳେ ବେଳେ ଭାବିଛି । ଆହା ବିଚାରୀ ତମସା ! ସେ ଦେଖିବାକୁ କାଳୀ ଅସୁନ୍ଦରୀ ବୋଲି ସିନା ଆଜି ଏ ସାରା ମେସ୍‌ରେ ପିଲାମାନେ ତାକୁ ଥଟ୍ଟା କରୁଛନ୍ତି । ତା ନାଁରେ ବ୍ୟଙ୍ଗ କବିତା ଲେଖୁଛନ୍ତି । ସେ ଯଦି ସୁନ୍ଦରୀ ହୋଇଥାନ୍ତା ତାକୁ ପାଇବା ପାଇଁ ଆମ ଭିତରୁ ହୁଏତ କେତେ ପାଗଳ ହୁଅନ୍ତେଣି ।

 

ବାଟରେ ତମସାକୁ କେତେ ଥର ଦେଖିଛି । ହଁ, ସେ ତମସା । ସେ ଅନ୍ଧାର । ସେ କାଳୀ, ଅସୁନ୍ଦରୀ । ଆହା ବିଚାରୀ କେତେ ଆଶାରେ ଜୀବନ ଯାତ୍ରା ଆରମ୍ଭ କରୁଛି । ସେ ପାଠ ପଢ଼ିବ । ଯୋଗ୍ୟ ବରକୁ ବିବାହ କରିବ । ସ୍ୱାମୀର ସ୍ନେହ ଆଦର ପାଇବ । କିନ୍ତୁ ସେ କଣ ଜାଣିଛି ଆଧୁନିକ ଶିକ୍ଷିତ ଯୁବକର ଦୃଷ୍ଟି କେନ୍ଦ୍ରିଭୂତ ହୋଇଛି ଗୋରା ଚମର ସୁନ୍ଦରୀ ଝିଅମାନଙ୍କ ଉପରେ । ସେ କଣ ଜାଣିଛି, ଦକ୍ଷିଣ ଆଫ୍ରିକାର କଳାଗୋରା ଭେଦ ନୀତି ଆମ ଭିତରେ ବି ରହିଛି । କିନ୍ତୁ ଆଫ୍ରିକାର କଳା ଗୋରା ଭେଦ ନୀତି କଥା ପଡ଼ୁ ଆମେ ଅଖଣ୍ଡ ଯୁକ୍ତି ଦେଖାଇ କହିବୁ ଘୋର ଅନ୍ୟାୟ । ଆମେ ସମସ୍ତେ ସମାନ । ମଣିଷ ମଣିଷ ଭିତରେ ଭେଦ ଭାବ କାହିଁକି ? ଆଫ୍ରିକାରେ ଯାହା ହେଉଛି ଆମେ ତାହା ବରଦାସ୍ତ କରିବୁ ନାହିଁ, ଇତ୍ୟାଦି ।

 

ଘଟନାଚକ୍ରରେ ମୁଁ କଟକ ଛାଡ଼ିଛି । ତଥାପି ଆମ ମେସ୍‌ର ମଧୁର ସ୍ମୃତି ମୋ ମନରୁ ଲିଭିନି । ମଝିରେ କେବେ କଟକ ଗଲେ ଅନ୍ୟ ଆଡ଼େ ରହିବାର ସୁବିଧା ଥିଲେ ବି ମେସରେ ଉଠୁଛି । ଜେନା ସେଥିପାଇଁ କହେ ଦିନେଶ ତମସାର ମୋହ ଛାଡ଼ିପାରୁ ନାହିଁ !

 

ହଇରେ ଶୁଣିଲୁଣି ତମସା ଆମ କଲେଜରେ ଫାଷ୍ଟ ଇୟରରେ ପଢ଼ୁଛି । ଗତ ଡ୍ରାମାରେ ଭଲ ପାର୍ଟ କରିଥିଲା । ଦିନେ ଆଧେ ରହଣି ଭିତରେ ତମସାକୁ ଦେଖିବାର ସୁଯୋଗ ବା ଦୁର୍ଯୋଗ ଆଉ ଆସିନି ।

 

ଦୀର୍ଘ ଏକବର୍ଷ ପରେ କଣ ଜରୁରୀ କାମରେ କଟକ ଯାଉଥାଏ । ମନରେ ଭାରି ଫୁର୍ତ୍ତି-। କଟକ, ଛାତ୍ର ଜୀବନର କର୍ମଭୂମି । ସାଙ୍ଗସାଥୀ ଗହଣରେ ସେ ଅଭୁଲା ଦିନଗୁଡ଼ିକ କଟିଛି ଏଇ କଟକରେ ।

 

ମନେ ପଡ଼ିଲା ଆମ ମେସ୍‌ । ପଡ଼ିଆ ଉପରେ ସେ ଖପର ଘର ! ଯୁଗ ଯୁଗ ଧରି ସେ ସେଇଠି ଛିଡ଼ା ହୋଇଛି ।

ଆଉ ତା ଚାରିପଟେ ସବୁଜ ବାଡ଼ । ସାଙ୍ଗ ସାଥୀ, ଧୀରେନ୍‌ ମହାନ୍ତି, ଜେନା, ପରିଡ଼ା, ସାଢେ ଚାରିଟା ଅଧିବେଶନ, ସିଂଗଲ ଚା ଆଉ ତମସା, ବିଚାରୀ ତମସା !

ତମସାର ପ୍ରକୃତ ନାଁ ଜାଣିନି । ତା ସହିତ କେବେ ପରିଚୟ ହୋଇନି । ସେ ମୋତେ ଜାଣେନା, ତଥାପି ତମସା ପ୍ରତି ମୋର ସହାନୁଭୂତି ରହିଛି ।

ଟ୍ରେନରେ ଖବରକାଗଜ ପଢ଼ିଲେ । କିଏ ଜଣେ ପୂର୍ଣ୍ଣିମା ମହାନ୍ତି ଆତ୍ମହତ୍ୟା କରିଛି ଫାଇନାଲ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇପାରିଲା ନାହିଁ ବୋଲି । ହୁଏତ ଆଉ କିଛି କାରଣ ଥାଇପାରେ । ପୋଲିସ ଅନୁସନ୍ଧାନ ଚାଲିଛି ।

ଆହା କେଡ଼େ ନିର୍ବୋଧ ଝିଅଟା । ଆତ୍ମବିଶ୍ୱାସ ନାହିଁ । ଫେଲ୍‌ ହେଲା ବୋଲି ଆତ୍ମହତ୍ୟା କରିଛି ।

କଟକ ଷ୍ଟେସନ ଯେତେ ପାଖେଇ ଆସୁଥାଏ ମେସ୍‌ ଓ ସାଙ୍ଗସାଥୀମାନଙ୍କୁ ଦେଖିବାକୁ ଉଦ୍‌ବେଗ ବଢ଼ୁଥାଏ । ତମସାକୁ ମଧ୍ୟ କେବେଠୁଁ ଦେଖିନି । ଏଥର କଟକରେ ଚାରିଦିନ ରହିବି । ନିଶ୍ଚୟ ଥରେ ତମସାକୁ ଦେଖିବାକୁ ଚେଷ୍ଟା କରିବି । ସାଢେ ଚାରିଟା ଅଧିବେଶନରେ ପୁଣି ଥରେ ଯୋଗ ଦେବି । ପୂଜାରୀ ସିଂଗଲ ଆଣିବ ।

ରିକ୍‌ସାରୁ ଓହ୍ଳାଇ ସିଧା ପଶିଲି ଜେନା ରୁମ୍‌ରେ ।

-ଆରେ ଦିନେଶ ଆସିଲାଣି ।

ପରିଡ଼ା ଆର ଘରୁ ଦୌଡ଼ିଆସିଲା-ଆହା ବନ୍ଧୁ ଟୁ ଲେଟ୍‌ !

କିରେ କଥା କ’ଣ ?

ଆଉ କଣ ଅଛି ଯେ ଦେଖା କରିବାକୁ ଆସିଛୁ ? ତମସା କାଲି ଆତ୍ମହତ୍ୟା କରିଛି ।

ଛାତିରେ ମୋର କଣ ଚାଉଁକରି ଲାଗିଗଲା । ନିଜକୁ କୌଣସି ମତେ ସମ୍ଭାଳି ନେଇ କହିଲି; ଓହୋ ଆମ ତମସା ହେଉଛି ପୂର୍ଣ୍ଣିମା ମହାନ୍ତି ।

-ହଁ ରେ, ତମସାର ନାମ ପୂର୍ଣ୍ଣିମା । ଏ ମିସ୍‌ନମର୍‌ !

ମନେ ମନେ ଭାବିଲି,

ବେଶ୍‌ ହେଲା, ପିତା କାଳୀ କହି ମେସ୍‌ ପିଲାମାନେ ଆଉ ଥଟ୍ଟା କରିବାର ସୁଯୋଗ ପାଇବେ ନାହିଁ ।

ତାଙ୍କ ଆଡ଼ୁ ମୁହଁ ଫେରାଇ ଆଣିଲି । ସାମ୍ନାବାଡ଼ ଅସମ୍ଭବ ରକମର ବଢ଼ି ଉଚ୍ଚ ହୋଇଛି-। ସେ ବାଡ଼ କାଟିବାକୁ ବିଚାରି ପୁଝାରୀ ଟୋକାଟାକୁ ଆଉ କଷ୍ଟ କରିବାକୁ ପଡ଼ିବ ନାହିଁ ।

Image

 

ଅଧ୍ୟାପକଙ୍କ ସ୍ୱପ୍ନ ଭଙ୍ଗ

 

ପ୍ରଫେସର କମନ ରୁମ୍‌ରେ ବସିଥିଲେ ଅଧ୍ୟାପକ କାମପାଳ ମିଶ୍ର, ରୁମର ଗୋଟିଏ କଣରେ ବସି ଅଧ୍ୟୟନରେ ରତଥିଲେ ଆଉ ଜଣେ ଅଧ୍ୟାପକ । ଆଉ କେତେ ଜଣ ଦୈନିକ ଖବରକାଗଜର କୌଣସି ବିଶେଷ ଖବର ଉପରେ ସରଗରମ ଆଲୋଚନା ଆରମ୍ଭ କରି ଦେଇଥିଲେ; କିନ୍ତୁ କାମପାଳବାବୁଙ୍କର କୌଣସି ଆଡ଼କୁ ନଜର ନଥିଲା । ସେ କେବଳ ଭାବୁଥିଲେ ନିଜର ଅତୀତ ଓ ବର୍ତ୍ତମାନ ।

 

କେତେକ ଦୁଷ୍ଟ ଲୋକ କହନ୍ତି ବିପତ୍ନୀକ ହେଲା ଦିନରୁ କାମପାଳବାବୁଙ୍କର ମୁଣ୍ଡ ବିଗିଡ଼ି ଯାଇଛି । ସେ ଆଉ ଅଧ୍ୟାପନାରେ ମନ ନିବେଶ କରୁନାହାଁନ୍ତି, ଯେଉଁଠି ବସୁଛନ୍ତି ସେଇଠି ।

 

କିନ୍ତୁ କାମପାଳବାବୁଙ୍କର ମୁଣ୍ଡ ପ୍ରକୃତରେ ବିଗିଡ଼ିଛି ବୋଲି ସେ ମନେ କରୁନାହାଁନ୍ତି । ସେ ତ ନିୟମିତ ଭାବରେ କଲେଜ ଯାଉଛନ୍ତି, ଖିଆପିଆ କରୁଛନ୍ତି ।

 

କେବଳ ଗୋଟିଏ ଭାବନା ତାଙ୍କୁ ବିଚଳିତ କରୁଛି ସେ ହେଉଛି ତାଙ୍କର ପଡ଼ୋଶୀ ସଦର ବ୍ଳକର ବି. ଡି. ଓ. ନିକୁଞ୍ଜବାବୁଙ୍କ କଥା ।

 

ସତେ ସେ କେଡ଼େ ଆଡ଼୍‌ଡ଼ାରେ ଅଛନ୍ତି !

 

ଖଣ୍ଡେ ଜିପ୍‌ ଗାଡ଼ି ତାଙ୍କ ଆଦେଶକୁ ଅନାଇ ସବୁବେଳେ ତାଙ୍କ ଦୁଆରେ ଛିଡ଼ା ହୋଇଛି-। କେତେ ଲୋକ ଆସୁଛନ୍ତି ସଲାମ ବଜେଇବାକୁ । କୁଆଡ଼େ ରାସ୍ତାରେ ବାହାରିଲେ ସାଙ୍ଗରେ ଦି’ ଦିଟା ଗ୍ରାମସେବିକା ! ସିଗାରେଟ୍‌ ଫୁଙ୍କି ଫୁଙ୍କି ନିକୁଞ୍ଜବାବୁ ଜିପ୍‌ ବାହି ଚାଲିଛନ୍ତି, ଆଉ ପଛ ସିଟ୍‌ରୁ ଶୁଭିଯାଉଛି ଗ୍ରାମସେବିକାମାନଙ୍କର ଖିଲଖିଲ ହସ । ଆଉ ତାଙ୍କ ଅପେକ୍ଷା ଅଧିକ ପାଠ ପଢ଼ି, ଅଧିକ ଦିନ ଚାକିରୀ କରି ତାଙ୍କର ଏ ଅବସ୍ଥା । ପୁରୁଣା ସାଇକେଲ ଖଣ୍ଡିକ ଦଶ ଯାଗା ପ୍ୟାଚ ପଡ଼ିଥିବା ଚକ ସାହାଯ୍ୟରେ ତାଙ୍କୁ କଚ୍ଛପ ଗତିରେ ନେଉଛି କଲେଜକୁ । କେବଳ କଲେଜ ଛାତ୍ରଙ୍କ ବ୍ୟତୀତ ଆଉ କେହି ତାଙ୍କୁ ନମସ୍କାର କରୁନାହିଁ । ଏଣିକି କଲେଜ ଛାତ୍ରମାନେ ମଧ୍ୟ ନମସ୍କାର କରିବାକୁ ପଡ଼ିବ ଏଇ ଭୟରେ ବାଟ ଭାଙ୍ଗି ଚାଲିଯାଉଛନ୍ତି । ତା ଛଡ଼ା ତାଙ୍କ ପାଇଁ ରୋମାନ୍‌ସର ପ୍ରଶ୍ନ ଉଠୁନାହିଁ । କଲେଜ ଛାତ୍ରୀମାନେ ତାଙ୍କୁ ଆଡ଼ ଆଖିରେ ଚାହୁଁ ନାହାନ୍ତି !

 

ଚେୟାର ଉପରେ ଟିକିଏ ସଳଖି ବସିଲେ କାମପାଳବାବୁ । ସତେ ସେ ଏ ଚାକିରୀରେ କାହିଁକି ପଶିଲେ ? ଏଥିରେ ମାନ ସମ୍ମାନ ଅଛି ନା ଆରାମ ଫୁର୍ତ୍ତି ଅଛି । ଆଉ ତାଙ୍କଠାରୁ ଶିକ୍ଷା ପାଇ ତାଙ୍କଠାରୁ ଅଳ୍ପ ପାଠ ପଢ଼ି ତାଙ୍କ ଛାତ୍ର ନିକୁଞ୍ଜ ପାଇଛି ଜୀବନରେ ସବୁକିଛି । ଅଫିସରେ ତିନି ଚାରିଟା କିରାଣୀ, ଛଅ ସାତଜଣ ସମ୍ପ୍ରସାରଣ ଅଫିସର; ଦିଟା ଗ୍ରାମସେବିକା, ଗଣ୍ଡା ଗଣ୍ଡା ପିଅନ ସବୁବେଳେ ତାଙ୍କର ହୁକୁମ ତାମିଲ କରିବାକୁ ଚାହିଁ ବସିଛନ୍ତି ।

 

ଗାଁ ଗହଳରେ ଯେଉଁଠି ସଭା ସମିତି ହେଉଛି ସେଠାକୁ ନିକୁଞ୍ଜ ବାବୁଙ୍କ ଡକାଯାଉଛି କେତେ ଆଦରରେ । କେତେ ଉତ୍ସବ ଉଦ୍‌ଘାଟନ କରିବାକୁ ତାଙ୍କୁ ନିମନ୍ତ୍ରଣ ମିଳୁଛି । ସାଧାରଣ ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ମାନ୍ୟଗଣ୍ୟ ସରପଞ୍ଚମାନେ ତାଙ୍କ ପଛରେ ଗୋଡ଼େଇଛନ୍ତି । ପ୍ରତିଦିନ ତାଙ୍କ ଘରକୁ ଆସୁଛି କିଛିନା କିଛି ଭେଟି । କିଏ ପଠାଉଛି ଚାଉଳ ବସ୍ତେ ତ କିଏ କୁକୁଡ଼ା ଦି’ଟା ବା କିଏ ପରିବା ଝୁଡ଼ିଏ-ଏମିତି କେତେ କଣ । କିନ୍ତୁ ତାଙ୍କୁ ବା ପଚାରେ କିଏ ! ସାରାଦିନ ବଜର ବଜର ହୋଇ ମାସ ଶେଷରେ ଦରମାଗଣ୍ଡାକ ! ପାଉଁ ପାଉଁ ଶେଷ । ବଜାରରୁ ଶୁଖିଲା ପରିବା, ବାସି ମାଂସ ଆଉ ସଢ଼ା ମାଛ ଖାଇ ତାଙ୍କର ଦିନ କଟୁଛି । ନିକୁଞ୍ଜ ବାବୁଙ୍କ ପରି ସବୁ ଚାଉଳର ପଲାଉ କୁକୁଡ଼ା ରୋଷ୍ଟ ଖାଇବାକୁ ତାଙ୍କ ଭାଗ୍ୟରେ କାହିଁ ?

 

ଭାବନାରେ ଉତ୍ତେଜିତ ହୋଇ ପଡ଼ିଲେ କାମପାଳ ବାବୁ । ନା ଯେମିତି ହେଲେ ଏହାର ସମାଧାନ କରିବାକୁ ହେବ । ଆଜି କାଲିତ ଏତେ ବ୍ଳକ ଖୋଲୁଛି । ସେ କଣ ଚାକିରୀରୁ ଇସ୍ତଫା ଦେଲେ ତାଙ୍କୁ ଖଣ୍ଡେ ବି. ଡି. ଓ. ଚାକିରୀ ମିଳିବ ନାହିଁ ?

 

ତାଙ୍କ ଭାବନାରେ ବାଧାଦେଇ କଲେଜ ଘଣ୍ଟା ବାଜି ଉଠିଲା । ହାତଘଣ୍ଟାକୁ ଚାହିଁଲେ କାମପାଳବାବୁ । ସମୟ ସାଢ଼େ ଚାରିଟା । ଘରକୁ ଏତେ ଶୀଘ୍ର ଫେରିଯିବାକୁ ମନ ହେଉ ନାହିଁ, କିଏ ବା ଘରେ ଅଛି ତାଙ୍କର ?

 

କମନ ରୁମ୍‌ ଘର ପିଅନ ବନ୍ଦକରିବାକୁ ଆସୁଛି । ଅନିଚ୍ଛା ସତ୍ତ୍ୱେ ଉଠିଲେ କାମପଳବାବୁ ।

 

ରାତିରେ ଖାଇସାରି ବିଛଣାରେ ପଡ଼ୁ ପଡ଼ୁ କମନ ରୁମ୍‌ର ଚିନ୍ତା ତାଙ୍କ ମୁଣ୍ଡରେ ପଶିଲା-। ସେ କ’ଣ ସତେ ବି. ଡି. ଓ. ଚାକିରୀ ଖଣ୍ଡେ ପାଇ ପାରିବେ ନାହିଁ ? ଯଦିଓ ସେ ଅନ୍ୟ ବିଷୟରେ ଏମ୍‌. ଏ. ପାସ କରିଛନ୍ତି ତାଙ୍କର ତ ଇଂରାଜିରେ ଭଲ ଜ୍ଞାନ ଅଛି । ସେ ସରକାରୀ ଚିଠିପତ୍ର ଡ଼୍ରାଫଟ୍‌ କରିବାରେ କିମ୍ୱା ଫାଇଲପତ୍ର କାମ କରିବାରେ ଆଜିକାଲିର ଯେକୌଣସି ବି. ଡି. ଓ.ଙ୍କୁ ବଳେଇ ଯିବେ । କେବଳ ସରକାର ତାଙ୍କ ଅନୁରୋଧ ରକ୍ଷା କରି ତାଙ୍କୁ ବି. ଡି. ଓ. ଚାକିରୀ ଖଣ୍ଡେ ଦେଲେ ହେଲା ।

 

ତାପରେ ସବୁ ଦୁଃଖର ଅବସାନ ହେବ । ଜିପ୍‌ଗାଡ଼ି ମିଳିବ ମାନ ସମ୍ମାନ ମିଳିବ । କେତେ ସଲାମ ମଧ୍ୟ ମିଳିବ । ଆଉ ରୋମାନ୍‌ସ......ଆଃ ।

 

ଭାବୁ ଭାବୁ କାମପାଳବାବୁଙ୍କ ନିଦ ହୋଇଯାଇଥିଲା ।

 

ମଇନପୁର ବ୍ଳକର ବି. ଡି. ଓ. ଭାବରେ କାମପାଳବାବୁ ନିଯୁକ୍ତି ପତ୍ର ପାଇଛନ୍ତି । ମନରେ ତାଙ୍କର ଆନନ୍ଦର ଢେଉ ।

 

ସତେ ଭଗବାନ ତାଙ୍କ ଡାକ ଶୁଣିଲେ !

 

ମଇନପୁର ଟିକିଏ ଦୂରଜାଗା । ମଫସଲ ଅଞ୍ଚଳରେ, ମାତ୍ର ବ୍ଳକତ ! ନିକୁଞ୍ଜବାବୁଙ୍କର ଯେମିତି ଜିପ୍‌ଗାଡ଼ି ଅଛି ମଇନପୁର ବ୍ଳକରେ ମଧ୍ୟ ଜିପ୍‌ ଥିବ । ସେଠାରେ ମଧ୍ୟ ଥିବେ କିରାଣୀ, ସମ୍ପ୍ରସାରଣ ଅଫିସର, ଗ୍ରାମସେବକ ଆଉ ଗ୍ରାମସେବିକା ।

 

ମଇନପୁର ନିକଟବର୍ତ୍ତୀ ଷ୍ଟେସନରେ କାମପାଳବାବୁ ପହଞ୍ଚିଲେ, ତାଙ୍କୁ ଷ୍ଟେସନରୁ ନେବା ପାଇଁ ଜିପ୍‌ ଆସିଥିଲା । ଜିପ୍‌ର ଆଗ ସିଟ୍‌ରେ ଆରାମରେ ବସିଲେ କାମପାଳବାବୁ, ଜିପ୍‌ ଆଗେଇ ଚାଲିଲା । ଗାଡ଼ିରେ ଥାଆନ୍ତି ସେ, ଡ୍ରାଇଭର ଆଉ ପଛରେ ଜଣେ ପିଅନ । ପ୍ରାୟ ପନ୍ଦର ମାଇଲ ଗଲାପରେ ଗୋଟିଏ ଛୋଟ ଜଙ୍ଗଲ ପାଖରେ ଷ୍ଟାର୍ଟ ହଠାତ୍‌ ବନ୍ଦ ହୋଇଗଲା । ଡ୍ରାଇଭର ଯେତେ ଚେଷ୍ଟା କଲେ ବି ଷ୍ଟାର୍ଟ କରି ପାରିଲା ନାହିଁ । ଶେଷରେ ଡ୍ରାଇଭର କହିଲା ଆଜ୍ଞା ଠେଲିବା ଦରକାର ହେବ । କାମପାଳବାବୁ ଆଶ୍ଚର୍ଯ୍ୟ ହେଲେ-ଏଁ, ସେ ଜଣେ ବି. ଡି. ଓ. ଗାଡ଼ି ଠେଲିବାକୁ ପଡ଼ିବ ! ତାଙ୍କୁ ଟିକିଏ ଇତଃସ୍ତତ ହେବାର ଦେଖି ଡ୍ରାଇଭର କହିଲା ଆଜ୍ଞା ଏମିତି ଟୁର୍‌ରେ ଗଲାବେଳେ ବହୁତଥର ଠେଲିବାକୁ ପଡ଼ିବ, ଏକେତ ରାସ୍ତା ଖରାପ ତାପରେ ଗାଡ଼ି ନିହାତି ପୁରୁଣା-। କାମପାଳବାବୁଙ୍କର ଆଉ ଉପାୟ ନଥିଲା । ସେ ଆଉ ପିଅନ ଦୁଇଜଣ ମିଶି ପ୍ରାୟ ଏକମାଇଲ ଠେଲିଲା ପରେ ଗାଡ଼ି ଷ୍ଟାର୍ଟ ହେଲା । ସେତେବେଳକୁ କାମପାଳବାବୁ ଧଇଁସଇଁ ହୋଇଗଲେଣି । ଝାଳରେ ସାର୍ଟଟା ପୁରାପୁରି ଭିଜିଯାଇଥାଏ ।

 

ଚାର୍ଯ ନେବାର ଆଠଦିନ ଭିତରେ କାମପାଳବାବୁ ଜାଣିଲେ ଯେ ବି. ଡି. ଓ. ଚାକିରୀ ଯେତେ ସହଜ ଓ ଆରାମଦାୟକ ବୋଲି ତାଙ୍କର ଧାରଣା ଥିଲା ତାହା ସଂପୂର୍ଣ୍ଣ ଭୁଲ । ଅଫିସରେ ଗଦା ଗଦା ଫାଇଲ । କେତେ ପ୍ରକାର ରିପୋର୍ଟ ରିଟର୍ଣ୍ଣ ତାଙ୍କୁ ପ୍ରତିମାସରେ ଦେବାକୁ ପଡ଼ିବ । ତା ଛଡ଼ା ମାସରେ କୋଡ଼ିଏ ଦିନ ଗସ୍ତ କରିବାକୁ ପଡ଼ିବ । କେଉଁଠି ଠିକାଦାର କାମ ନକଲା, କେଉଁଠୁ ସିମେଣ୍ଟ ଲୁହାଛଡ଼ ଆସିବ ଏକଥା, ଭାବୁ ଭାବୁ ତାଙ୍କର ଦିନ ଯାଉଛି । ଅଫିସ କଥା ଭାବି ଭାବି ସେ ପାଗଳ ହୋଇ ଯାଉଛନ୍ତି । ଦିନ ନାହିଁ, ରାତି ନାହିଁ ସବୁବେଳେ କାମ । ସେଥିରେ ପୁଣି ବଦନାମ । କିଏ କହୁଛି ବି. ଡି. ଓ. ଘରକୁ ଗ୍ରାମସେବକ ଓ ସମ୍ପ୍ରସାରଣ ଅଫିସରମାନେ ଟୁର୍‌ରୁ ଫେରିଲାବେଳେ ଆଣି ଦେଉଛନ୍ତି ସରୁ ଚାଉଳ, କୁକୁଡ଼ା, ପରିବା । କିଏ କହୁଛି ବି. ଡି. ଓ. ଗ୍ରାମସେବିକା ଛାୟାରାଣୀ ଦାସଙ୍କ ସହିତ ଏତେ ସମୟ ଟୁର୍‌ କରିବାର ରହସ୍ୟ କ’ଣ ? ମାତ୍ର ସେ ବୁଝୁଛନ୍ତି ଏସବୁ କଥା କେତେ ଦୂର ସତ ।

 

ସେବି ତ ପ୍ରଫେସର ଥିଲାବେଳେ ବି. ଡି. ଓ. ଚାକିରୀରେ ଏସବୁ ଥାଏ ବୋଲି ଭାବୁଥିଲେ । ଛି ଛି କେଡ଼େ ନିର୍ବୋଧ ସେ । ବି. ଡି. ଓ. ବିଚରା ଦିନ ନାହିଁ ରାତି ନାହିଁ ହାଡ଼ଭଙ୍ଗା ପରିଶ୍ରମ କରିବ ତା ବଦଳରେ ପ୍ରଶଂସା ନପାଇ ପାଇବ ବଦନାମ ।

 

ହଠାତ୍‌ କାମପାଳବାବୁ ପ୍ରୋଗ୍ରାମ ପାଇଲେ ଜଣେ ଉଚ୍ଚ ଅଫିସର ତାଙ୍କ ବ୍ଳକ ପରିଦର୍ଶନରେ ଆସୁଛନ୍ତି । ହାତରେ ସମୟ ଖୁବ୍‌ ଅଳ୍ପ । ତାଙ୍କ ଗାଡ଼ି ଆସିବାପାଇଁ ଭଲ ରାସ୍ତା ତିଆରି କରିବାକୁ ପଡ଼ିବ । ଗୋଟିଏ ଦୁଇଟି ଜାଗାରେ ସଭା ସମିତି କରାଇ ସାହେବଙ୍କୁ ଫୁଲମାଳ ଦେବାକୁ ହେବ । ନାଚ ଗୀତ କିମ୍ୱା ବିଚିତ୍ରାନୁଷ୍ଠାନର ବନ୍ଦୋବସ୍ତ କରିବାକୁ ହେବ । ତା ଛଡ଼ା ସାହେବଙ୍କର କ୍ୟାମ୍ପ ଆରେଂଜମେଣ୍ଟ ତ ଅଛି ।

 

ଅଫିସର ସବୁ କାମ ବନ୍ଦକରି ଦିଆଗଲା ।

 

ରାସ୍ତା ତିଆରି କାମ ଚାଲିଲା ଖୁବ୍‌ ଜୋରସୋରରେ । ସମ୍ପ୍ରସାରଣ ଅଫିସରମାନେ ଏଣେତେଣେ ଧାଁ ଧପଡ଼ କଲେ । କାମପାଳବାବୁଙ୍କ ମଧ୍ୟ ରାତିରେ ନିଦ ହେଲା ନାହିଁ । କେମିତି ଏଡ଼େ ବଡ଼ ଅଫିସରଙ୍କୁ ସନ୍ତୁଷ୍ଟକରି ସୁରୁଖୁରୁରେ ବିଦାୟ ଦେବେ ।

 

ଅଫିସର ଆସିଲେ ।

 

ନୂଆ ରାସ୍ତାରେ ତାଙ୍କର ଗାଡ଼ି ଖୁବ୍‌ ଭଲରେ ଆସି ପହଞ୍ଚିଲା । ଦୁଇଟି ସଭା କରାହୋଇ ଫୁଲମାଳ ଦିଆଗଲା । ଖାନାପିନାର ମଧ୍ୟ ଆୟୋଜନ ଉତ୍ତମ ରୂପେ କରାଗଲା । ରାତିରେ ବିଚିତ୍ରାନୁଷ୍ଠାନ ଦେଖି ଅଫିସର ଖୁବ୍‌ ଖୁସି ହେଲେ ।

 

ଏସବୁ ପରେ ତାଙ୍କର ତ ଫେରିବାର କଥା । ମାତ୍ର ଅଫିସର ଚାହିଁଲେ ଅଫିସ ପରିଦର୍ଶନ କରିବାକୁ, କାଗଜପତ୍ର ତନଖି କରିବାକୁ । ଏଇ କେତେଦିନ ହେଲା ବାହାର କାମ କରୁ କରୁ ସମୟ ଗଲା । ଅଫିସ ରେକର୍ଡ଼ ପତ୍ର ଠିକ୍‌ କରିବାକୁ ବେଳ କାହିଁ ? ତାଙ୍କର ଧାରଣା ଥିଲା ଉପର ହାକିମମାନଙ୍କୁ ଏପରି ଫୁଲମାଳ ଦେଇ କିମ୍ୱା ଖୁଆଇ ପିଆଇ ସନ୍ତୁଷ୍ଟ କରନ୍ତି । ମାତ୍ର ସାହେବ ଫାଇଲ ପତ୍ର ଦେଖିବେ ବୋଲି ସେ ସ୍ୱପ୍ନରେ ଭାବି ନଥିଲେ ।

 

ଅଫିସ କାଗଜପତ୍ର ଦେଖି ସାହେବ ବଡ଼ ଖପା ହେଲେ । କାମ ଦାମ ଠିକ୍‌ ହେଉନାହିଁ ବୋଲି ରାଗିଲେ । କାମପାଳବାବୁ ଖୁବ୍‌ ଗାଳି ଖାଇଲେ । ସେ ଗାଳି ଭିତରେ ନନ୍‌ସେନସ୍‌ ଓ ଇଡ଼ିଅଟ୍‌ ଏ ଦୁଇଟି ଶବ୍ଦ ତାଙ୍କୁ ବଡ଼ ବାଧିଲା । ତାଙ୍କ ଆଖି ଲୁହରେ ଭରିଗଲା ।

 

ମନେପଡ଼ିଲା ତାଙ୍କ ପ୍ରଫେସର ଜୀବନ କଥା । କେଡ଼େ ସୁଖରେ ନଥିଲେ ସେ ? ଦିନରେ ଦୁଇ ଚାରିଘଣ୍ଟା ପାଠ ପଢ଼େଇ କମନରୁମ୍‌ରେ ଘୁମେଇ ଘୁମେଇ ଘରକୁ ଫେରୁଥିଲେ । ତା ବଦଳରେ ସେ ଆଜି ବ୍ଳକ ଚାକିରୀରେ ପଶି ହେଲେ ନନ୍‌ସେନ୍‌ସ ଆଉ ଇଡ଼ିଅଟ୍‌ । ନା-ତାଙ୍କୁ ଏ ଚାକିରୀରୁ ଇସ୍ତଫା ଦେବାକୁ ହେବ ।

 

ମାତ୍ର ଗ୍ରାମସେବିକା ଛାୟାରାଣୀଙ୍କ କଥା ମନେପଡ଼ିବାରୁ ସେ ଟିକିଏ ଆଶ୍ୱସ୍ତ ହେଲେ । ସାହେବ ଚାଲିଗଲେ ସେ ଛାୟାରାଣୀଙ୍କୁ ସାଙ୍ଗରେ ନେଇ କୁଆଡ଼େ ଦିନେ ଦୁଇଦିନ ଗସ୍ତରେ ଯିବେ ଅନ୍ତତଃ ଏ ଦୁଃଖ ଭୁଲି ଯିବାକୁ ।

 

ତାଙ୍କର ଧାରଣା ଥିଲା ପ୍ରତି ବ୍ଳକରେ ଗୋଟିଏ ଦୁଇଟି ଡାକ ବଙ୍ଗଳା ଥିବ । ମାତ୍ର ଡାକବଙ୍ଗଳା ତ ଦୂରର କଥା ବ୍ଳକରେ ଭଲ ରେଷ୍ଟ ସେଡ଼୍‌ଟିଏ ବି ନାହିଁ । ତାଙ୍କର ଏ ଭୁଲ ଧାରଣା ଥିବାରୁ ସେ ମନେ ମନେ ଲଜ୍ଜିତ ହେଲେ ।

 

ଯାହାହେଉ ଛାୟାରାଣୀଙ୍କ ସହିତ ସନ୍ଧ୍ୟା ଛଅଟାରେ ସେ ରେଷ୍ଟ ସେଡ଼୍‌ରେ ପହଞ୍ଚିଲେ । ବହୁତ ସାହସ ସଞ୍ଚୟକରି କଥା ଛଳରେ କାମପାଳବାବୁ କହିଲେ, ଛାୟା ତମେ ଆଜି ମୋ ପାଖରେ ଏଇଠି ରହିବ ।

 

ଛାୟାରାଣୀ ତାଙ୍କର ଉଦ୍ଦେଶ୍ୟ ବୁଝିପାରି ଦୃଢ଼ କଣ୍ଠରେ କହିଲା-ସାର୍‌, ଆପଣ ଜଣେ ବି. ଡି. ଓ. । ନିଜର ସମ୍ମାନ ଜଗି ଆପଣଙ୍କର ଚଳିବାର କଥା । ମୋ ପ୍ରତି ଏପରି ବ୍ୟବହାର ଆଉ ଦିନେ କଲେ ନିଜେ ଅପମାନ ପାଇବେ ।

 

ଛାୟାରାଣୀ ଯେ ଏପରି ବ୍ୟବହାର କରିବ କାମପାଳବାବୁ ସହଜରେ ବିଶ୍ୱାସ କରିପାରିଲେ ନାହିଁ । ଛାୟାରାଣୀ ଉଠି ଛିଡ଼ା ହେଲା ଯିବାପାଇଁ । ପାଗଳଙ୍କ ପରି କାମପାଳବାବୁ ଛାୟାରାଣୀଙ୍କ ହାତକୁ ଟାଣିଲେ । ମାତ୍ର ଛାୟାରାଣୀଠାରୁ ପାଇଲେ ଗୋଟିଏ ଧକ୍‌କା !

 

କାମପାଳବାବୁ ହଠାତ୍‌ ଚିତ୍କାର କରି ଉଠିଲେ । ଆର ଘରୁ ଚାକର ଦୌଡ଼ିଆସିଲା-କଣ ଆଜ୍ଞା କିଛି ଅଶୁଭ ସ୍ୱପ୍ନ ଦେଖିଲେ କି ?

 

କାମପାଳବାବୁ କିଛି ନକହି ନିରବ ରହିଲେ ।

 

ସେ ଅନୁତାପରେ ଦଗ୍‌ଧ ହେଉଥିଲେ ।

 

ସେତେବେଳକୁ ସକାଳ ହୋଇଯାଇଥିଲା । ନିକୁଞ୍ଜବାବୁଙ୍କ ଜିପ୍‌ର ହର୍ଣ୍ଣ ଶୁଭୁଥିଲା ।

 

ହୁଏତ ଖୁବ୍‌ ସକାଳୁ ସେ କୁଆଡ଼େ ଗସ୍ତରେ ବାହାରୁଥିଲେ ।

Image

 

ଆହ୍ୱାନ

 

ତୃତୀୟ ଶ୍ରେଣୀ କମ୍ପାର୍ଟମେଣ୍ଟରେ ବସିଥିଲା ଅଜୟ ।

ମନରେ ଅଗଣିତ ଆନନ୍ଦର ଢେଉ । ବର୍ଷକ ପରେ ସେ ଗାଁକୁ ଫେରୁଛି । ସ୍ୱାଧୀନ ଭାରତର ଜଓ୍ୱାନ ସେ । ଦୀର୍ଘ ଏକବର୍ଷ ଧରି ସେ ତାର କର୍ତ୍ତବ୍ୟ କରିଛି । ଏହି ଏକବର୍ଷ ଧରି ସେ ସହିଛି ପ୍ରଚଣ୍ଡ ରୌଦ୍ରତାପ । ମୂଷଳଧାରା ବର୍ଷା ତା କର୍ତ୍ତବ୍ୟର ଗତିପଥ ଅବରୋଧ କରିପାରି ନାହିଁ-। ଝଞ୍ଜା, ବତାସ, ତୁଷାରପାତ ତାକୁ ଲକ୍ଷ୍ୟଚ୍ୟୁତ କରିପାରି ନାହିଁ । ସେ ହସି ହସି ତାର କର୍ତ୍ତବ୍ୟ ସମ୍ପାଦନ କରିଛି ।

ଦୀର୍ଘ ଏକବର୍ଷର ପରିଶ୍ରମ ପରେ ମାସେ ଛୁଟି । ଗାଁରେ ଦୁଇଟି ସଜଳ ନୟନ ତାର ଆଗମନ ପଥକୁ ଚାହିଁ ରହିଛି । ଦୀର୍ଘ ଏକବର୍ଷର ପ୍ରତିକ୍ଷା । ତା ମନରେ ଉଦ୍‌ବେଗ ଆଶା ନିରାଶାର ଦ୍ୱନ୍ଦ ।

ସରଳା ପଲ୍ଲୀବଧୂ ସେ । ଅର୍ଦ୍ଧ ଶିକ୍ଷିତ । ସେ ବୁଝେନା ଯୁଦ୍ଧ ଭୂଇଁ କ’ଣ । ଦେଶ ପ୍ରୀତି କ’ଣ । ସେ କେବଳ ଏତିକି ଜାଣେ ସ୍ୱାମୀ ତାର ସୈନ୍ୟ ବିଭାଗରେ ଚାକିରୀ କରନ୍ତି । ନିୟମିତ ଘରକୁ ଟଙ୍କା ପଠାନ୍ତି ଆଉ ବର୍ଷରେ ଥରେ ମାସକ ପାଇଁ ଛୁଟିରେ ଆସନ୍ତି । ସେ ଦିନପରେ ଦିନ ଗଣେ, ମାସ ପରେ ମାସ ହିସାବ କରେ ।

ଅଜୟ ଘରକୁ ଆସିବା ଚିଠି ପାଇଲେ ଉତ୍ତେଜନା ଓ ଉଦ୍‌ବେଗରେ ସେ କ୍ଷୁଧା, ପିପାସା ଭୁଲିଯାଏ । ରାତି ରାତି ଉଜାଗର ରହି ଭଗବାନଙ୍କୁ ପ୍ରାର୍ଥନା କରେ ସ୍ୱାମୀ ତାର ଭଲରେ ଫେରି ଆସନ୍ତୁ ।

 

ଅଜୟକୁ ମାଡ଼୍ରାସ ମେଲର ଗତି ମଧ୍ୟ ମନ୍ଥର ଲାଗୁଛି । ସେ ଭାବୁଛି ଉଡ଼ାଜାହାଜର ସୁବିଧା ଥିଲେ ସେ ଗାଁକୁ ଉଡ଼ି ଆସିଥାନ୍ତା ।

 

ପାଖ ବେଞ୍ଚରେ ସହଯାତ୍ରୀ ଜଣକ ବେଶ୍‌ ଆରାମରେ ଶୋଇଛନ୍ତି; କିନ୍ତୁ ତା ଆଖିକୁ ନିଦ ଆସୁ ନାହିଁ କାହିଁକି ? ସେ ହୁଏତ ତାପରି ଏତେଦିନପରେ ନିଜର ଆତ୍ମୀୟ ସ୍ୱଜନଙ୍କ ନିକଟକୁ ଫେରି ଯାଉନାହାନ୍ତି । ମନରେ ବିରହ ଲଘୁଚାପ ସୃଷ୍ଟି ନହେଲେ ବେଦନାର ଝଡ଼ ଉଠିବ କାହିଁକି ?

 

ଅଜୟ ଗାଁକୁ ଆସିବାର ପନ୍ଦର ଦିନ ହେଲାଣି । ଏତେଗୁଡ଼ିଏ ଦିନ କେମିତି କଟିଛି ସେ ଜାଣିପାରିନି ଦିନକ ଚବିଶଘଣ୍ଟା ନହୋଇ କମିଗଲା କି ?

 

ଗାଁରେ ସେ କାହା ଘରକୁ ମଧ୍ୟ ଯାଇପାରି ନାହିଁ । ସାଙ୍ଗସାଥୀମାନେ ଥଟ୍ଟା କରୁଛନ୍ତି ।

 

ଅଜୟଭାଇ ନୂଆବୋହୂଙ୍କୁ ଦେଖି ଆମକୁ ଭୁଲିଗଲେ ।

 

ଅଜୟ ପକ୍ଷରେ ଏ ମାସକ ଛୁଟିର ପ୍ରତିଟି ମୁହୂର୍ତ୍ତ ମୂଲ୍ୟବାନ । ଆରତିର ଆଦର ଯତ୍ନ ପାଖରେ ସେ ନିଜକୁ ହଜାଇ ଦେଇଛି ।

 

ଏଇ କେତେଦିନ ହେଲା ଅଜୟ ବାହାରି ଦୁନିଆର ଖବର ରଖିନାହିଁ । ସୁଦୂର ପଲ୍ଲୀରେ ଥାଇଁ ସେ ବା କିପରି ଜାଣିବ ଯୁଦ୍ଧଖୋର ଚୀନାମାନେ ଭାରତ ଆକ୍ରମଣ କରିଛନ୍ତି ବୋଲି ।

 

ସେଦିନ ସକାଳେ ଅଜୟ ହେଡ଼୍‌କ୍ୱାଟରରୁ ପାଇଲା ଜରୁରୀ ଟେଲିଗ୍ରାମ୍‌ । ଚୀନ୍‌ ଆକ୍ରମଣରେ ଉପୁଜିଥିବା ଜରୁରୀ ପରିସ୍ଥିତିକୁ ଉପଲବ୍‌ଧି କରି କାର୍ଯ୍ୟରେ ଯୋଗଦିଅ ।

 

ମୁହଁ ତାର ଶୁଖିଗଲା । ଏତେ ଶୀଘ୍ର ଫେରିବାକୁ ହେବ । ତାକୁ ଏତେ ଶୀଘ୍ର ଛାଡ଼ି ଦେବାକୁ ଆରତି ରାତି ହେବ ତ ?

 

ପରମୁହୂର୍ତ୍ତରେ ତାର ଜଓ୍ୱାନ ରକ୍ତ ତାତି ଉଠିଲା । ହୃତ୍‌ପିଣ୍ଡର ଗତି ଦ୍ୱିଗୁଣିତ ହେଲା । କ୍ରୋଧରେ ଧମନୀ ଫୁଲି ଉଠିଲା । ନା ଆଜି ଏ ଘଡ଼ିସନ୍ଧି ବେଳେ ଦୁର୍ବଳତା ଶୋଭା ପାଏନା, ଆଜି ସେ ପାଇଛି ଦେଶର ଆହ୍ୱାନ । ଭାରତମାତା ବିଦେଶୀ ଆକ୍ରମଣରେ ବିକଳରେ କାନ୍ଦୁଛି । ସୁଦୂର ନେଫା ତାକୁ ଆଜି ଡାକୁଛି-ଆସ ଅଜୟ, ମୋତେ ଯୁଦ୍ଧଖୋର ଚୀନାମାନଙ୍କ ହାତରୁ ଉଦ୍ଧାର କର । ମୋ ସୁନିଳ ଶାନ୍ତ ଆକାଶରେ ଏ ଯେଉଁ ଝଡ଼ ଉଠିଛି ତା’ର ଅବସାନ କର ଆଉ ପର୍ବତମାଳାର ପାଦଦେଶରେ ଲେଖ ଚୀନା ରକ୍ତର ଚିତା !

 

ଗର୍ଜି ଉଠିଲା ଅଜୟ, ଏଡ଼େ ଦିମାକ୍‌, ଚୀନ ଚାହେଁ ଯୁଦ୍ଧ, ପଞ୍ଚଶୀଳ ନାମରେ ଚୀନ ବନ୍ଧୁ ଗଳାରେ ଛୁରୀ ଦେଉଛି । ସାମ୍ୟ ମୈତ୍ରୀ ବଦଳରେ ସେ ଚାହୁୀଁଛି ଯୁଦ୍ଧ ! ଶାନ୍ତିର ଆହ୍ୱାନ ବଦଳରେ ସେ ଦେଉଛି ସଙ୍ଗୀନର ଆହ୍ୱାନ !!

 

ସେ ଯୁଦ୍ଧ କରିବାକୁ ଯିବ, ଜୟହିନ୍ଦ୍‌ ଶବ୍ଦରେ ମୁଖରିତ ହେବ ନେଫା ଲଦାଖର ପାର୍ବତ୍ୟ ଅଞ୍ଚଳ, ଭୀମ ବେଗରେ ଗର୍ଜି ଉଠିବ ତାର ବନ୍ଧୁକ ଆଉ ଛୁଟିବ ଚୀନା ରକ୍ତର ସୁଅ !

 

ବିଜୟ ମୁହଁରେ ତାତ୍ସଲ୍ୟର ହସ, ଚୀନ ଆମକୁ ଦୁର୍ବଳ ଭାବିଛି, ସେ ଧାଇଁଛି ଆଶାର ମରୀଚିକା ପଛରେ । ସ୍ୱର୍ଣ୍ଣପ୍ରସୂ ଭାରତକୁ ଅଧିକାର କରିବ । ତା ସ୍ୱପ୍ନ ସ୍ୱପ୍ନରେ ରହିବ । ଜଣେ ଭାରତୀୟ ଜୀବିତ ଥିବାଯାଏ ଚୀନ୍‌ ଏ ଦେଶରେ ଇଞ୍ଚେ ଭୂମି ମଧ୍ୟ ଦଖଲ କରିପାରିବ ନାହିଁ ।

 

ଆରତି ଆଖିରେ ଅଶ୍ରୁର ଶ୍ରାବଣ । ପୁଣି ତାକୁ ଅପେକ୍ଷା କରିବାକୁ ହେବ ଦୀର୍ଘ ଏକବର୍ଷ; ନା ସେ ଅଜୟକୁ ଯିବାକୁ ଦେବ ନାହିଁ । କିଏ ଜାଣେ ଯୁଦ୍ଧ ଭୂଇଁକୁ ଗଲେ....ଆଉ ଭାବିପାରିଲା ନାହିଁ ଆରତି ।

 

ଛି, ଆରତି ତୁମେ କାନ୍ଦୁଛ-ଲୁହ ପୋଛି ଦେଉଁ ଦେଉଁ ଅଜୟ କହିଲା । ଦୁର୍ଗାବତୀ, ପଦ୍ମିନୀ ଦେଶର ନାରୀ ତୁମେ । ତୁମ ଆଖିରେ ଭୀରୁ, ଦୁର୍ବଳର ଅଶ୍ରୁ ଶୋଭାପାଏନା । ତୁମ ଠାରୁ ଦେଶ ବହୁତ ଆଶାକରେ । ଆଜି ଆସିଛି ଭାରତମାତାର ବିକଳ ଆହ୍ୱାନ । ସେ ଆହ୍ୱାନରେ ମୋ ରକ୍ତ ତାତି ଉଠିଛି । ପ୍ରତିହିଂସାର ଦାବାନଳ ହୁତ୍‌ ହୁତ୍‌ ହୋଇ ଜଳୁଛି । ମୁଁ ଚାହେଁ ପ୍ରତିଶୋଧ । ଦେଶ ପାଇଁ ମୁଁ ପ୍ରାଣବଳୀ ଦେବାକୁ ପ୍ରସ୍ତୁତ ଅଛି । ଶତ୍ରୁ ହୁଏତ ଗୋଟିଏ ଅଜୟକୁ ମାରିବ; କିନ୍ତୁ ମୋ ପଛରେ ଅଛନ୍ତି ଅଗଣିତ ଅଜୟ । ଦୁଃଖ କରନା ଆରତି । ମୁଁ ଯୁଦ୍ଧ ଭୂଇଁରୁ ନଫେରିଲେ ତୁମର ଅବଶ୍ୟ ଅପୂରଣୀୟ କ୍ଷତି ହେବ ମାତ୍ର ଦେଶ ପାଇଁ ଜାତି ପାଇଁ ତୁମକୁ ଏ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ ।

 

ଆନନ୍ଦ ମନରେ ବିଜୟର ରକ୍ତଟୀକା ପିନ୍ଧାଇ ମୋତେ ବିଦାୟ ଦିଅ ଆରତି ।

 

ଆରତି ଚାହିଁଲା ଅଜୟ ମୁହଁକୁ । ସେ ମୁହଁରେ ଫୁଟି ଉଠୁଛି ନିର୍ଭୀକତା ଆଉ କଠୋର କର୍ତ୍ତବ୍ୟର ଦୃଢ଼ସଂକଳ୍ପ । ଆରତିର ଦୁର୍ବଳ ମନରେ ମଧ୍ୟ ଦେଶ ପ୍ରୀତିର ସଂଚାର ହେଲା ସେ ମୁହଁକୁ ଚାହିଁ । ସ୍ୱାମୀ ତାର ଯାଉଛନ୍ତି ଶତ୍ରୁର ମୂକାବିଲା କରିବାକୁ । ନିଜର ବଳିଷ୍ଠ ବାହୁରେ ବନ୍ଧୁକ ଧରି ସେ ଶତ୍ରୁର ତାଜା ରକ୍ତରେ ନେଫା ଲାଦାଖର ବନଭୂମି ରକ୍ତ ରଂଜିତ କରିବେ । ଭଗବାନ ଚାହିଁଲେ ବିଜୟର ଟୀକା ପିନ୍ଧିବାକୁ ପୁଣି ଫେରିଆସିବେ ତା ପାଖକୁ ।

 

ପ୍ରଦୀପରେ ଅଗ୍ନି ସଂଯୋଗ କଲା ଆରତି । ଶୁଭଯାତ୍ରାର ବନ୍ଦାପନା କରିବ । ଅକ୍ଷତ ଆଉ ଦୁର୍ବାଦଳ ଦେଲା ସ୍ୱାମୀଙ୍କର ମସ୍ତକରେ । ଲଲାଟରେ ପିନ୍ଧାଇଦେଲା ବିଜୟର ଟୀକା ।

 

ହସି ହସି ଆଗକୁ ପାଦ ବଢ଼େଇଲା ଅଜୟ । ଆଉ ପଛରୁ ଆରତି ବଜାଉଥିଲା ଶୁଭଶଙ୍ଖ ।

 

ଚକ୍ରବାଳ ତଳୁ ଉଠିଆସୁଥିଲେ ସୂର୍ଯ୍ୟ-ତାଜା ରକ୍ତରଞ୍ଜିତ ଲାଲ ଟହ ଟହ ସୂର୍ଯ୍ୟ ।

Image

 

ମାଟିର ମାୟା

 

ଅଣ୍ଟା ସଳଖିବା ପାଇଁ ମୋତି ଟିକିଏ ଛିଡ଼ା ହେଲା । ଆଣ୍ଠୁ ତଳର ଶାଢ଼ୀ କାନିଟା କାଦୁଅରେ ଜୁଡ଼ୁ ବୁଡ଼ୁ ହୋଇଛି । ଝାଳରେ ବ୍ଳାଉଜ ଭିଜିଗଲାଣି, ଗିତ୍‌ ଗିତେଇ ଉଠୁଛି ଭିତରଟା ! ଓଃ କି ଗରମ ।

 

ସୂରଜ ଦେବତା ମୁଣ୍ଡ ଉପରକୁ ଉଠିଲେଣି । ସାଗୁଆ ଆଳୁପଟାଳୀ ଆଡ଼କୁ ଅନେଇଲା ମୋତି । ସିଆର ଭିତରେ ପାଣିର ସୁଅ କିଲ୍‌ କିଲ୍‌ ହୋଇ ଛୁଟି ଆସୁଛି । ଚିକ୍‌ ଚିକ୍‌ ମାରୁଛି ଖରାରେ, ସାଗୁଆ କ୍ଷେତକୁ ଚାହିଁଲେ ତା ମନ କୁରୁଳି ଉଠୁଛି ।

 

ଗହମ ପଟାଳି ଦୁଇଟି ଫୁଲ ଉଡ଼େଇଲେଣି । ତା ପାଖକୁ ବନ୍ଧାକୋବି, ଫୁଲକୋବି, ଶାଗ, ବାଇଗଣ, ମଟର ଛୁଇଁର ଛୋଟ ଛୋଟ ପଟାଳୀ କେଇଟା । ଟିକିଏ ଦୂରରୁ ବି ଫୁଲକୋବିଗୁଡ଼ିକ ବେଶ୍‌ ଧଳା ଦିଶୁଛି, ଝାମ୍ପୁରା ବାଇଗଣ ଗଛଗୁଡ଼ିକ ଖରା ତେଜରେ ଟିକିଏ ଝାଉଁଳିଲାପରି ଜଣାପଡ଼ିଲେ ବି ବେଶ୍‌ ସତେଜ ଅଛନ୍ତି । ଟିକିଏ ତଳକୁ ଚାହିଁଲେ କଳା ମିଚ୍‌ ମିଚ୍‌ ଲମ୍ୱ ଲମ୍ୱ ବାଇଗଣଗୁଡ଼ିକ ଚିକ୍‌ ଚିକ୍‌ କରୁଛନ୍ତି ଖରାରେ । ବନ୍ଧାକୋବି କେଇଧାଡ଼ି ଗମ୍ଭୀର ହୋଇ ଛିଡ଼ା ହୋଇଛନ୍ତି, ମଟର ଛୁଇଁରେ ଫୁଲ ଫୁଟିଲାଣି । ବେଶ୍‌ ଶୋଭାକାର ଦିଶୁଛି ଆଖିକୁ ।

 

ସତେମ ଏ ବର୍ଷ ଏତେ ଭଲ ଫସଲ ହେବ ବୋଲି ସେ ଆଶାକରି ନ ଥିଲା, ମୋତିର ଗ୍ରାମସେବକ ବାବୁଙ୍କ କଥା ମନେପଡ଼ିଲା । କେଡ଼େ ଭଲ ମଣିଷ ସେ, ପରଜାମାନଙ୍କର ଚାଷ ପାଇଁ ସେ କେତେ ଧାଁ ଧପଡ଼ କରୁନାହାନ୍ତି, ସତେ ଯେମିତି ତାଙ୍କ ପୁଅ କି ଝିଅ ବାହାଘର । ପତଳା ବାଙ୍ଗରା ମଣିଷଟିଏ; କିନ୍ତୁ ଖୁବ୍‌ ଦଉଡ଼ା ଦଉଡ଼ି କରିପାରନ୍ତି, ଖଟିପାରନ୍ତି । ଚାଷୀମାନେ କେମିତି ଭଲ ବିହନ ପାଇବେ, କେମିତି ଠିକ୍‌ ସମୟରେ ସାର ପାଇବେ ଏସବୁ କଥା ତଦାରଖ କରୁ କରୁ ତାଙ୍କର ଦିନଯାଏ, ଚରକି ପରି ଗାଁ ଗାଁ ବୁଲୁଥାନ୍ତି ତେବେ ବି ମଣିଷଟା ଥକି ପଡ଼େ ନାହିଁ !

 

ଆଉ କେତେ ବଡ଼ ବଡ଼ ସାଇବମାନେ ଆସି କ୍ଷେତରେ ବୁଲୁଛନ୍ତି ହାନିଲାଭ ତଦାରଖ କରୁଛନ୍ତି ।

 

ଚଷାପୁଅର ସିନା ବାହୁବଳ ଅଛି, ସେ ବଳକୁ ଠିକ୍‌ ବାଟରେ ନେଇଛନ୍ତି ଗ୍ରାମସେବକ ବାବୁ ଓ ତାଙ୍କର ବଡ଼ ବଡ଼ ହାକିମମାନେ । ଆଳୁପଟାଳିକୁ ମୋତି ଚାହିଁଲା, ସିଆରଟା ଭରି ଗଲାଣି ପାଣିରେ, ଆଉ ଖଣ୍ଡେ ପଟାଳି ରହିଲା ପାଣି ମଡ଼େଇବାକୁ । ତେବେ ଯାଇଁ ତାର ଛୁଟି ।

 

ପାଣି ଯେତେ ଜୋରରେ ଆସୁଛି କେତେ ବା ବେଳ ଲାଗିବ ?

 

ଏଥର ପାଣି ମିଳିବାରେ କିଛି ଅସୁବିଧା ହୋଇନାହିଁ । କେନାଲବାବୁ ତ ସବୁବେଳେ ତଦାରଖ କରୁଛନ୍ତି । ନାଳ ତ ନାଳ କୁରାଢ଼ୀ ନାଳ । ଆଠକାଳୀ ବାରମାସୀ ପାଣି, ଏଥିରେ ପାଣି ଥିଲା ଯାଏଁ ସେମାନେ ଗରିବ ହେବେ ନାହିଁ । କୁରାଢ଼ୀ ନାଳ ତାଙ୍କ ଗରିବି ପଣିଆଁକୁ ଟିକି ଟିକି କରି କାଟି ପକେଇଛି ।

 

ସପନା ଯାଇଛି ଜଙ୍ଗଲକୁ କାଠ ଆଣିବାକୁ । ଏଇ ଫେରୁଥିବ କି କଅଣ । ମୋତି ଯେତେ ଜିଗର କଲା ତା ସାଥୀରେ ଯିବାକୁ ସେ ମନାକଲା-

 

ନା ନା ତୁ ସହରିଆ ଝିଅ, ଜଙ୍ଗଲକୁ କାହିଁକି ଯିବୁ ? ତୁ ଆଳୁ ପଟାଳିରେ ପାଣି ମଡ଼ଉଥା ।

 

ସପନା ତା ବର ।

 

ସପନାଟା ବଡ଼ ବାହାପିଆ । ସେ କୁଆଡ଼େ ସହରିଆ ଝିଅ ? ଏଇ କେଇବର୍ଷ ସିନା ସେ ସହରରେ ଥିଲା, ଜନ୍ମତ ସେଇ ମଫସଲରେ, ବଣ ଜଙ୍ଗଲରେ ।

 

କାଲିପରି ମନେହେଉଛି । ସେତେବେଳେ ସେ ଝିଅ, କାଠବୋଝ ମୁଣ୍ଡରେ ଲଦି ଜଙ୍ଗଲରୁ ଫେରୁଥାଏ । ଦେଖିଲା ତିନିଚାରିଟା ଗାଡ଼ି, ପେଣ୍ଟ ପିନ୍ଧା ବାବୁ କେତେଜଣ, କାଠଘୋଡ଼ିଆ ଉପରେ କଣ ଗୋଟେ ଯନ୍ତର ପକେଇ ଦିଜଣ ବାବୁ ନଇଁପଡ଼ି ଚାହୁଁଥାନ୍ତି ଜଙ୍ଗଲ ଆଡ଼େ ।

 

ବୁଲିଟା ଖୁବ୍‌ ଉଦଣ୍ଡୀ । ଥିରି ଥିରି ତା କାନପାଖରେ କହିଲା-ମୋତିଲୋ, ଜଲଦି ଚାଲିଆ, ତୋ ସୁନ୍ଦର ରୂପ ଦେଖିବାପାଇଁ ବାବୁମାନେ ଯନ୍ତର ପକେଇ ତୋ ଆଡ଼କୁ ଚାହୁଁଛନ୍ତି !

 

ବଡ଼ ଲାଜ ଲାଗିଲା ମୋତିକୁ, ଝଅଟ ଝଅଟ ଚାଲିଆସିଲା ଘରକୁ ।

 

ଦିନେ ଦି’ଦିନ ପରେ କଥାଟା ଚାରିଆଡ଼େ ହୁଲିଆଜାରି ହୋଇଗଲା । ଏଇଠି ଲୁହା କାରଖାନା ହେବ, ସହର ବଜାର ବସିବ, କେତେ ଗାଡ଼ି ମୋଟର ଚାଲିବ, ରାସ୍ତାରେ ବିଜୁଳି ଆଲୁଅ ଜଳିବ, ପାଣିକଳ ବସିବ, ସିନେମା ଥିଏଟର ଘର ହେବ, ଭଳି ଭଳିକା ଶାଢ଼ୀ ଗହଣା ଦୋକାନ ଖୋଲିବ, କେତେ ରକମ ଖେଳନା, କଣ୍ଢେଇ, କାଞ୍ଚୁଲି, ପାନିଆଁ, ଫିତା, ଅଳତା, ସାବୁନ, ସ୍ନୋ, ପାଉଡ଼ର କିଣିବାକୁ ମିଳିବ, ଚାଉଳ, ପରିବା, ତେଲ, ମସଲା, ଲୁଗାପଟା ଏସବୁର ଅଲଗା ଅଲଗା ଦୋକାନ ବସିବ । ଯାହାକୁ ଯେତେ । ମୋତିର ଛାତି ଦୁଲୁକିଲା, କଣ ଗୋଟେ ବଡ଼ କଥା ହେବ ଗାଁରେ !

 

ମନରେ ଛନକା ପଶିଲା । ତା ଗାଁରେ ଯଦି ଏତେ କଥା ହେବ ଗାଁ କ’ଣ ଗାଁ ହୋଇ ରହିବ ? ଯେଉଁଠି ଚରିବେ ତାର ମାଣିକ ଆଉ କୁନି ବାଛୁରୀ ଗୁରୁବାରୀ ? କୁକୁଡ଼ା ଡାକିଲାରୁ ସେ ପାଛିଆ ଧରି ମହୁଲ ଗୋଟେଇବାକୁ ଆଉ କେଉଁଠିକି ଯିବ ? ସେ ଝାମ୍ପୂରା ଆମ୍ୱଗଛଟା କ’ଣ ସେମିତି ଥିବ ସେ ବିଲ ମଝିରେ ? ବୁଲି ସାଙ୍ଗରେ ସେ ସତେ କ’ଣ ଦୋଳି ଖେଳିପାରିବ ତଳକୁ ଲମ୍ୱି ଯାଇଥିବା ତା ବଙ୍କୁଲି ଡାଳରେ । ଆଉ ସେ ଠାକୁର ଗୁଡ଼ିପାଖ ବଉଳଗଛଟା; ଯାହା ମୂଳରେ ସେ ବୁଲି, ସୁବନ ଫୁଲମତୀ, ଗୁରୁବାରୀ ଓ ପଳେଇ ସମସ୍ତେ ଖେଳନ୍ତି ଲୁଚକାଳି, ବୋହୂ ବୋହୂକା, ସେ ଗଛଟା କ’ଣ ସେମିତି ରହିବ ?

 

ଟିକିଏ ଦୂରକୁ ସେ ଯେଉଁ ଢେଉଢେଉକା ପାହାଡ଼ଟା ଦିଶୁଛି ତା ଉପରକୁ କଣ ସେ ସାଙ୍ଗସାଥୀ ମେଳରେ କାଠ ଆଣିବାକୁ ଯାଇପାରିବ ? ଶୁଖିଲା ପତ୍ର ଉପରେ ତା ପାଦ ପଡ଼ିଲେ ଖଡ଼୍‌ ଖଡ଼୍‌ ଶବ୍ଦରେ ଡରିଯାଇ ପାହାଡ଼ି ମୂଷା ଚଢ଼ି ଯାଉଥିବ ଗଛ ଉପରକୁ ଆଉ ସେ ପାଖ ବୁଦାମୂଳରେ ଧୋବ ଫର ଫର ଠେକୁଆଟି ଘାସ ପୂଳାଏ ପାଟିରେ ଧରି ଚମକିପଡ଼ି ଚାହିଁ ରହିଥିବ ତା ଆଡ଼କୁ !

 

ଗାଁ, ଦାଣ୍ଡ ବଣ ଜଙ୍ଗଲ ପାହାଡ଼ ଝରଣା ଏମାନଙ୍କର ଶୋଭା କଣ ସେମିତି ଅତୁଟ ରହିଥିବ ?

 

ମୋତି ମନରେ ଦ୍ୱନ୍ଦ । କାରଖାନା ଦୋକାନ ବଜାର ବିପଣୀ କୋଠାଘର ବିଜୁଳି ଆଲୁଅ ଗାଡ଼ି ମଟର ଧାଁ ଧଉଡ଼ କୋଳାହଳ ଏସବୁ ଦେଖିବାର ଅଭିନବ ଆଶା ଆଉ ଉତ୍‌କଣ୍ଠା ପୁଣି ଗାଁ ଦାଣ୍ଡ, ବଣ ଜଙ୍ଗଲ, ଝରଣା ପାହାଡ଼ର ଶୋଭା ହଜିଯିବାର ଆଶଙ୍କା ।

 

କେଇଦିନର କଥା । ସପନପରି ଲାଗୁଛି । ଚାହୁଁ ଚାହୁଁ କଣ ନହେଲା ? କେତେ ରକମ କଳକବ୍‌ଜା ଗଦା ହେଲା, ଘର୍‌ ଘର୍‌ ଶବ୍ଦରେ ମେଦିନୀ ଦୁଲୁକି ଉଠିଲା, ଜମି ସମତୁଲ ହେଲା । କୋଠାବାଡ଼ି ତୋଳା ହେଲା । କାରଖାନା ବସିଲା, ରାସ୍ତାଘାଟ ତିଆରି ହେଲା, ବିଜୁଳିବତୀ ଜଳିଲା, ପାଣିକଳ ବସିଲା, କେତେ ନୂଆଲୋକ ଆସିଲେ ।

 

ସେମାନଙ୍କର ଭାଷା ମୋତି ବୁଝିପାରେନା ଚକିତ ନୟନରେ ସେମାନଙ୍କୁ ଖାଲି ଦେଖେ-

 

ଆହା ଭଳିକି ଭଳି ବେଶ । ସତେ ଯେମିତି ସରଗପୁରୀରୁ ଠାକୁର ଠାକୁରାଣୀମାନେ ଆସିଛନ୍ତି !

 

ତା ଗାଁରୁ କେତେଲୋକ କାମ କଲେଣି କଳକାରଖାନାରେ, ରାସ୍ତାଘାଟ କୋଠାବାଡ଼ି ତିଆରି କରିବାରେ ମଧ୍ୟ ଆଉ କେତେ ଜଣ କାମ କରୁଛନ୍ତି, ସେମାନଙ୍କ ବେଶ ବଦଳି ଗଲାଣି, ଧୋବ ଫରଫର ଲୁଗା ପିନ୍ଧିଲେଣି । ବୁଲି ସୁବନ ପଳେଇ ବି କାମ କଲେଣି କାନତରାଟି-ବାବୁ ପାଖରେ, ଜାତି ଜାତିକା ଶାଢ଼ୀ ପିନ୍ଧିଲେଣି, ରଙ୍ଗ ଢଙ୍ଗିଆ ଜାମା ପିନ୍ଧିଲେଣି, ଚିକ୍‌କଣକରି ବାସନା ତେଲ ଲଗେଇ ମୁଣ୍ଡ ବାନ୍ଧିଲେଣି, ମଲ୍ଲୀଫୁଲର ମାଳ ବାନ୍ଧିଲେଣି ଜୁଡ଼ାରେ ।

 

କଞ୍ଚା ବୟସର ଯୁବତୀ !

 

କଞ୍ଚା ମାଆଁସର ଲୋଭ !

 

ହାତରେ କଞ୍ଚା ପଇସା !

 

ବଦଳିଛନ୍ତି ତାର ସାଙ୍ଗସାଥୀ; କିନ୍ତୁ ମୋତି ବଦଳି ନାହିଁ । ସେ ଜଙ୍ଗଲ ଟିକିଏ ଦୂରରେ ଆଉ ପଛକ ସେଠୁ ଯାଇଁ କାଠ ଆଣୁଛି, ବାପ ମଜୁରୀ ଲାଗୁଛି କାରଖାନାରେ, ଚଳୁଛି ତାଙ୍କର ସଂସାର ।

 

ଦିନେ ଆସି ମୋତି ଦେଖେତ ତା ଘର ଉପରେ ଫିତା ପଡ଼ି ମାପ ହେଉଛି । ସେ ଦିନ ସେ ହଠାତ୍‌ କିଛି ବୁଝିପାରିଲା ନାହିଁ, କିଛି ଦିନପରେ ଜାଣିଲା କୁଡ଼ିଆ ଘର ଉପରେ କୋଠା ତୋଳା ହେବ, ବାବୁଭାୟା ରହିବେ ।

 

ମୋତିର ଚେତା ପଶିଲା, ଏଇ କାରଖାନା ଆଗରୁ ତ ତାଙ୍କ କୁଡ଼ିଆପରି ଆଉ କେତେ କୁଡ଼ିଆ ଖାଇଥିଲା, ଆଜି ତାଙ୍କ କୁଡ଼ିଆ ଖାଇଲା ଆଉ ଏମିତି ବି କେତେ ଖାଇବ । ଭୋକିଲା ଏ ଅସୁର ! ଗୋଟିକ ପରେ ଗୋଟିଏ ବସ୍ତି ଖାଉଛି !

 

ଏତେ ଖାଇଲାଣି ତେବେ ବି ଭୋକ ମରୁନାହିଁ !

 

ଖାଲି ଭୋକିଲା ନୁହେଁ, ସେ ବି ଏକ ବିଚିତ୍ର ଅସୁର । ଗିଳୁଛି କୁଡ଼ିଆ, ଉଦ୍‌ଗାରୁଛି କୋଠାଘର । ଗିଳୁଛି ଗାଁ ଦାଣ୍ଡ ଉଦ୍‌ଗାରୁଛି ପିଚୁରାସ୍ତା, ଗିଳୁଛି ଆମ୍ୱ ଗଛ, ବଉଳ ଗଛ, ମହୁଲ ଗଛ, ଉଦ୍‌ଗାରୁଛି ବତୀ ଖୁଣ୍ଟ, ପାଣି ଟାଙ୍କି !

 

ଲୋକଙ୍କର ଆଚାର ବ୍ୟବହାର ଢଙ୍ଗରଙ୍ଗ ବଦଳି ଯାଉଛି । ଅରମା ଅପନ୍ତରା ଜଙ୍ଗଲ ସଫା ହୋଇ କୋଠାଘର ତୋଳା ହେଉଛି । ଘର ସାମ୍ନାରେ ବଗିଚା । ଜାତିଜାତିକା ଫୁଲଗଛ । କଅଁଳଘାସର ଶେଯ । କଳ ପାଖରୁ ପାଇପ୍‌ ଲଗେଇ ପାଣି ମଡ଼ଉଛି ମାଳୀ ।

 

ରାସ୍ତାଘାଟ ଘରଦ୍ୱାର ସବୁ ସୁନ୍ଦର ହୋଇ ଯାଇଛି । ସୁନ୍ଦର ବେଶପୋଷାକ ପିନ୍ଧି ଶିଖିଛନ୍ତି; କିନ୍ତୁ ବାହାରଟା ସୁନ୍ଦର ହେଲେ କଣ ହେବ ସମସ୍ତଙ୍କ ଅନ୍ତରଟା ଦିନକୁଦିନ କେମିତି ଅସୁନ୍ଦରିଆ ଜଣା ପଡ଼ୁଛି । ଭଦ୍ରଲୋକମାନେ ମଦ ଖାଇ ରାସ୍ତାରେ ଗଡ଼ୁଛନ୍ତି । ଭଲ ଘରର ପୁଅ ଝିଅମାନେ ପାର୍କ ଭିତରେ ଅସଂଯତ ଭାବରେ ଚଳପ୍ରଚଳ ହେଉଛନ୍ତି । ଚୋରୀ ଡକାଇତି ମାଡ଼ପିଟ କଳିତକରାଳ ବଢ଼ୁଛି । ସରଳ ପଲ୍ଲୀର ନିଷ୍କପଟିଆ ମଣିଷମାନେ ଏଇ ଅସୁର କାରଖାନାର କୁପ୍ରଭାବରେ ଠକ ବଦମାସ ସଇତାନ ଲମ୍ପଟ ଦଗାବାଜ ହୋଇ ଯାଇଛନ୍ତି । ଏସବୁ ଶୁଭ ନା ଅଶୁଭ ସଙ୍କେତ !

 

ହେଇ ତାଙ୍କ ଗାଁ ଦିଶୁଛି । ଏଇଠି ଥିଲା, ତାଙ୍କର ଧାନଜମି । ହରଡ଼ କନ୍ଦମୂଳ ମକ୍‌କା ରାଶିର ଛୋଟ ଛୋଟ କ୍ଷେତ । ଇନ୍ଦ୍ରଦେବତା ରାଗୁଥିଲେ ବରଷା ହେଉ ନଥିଲା, ଗଛ ମରୁଥିଲା, ଧାନ ଗଜା ମରୁଡ଼ି ହେଉଥିଲା; ସେତେବେଳକୁ ଆଜି ପରି ପାଣିକଳ ନଥିଲା ।

 

ଯଦି ଏଇ ମଣିଷ ମୁଣ୍ଡରେ ଏତେ ବୁଦ୍ଧି ଥିଲା ନଈରେ ପଥର ପକେଇ କ୍ଷେତକୁ ପାଣି ଆଣିବାର ସୂତ୍ର ଜଣାଥିଲା ତେବେ ଏସବୁ ହେଉ ନଥିଲା କାହିଁକି ? ସେଇ ନଈତ ଅଛି । ସେମିତି କାଚକେନ୍ଦୁ ପରି ପାଣିଧାର ଆଗରୁ ବି ବହିଆସୁଥିଲା ।

 

ମୋତି ତାର ଭୁଲି ବୁଝିପାରେ । ସେତେବେଳେ ସେ ଥିଲା ପଲ୍ଲୀଗାଁରେ, ମଫସଲରେ-। ଏବେ ରହିଛି ସହରରେ । ମଫସଲିଆ ଲୋକର ଗୋଟେ ସୁଖ ସୁବିଧା କ’ଣ ? ଚାଲିଲାବେଳେ ଗୋଡ଼ରେ ମାଟି ଲାଗିଲେ କ୍ଷତି କ’ଣ ? ମିଞ୍ଜି ମିଞ୍ଜି ଡିବିରି ଆଲୁଅରେ ଅଣ୍ଡାଳି ଅଣ୍ଡାଳି ଜାଉ ପେଜ ଖାଇଲେ ବି କିଏ ଭାବୁଥିଲା ତାଙ୍କ କଥା ?

 

ମୋତିବି ଧିରେ ଧିରେ ବଦଳିଛି । ସଫା ଶାଢୀ ପିନ୍ଧିଲାଣି, ଏଣିକି ବ୍ଳାଉଜ ପିନ୍ଧି ଜାଣିଲାଣି, ଏଣିକି ମଇଳା ଲୁଗା ପିନ୍ଧିବାକୁ ଲାଜ ଲାଗୁଛି । ବ୍ଳାଉଜ ନପିନ୍ଧି ବାହାରକୁ ଯିବାକୁ ସଙ୍କୋଚ ଲାଗୁଛି । ତା ବାପା ସକାଳେ ସଞ୍ଜେ ଚାହା ଖାଉଛି । ସକାଳୁ ପେଜ ତୋରାଣୀ ନପିଇ ବଜାରରୁ ବରା ପକୁଡ଼ି କିଣି ଖାଉଛି । କମ୍ପାନୀ ଘରଖଣ୍ଡିକ ନେଇଯିବାରୁ ଯେଉଁ ଟଙ୍କା ମିଳିଲା ସେଥିରେ କିଛିଦିନ ବେଶ୍‌ ସୁରୁଖୁରୁରେ ଚଳିଗଲେ ସେମାନେ ।

 

ତାପରେ ଆସିଲା ସେଇ ଦୁଃଖର ଦିନ । କାରଖାନାରେ କାମ କରୁ କରୁ ବୁଢ଼ାର ଗୋଡ଼ ଦି’ଟା କେମିତି କଳ ଭିତରେ ପଶିଗଲା । ଡାକ୍ତରଖାନାରେ ବାପା ତାର ଦୁଇମାସ କାଳ ଭୋଗିଲା, ଏଡ଼େ ବଡ଼ ଧୋବଲା କୋଠାର ଡାକ୍ତରଖାନା ଆଉ ବିଦେଶ ଫେରନ୍ତା ବଡ଼ ବଡ଼ ଡାକ୍ତରମାନେ ତାକୁ ରକ୍ଷା କରିପାରିଲେ ନାହିଁ । ସହରର ମୋହ ତୁଟିଗଲା ମୋତିର । ପୁଣି ସେଇ ଗାଁ ମାଟି, ବିଲ ବଣ ତାକୁ ହାତଠାରି ଡାକିଲେ । ସେ ପଳେଇ ଆସିଲା ତା ମାମୁଁ ଘରକୁ ଦୂର ଏକ ମଫସଲ ଗାଁକୁ-

 

ମାମୁଁ ତାକୁ ବିବାହ ଦେଲେ ଏଇଠି । ସହରରେ ତାର ବାହାଘର ପାଇଁ ଯେଉଁସବୁ ପ୍ରସ୍ତାବ ଆସିଥିଲା ମୋତି ମୋଟେ ରାଜି ହେଲା ନାହିଁ । ସହର ତାର ଚଳନି ତାର ରଙ୍ଗ ଢଙ୍ଗ, ତାର ଜୀବନ ଯାତ୍ରା ଏସବୁ ପ୍ରତି କେମିତି ମୋତିର ବିତୃଷ୍ଣା ଆସିଯାଇଥିଲା । ସହର କଥା ପଡ଼ିଲେ ତାର ଶ୍ୱାସ ରୁଦ୍ଧ ହୋଇ ଆସୁଥିଲା ।

 

ତାପରେ ତା ଜୀବନରେ ଆସିଲା ସେଇ ବଣ ବିଲ ନଦୀ ପାହାଡ଼ ଉପରେ ନୀଳ ଆକାଶ ଆଉ ତଳେ ସୁନାର ମାଟି । ଭୁଲିଗଲା ସେ ସହରକୁ, ଭୁଲିଗଲା ତାର ଯେତେ ବଡ଼ ବଡ଼ କୋଠାଘର, ବିଜୁଳି ଆଲୁଅ, ପିଚୁ ରାସ୍ତା ଆଉ ଅଗଣିତ ଠାକୁର ଠାକୁରାଣୀଙ୍କୁ !

 

ଆଳୁ ପଟାଳିକୁ ଚାହିଁ ତା ତନ୍ଦ୍ରା ଭାଜିଲା, ଏ କଣ ହେଲା, ମୋଟେ ଗୋଟିଏ ସିଆରରେ ପାଣି ମାଡ଼ିଛି, ଆଳୁ କିଆରୀକୁ ଲାଗି ସେ ଗହମ କ୍ଷେତ ଖଣ୍ଡକରେ ଅଧା ପାଣି ମାଡ଼ିଗଲାଣି । ଛି ଛି ପାଣି ଛାଡ଼ି ଦେଇ ହିଡ଼ ମୁଣ୍ଡରେ ବସି ସେ ଏଣୁ ତେଣୁ ଭାବୁଛି ।

 

ସପନା ଆସିଲେ ଆଜି ସେ ଗାଳି ଖାଇବ !

Image

 

 

ଛବି କଥା କହେ

 

ଖରା ହସୁଛି, ଝରକା ଭିତର ଦେଇ କୋଠରୀ ଭିତରେ ପଡ଼ିଛି ଲମ୍ୱ ଲମ୍ୱ ତିନି ଚାରିଖଣ୍ଡ, ଝରକାର ଲୁହା ରେଲିଂ ଖରାକୁ ଖଣ୍ଡ ଖଣ୍ଡ କରି କାଟି ଥୋଇଛି ।

 

ଝରକାରେ ଚାହିଁଲେ ସବୁଜ ପଡ଼ିଆ । ଟିକିଏ ଦୂରରେ ବରଗଛଟି ବର୍ଷା ଦିନର ପରଶ ପାଇ ଜୀବନ୍ତ ହୋଇ ଉଠିଛି ।

 

ତା ତଳେ ଦଶ ବାରଜଣ ରୟତ । ମୁଣ୍ଡରେ ଠେକା ଛତାବାଡ଼ି ତଳେ ଥୁଆ ହୋଇଛି, ଜଣେ ଅଧେ ପିକା ଟାଣୁଛନ୍ତି ।

 

ଆର ରୁମ୍‌ରେ ଟାଇପ ମେସିନ୍‌ର ଟକଟକ ଶବ୍ଦ ଅନବରତ ଶୁଣାଯାଉଛି । ବେଶ୍‌ ଭଲ ଲାଗୁଛି କାନକୁ । ଇସ୍ କି ଚଞ୍ଚଳ ହାତ ଚାଲିଛି । ଯାହାହେଉ ପଣ୍ଡାବାବୁଙ୍କ ପରି ଜଣେ ସୁଦକ୍ଷ ଟାଇପିଷ୍ଟ ମିଳିଛି ।

 

ବଡ଼ ଗରମ ଲାଗୁଛି । ହାତଟଣା ପଙ୍ଖା ମୁଣ୍ଡ ଉପରେ କେତେବେଳୁ ବନ୍ଦ ହୋଇଯାଇଛି-। ଦୀନା ବୋଧହୁଏ ଘୁମେଇ ପଡ଼ିଥିବ ବାହାରେ ଟୁଲ ଖଣ୍ଡିକ ଉପରେ । ସାମ୍ନା କାନ୍ଥରେ ସାଢ଼େ ଦିଟା ବାଜିଛି, ବାହାରେ ଟିକିଏ ପବନ ଲାଗୁଥିବ, ଦୀନା ଘୁମେଇ ପଡ଼ିବା ବିଚିତ୍ର ନୁହେଁ ।

 

ଧୀରେନ୍ଦ୍ର କଲିଂ ବେଲ ଉପରେ ହାତ ରଖିଲା, ଅର୍ଡ଼ଲି ବିଶୁ ପଶି ଆସିଲା ଭିତରକୁ । ମୁଣ୍ଡ ଉପର ପଙ୍ଖା ପୁଣି ଆପେ ଆପେ ଚାଲିଲା ଧୀର ମନ୍ଥର ଗତିରେ । ଦୀନାକୁ ତାଗିଦ୍‌ କରିବା ଦରକାର ହେଲା ନାହିଁ, ବିଶୁ ଫାଇଲ କେତେଟା ତଳୁ ନେଇ ଚାଲିଗଲା ।

 

ଧୀରେନ୍ଦ୍ର ଏଠାକୁ ତହସିଲଦାର ହୋଇ ଆସିଛି ପ୍ରାୟ ମାସେ ହେବ । ନୂଆ ଜାଗା ନୂଆ ଦାୟିତ୍ୱ, ଚେଷ୍ଟା କରୁଛି ନେଇ ଆଣି ଥୋଇବାକୁ ।

 

ସବ୍‌ଡ଼େପୁଟି ହେବାର ତିନିବର୍ଷ ପୁରି ନାହିଁ । କଲେଜ ଛାଡ଼ୁ ଛାଡ଼ୁ ଚାକିରୀ । ଦରମା ଦୁଇଶହ । ଗାଁରେ ବାପା ମା ସାଇ ପଡ଼ିଶା ସମସ୍ତେ ଖୁସି । ଧୀରୁ ହାକିମ ହୋଇଛି । ପେଣ୍ଟ କୋଟ୍‌ ପିନ୍ଧି ମିସଲକୁ ଯାଉଛି ।

 

ଗାଁରେ କେତେ ରକମର ଉଡ଼ା ଖବର । କିଏ କହେ ଶୁଣିଲଣି ଆମ ଧୀରୁବାବୁ ଜମି କିଣିବାକୁ ଟଙ୍କା ବୁଜଳା ବାନ୍ଧି ବସିଛନ୍ତି । ସରପଞ୍ଚେ କହନ୍ତି, ଯାହାହେଉ ଆମ ଧୀରୁ ଗାଁର ନାଁ ରଖିଲା । ଏଇ ମାସେ ତଳେ ସୁନା ହାର, ସୁନାଚୁଡ଼ି ସବୁ କରିଛନ୍ତି । ବୋହୂକୁ ସୁନା ସଜରେ ମଣ୍ଡି ଦେଲାଣି ? ଆଉ କିଏ କହେ ଟଙ୍କା ସବୁ ପୋଷ୍ଟ ଅଫିସ ଆଉ ବ୍ୟାଙ୍କରେ ଜମା ରଖୁଛନ୍ତି । କେତେ ଲୋକ ବି ସହିପାରନ୍ତି ନାହିଁ । କହନ୍ତି ହଁ, ହେ କିଳାପୋତା ପଇସା କେତେ ଦିନ ଯିବ ? ଅଧର୍ମ ବିତ୍ତ ବଢ଼େ ବହୁତ ।

 

ଗାଁରୁ ଅଧିକାଂଶ ଲୋକେ ଚିଠି ଲେଖନ୍ତି ତା ପାଖକୁ । ସେଥିରେ ଥାଏ ଦୁଇଟି ଅନୁରୋଧ । ଗୋଟିଏ ଚାକିରୀ ଅନ୍ୟଟି ଟଙ୍କା ଧାର । କା’ର ଝିଅ ବାହାଘର, ବାପ ବର୍ଷିକିଆ, ପୁନେଇ ପର୍ବ, ଭୋଜି ଭାତ । ତେଣୁ ଟଙ୍କାର ନିହାତି ଦରକାର ।

କାମରୁ ଯେତେବେଳେ ଫୁରସତ ମିଳେ ଧୀରେନ୍ଦ୍ର ବସି ଭାବେ ଏ ସବୁ ବିଷୟରେ । ସେ ସିନା ହାକିମ ଚାକିରୀ କରିଛି ଦରମା ଦୁଇଶହ । ସେଥିରୁ ଘରଭଡ଼ା ତିରିଶ, ସାନ ଭାଇର କଲେଜ ପଢ଼ା ଖର୍ଚ୍ଚ ଷାଠିଏ । ଘରେ ବାପା ମା’ଙ୍କ ପାଖକୁ ତିରିଶ । ଆଉ ରହିଲା ଅଶୀ ଟଙ୍କା । ସେଥିରେ ଚଳିବାକୁ ସେ ତାର ସ୍ତ୍ରୀ ଆଉ ଗୋଟିଏ ପିଲା । ଏଥିରେ ବି ଲୋକେ ବଦନାମ ଦିଅନ୍ତି । ଜମି କିଣିବାକୁ ଟଙ୍କା ରଖିଛି । ସୁନା କିଣୁଛି କିମ୍ୱା ବ୍ୟାଙ୍କରେ ଟଙ୍କା ରଖୁଛି । ଧୀରେନ୍ଦ୍ର ଆଶ୍ଚର୍ଯ୍ୟ ହୁଏନା । କିଏ କାହା ମୁହଁରେ ହାତ ଦେବ ?

ଚେୟାର ଉପରେ ଧୀରେନ୍ଦ୍ର ଟିକିଏ ସଳଖି ବସିଲା । ଆହୁରି ଗଦାଏ ଫାଇଲ ରହିଛି ଟେବୁଲ ଉପରେ । ଧୀରେନ୍ଦ୍ର କିରାଣୀ ନୁହେଁ । ଅଳ୍ପ ପଇସାରେ ଚଳି ପାରନ୍ତି । ସେମାନେ ନିଜ ହାତରେ ଘର କାମ କରିବା, ବଜାରରୁ ପରିବା କିଣିବା କିମ୍ୱା ପିଲା ଧରିବାକୁ ସେମାନେ ସାହସ ସଂକୋଚ କରନ୍ତି ନାହିଁ । ସେମାନେ କାହାକୁ କଲେଜ ଶିକ୍ଷା ଦେବାକୁ ସାହସ କରନ୍ତି ନାହିଁ । ସେଥିପାଇଁ ବହୁତ କ୍ଷେତ୍ରରେ କିରାଣୀ ପୁଅ କିରାଣୀ ହୁଏ । ଯାହାର ଅନ୍ୟ କୌଣସି ଆୟର ପନ୍ଥା ଥାଏ, ସେ କେବଳ ଉଚ୍ଚ ଶିକ୍ଷା ଦେବାକୁ ସାହସ କରେ ।

ଧୀରେନ୍ଦ୍ର ଅଫିସର ହୋଇ ମଧ୍ୟ ଅଫିସର ନୁହେଁ ! ସେ ଘରକାମ ନିଜେ କଲେ ତାକୁ ଲାଜ ଲାଗେ । ଚାକର ରଖିଲେ ତାକୁ ଦରମା ଦେଇ ପାରେ ନାହିଁ । ସାନ ଭାଇକୁ କଲେଜରେ ନ ପଢ଼େଇଲେ ଲୋକେ ନିନ୍ଦା କରିବେ । ସବୁବେଳେ ଅଭାବ । ଏ ମାସର ଧାର ଆର ମାସକୁ ଗଡ଼ିଚାଲେ । ଲୋକନିନ୍ଦା ଆଉ ଆର୍ଥିକ ଅନାଟନ ଏହା ଭିତରେ ସେ ପେଶି ହୁଏ ।

ସେଇଠି ଦେଖେ ଆଉ ତିନିଜଣଙ୍କୁ । ଖାଇ ପିଇ ଅଏସ କରି ବେଶ୍‌ ଅଛନ୍ତି । ତାଙ୍କ ଟେରେଲିନ ହାଓ୍ୱାନି ପାଖରେ ବକିଂହାମର ଶସ୍ତା ଦରର ହାଓ୍ୱାନି ମଳିନ ଦିଶେ । ତାଙ୍କର ଗୋଲ୍‌ଡ଼ ଫ୍ଳେକ କିମ୍ୱା କାପଷ୍ଟାନ୍‌ ଧୂଆଁ ଭିତରେ କାଭେଣ୍ଡରସ୍‌ ଶସ୍ତା ଧୂଆଁ କୁଆଡ଼େ ଲୁଚିଯାଏ । ତାଙ୍କର ଟେରେଲିନ୍‌ ନାଇଲନ୍‌ ଶାଢୀ ପାଖରେ ବାଙ୍ଗାଲୋର ଶସ୍ତା ସିଲ କର ତେଜ ମଉଳେ । ତାଙ୍କର ଓଜନିଆ କାନଦୁଲ ଅଳ୍ପ ସୁନାର ଶସ୍ତା ପଥର ବସା କାନ ଫୁଲକୁ ଉପହାସ କରେ !

ତାଙ୍କ ଘରୁ ରେଡ଼ିଓ ସିଲୋନର ମଧୁର ସ୍ୱର ଭାସି ଆସେ ।

ଧୀରେନ୍ଦ୍ର ଦୀର୍ଘ ନିଶ୍ୱାସ ଟାଣେ ।

ସେ ତଳକୁ ଚାହେଁ, ତଳ ପାହ୍ୟାର ବହୁତ କର୍ମଚାରୀ ତାଠାରୁ କମ୍‌ ଦରମା ପାଇ ତା ଅପେକ୍ଷା ଅଧିକ ଖର୍ଚ୍ଚ କରିପାରନ୍ତି ।

ଗାଁର ଦାମ ବୁଢ଼ା କଥା ତାର ମନେ ପଡ଼େ । ଚାକିରୀ କରିବାକୁ ଆସିଲା ବେଳେ ସେ ପଚାରିଥିଲା, ଧୀରବାବୁ ତୁମ ଚାକିରୀରେ ଦରମା ତ ଦୁଇଶ କିଛି ଉପୁରୀ ଅଛିନା ।

ଧୀରେନ୍ଦ୍ର ବିରକ୍ତ ହୁଏ ତା ଉପରେ ।

-ମୋ ଉପରେ ସିନା ମିଛରେ ରାଗ କରୁଛ ଧୀରୁବାବୁ ! ଦୁନିଆଁରେ ଖୁବ୍‌ କମ ଲୋକ ସତରେ ଚଳନ୍ତି ! କଥାରେ ଅଛି; ‘‘ଚାକିରୀ ଚୋରି ବଣିଜ ମିଛ’’ ତମେ କୁଆଡ଼ୁ ଆସିଲ ? ଧୀରୁକୁ ବାସ୍ତବିକ ବିରକ୍ତ ଲାଗେ । ସେଇ ପୁରୁଣା କଥା । ପୁରୁଣା ଦର୍ଶନ । ସେ ତ ଚାକିରୀ କରିଛି । ଚୋରି କରୁନି-ଚଳୁଛି କିପରି ?

ତା ମନରୁ କିଏ ପ୍ରତିବାଦ କଲା ଯେପରି, ସେ କି ଚଳିବା ? ସବୁ ଆଡ଼କୁ ଇଚ୍ଛା-କୌଣସିଟା ହୋଇ ପାରୁନି । ସବୁ ଦିନେ ଅଭାବ ଲାଗି ରହିଛି । ତାପରି ଆଉ ଶହେ ଜଣରୁ ଅନେଶୋତ ଜଣ ଚୋରି କରନ୍ତି । ଲାଞ୍ଚ ନିଅନ୍ତି । ନାନା ରୂପରେ ନାନା ଭାବରେ । ସୁଖରେ ଚଳନ୍ତି ସେମାନେ । ସେ ତା ଫମ୍ପା ଆଦର୍ଶ ଭିତରେ ଥାଉ । ତା ଆଦର୍ଶକୁ କିଏ ଖାତିର କରୁଛି ?

ନା ନା ସେ ବି ଲାଞ୍ଚ ନେବ । ତା’ର ବି ଘରେ ରେଡ଼ିଓ ରଖିବାକୁ ସୁନାଗହଣା କିଣିବାକୁ କିମ୍ୱା ଖାଇ ପିଇ ଭଲରେ ଚଳିବାକୁ ଖୁବ୍‌ ଇଚ୍ଛା ହେଉଛି । ସେ ବି ଆଉ ତିନିଜଣଙ୍କ ପରି କାମନାର ଦାସ !

ଏଇ ମାସକ ଭିତରେ ବହୁତ ସୁଯୋଗ ଆସିଛି । ଇଚ୍ଛା କରିଥିଲେ ଏଇ କେଇଦିନ ଭିତରେ ବହୁତ କିଛି କରି ପାରିଥାନ୍ତା । ମାତ୍ର ଢଙ୍ଗ ଢାଙ୍ଗ ଦେଖି କେହି ସାହସ କରନ୍ତି ନାହିଁ ଏକଥା ଉଠେଇବାକୁ । ହଠାତ୍‌ କଣ ଭାବି ଧୀରେନ୍ଦ୍ର କଲିଂବେଲ ଉପରେ ହାତ ରଖିଲା । ବିଶୁ ପଶି ଆସିଲା ।

-ମହାନ୍ତିବାବୁଙ୍କୁ ଡାକି ଦେଲୁ । ମହାନ୍ତିବାବୁ ତା ଅଫିସର ହେଡ଼ କ୍ଳର୍କ । ହୁକୁମ ପାଇ ମହାନ୍ତିବାବୁ ହାଜିର ହେଲେ ।

ମୁଣ୍ଡରେ ଚନ୍ଦନ ଚିତା ବେକରେ ତୁଳସୀ ମାଳ । ଧୀରେନ୍ଦ୍ର ଜାଣିଥିଲା ଯେ, ଏଇ ଚିତା ଚଇତନ ତୁଳସୀ ମାଳିଆ ଜୀବଗୁଡ଼ିକ ଅଫିସ ଭିତରେ ସବୁଠାରୁ ବେଶୀ ଧୂର୍ତ୍ତ ଏବଂ ଲାଞ୍ଚ ନେବାରେ ବେଶ୍‌ ଧୂରନ୍ଧର । ସେମାନେ ବିନା ମେଘରେ ବଜ୍ରପାତ କରିପାରନ୍ତି । ଶୁଖିଲା କାଠରୁ ପାଣି ବାହାର କରିପାରନ୍ତି ।

ଧୀରେନ୍ଦ୍ର ତାର ଏଇ କେତେ ବର୍ଷ ଚାକିରୀ ଭିତରେ ବେଶ୍‌ ଲକ୍ଷ୍ୟ କରିଛି, କର୍ମଚାରୀମାନଙ୍କ ଭିତରୁ ଯେଉଁମାନେ ଚିତା ଚଇତନ ହୋଇ ତୁଳସୀମାଳି ବେକରେ ପକେଇ ଆସନ୍ତି ସେମାନେ ନିହାତି କୁଟିଳ ପ୍ରକୃତିର ଲୋକ ଓ ଭୀଷଣ ଭାବରେ ସ୍ୱାର୍ଥପର । ସେଥିପାଇଁ ସେ ଯେଉଁଠିକି ଯାଇଛି ଏଇ ଶ୍ରେଣୀର କର୍ମଚାରୀମାନଙ୍କଠାରୁ ଦୂରେଇ ରହିଛି ।

ମହାନ୍ତିବାବୁ ଯେ ଲାଞ୍ଚଖୋର ଏକଥା ଧୀରେନ୍ଦ୍ର ନିଶ୍ଚିତ ଭାବରେ ଜାଣିଥିଲା । ତେଣୁ ତାଙ୍କ ପାଖରେ ମନ ଖୋଲି କହିବାକୁ ସେ ଅତି ନିରାପଦ ମଣିଲା ।

ମହାନ୍ତିବାବୁଙ୍କୁ ପାଖରେ ବସାଇ ଧୀରେନ୍ଦ୍ର ଚୁପ୍‌ ଚୁପ୍‌ କହିଲା-ମୋର ବିଶେଷ ଦରକାର, ଆଜି ଦୁଇଶ ଟଙ୍କା ଯୋଗାଡ଼ ହୋଇ ପାରିବ ?

ମହାନ୍ତିବାବୁଙ୍କ ମୂଖ ଉଜ୍ଜ୍ୱଳ ହୋଇ ଉଠିଲା । ପୁରୁଣା ଅଭ୍ୟାସ ବୁଝିବାକୁ ବେଶୀ ସମୟ ଲାଗିଲା ନାହିଁ । ଓଠରେ ଇଷତ୍‌ ହସ ଖେଳେଇ କହିଲେ ଦୁଇଶ କାହିଁଙ୍କି ଆଜ୍ଞା, ହଜୁରଙ୍କ କଲମରେ ଯାହା କ୍ଷମତା ଅଛି ଚାହିଁଲେ ପାଞ୍ଚଶ ମିଳିବ ଏକା ଦିନକେ ।

ନମସ୍କାର କରି ମହାନ୍ତିବାବୁ ଚାଲିଗଲେ । ଆଉ ଧୀରେନ୍ଦ୍ରର କାମରେ ମନ ଲାଗୁନାହିଁ । ଜୀବନରେ ନୂଆ ଅନୁଭୂତି ! ସେ ଲାଞ୍ଚ ନେବ ! ଚାକିରୀର ବିରାଚରିତ ପନ୍ଥା । ଲାଞ୍ଚ ନ ନେଇ ତା ଚାକିରୀ ଯଦି ଚୋରି ହୁଏ, ଲାଞ୍ଚ ନେବା ବରଂ ଭଲ ।

ଦୁଇଘଣ୍ଟା ପରେ ହାତରେ ବିଡ଼ାଏ ଦଶଟଙ୍କିଆ ନୋଟ୍‌ ଧରି ମହାନ୍ତିବାବୁ ଘର ଭିତରେ ପଶିଲେ ।

-ହେଇ ଆଜ୍ଞା ଦୁଇଶ ଟଙ୍କା । ନୂଆପଡ଼ା ଗାଁର ପଞ୍ଚୁ ପଟ୍ଟନାୟକ ଆସିଥିଲେ ଅଫିସକୁ । ବାବୁଙ୍କର ଦରକାର ଶୁଣିବାମାତ୍ରେ ଏଇଠୁ ଯୋଗାଡ଼ କରିଦେଲେ ସାଙ୍ଗେ ସାଙ୍ଗେ । ଖୁବ୍‌ ଭଲ ଲୋକ ଆଜ୍ଞା ! କ’ଣ ଖଣ୍ଡେ ଜମି ପଟ୍ଟା ନେବାପାଇଁ ଲଗେଇଛି !

ଧୀରେନ୍ଦ୍ର ଛାତିରେ ଚମକ ଲଗିଲା । ଦୁଇଶ ଟଙ୍କାର ବିଡ଼ାଏ ନୋଟ ହାତରେ ଧରିଲା । ଆଚ୍ଛା ଆପଣ ଯାଆନ୍ତୁ ।

ମହାନ୍ତିବାବୁ ଚାଲିଗଲେ । ମୁହଁରେ ତାଙ୍କର ହସ । ହାତରେ ନୋଟ୍‌ ବିଡ଼ାଟା ଧରି ଧୀରେନ୍ଦ୍ର କିଛି ସମୟ ଚୁପ୍‌ ହୋଇ ବସି ରହିଲା । ଦେହ କମ୍ପି ଉଠୁଛି । ଝାଳରେ ହାଓ୍ୱାନି ଭିଜିଗଲାଣି । ନୋଟ୍‌ ବିଡ଼ାଟା ପକେଟ୍‌ରେ ରଖିବାକୁ ହାତ ଉଠେଇଲା ।

କିନ୍ତୁ ତାର ହାତ ଥରି ଉଠିଲା । ଢଙ୍ଗ ଢଙ୍ଗ ଶବ୍ଦରେ ସେ ଚମକି ପଡ଼ିଲା । ପଛରେ ଥିବା କାନ୍ଥ ଘଣ୍ଟାରେ ପାଞ୍ଚଟା ବାଜିଲା । ଘଣ୍ଟାର ଟିକିଏ ଉପରକୁ ତାର ନଜର ପଡ଼ିଲା-ଗାନ୍ଧିଜୀଙ୍କ ଫଟୋ !

ସେଇ ଧୀର ପ୍ରଶାନ୍ତ ଚେହେରା !

ପାକୁଆପାଟିର ହସ !

ଚଷମା ତଳେ ଉଜ୍ଜ୍ୱଳ ଚାହାଁଣୀ !

ଛବିଟି ସତେ ଯେମିତି ହଲିଲା ।

-ଛି ଧୀରେନ୍‌ ! ଏ କ’ଣ କଲ ? ଏଇ କଣ ମୋର ଆଦର୍ଶ ? ଜୀବନବ୍ୟାପୀ ତ୍ୟାଗ ବଳରେ ମୁଁ ଆଣି ସ୍ୱାଧୀନ ଭାରତ ତୁମମାନଙ୍କ ହାତରେ ଦେଲି । ପ୍ରତ୍ୟେକ ତହସିଲ ଭାରତମାତାର ପୁଣ୍ୟ ଅଙ୍ଗ । ତୁମେ ଆଜି କଣ କଲ ? ମୋର ଏତେ ତ୍ୟାଗ ବିଫଳ ହୋଇଛି ଧୀରେନ୍‌-ମୁଁ ମରିଛି-ମୋ ପଛେ ପଛେ ମୋ ଆଦର୍ଶ ବି ମରିଛି !

ଧୀରେନ୍ଦ୍ର ସ୍ତବ୍‌ଧ ହୋଇ ଛିଡ଼ା ହେଲା । ଏମିତି କିଛିକ୍ଷଣ ସେ ଛବି ଆଡ଼େ ନିର୍ବାକ୍‌ ହୋଇ ଚାହିଁ ରହିଲା ।

ଆଖିରେ ତାର ଲୁହ ଜମିଲା । ଭାବ ବିହ୍ୱଳ ହୋଇ ସେ ତଳେ ଆଣ୍ଠୋଇପଡ଼ି ପ୍ରଣାମ କଲା ସେଇ ମହାମାନବଙ୍କ ଉଦ୍ଦେଶ୍ୟରେ ।

ଝଡ଼ ବେଗରେ ଧୀରେନ୍ଦ୍ର ରୁମ୍‌ ଭିତରୁ ବାହାରି ଚାଲିଗଲା ।

ନୋଟ୍‌ ବିଡ଼ାଟା ଟେବୁଲ ଉପରେ ପଡ଼ିରହିଲା ।

Image

 

ଆକାଶବାଣୀ, ଖବର ପଢ଼ୁଛନ୍ତି

 

ଘରେ ପାଦ ଦେଉଁ ଦେଉଁ ଜୀବନାନନ୍ଦଙ୍କର ମନେହେଲା ଘରଟା କେମିତି ଜୀବନ୍ତ ହୋଇ ଉଠିଛି । ସବୁଦିନପରି ଗୃହିଣୀ ମଇଳା ଶାଢୀଖଣ୍ଡେ ପିନ୍ଧି ଗୃହ କର୍ମରେ ବ୍ୟସ୍ତ ନାହାଁନ୍ତି । ସେ ବୋଧହୁଏ ଆଜି ତାଙ୍କରି ପ୍ରତୀକ୍ଷାରେ ଦାଣ୍ଡ ବାରଣ୍ଡାରେ ଟହଲୁଥିଲେ । ଅବଶ୍ୟ ଗେଟ୍‌ ଖୋଲି ତାଙ୍କୁ ଭିତରେ ପଶୁଥିବାର ଦେଖି ଲାଜରା ହୋଇ ଘର ଭିତରେ ପଶିଗଲେ; କିନ୍ତୁ ଦାଣ୍ଡପଟ ବାରଣ୍ଡାରୁ ତାଙ୍କର ଏ ଆକସ୍ମିକ ଅନ୍ତର୍ଦ୍ଧାନ ଆଉ ତାଙ୍କର ଧୋବ ଫର ଫର ସମ୍ୱଲପୁରୀ ଶାଢୀଟା ଜୀବନାନନ୍ଦଙ୍କ ଦୃଷ୍ଟି ଏଡ଼ାଇ ଦେଇପାରି ନଥିଲା ।

ମୁହଁ ହାତ ଧୋଇ ଇଜିଚେୟାରଟା ଉପରେ ବସୁ ବସୁ ଗୃହିଣୀ ବେଶ୍‌ ଗରମ ବାମ୍ଫୁଳିଆ ଚା କପେ ହାତକୁ ବଢ଼ାଇ ଦେଲେ, ସବୁଦିନପରି ତାଙ୍କୁ ଆଉ ଚିତ୍‌କାର କରିବାକୁ ପଡ଼ିଲା ନାହିଁ ।

(ଆରେ କିଏ ଅଛରେ ? ମୁଁ ଫେରିଆସିଲିଣି ଅଫିସରୁ । କଣ ଚା ଫା କପେ ମିଳିବ ? ହଇ ହୋ ତୁମକୁ ଶୁଭୁଛିନା ! ଝିଅଟା କୁଆଡ଼େ ଗଲା ? କ’ଣ ଚା ଟିକିଏ କରିବ ନାହିଁ ? ଲୁଗାଗୁଡ଼ାକ ପରେ କାଚିବ ଆଗେ ଚା କପେ ଦିଅ, ମୁଣ୍ଡ ଖରାପ ହୋଇଗଲାଣି )

ଚା କପ୍‌ଟା ପାଟିକୁ ନେଉ ନେଉ ଗୃହିଣୀ ଟିକିଏ ପାଖକୁ ଲାଗି ଛିଡ଼ା ହେଲେ । (କ’ଣ ଗେହ୍ଳା ହେବେ ନା କଣ ? ଭାଗ୍ୟକୁ ପିଲାଗୁଡ଼ାକ କେଉଁଠି ବାହାରେ ଖେଳୁଛନ୍ତି । ନହେଲେ ଏଡ଼େ ବଡ଼ ବଡ଼ ପିଲା କଣ ଭାବନ୍ତେ !)

ଜୀବନାନନ୍ଦ ପ୍ରମାଦ ଗଣିଲେ । ଗୃହିଣୀଙ୍କର ଯେଉଁଦିନ ଖର୍ଚ୍ଚ ପାଇଁ ଟଙ୍କା ଦରକାର ଥାଏ ସେଦିନ ସେ ଏମିତି ଗେହ୍ଳେଇ ହୁଅନ୍ତି ।

କଣ କିଛି ବରାଦ ହେବ କି ? ଶାଢୀ ବ୍ଳାଉଜ ନା ଛୋଟ ମୋଟ ଗୋଟେ ଗହଣା ? ଡାଲି କି ଚାଉଳ ଘରୁ ସରିଗଲା କି ? ନା ଆଜି ହାଟପାଳି ପରିବାପତ୍ର ଆସିବାର ଅଛି ? ଗୃହିଣୀଙ୍କର ମାଛ ଖାଇବାକୁ ମନ ହେଲାଣି କି ? ନା ପିଲାମାନଙ୍କ ପାଇଁ ବହି କିମ୍ୱା କାଗଜ ଦରକାର ।

ଆଜି କେତେ ତାରିଖ ? କଣ ବାଇଶ୍‌ । ତା ହେଲେ ତ ସର୍ବନାଶ । ବାକ୍‌ସଟାରେ ତ ଆଉ ପଇସା ନଥିବ !

ଜୀବନାନନ୍ଦ ଗୃହିଣୀଙ୍କ ମୁହଁକୁ ଚାହିଁଲେ, ସେ ମୂରୁକି ମୂରୁକି ହସୁଛନ୍ତି । କିଛି ଅଘଟନ ଘଟିଲା କି ? (ଅଘଟନ ନୁହେଁ ତ ଆଉ କ’ଣ ? ପିଲାପିଲି ହେବାର ଥିଲେ ସେ ଏମିତି ମୂରୁକି ମୂରୁକି ଚୋରାଣିଆ ହସ ହସନ୍ତି, ତାହେଲେ ତ ମୁଁ ସରିଗଲି, ସମୁଦ୍ରେ ଭାକ୍ଷଣଂ ତଥା !)

ଜୀବନାନନ୍ଦଙ୍କ ଭାବନାରେ ବାଧା ଦେଇ ଗୃହିଣୀ କଅଁଳେଇ କହିଲେ ମୁଁ ଆଉ ଏମିତି ଧୂଆଁର ବସି ବସି କେତେଦିନ ରାନ୍ଧିବି ? ନିତି ଚୂଲି ଫୂଙ୍କି ଫୂଙ୍କି ଦିକ୍‌ଦାର ହେଲିଣି, ଆଖି ଦି’ଟାରୁ ପାଣି ଗଡ଼ି ଗଡ଼ି ଜଳକା ଦିଶିଲାଣି ।

ଗୃହିଣୀ ତା ହେଲେ କଣ ପୂଜାରୀ ରଖିବାକୁ କହୁଛନ୍ତି-ଜୀବନାନନ୍ଦ ଭାବିଲେ, କାହିଁ ନା ତ ସେମିତି ସେ କେବେ କହନ୍ତି ନାହିଁ । ସେ ଜାଣନ୍ତି ତାଙ୍କର ସ୍ୱଳ୍ପ ବେତନର କ୍ଷୁଦ୍ର ପରିସର ଭିତରେ ଜଣେ ପୂଜାରୀର ଅନ୍ନ ସଂସ୍ଥାର ଆଉ ବେତନର ଖର୍ଚ୍ଚ ସ୍ଥାନ ପାଇପାରିବ ନାହିଁ ।

ଗୃହିଣୀ ପୁଣି ଆରମ୍ଭ କଲେ (ଏଥର ଆଉ ଟିକିଏ ଗେହ୍ଳେଇ ହୋଇ) ଦେଖ ଜଣେ କାହାକୁ ନ ରଖିଲେ ମୁଁ ଆଉ ଚଳେଇପାରିବି ନାହିଁ ।

ଜୀବନାନନ୍ଦ ବଲ ବଲ କରି ତାଙ୍କ ମୁହଁକୁ ଚାହିଁଲେ, ସତେ ତ ସେ କଣ ପୂଜାରୀ ରଖିବାକୁ କହିଲେଣି, ନଚେତ୍‌ ସରଭାଣ୍ଟ କମ୍‌-କୁକ୍‌ ।

କିଗୋ ମୋ ଆଡ଼କୁ ଏମିତି ବଲ ବଲ କରି କଣ ଦେଖୁଛ ? (ଗୃହିଣୀ ଭାବିଲେ କି ଜୀବନାନନ୍ଦ ତାଙ୍କର ଏଇ ଉତ୍ତର ଚାଳିଶ ବୟସରେ ବିଗତ ଯୌବନା ସହଧର୍ମିଣୀଙ୍କୁ ସତୃଷ୍ଣ ନୟନରେ ଦେଖୁଛନ୍ତି) କାହିଁକି ଆମେ କଣ ପୂଜାରୀ କି ଚାକରଟେ ରଖିପାରିବା ନାହିଁ ?

ଜୀବନାନନ୍ଦଙ୍କର ଆୟର ତାଆସ ଘର କେଉଁଦିନ ଇଟା ପଥରରେ ଗଢ଼ା ହୋଇ ଢଳେଇ ଛାତ ହେଲା ସେ ବୁଝିପାରୁ ନଥିଲେ । କ’ଣ ଗୃହିଣୀ କେଉଁଠି କିଛି ପୋତାମାଲ ହାବୁଡ଼ିଲେ କି ଆଉ ! ବାଡ଼ି ବଗିଚାରେ ଭେଣ୍ଡି କି ଜହ୍ନି ମନ୍ଦା ଖୋଳୁ ଖୋଳୁ କିଛି ମାଲ ମିଳିଗଲା କି କିଏ କହିପାରିବ ? ଏତ ଐତିହାସିକ ଜାଗା । ଆଗ କାଳରେ ଏଠି ବଡ଼ ବଡ଼ ରାଜାଙ୍କ ରାଜଧାନୀ ଥିଲା । ତା ହୁଏତ ହୋଇଥିବ !

ଗୃହିଣୀ ଜୀବନାନନ୍ଦଙ୍କୁ ଅନ୍ୟମନସ୍କ ଥିବାର ଦେଖି କହିଲେ କିହୋ କଣ ଚିନ୍ତାକରି ବସିଲ ? ଆମର ଆଉ ଚିନ୍ତା କଣ ? ଯାହାତ ଦରମା ମିଳୁଥିଲା । ସେଥିରେ ଆମେ ଦୁଃଖେ ସୁଖେ ଚଳିଯାଉଥିଲେ । ଏବେ ଯାହା ଅଧିକ ମିଳିବ ସେଥିରେ ଗୋଟିଏ ପୂଜାରୀ କି ଚାକର ରଖିଲେ ହେବ ନାହିଁ ?

ଅଧିକ ଆଉ କଣ ମିଳିବ ଜୀବନାନନ୍ଦ ହଠାତ୍‌ ବୁଝି ପାରୁ ନଥିଲେ, ଗୃହିଣୀ ତାଗିଦ କରି କହିଲେ କିହୋ ତଥାପି ମୋ କଥା ବୁଝିପାରୁନା । ତୁମେ ତ ସରକାର ଘରେ କାମ କରୁଛ ସରକାରଙ୍କର ଖବର କିଛି ରଖୁନା କେମିତି ? କୁଆଡ଼େ ପରା ତୁମର ଦରମା ବଢ଼ୁଛି, ସତେ ମ କେତେ ବଢ଼ିବ ? ଏଥର ଟିକିଏ ବେଶୀ ବଢ଼ୁଛି ତ ? ସରକାର କ’ଣ ଆମ ଦୁଃଖ ବୁଝୁ ନାହାଁନ୍ତି । ଆମ ଅବସ୍ଥା ଜାଣୁ ନାହାଁନ୍ତି, ସବୁ ତ ମହରଗ ହେଲା । ସେଥିପାଇଁ କର୍ମଚାରୀଙ୍କ ଦୁଃଖ ବୁଝି ସରକାର ଦରମା ବଢ଼େଇ ଦେଲେ, ସତେ କଣ ମୋ ଦୁଃଖ ଯିବ ? ଆଉ ଧୂଆଁ ପାଖରେ ବସି କେତେ କଷ୍ଟ ପାଇବି ?

ଜୀବନାନନ୍ଦ ତିଥାପି ନୀରବ ରହିଲେ, ଗୃହିଣୀ ପୁଣି ଆରମ୍ଭ କଲେ, ଆଜି ପରା ରେଡ଼ିଓ କହୁଥିଲା ସବୁ କର୍ମଚାରୀଙ୍କର ଦରମା ବଢ଼ିବ । ମୋତେ କାହିଁକି ଲୁଚଉଛ, ମୁଁ ତୁମର କଣ ଉଜାଡ଼ି ଦେଉଛି କି ? ବାଜେ ଖରଚ କରି ଉଡ଼େଇ ଦେଉଛି ନା ଆଉ କୋଉ ମାଇକିନା ପରି ଲଡ଼ୁ ଜିଲିପି ଖାଇ ପଇସା ଖର୍ଚ୍ଚ କରି ଦେଉଛି, ସେଇ ଦୁଇ ଓଳି ଦୁଇ ମୁଠା । ପେଟକୁ ଗଣ୍ଡେ ଦେହକୁ ଖଣ୍ଡେ, ଜୀବନାନନ୍ଦ ଲକ୍ଷ୍ୟ କଲେ ଗୃହିଣୀଙ୍କ ସ୍ୱରରେ ଅଭିମାନ ଭରି ରହିଛି । ସେ ଏତେବେଳେ ବୁଝିଲେ ଗୃହିଣୀଙ୍କ କଥା, ଦରମା ବଢ଼ିବା କଥା ସେ ତ ଆଜି ଶୁଣି ନାହାନ୍ତି । ଶୁଣିବାକୁ ବା ତର କାହିଁ ?

ସେ ତ ବଡ଼ବାବୁ, ଗଦା ଗଦା ଫାଇଲ । ଦୁନିଆଁ ଯାକର କାମ, ସମସ୍ତଙ୍କ ଅର୍ଦ୍ଦଳି ସେ ସହିବେ, କେଉଁଠି ଟିକିଏ ଭୁଲ ଭଟକା ହେଲେ ଅଫିସର ତାଙ୍କୁ ଧରିବେ, କଣ ଜୀବନାନନ୍ଦ ବାବୁ ? ଆପଣଙ୍କ ପରି ଜଣେ ଦକ୍ଷ ଲୋକ ଥାଉଁ ଥାଉଁ ଏଡ଼େ ବଡ଼ ଭୁଲଟାଏ ହୋଇଗଲା ?

ସାନବାବୁମାନେ କହିବେ-ଆଜ୍ଞା ଆମେ କ’ଣ ଜାଣୁ ଆମେ ସବୁ ତ ପିଲା, ଆମର କି ଦକ୍ଷତା ଅଛି, ଆପଣ ଆମକୁ ଯେମିତି ଗାଇଡ଼ କରିବେ ଆମେ ସେମିତି ଲେଖିବୁ ।

ଖୁଣ୍ଟି ନାଣ୍ଟି ଫାଇଲ ଦେଖୁ ଦେଖୁ ବେଳ ଯାଉଛି । ଚଷମା କାଚଟା ବର୍ଷକୁ ବର୍ଷ ମୋଟା ହେଉଛି ।

ହସି ହସି ଘର ଭିତରକୁ ପଶି ଆସିଲା ବଡ଼ଝିଅ ବିନୀତା-ଦେଖ ବାପା ଆରମାସଠାରୁ ମୁଁ ଏମିତି ଶସ୍ତା ଶାଢୀ ପିନ୍ଧି କଲେଜ ଯିବିନି । ସାଙ୍ଗ ଝିମମାନେ କେତେ ଦାମିକା ଦାମିକା ଶାଢୀ ପିନ୍ଧି ଆସୁଛନ୍ତି, ମୋତେ ଭାରି ଲାଜମାଡ଼ୁଛି । ବାପା ମା ଏଥର ଆଉ କି ଚିନ୍ତା, ତମର ତ ଦରମା ବଢ଼ିଲା, ଆର ମାସକୁ ଭଲ ଶାଢୀ ଦିଖଣ୍ଡ କିଣିଦେବ । ଏକାଦଶ ଶ୍ରେଣୀ ଛାତ୍ର ପୁଅ ରାଜୀବ ଆସି ଜୀବନାନନ୍ଦଙ୍କ ପାଖରେ ଛିଡ଼ା ହେଲା । ବିନୀତାର କଥା ସରୁ ସରୁ ରାଗି ଉଠିଲା-ନା ବାପା ଶାଢୀକଥା ହୋଇପାରିବ ନାହିଁ । ଏଡ଼େ ସଉକି କାହିଁକି ? ମୋର ଏଥର ପରୀକ୍ଷା । ଅଙ୍କରେ ମୁଁ ଟିକିଏ ଦୁର୍ବଳ ଅଛି । ବଢ଼ା ଦରମାରେ ମୁଁ ଟିଉସନ ହେବି ।

ତା ତଳପୁଅ ଡେଇଁ ଡେଇଁ ଆସୁଥିଲା, ଜୀବନାନନ୍ଦଙ୍କୁ ଦେଖି ଗେହ୍ଳେଇ ହୋଇ କହିଲା ବାପା ତମର କାଳେ ଦରମା ବଢ଼ିଛି । ମୋର ଗୋଟେ ଭଲ କଲମ ନହେଲେ ଚଳିବ ନାହିଁ । ଶସ୍ତା କଲମ ଗୁଡ଼ାକ ଶୀଘ୍ର ଖରାପ ହୋଇ ଯାଉଛି ।

ଜୀବନାନନ୍ଦ ସେମିତି ଇଜି ଚେୟାରରେ ବସି ସମସ୍ତଙ୍କ କଥା ଶୁଣୁଥିଲେ । ଆଖିବୁଜି ସେ କେବଳ ଭାବୁଥିଲେ ଦରମା ବଢ଼ିବା କଥା । ଏ ଖବର ଖାଲି ତାଙ୍କ ପରିବାର କାହିଁକି ଏମିତି ସ୍ୱଳ୍ପ ଭୋଗୀ ପରିବାରମାନଙ୍କରେ ଅଲୋଡ଼ନ ସୃଷ୍ଟି କରିଥିବ । ଆଶାର ବଉଦ ଉଠିଥିବ ଅଭାବ ସଂସାରର ଶୁଷ୍କ ଆକାଶରେ । କିନ୍ତୁ ସେ ଜାଣନ୍ତି ଦରମା ବଢ଼ିବା ଖବର ଚାରିଆଡ଼େ ପ୍ରଚାରିତ ହେଲା ପରେ କ’ଣ ହେବ । ବାସନ ମଜାଳୀ (ନରିଆଣୀ, ପାଳିଅଣୀ, କାମତୁଣୀ) କହିବ ଟଙ୍କାଟେ ଅଧିକ ଦିଅ ବାବୁ ଦରମା ବଢ଼ିଲା । ପରିବାବାଲା କେ. ଜି. ପ୍ରତି ପାଞ୍ଚ ପଇସା କି ଦଶ ପଇସା ବଢ଼େଇବ । ପଚାରିଲେ କୈଫିୟତ ଦେବ ଦରମା ବଢ଼ିଲା; ରିକ୍‌ସାବାଲା କହିବ ଚାରିଅଣା ନେବି ନାହିଁ ବାବୁ ଅଧ ରୂପେୟାଲୁ ଦିଅ ।

ଜୀବନାନନ୍ଦ ଜାଣନ୍ତି ଏ ବଢ଼ା ଦରମା ତାଙ୍କର ଅଭାବ ମେଣ୍ଟାଇ ପାରିବ ନାହିଁ । ତାଙ୍କର ଅଭାବଗ୍ରସ୍ଥ ସଂସାରରେ ଅଭାବ ସେମିତି ରହିବ ।

ଦରମା ଆଉ କେତେ ବା ବଢ଼ିବ ? ପାଞ୍ଚ କି ଦଶ ! ତାଙ୍କ ସଂସାର ଚାଲୁଣୀରେ ସହସ୍ର ଛିଦ୍ର । ସେ ଛିଦ୍ର ସବୁ କେବେ ବନ୍ଦ ହେବନି । ଖାଲି ମାନସିକ ସନ୍ତୋଷ ହେବ ଦରମା ବଢ଼ିଲା; କିନ୍ତୁ ଆର୍ଥିକ ମାନ କେବେହେଲେ ବଢ଼ିବ ନାହିଁ ।

କାମରେ ସିନା ବଡ଼ ବାବୁ । ସେ ବଡ଼ ନୁହଁନ୍ତି କି ବାବୁ ନୁହନ୍ତି ।

ନାମରେ ସିନା ଜୀବନାନନ୍ଦ । କିନ୍ତୁ ତାଙ୍କର ଜୀବନଟା ଯେ ଆନନ୍ଦରେ ନକଟି ନିରାନନ୍ଦରେ କଟୁଛି ଏକଥା ଅନ୍ୟ କେହି ଅନୁଭବ କରି ନପାରିଲେ ବି ସେ ନିଜେ ଖୁବ୍‌ ଅନୁଭବ କରିସାରିଲେଣି !!

Image

 

ରଂ ନମ୍ୱର

 

ସହର ନାମ କହିବାକୁ ଟିକିଏ କୁଣ୍ଠାବୋଧ କରୁଛି । କହିଲେ କାଳେ କିଏ କଥାର ଖିଅ ବାହାର କରି ଅସଲ କଥାଟା ଜାଣି ଯିବ । ସେଥିପାଇଁ ଭୟ ହେଉଛି କାରଣ ଅନେକ ସମୟରେ ଆଜିକାଲି ସତକଥା କହିଲେବି ଶତ୍ରୁ ହେବାକୁ ହୁଏ ।

 

ଅବଶ୍ୟ ଏମିତି ଭୟାତୁର ମନନେଇ କଥାଟା ଆରମ୍ଭ ନକରିଥିଲେ ଭଲ ହୋଇଥାନ୍ତା । ଯାହାହେଉ କହିବାକୁ ଯେହେତୁ ଆରମ୍ଭ କଲିଣି କଥାଟି ଅବଶ୍ୟ ମୋଟାମୋଟି କହିଦେବି ।

 

ଏଇ ସହର ରାଜ୍ୟର ଜୀବନ ନାଟୀକା । ଏଇଠୁ ସବୁକଥା ଆରମ୍ଭ ହୁଏ ସବୁକଥା ବି ଶେଷ ହୁଏ । ଏଇ ସହରରୁ ଦିନକୁ ହଜାର ହଜାର ଖବର ବାହାରୁ ଯାଆସ କରେ ।

 

ଏଇ ଟେଲିଫୋନ କଥା କହୁଥିଲି ।

 

ସବୁ ଶିରଯାକ ମୁଣ୍ଡରେ କୋଚା । ସାରା ରାଜ୍ୟକୁ ଏଇଠୁ ଟେଲିଫୋନ ଲାଇନ ସବୁ ଖଞ୍ଜା ହୋଇଛି । ଖବର ପଠାଇବାକୁ, ଆଉ ଖବର ପାଇବାକୁ । ଇଥରର ତରଙ୍ଗରେ ଶବ୍ଦମାନେ ତରଙ୍ଗାୟିତ ହୋଇ ପ୍ରସାରିତ ହେଲାପରି କଥା ସବୁ ସୁଦୀର୍ଘ ସରୁ ହାରରେ ତରଙ୍ଗାୟିତ ହୋଇ ଦୂରକୁ ଚାଲିଯାଏ ।

 

ଆପଣ ନିଶ୍ଚୟ ଟେଲିଫୋନରେ କଥା ହୋଇଥିବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ।

 

ହେଇ ଯେମିତି ସେ ଖୁବ୍‌ ପାଖରେ ଠିଆ ହୋଇ କଥା କହୁଛନ୍ତି । ଆପଣ ହୁଏତ ଅଚାନକ ରିଂ କରିଛନ୍ତି । ସେ ପ୍ରସ୍ତୁତ ନଥିଲେ ଆପଣଙ୍କ ସହିତ କଥା ହେବାକୁ ।

 

ଅସଂଯତ କେଶ । ବିପର୍ଯ୍ୟସ୍ତ ବସନ !

 

ତାଙ୍କ କଣ୍ଠସ୍ୱର ଶୁଣୁଶୁଣୁ ତାଙ୍କର କେଶାବାସ ଆକୃତି ଆଖି ଆଗରେ ନାଚି ଯାଉଛି ।

 

ସେ ବି ପୁରୁଷ ହୋଇ ପାରନ୍ତି ।

 

ତରୁଣ ଗୋଷ୍ଠୀର । କଲେଜରୁ ଫେରିବା ବାଟରେ କେଉଁ ବାନ୍ଧବୀ ସହିତ କେଉଁ ନଦୀକୂଳରେ କେତୋଟି ରଙ୍ଗୀନ୍‌ ମୁହୂର୍ତ୍ତ କଟାଇ ଘରକୁ ବେପରୁଓ୍ୱା ଚାଲିରେ ପ୍ରବେଶ କରୁଥିଲେ । ଆପଣ ରିଂ ଦେଇଛନ୍ତି । ସେ ଫୋନ୍‌ ଉଠାଇଲେ । ନମ୍ୱର କହୁ କହୁ ଆପଣ କ୍ଷମା ମାଗିଲେ ।

 

ଧେତେରି ରଂ ନମ୍ୱର ହୋଇଗଲା, ଆପଣ ଯାହାକୁ ଚାହିଁଥିଲେ ସେ ହୁଏତ ତରୁଣ ଗୋଷ୍ଠୀର ନୁହଁନ୍ତି । ତାଙ୍କର ଫୁର୍‌ଫୁର୍‌ ଝାମ୍ପୁରା ବାଳ କିମ୍ୱା ଗାଲ ଉପରୁ ଆସ୍ଥାନ ଜମେଇ ଉଠିଥିବା ଖମ୍ୱାକୃତି କଲି ନାହିଁ । ସେ ପ୍ରୌଢ଼, ତାଙ୍କ ମୁହଁରେ କଦମ୍ୱଫୁଲିଆ ଜାତିର ଅରଣ୍ୟ । ଠାଏ ଠାଏ ପକ୍ୱକେଶର ଧଳା ପ୍ୟାଚ ପରି ! ଯାହାହେଉ ଆପଣଙ୍କୁ ହତାଶ ହେବାକୁ ପଡ଼ିଲା ।

 

ଅଥବା ଜଣେ କେହି ପ୍ରୌଢ଼ା ଫୋନ ଉଠାଇଲେ । ଧୀର ଗମ୍ଭୀର ଓଜନଦାର କଣ୍ଠସ୍ୱର-। ସମ୍ଭବତଃ ପୃଥୁଳା, ସେ ନିଶ୍ଚୟ ବିରକ୍ତ ହୋଇଛନ୍ତି କାରଣ ଆପଣଙ୍କ ଘନ ଘନ ରିଂ ତାଙ୍କ ଦ୍ୱିପ୍ରହରର ଅତିଭ ଜନିତ ଦିବା ନିଦ୍ରା ଭାଙ୍ଗି ଦେଉଛି । ସେ ବହୁକଷ୍ଟରେ ନିଜର ପୃଥୁଳ ଶରୀରକୁ ନରମ ଶେଯରୁ ଉତ୍ତୋଳନ କରି ଡ୍ରଇଁରୁମକୁ ଆସିଛନ୍ତି । ସ୍ୱାମୀ ବ୍ୟବସାୟୀ ଘରେ ନାହାଁନ୍ତି । ପିଲାମାନେ ସ୍କୁଲ କଲେଜ ଯାଇଛନ୍ତି କିମ୍ୱା ଧର୍ମଘଟ ପାଇଁ ସ୍କୁଲ କଲେଜ ବନ୍ଦ ଥିବାରୁ କେଉଁଠି ସଭାସମିତିରେ ବତ୍କୃତା ଶୁଣୁଛନ୍ତି କଠିବା ଶିକ୍ଷିତ ବେକାରଙ୍କର ଭୋକିଲା ପଟୁଆରରେ ଯୋଗ ଦେଇ ବିକ୍ଷୋଭ କରିବାକୁ ଯାଇଛନ୍ତି । ପୂଜାରୀ ଟୋକାଟା କେଉଁଠି ଘୁମେଇ ପଡ଼ିଛି କିମ୍ୱା ଚାକରାଣୀଟା ସହିତ ବାଡ଼ିପଟେ ହେଁ ହେଁ ଫେଁ ଫେଁ ହେଉଛି !

 

ତେଣୁ ଆପଣଙ୍କର ସେଇ ଘନ ଘନ ରିଂ ବନ୍ଦ କରିବାକୁ ସେ ବିରକ୍ତ ହୋଇ ଫୋନ ଉଠାଇଲେ, ନମ୍ୱର ଶୁଣୁଶୁଣୁ କାକୁତି ମିନତି, କ୍ଷମା ଚାହିଁଲେ ଆପଣ । (ରଂ ନମ୍ୱର ସଂଯୋଗ କରିବା ଆଉ କାହାର ଦୋଷ କିନ୍ତୁ ଆପଣ କ୍ଷମା ମାଗିବାକୁ ବାଧ୍ୟ ।)

 

ବେଳେବେଳେ କିନ୍ତୁ ଏଇ ରଂ ନମ୍ୱର ସଂଯୋଗ କରୁଥିବା କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବାକୁ ମନ ହୁଏ । ଅଫିସ କିମ୍ୱା ବ୍ୟବସାୟ ପ୍ରତିଷ୍ଠାନର କର୍ମ ଜଞ୍ଜାଳ ଆଉ ବ୍ୟସ୍ତତା ଭିତରେ ଶୁଷ୍କ ନିରସ ସଂଯତ କଥାଗୁଡ଼ିଏ ଶୁଣି ଆପଣଙ୍କ ମନ ତରୁବରଟା ନିରସ ହୋଇ ଯାଇଥିଲାବେଳେ ଯଦି ସେ ପଟରୁ କୌଣସି କୋମଳ କଣ୍ଠର ମିଠା ମିଠା ଆଓ୍ୱାଜ ଶୁଭେ ଆପଣଙ୍କୁ କଣ ଭଲ ଲାଗେନା ? ସତ କହୁଛି ତମ ରାଣ ଠାକୁରଙ୍କ ଦ୍ୱାହି ଏମିତି ମଧୁର ସ୍ୱର ଝଙ୍କୃତ ହେଉ ହେଉ ମୁଁ ରିସିଭରଟାକୁ ଆହୁରୀ କାନ ପାଖକୁ ନେଇଯାଏ । ଶୁଣିବି ତ ଟିକିଏ ଭଲ କରି ଶୁଣେ । କେବେ କେମିତି ଯଦି ସେ ସ୍ୱର ଉପରେ ଟିକିଏ ଆତ୍ମୀୟତା ଆସିଯାଏ ତାହାହେଲେ ଛାଡ଼ନ୍ତୁ-କେତେ ବାଗରେ କଥା ବୁଲେଇ ବୁଲେଇ ନ ଜାଣିଲା ପରି ପଚାରି ବସେ ଉଦ୍ଦେଶ୍ୟ ଆଉ କେଇପଦ କଥା ଭଲ କରି ଶୁଣେ । ଯଦିଓ ସେତେବେଳକୁ ମୁଁ ଜାଣି ସାରିଥାଏ ମୋର ଉଦ୍ଦିଷ୍ଟ ବ୍ୟକ୍ତିଙ୍କ ଫୋନରୁ ଏ ଆଓ୍ୱାଜ ଆସୁ ନାହିଁ । ଏ ସେଇ ଚିରାଚରିତ ରଂ ନମ୍ୱର । ହେ ମୋର ପରିଚାଳକ ବନ୍ଧୁ କିମ୍ୱା ବାନ୍ଧବୀ ତୁମକୁ ଶତ ସହସ୍ର ଧନ୍ୟବାଦ ! ତମ ହାତର ମଧୁର ପରଶରେ ମୋ ମନ ସରୋବରର ବିସ୍ତୃତ ଇଲାକା ଭିତରେ ଏମିତି ଅୟୁତ ପଦ୍ମ ବିକଶିତ ହେଉଥାଉ !!)

 

ସେଦିନ ଗୋଟିଏ ନିକଟବର୍ତ୍ତୀ ସହରର କୌଣସି ଆଇନଜ୍ଞଙ୍କ ଅଫିସକୁ କଲ୍‌ ବୁକ୍‌ କରିଥିଲି ଅଫିସରୁ ନୁହେଁ ଘରୁ, ସମୟ ସନ୍ଧ୍ୟା ଆଠଟା । ପରିବେଶଟା ଟିକିଏ ସ୍ନିଗ୍‌ଧ ମଧୁର ଥିଲା କହିଲେ ଭୁଲ ହେବନି । ଶରତ ଆକାଶରେ ନଗ୍ନ ନିଳିମାକୁ ବସ୍ଥାବୃତ କରିବାକୁ ପ୍ରୟାସ କରୁଥିଲା ଏକାଦଶୀର ଚନ୍ଦ୍ର ଶାନ୍ତା ଧରଣୀର ସବୁଜିମାକୁ ପରିଷ୍ଫୁଟ କରି ଦେଉଥିଲା ରଜତ ଧବଳ ଜ୍ୟୋତ୍ସ୍ନା । ଏଇ ସବୁଜିମାର ପରିଧି ଭିତରୁ ଖାଦ୍ୟ ସଂଗ୍ରହ କରିବାକୁ ଶଶା ଲମ୍ଫ ପ୍ରଦାନ କରିବ କି ଆଉ !

 

କିନ୍ତୁ କର୍ମକ୍ଳାନ୍ତ ଶୁଷ୍କ ନିରସ ମନଟାକୁ ମୋର ଏ ମଧୁର ପରିବେଶ କେମିତି କେଜାଣି ବିଶେଷ ପ୍ରଭାବିତ କରିପାରୁ ନଥିଲା । ଦିଗହଜା ନାବିକ ପରି ମୁଁ ମୋର ଲକ୍ଷ୍ୟର ଦ୍ୱୀପପୁଞ୍ଜ ନିର୍ଣ୍ଣୟ କରିପାରୁ ନଥିଲି । ଆଶଙ୍କା ହେଉଥିଲା ହୁଏତ ବ୍ୟର୍ଥତାର ବୁଡ଼ା ପାହାଡ଼ରେ ଧକ୍‌କା ଖାଇ ଜୀବନ ନୌକଟା ଭାଙ୍ଗି ଚୁରମାର ହୋଇଯିବ କିମ୍ବା ପରାଜୟର ତିମି ତା ଲାଞ୍ଜ ପିଟି ସେ ନୌକାକୁ ଖଣ୍ଡ ଖଣ୍ଡ କରିଦେବ ।

 

ଏକାଦଶୀର ଜହ୍ନ କେମିତି ଉପବାସୀ କ୍ଷୀଣ ଦୁର୍ବଳ ଦିଶୁଥିଲା ମୋ ଆଖିକୁ !

 

ବାହାରେ ପ୍ରକୃତିର ହସର ଫୁଆରା । ମୋ ଅନ୍ତରରେ ଗ୍ଳାନି ଆଉ ପରାଜୟର ଛାୟା ଛନ୍ନତା ଏମିତି ଏକ ବିପରୀତ ଧର୍ମୀ ମଧୁର ତିକ୍ତ ପରିବେଶ ଭିତରେ ମୁଁ ଡ୍ରଇଁ ରୁମ୍‌ରେ ବସିଥିଲି କଲ୍‌ ବୁକ୍‌ କରି ।

 

କ୍ରିଂ... କ୍ରିଂ... କ୍ରିଂ...

 

ଚାନ୍ଦର ସ୍ୱପ୍ନ ମରି ଯାଉଛି । ସରି ଯାଉଛି ଜ୍ୟୋତ୍ସ୍ନାର ଫୁଆରା । ଏଇ ନିଛକ ବସ୍ତୁବାଦର ପ୍ରତୀକ ଚନ୍ଦ୍ର ଆଉ ପ୍ରଣୟ ଅର୍ଘ୍ୟ ବାଢ଼ି ପାରିବ ନାହିଁ । ମିଳନ ବିରହ ରେକର୍ଡ଼ ବଜେଇ ପାରିବନାହିଁ । ପ୍ରଣୟୀ ପ୍ରଣୟିନୀ କିମ୍ବା ସେମାନଙ୍କର ଦାୟାଦମାନଙ୍କ ମନୋରଞ୍ଜନ ପାଇଁ ।

 

ରିଂ ଶୁଣୁ ଶୁଣୁ ମୁଁ ବାହାରେ ପ୍ରକୃତିର ମନଭୁଲା ଶୋଭା ସମ୍ପଦ ଆଡ଼ୁ ଦୃଷ୍ଟି ଫେରେଇଲି, ମୋ ପାଇଁ ଜ୍ୟୋତ୍ସ୍ନା ଏକ ନିଛକ ଜଡ଼ବସ୍ତୁର ପ୍ରତିଫଳିତ କିରଣ ।

 

କଲ ଆସିଗଲା ନିଶ୍ଚୟ । ବର୍ତ୍ତମାନ ଶୁଣିବି ଗୁଡ଼ିଏ ତଥାକଥିତ ସଂଯତ ପରିମାର୍ଜିତ କଥା ସେଥିରେ ଆଦୌ ଆନ୍ତରିକତା ନଥିବ । (ଆପଣ ବିଶ୍ୱାସ କରନ୍ତୁ ବା ନ କରନ୍ତୁ ଏମିତି ଆନ୍ତରିକତା ବିହୀନ ଅଫିସିଆଲ କଲ୍‍ଗୁଡ଼ିକରେ ମୋର ଶ୍ୱାସରୁଦ୍ଧ ହୋଇଯାଏ !)

 

ଆରପଟରୁ କହିବେ ଆଜ୍ଞା...କହୁଛି, କାମଟା ନିଶ୍ଚୟ ହୋଇଯିବ, ଇତ୍ୟାଦି ।

 

କିନ୍ତୁ ମୁଁ ଜାଣେ କାମ ଆଦୌ ହେବନି । ଏମିତି ଆହୁରି କେତେ ଥର ଖୋଜ ଖବର ନେବାକୁ ପଡ଼ିବ ।

 

ସାରା ଦୁନିଆଟା ଦିନକୁ ଦିନ ଛଳନାରେ ଭରିଯାଉଛି ଆଉ ଛଳନାକୁ ସତ୍ୟ ବୋଲି ଉପସ୍ଥାପିତ କରିବାପାଇଁ ଫୋନ ଗୋଟିଏ ଉପଯୁକ୍ତ ମାଧ୍ୟମ, କେତେ ପ୍ରମିଜ୍‌, ମାତ୍ର ସବୁ ଛଳନା ସବୁ ଅସତ୍ୟ !

 

କିନ୍ତୁ ଏ କଣ ? କୋମଳ କଣ୍ଠର ମିଠା ମିଠା ଆୱାଜ, ମୁଁ କ’ଣ ସ୍ୱପ୍ନ ଦେଖୁଛି ?

 

ସ୍ୱପ୍ନ ନୁହେଁ ନିରାଟ ସତ୍ୟ, ଆରପଟରେ କୌଣସି ଲଳନା ଲୀଳାୟିତ ଭଙ୍ଗୀରେ ରିସିଭରଟା ଧରିଛନ୍ତି !

 

ଆପଣ କାହାକୁ ଖୋଜୁଛନ୍ତି ଆଜ୍ଞା ? (ଆଉ କାହାକୁ ଖୋଜିବି ? ଏ ଚନ୍ଦ୍ରାହତ ଏକାଦଶୀର ଉପବାସିଆ ରାତ୍ରିରେ ଆଉ କାହାକୁ ଖୋଜିଥାନ୍ତି !)

 

କଥାଟା ଠିକ୍‌ ଧରିଲି, ରଂ ନମ୍ବର, (ହେ ମୋର ବନ୍ଧୁ ଏକ୍‌ସଚେଞ୍ଜର ସୁଦକ୍ଷ କର୍ମୀ କୁଶଳୀ କଳାକାର ! ଆଉ କେହି ମୋ ମନକଥା ନ ବୁଝିଲେବି ତୁମେ ମୋ ମନକଥା ଠିକ୍‌ ବୁଝିପାରିଲ । ଏମିତି କିଛି ଗୋଟେ ନ ଘଟାଇଥିଲେ ଏ ଜ୍ୟୋତ୍ସ୍ନା ରାତିଟା ବ୍ୟର୍ଥ ହୋଇଯାଇଥାନ୍ତା-!) ନ ଜାଣିଲାପରି ମୋ ଉଦ୍ଦିଷ୍ଟ ବ୍ୟକ୍ତିଙ୍କ ବିଷୟରେ ପଚାରିଲି ।

 

ସେମିତି ଧୀର ଅଥଚ କୋମଳ କଣ୍ଠରେ ସେ କହିଲେ...ଆପଣଙ୍କୁ ନିଶ୍ଚୟ ରଂ ନମ୍ବର ଦିଆ ହୋଇଛି...

 

(ଛି ଛି, ଏମିତି କଥା ତୁଣ୍ଡରେ ଧରନ୍ତୁ ନାହିଁ । କିଏ କହିଲା ଏଟା ରଂ ନମ୍ବର ? ମୁଁ ହୁଏତ ରଂ ନମ୍ବର ବୁକ୍‌ କରିଥିଲି, ମାତ୍ର ମୋର ଅପରେଟର ବନ୍ଧୁ କିମ୍ବା ବାନ୍ଧବୀ ଖୁବ୍‌ ଦୟାପରବଶ ହୋଇ ରାଇଟ୍‌ ନମ୍ବର ସଂଯୋଗ କରିଛନ୍ତି)

 

....ଶୁଣନ୍ତୁ ଆଜ୍ଞା ମୁଁ....ନମ୍ବରରୁ କହୁଛି, ଆପଣ ଯାହାକୁ ଖୋଜୁଛନ୍ତି ତାଙ୍କ ନମ୍ବର ହେଲା....

 

ଆଉ ଉପାୟ ନଥିଲା । ଜାଣିଲି ଶେଷ ଅଙ୍କ ପାଖେଇ ଆସୁଛି ।

 

କହିଲି- ସତରେ ମୁଁ ବଡ଼ ଦୁଃଖିତ । ଆପଣଙ୍କୁ ଅଯଥା କଷ୍ଟ ଦେଲି ।

 

(ଆଦୌ ସତ ନୁହେଁ । ପୁଣି ସେଇ ଛଳନା)

 

ରହିଲି... ।

 

ସେ ପଟରୁ ରିସିଭରଟା ରଖିବାର ଆୱାଜ ଶୁଭିଲା, ରିସିଭରଟାକୁ ସାମ୍ନାକୁ ଆଣି ମୁଁ ସେମିତି ଚାହୁଁଥିଲି । ତାକୁ ମନେ ମନେ ଅନୁରୋଧ କରୁଥିଲି ସେମିତି ମିଠା ମିଠା କଥା ଆଉ କେଇପଦ ଶୁଣେଇ ପାରନ୍ତୁକି ?

 

କଳ୍ପନା କରୁଥିଲି ଯାହାର କଣ୍ଠସ୍ୱର ଏଡ଼େ କୋମଳ, ଏଡ଼େ ମଧୁର ତାର ଅଧିକାରିଣୀ କେଡ଼େ କୋମଳ ଆଉ ମଧୁର ହୋଇ ନଥିବେ !

 

(ଯେଉଁ ଜାମୁକୋଳି ଏଡ଼େ ସୁଆଦ ତାକୁ ଯେ ସବୁଦିନେ ଖାଉଛି ତା କଲିଜାଟା କେଡ଼େ ସୁଆଦ ହୋଇ ନଥିବ !!)

 

ବାହାରେ ଜ୍ୟୋତ୍ସ୍ନା ସେମିତି ହସୁଥିଲା ଆଉ ମୁଁ ଏକାଦଶୀ ଉପବାସ କରିଥିବା ବ୍ୟକ୍ତି ସାମାନ୍ୟ ଫଳାହାର କରି ଯନ୍ତ୍ରଣାରେ ଛଟପଟ ହେଲାପରି ଛଟପଟ ହେଉଥିଲି ।

 

ପୁରା ଉପାସିଆ ରହି ହୁଏ । ଅଧା ଉପାସିଆ ରହି ହୁଏନା !

Image

 

ପୁରୁଷ

 

ଦର୍ପଣ ଆଗରେ ଛିଡ଼ାହୋଇ ସୁବ୍ରତ ନିଜ ଚେହେରାକୁ ଦେଖୁଥିଲା । ପାଦରୁ ମସ୍ତକ ଯାଏ ସବୁ ଅବୟବ ଯେ ପୁରୁଷର ଏଥିରେ ସନ୍ଦେହ ନାହିଁ । ବଳିଷ୍ଠ ମାଂସପେଶୀ ବହୁଳ ହାତ, ପ୍ରଶସ୍ତ ଲୋମଶ ଛାତି । ଖମ୍ବ ପରି ଦୁଇଟି ଗୋଡ଼ ତା’ ଦେହର ଭାର ବହନ କରି ଦମ୍ଭରେ ସିମେଣ୍ଟ ଚଟାଣ ଉପରେ ପୋତା ହୋଇଛନ୍ତି ଯେମିତି । ବୟସର ନିଷ୍ଠୁର ଛାପରେ ମୁଖମଣ୍ଡଳ ଟିକିଏ କଠିନ; କିନ୍ତୁ ପୁରୁଷତ୍ୱର ତେଜ ଫୁଟି ଉଠୁଛି ସେଥିରୁ । ଛୋଟ ଛୋଟ ଟାଉଁସିଆ ଦାଢ଼ି ଉଠିଆସୁଛି-। ନାକତଳେ କଳା ମିଚ ମିଚ ଟାଉଁସିଆ ନିଶଟା ଉଠି ଆସୁଚି । ସେ ନିଶ ରଖେନା । ପରିଷ୍କାର ହୋଇ ଖିଅର ହୁଏ; କିନ୍ତୁ ଏମିତି ଦିନେ ଦି’ଦିନ ଖିଅର ନ ହେଲେ କଳା ମିଚ ମିଚ ନିଶ ହଳକ ତାର ଆକୃତି ନେଇ ବଢ଼ିଯିବ ଏକଥା ସ୍ପଷ୍ଟ ସୂଚିତ ହେଉଛି ଏ ଦୁଇଦିନ ହେଲା ଖିଅର ହୋଇ ନ ଥିବାରୁ ।

 

ଆହୁରି ବହୁତ ପୁରୁଷମାନଙ୍କ ପରି ସେ ବି ପଛ ଆଡ଼କୁ କେଶଗୁଡ଼ାକ ସଜେଇ ମୁଣ୍ଡ କୁଣ୍ଡାଏ । ତେଣୁ ଯେ କୌଣସି ସାଧାରଣ ପୁରୁଷ ଆଉ ତା ଭିତରେ ପ୍ରଭେଦ ରହିଲା କେଉଁଠି ?

 

ସେ ଖାଉଛି, ପିଉଛି, ବସୁଛି, ହସୁଛି । ସ୍ୱାଭାବିକ ଗତିରେ ଜୀବନଯାତ୍ରା ଚାଲିଛି; କିନ୍ତୁ ସବୁ ତାକୁ ଖାପଛଡ଼ା ଲାଗୁଛି । ତା’ ଜୀବନରେ ରଂଗ ନାହିଁ, ଛନ୍ଦ ନାହିଁ, ସ୍ୱର ତାଳ ଲୟ କିଛି ନାହିଁ-। ତା’ ଶିରା ଉପଶିରାରେ ପୁରୁଷର ତାଜା ରକ୍ତ ପ୍ରବାହିତ ହେଉଛି ବୋଲି ତାର ବିଶ୍ୱାସ ହେଉ ନାହିଁ-। ଦେହରେ ପୁରୁଷତ୍ୱ ବଜାୟ ରହିଛି ବୋଲି ସେ ଅନୁଭବ କରିପାରୁ ନାହିଁ ।

 

ସୁବ୍ରତ ଦୀର୍ଘନିଶ୍ୱାସ ଛାଡ଼ିଲା । ସେ ନିଶ୍ୱାସର ଜଳୀୟବାଷ୍ପ ଦର୍ପଣର ଶୀତଳ ମସୃଣ ଦେହରେ ସଂଚିତ ହୋଇ ତା’ର କେତେକ ଅଂଶ ଟିକିଏ ମଳିଚିଆ କରିଦେଲା ।

 

ଏଇ କେତେଦିନ ହେଲା ସୁବ୍ରତର କଣ ହୋଇଛି ସେ ବୁଝି ପାରୁ ନଥିଲା । ସାଧାରଣ ପୁରୁଷମାନଙ୍କ ଭଳି ତା ଦେହରେ ପୁରୁଷତ୍ୱ ବଜାୟ ରହିଛି ବୋଲି ସେ ଅନୁଭବ କରିପାରୁ ନଥିଲା-। ଯଦିଓ ସେ ବି ପେଣ୍ଟ ସାର୍ଟ ପିନ୍ଧୁଛି । ଟାଇର ନଟ୍‌ଟା ଭିଡ଼ି ତା’ ପରେ କୋଟ ଲଗାଇଛି । ବ୍ରେକ୍‌ଫାଷ୍ଟ ଟେବୁଲ ଉପରେ ବସିଲା ବେଳେ ସୁଚିତ୍ରା ଯେତେବେଳେ ଚା’ ତିଆରି କରି ବଢ଼େଇ ଦେଉଛି ତାର କେମିତି ମନେ ହେଉଛି ସୁଚିତ୍ରା ତାକୁ ତାତ୍ସଲ୍ୟ ଇଙ୍ଗିତ ଦେଉଛି- ତୁମେ ବି ଚା ତିଆରି କର ।

 

ସେ ସୁଚିତ୍ରା ଆଉ ତା ଭିତରେ କିଛି ପ୍ରଭେଦ ଦେଖିପାରୁ ନାହିଁ ।

 

ସୁଚିତ୍ରା ପରି ସେ ଶାଢ଼ୀ, ବ୍ଳାଉଜ ପିନ୍ଧିଛି । ସୁଚିତ୍ରା ପରି ତା’ ହାତ ଦି’ଟା ମଧ୍ୟ ସରୁ ହୋଇଛି । ସେ ଚୁଡ଼ି ପିନ୍ଧିଛି । ଆଙ୍ଗୁଳିଗୁଡ଼ିକ ଚମ୍ପାକଢ଼ି ପରି ସରୁ ଦିଶୁଛି । କ୍ଷୀଣ କଟି ତା’ ଦେହର ଉପର ଅଂଶଗୁଡ଼ିକର ଭାର ସମ୍ଭାଳି ପାରୁନାହିଁ । ତାକୁ ଜଣାଯାଉଛି ମୁହଁରେ ଆଉ ସେ ଟାଉଁସିଆ କ୍ରମବର୍ଦ୍ଧିଷ୍ଣୁ ଦାଢ଼ି ନାହିଁ । ମୁହଁଟା କେମିତି ଚିକ୍‌କଣ ଆଉ ସୁନ୍ଦର ହୋଇ ଯାଇଛି ସୁଚିତ୍ରା କିମ୍ବା ଅନ୍ୟାନ୍ୟ ସ୍ତ୍ରୀମାନଙ୍କ ପରି । କେଶ କେରାଏ ଝୁଙ୍କି ପଡ଼ିଛି କପାଳ ଉପରକୁ । କାନ ଦି’ଟାରେ ଇୟରିଂ ହଳକ ଝୁଲୁଛି । ବେଳେବେଳେ ବିଜୁଳିପଙ୍ଖା ପବନରେ ଦୋହଲି ଦୋହଲି ଗଣ୍ଡଦେଶରେ ମୃଦୁ ସ୍ପର୍ଶ ଦେଉଛି ।

 

ସେ କଥା କହୁଛି; କିନ୍ତୁ ତାକୁ ଜଣାଯାଉଛି ତା ସ୍ୱର ପୁରୁଷ ପରି କର୍କଶ କଠୋର ନୁହେଁ-। କେମିତି କୋମଳ ମଧୁର ଶୁଭୁଛି ତା କାନକୁ ଠିକ୍‌ ସୁଚିତ୍ରା କିମ୍ବା ତା’ ସାନ ଭଉଣୀ ସୁମିତ୍ରା କିମ୍ବା ତା କଲେଜ ବାନ୍ଧବୀମାନଙ୍କର କଣ୍ଠସ୍ୱର ପରି ।

 

ମନଟାବି ତାର ଦୁର୍ବଳହୋଇ ଯାଇଛି ଏଇ କେତେଦିନ ହେଲା ।

 

ଆଶ୍ୱିନର ଏଇ ଶାନ୍ତ ଶୀତଳ ଅଥଚ ନିର୍ଜନ ସକାଳରେ ଏମିତି ଦର୍ପଣ ଆଗରେ ଛିଡ଼ାହୋଇ ସୁବ୍ରତ କିଛି ଗୁରୁତର କଥା ଭାବୁଥିଲା ।

 

ମୁହଁ ଫେରାଇ ସେ ଶେଯ ଆଡ଼କୁ ଚାହିଁଲା । ଖଟର ଯେଉଁ ଧାରରେ ସେ ଶୁଏ ସେଠି ତକିଆ ଦିଟା ଇତସ୍ତତଃ ହୋଇ ପଡ଼ିଛି । ବିଛଣା ଚାଦରଟା ଲୋଚାକୋଚା ହୋଇ ଯାଇଛି । ଦେଖିଲେ ମନେହେଉଛି ସଦ୍ୟ କିଏ ଏଠୁ ଉଠି ଯାଇଛି; କିନ୍ତୁ ଏ ଅଂଶଟିକୁ ଲାଗି ଶେଜର ଅନ୍ୟ ଅଂଶଟା ସେମିତି ଅକ୍ଷତ ଅତୁଟ ରହିଛି । ଗତରାତ୍ରିରେ ସେ ଅଂଶଟି ବ୍ୟବହୃତ ହୋଇନାହିଁ ।

 

ସୁବ୍ରତର ଛାତିରେ କିଏ ହାତୁଡ଼ି ପିଟିଲା । ଏ ନିଷ୍ଠୁର ସତ୍ୟ ଯେ, ସୁଚିତ୍ରା ନାହିଁ । ଆଜିକୁ ସପ୍ତାହେ ହେଲା ବାପ ଘରକୁ ଯାଇଛି । ସୁଚିତ୍ରା ମଝିରେ ମଝିରେ ଏମିତି ତା’ ବାପା ମା’ଙ୍କୁ ଦେଖିବାକୁ ଯାଏ । ଆଜି ନୂଆ ନୁହେଁ; କିନ୍ତୁ ଏଥର କାହିଁକି ତା’ ମନରେ ଏକ ଅହେତୁକ ସନ୍ଦେହ ଓ ଭୟ ସଞ୍ଚରିତ ହେଉଛି ।

 

ଦପ୍ତରରେ ପଶୁ ପଶୁ ତାକୁ ଜଣାଗଲା, ପ୍ରାଇଭେଟ୍‌ ସେକ୍ରେଟେରୀ ଈଷତ୍‌ ହସି ତାକୁ ସ୍ୱାଗତ ନକରି ତାତ୍ସଲ୍ୟ କରୁଛି ।

 

ତୁମେ ଆସି ମୋ ଚୌକିରେ ବସ । ଦିନଯାକ ଆଗନ୍ତୁକମାନଙ୍କୁ କୃତ୍ରିମ ହସ ଦେଖାଇ ଅଭ୍ୟର୍ଥନା କର । ଟେଲିଫୋନ୍‌ର ରିସିଭରଟା ଉଠେଇ ଉଠେଇ ବିରକ୍ତ ହୁଅ । କ୍ରମାଗତ ଭିନ୍ନଭିନ୍ନ ପ୍ରକାରର କଣ୍ଠସ୍ୱର ଶୁଣି ତୁମ କାନ ବଧିର ହେଉ । ଦିନରେ ଦଶଥର ବସ୍‌ଙ୍କ ରୁମରେ ପଶି ଡିକ୍ଟେସନ ନିଅ । ଟେବୁଲ ତଳେ ବସ୍‌ଙ୍କର ଜଣାରେ ବା ଅଜଣାରେ ତାଙ୍କ ମୁନିଆଁ ଯୋତାଟା ତୁମ ପାଦର ନରମ ଚମଡ଼ାକୁ ଭାଲୁପରି ଚାଟୁ ଆଉ ତୁମେ ସେଥିରେ ପ୍ରତିବାଦ ନକରି ଦାନ୍ତ ନିକୁଟି କୃତଜ୍ଞତା ଜଣାଅ !

 

ସୁବ୍ରତ ଦେଖିଲା ଏ’ତ ତାଙ୍କ ପ୍ରାଇଭେଟ୍‌ ସେକ୍ରେଟେରୀ ମିସ୍‌ ଅନିତା ନୁହେଁ ସେ ନିଜେ ତା ଚୌକିରେ ବସିଛି । ମିସ୍‌ ଅନିତାଙ୍କ ପରି ମୁହଁରେ ଅଧଇଞ୍ଚ ବହଳର ପାଉଡ଼ର ମାଖି, ଲିପଷ୍ଟିକ୍‌ରେ ଓଠ ଲାଲ କରି ଅତି ଟାଇଟ୍‌ ଓ ଲୋ କଟ୍‌ ବ୍ଳାଉଜ ପିନ୍ଧି ସେ କୃତ୍ରିମ ହସ ହସି ଆଗନ୍ତୁକମାନଙ୍କୁ ଅଭ୍ୟର୍ଥନା କରୁଛି ।

 

ସେ ପଛକୁ ଫେରି ଚାହିଁଲା । ଦପ୍ତରରେ ସବୁ କର୍ମଚାରୀ ଛିଡ଼ା ହୋଇଛନ୍ତି ।

 

ଜଣେ ଭଦ୍ରମହିଳାଙ୍କ ଆବିର୍ଭାବରେ ସମସ୍ତେ ତ ଛିଡ଼ା ହେବାର କଥା !

 

ସେମାନେ ନିଜ ଭିତରେ ଠରାଠରି ହେଉଛନ୍ତି । ମୂରୁକି ମୂରୁକି ହସୁଛନ୍ତି !

 

ଓଃ କି ବିରାଟ ଭୁଲ । ସେ ଶାଢ଼ୀ ବ୍ଳାଉଜ ପିନ୍ଧି ଅଫିସକୁ ଚାଲିଆସିଛି । ସତରେ କଣ ସେ ସ୍ତ୍ରୀ ହୋଇ ଯାଇଛି ?

 

ବିବାହର ତୃତୀୟ ବାର୍ଷିକୀ ଉଦ୍‌ଯାପନ କରୁ କରୁ ସୁଚିତ୍ରା ବ୍ୟସ୍ତ ହେଲା ସନ୍ତାନ ପାଇଁ । ସୁବ୍ରତ କିନ୍ତୁ ଏତେ ଶୀଘ୍ର ସନ୍ତାନ ଆଗମନର ବିରୋଧ କରୁଥିଲା । ଅସ୍ଥାୟୀ ଜନ୍ମନିରୋଧ ବ୍ୟବସ୍ଥା ସବୁକୁ ସେ ସଚ୍ଚୋଟ ଭାବରେ ଗ୍ରହଣ କରିଥିଲା ।

 

ଚତୁର୍ଥ ବାର୍ଷିକୀ ଉତ୍ସବ ଉଦ୍‌ଯାପନର ଠିକ ପରେ ପରେ ସୁଚିତ୍ରା ଜିଦ୍‌ ଧରିଲା । ସେ ସନ୍ତାନ ଚାହେଁ । ଜନନୀ ହେବାକୁ ଚାହେଁ । ନହେଲେ ତା’ ନାରୀ ଜୀବନରେ ପୂର୍ଣ୍ଣତା ଆସିବ ନାହିଁ-। ଅସ୍ଥାୟୀ ବ୍ୟବସ୍ଥାଗୁଡ଼ିକ ବନ୍ଦ କରାଗଲା । ପ୍ରକୃତି ତା’ର ପଥ ଅନୁସରଣ କରୁ । ସୁଚିତ୍ରା ମା ହେଉ ।

 

ଅସ୍ତବ୍ୟସ୍ତ ହୋଇ ସୁବ୍ରତ ଅଫିସରୁ ଫେରି ଆସିଲା । ପରକ୍ଷଣରେ ସେ ଛିଡ଼ା ହୋଇଥିଲା ତା’ର ବେଡ଼୍‌ ରୁମ୍‌ରେ । ପିନ୍ଧିଥିବା କୋଟ୍‌ ଟାଇ ପେଣ୍ଟ ସବୁ ବିପର୍ଯ୍ୟସ୍ତ ହୋଇ ଶେଯ ଉପରେ ପଡ଼ିଥିଲା ।

 

ସୁବ୍ରତ ପରୀକ୍ଷା କରୁଥିଲା ତା’ର ଆଉ ଗୋଟିଏ ସେଟ୍‌ ପେଣ୍ଟ କୋଟ୍‌ ଓ ଟାଇକୁ । ପୁଣି ଏଥର ଯେମିତି ଭୁଲ ନ ହୁଏ !

 

ନା, ଆଉ ଦପ୍ତର ଯିବା ଦରକାର ନାହିଁ । ଦୁଇଟା ବାଜିବ । ଏତିକିବେଳେ ମହିଳା କଲେଜର ରିସେସ୍‌ ହୋଇଥିବ । ସୁମିତ୍ରା କଲେଜରେ ନାହିଁ; କିନ୍ତୁ ତା’ର କେତେକ ସହପାଠିନୀମାନଙ୍କ ସହିତ ସୁବ୍ରତର ଜଣାଶୁଣା ଅଛି । ତା’ର ଏ ନୂଆ ଫିଆଟ୍‌ କାର୍‌ଟା ନେଇ କଲେଜ ଫାଟକ ପାଖରେ ଛିଡ଼ାହେଲେ ସେମାନଙ୍କ ଭିତରୁ ଯେକୌଣସି ଝିଅ ଏ କାର୍‌ଟା ଦେଖିଲେ ନିଶ୍ଚୟ ତା ପାଖକୁ ଚାଲି ଆସିବ ।

ନନ୍ଦନକାନନରେ ସେଦିନର ପିକ୍‌ନିକ୍‌ କଥା ମନେପଡ଼େ । ସୁଚିତ୍ରା, ସୁମିତ୍ରା ଆଉ ସୁମିତ୍ରାର କେତେଜଣ ସାଙ୍ଗ ଥିଲେ । ସୁଯୋଗପାଇ ଅଳକା କହିଲା ସୁବ୍ରତବାବୁ ଏ ସୁଟ୍‌ଟା ଆପଣଙ୍କୁ ବେଶ୍‌ ମାନୁଛି । ନିଶଦାଢ଼ି ସିନା ପରିଷ୍କାର କରି ଖିଅର ହୋଇଛନ୍ତି; କିନ୍ତୁ ଆପଣ ଯେ ପୁରୁଷସିଂହ ଏହା ଆପଣଙ୍କ ବଳିଷ୍ଠ ଦେହ ଓ ତେଜିୟାନ୍‌ ମୁହଁରୁ ବେଶ୍‌ ଜଣାପଡ଼ୁଛି । ସେଦିନ ଏକ ସଚ୍ଚୋଟ ସ୍ୱାମୀତ୍ୱ ଖୋଳପା ଭିତରେ ରହି ସେ ଅଳକାର ମନ୍ତବ୍ୟକୁ ଅଶ୍ଳୀଳ ବୋଲି ଉପେକ୍ଷା କରିଥିଲା ମାତ୍ର ଆଜି ସେ କଥା ମନେପଡ଼ି ସେ କେମିତି ଆଶାୟୀ ହୋଇ ଉଠିଲା ।

ଆଜି ତ ଅଳକା କଲେଜରେ ନିଶ୍ଚୟ ଥିବ । କାର୍‌ଟା ଚିହ୍ନୁ ଚିହ୍ନୁ ତା’ ପାଖକୁ ଦୌଡ଼ି ଆସିବ ।

କଣ ମୋ ସାଙ୍ଗରେ ଆସିବ ଅଳକା ?

ହଁ ନିଶ୍ଚୟ ଯିବି; କିନ୍ତୁ ଆପଣ ଆଜି ଦପ୍ତରକୁ ନଯାଇଁ... ?

ସେ ଅନେକ କଥା । ସବୁ ନନ୍ଦନକାନନରେ କହିବି ।

କଣ ଏମିତି ଆପଣ ଆଉ ମୁଁ । ସାଙ୍ଗରେ କେହି ଯିବେନି ?

ସୁମିତ୍ରା ଦିଦି କଣ ଘରେ ନାହାନ୍ତି ?

ବେଶ୍‌ ତାହାହେଲେ ଚାଲନ୍ତୁ; କିନ୍ତୁ ଦେଖନ୍ତୁ ଫେରିବା ପାଇଁ ତରତର ହେବେନି !

କଲେଜ ଫାଟକ ପାଖରେ ଗାଡ଼ିଟା ପାର୍କକରି ସୁବ୍ରତ ପ୍ରଜାପତି ପରି ଟହଲ ମାରୁଛି ।

ସେଇବାଟ ଦେଇ କେତେଝିଅ ଆସୁଛନ୍ତି, କେତେ ଯାଉଛନ୍ତି । ଅତି ନିକଟରେ କଲେଜ ହତା ଭିତରେ ଥିବା ବାଲିଗଦା ଉପରେ କେତେ ଝିଅ ବସି ଖୁସିଗପ ଜମେଇଛନ୍ତି । କେତେବେଳେ ଅବା ବାଲି ଫିଙ୍ଗା ଫିଙ୍ଗି ହେଉଛନ୍ତି; କିନ୍ତୁ କେହିତ ତା’ ଆଡ଼କୁ ଚାହୁଁ ନାହିଁ । ସେମାନେ ପରସ୍ପର ଭିତରେ କଣ ଫୁସ୍‌ ଫାସ୍‌ କଥା ହେଉଛନ୍ତି ଆଉ ତା’ ଆଡ଼କୁ ଚାହିଁ ହସୁଛନ୍ତି ।

 

ସେମାନେ ବୋଧହୁଏ ତା’ରି ବିଷୟରେ କଥା ହେଉଛନ୍ତି । ସେମାନେ ତାହାହେଲେ ତା’ ବିଷୟରେ ସବୁ ଖବର ରଖିଛନ୍ତି !

 

ସୁବ୍ରତ କାର୍‌ର ରିଫ୍ଳେକସନ ଗ୍ଳାସ୍‌ରେ ତା ଚେହେରାକୁ ନିରକ୍ଷଣ କଲା । ନାଁ, ସବୁ ଠିକ୍‌ ଅଛି । ସେ ପୁରୁଷମାନଙ୍କ ପରି ପୋଷାକ ପିନ୍ଧିଛି । ସେଇ ପୋଷାକ ତଳେ ନିଶ୍ଚୟ ତା’ର ବଳିଷ୍ଠ ପୁରୁଷର ଦେହଟା ଆତ୍ମଗୋପନ କରିଛି । ମୁହଁ ସେମିତି ତେଜିୟାନ୍‌ ଦିଶୁଛି । ହେଇ ଅଳକା ଆସୁଛି ।

 

ସୁବ୍ରତବାବୁ ନମସ୍କାର ! କଣ ଇଆଡ଼େ କିଛି କାମ ଥିଲା ? ହଁ ବ୍ୟବସାୟୀ କିନା ! ଅର୍ଥ ଆଗମନର ବ୍ୟବସ୍ଥା ନଥିଲେ ଇଆଡ଼େ କାହିଁକି ଆସନ୍ତେ ? ମୋର କ୍ଳାସ ଅଛି । କିଛି ମନେ କରିବେ ନାହିଁ । ସୁବ୍ରତ କିଛି କହିବା ପୂର୍ବରୁ ଅଳକା ବହୁତ ଦୂରକୁ ଚାଲିଯାଇଥିଲା ।

 

ସୁବ୍ରତ ଆଉ କିଛିକ୍ଷଣ ସେମିତି ବସିଲା । କେତେ କୋମଳ କଣ୍ଠର ଆୱାଜ୍‌ ସେ ଶୁଣିଲା- କେତେ କଳକଳ ଛଳଛଳ ହସ ଲହରୀ ତା’ ମନକୁ ଆଲୋଡ଼ିତ କଲା, କେତେ ରଙ୍ଗ ବେରଙ୍ଗ ଶାଢ଼ୀ ବ୍ଳାଉଜ ସ୍କର୍ଟ ସାଲୱାର ପଞ୍ଜାବୀ ଦୋପଟା ତା ନୟନରେ ପୁଲକ ଆଣିଲା; କିନ୍ତୁ କାହିଁ କେହି ତାକୁ ଆଡ଼ ଆଖିରେ ଚାହିଁଲେ ନାହିଁ । ସେ କେତେ ଝିଅଙ୍କର ସୁନ୍ଦର ଚେହେରାକୁ ସେମିତି ଛିଡ଼ା ହୋଇ ପସନ୍ଦ କଲା ସିନା, ତା’ର ସେ ପୁରୁଷ ଚେହେରା କୌଣସି ଲଳନାର ଲୀଳାୟିତ ଦୃଷ୍ଟି ଆକର୍ଷଣ କରି ପାରିଲା ନାହିଁ ।

 

ତା’ ହେଲେ ସେ କଥା ସମସ୍ତେ ଜାଣି ସାରିଲେଣି !

 

ଆହୁରି ତିନିବର୍ଷ କଟିଗଲା । ସୁଚିତ୍ରା କିନ୍ତୁ ଜନନୀ ହେଲାନି ।

 

ଯାହା ନମିଳେ ତାକୁ ପାଇବାପାଇଁ ମନ ବ୍ୟାକୁଳ ହୁଏ ।

 

ସୁବ୍ରତ ଓ ସୁଚିତ୍ରା ଉଭୟେ ହସପିଟାଲରେ ବିଶେଷଜ୍ଞଙ୍କଦ୍ୱାରା ପରୀକ୍ଷା କରାଇଲେ । ସେ ରିପୋଟ୍‌ଟା ଏବେବି ସୁବ୍ରତର ଛାତି ପକେଟରେ କଙ୍କଡ଼ାବିଛାର ନାହୁଡ଼ ପରି ତାକୁ ଦଂଶନ କରୁଛି ।

 

ତା’ର ଆଉ ସନ୍ତାନ ହେବନି । ସେ ଷ୍ଟେରାଇଲ । ନପୁଂସକ । ସୁବ୍ରତ କିଛି ବୁଝିପାରୁ ନଥିଲା । ଏ ସବୁ କେମିତି ସମ୍ଭବ ହେଲା ।

 

ପରକ୍ଷଣରେ ସୁବ୍ରତର ଗାଡ଼ି ଅଶୀ କିଲୋମିଟର ବେଗରେ ସହର ବାହାରେ ସେ ଘାଟି ରାସ୍ତାରେ ଚାଲୁଥିଲା । ତା’ର ମନେ ହେଉଥିଲା ଯେ ଷ୍ଟିଅରିଂ ଧରିଛି ସେ । ସେ ଚୌଧୁରୀ ସୁବ୍ରତ କୁମାର ପଟ୍ଟନାୟକ ନୁହେଁ । ସେ ଶାଢ଼ୀ ବ୍ଳାଉଜ ପରିହିତା ସୁବ୍ରତ କୁମାରୀ ପଟ୍ଟନାୟକ !

 

କୁମାରୀ ପଟ୍ଟନାୟକଙ୍କର ଛାତିର ସ୍ପନ୍ଦନ କେମିତି ବଢ଼ି ଚାଲିଲା । ହାତ ଥରି ଉଠିଲା । ଏ’ତ କମ୍‌ ସାହସ ସେ କରିନି । ଏକାକିନୀ ଏ ଦୁର୍ଗମ ପାହାଡ଼ିଆ ରାସ୍ତାରେ କାର୍‌ଟା ଚଳାଇ ଚାଲିଆସିଲା ।

 

ଆହୁରି ଜୋରରେ ହାତ ଥରୁଛି । ଛାତି ଦମ୍‍ଦମ୍‌ ହେଉଛି । ମଥା ଘୂରେଇ ଦେଉଛି । ଆରେ, ଗାଡ଼ିଟା କାହିଁକି ଆଉ ବୋଲ ମାନୁନି ।

 

ତା’ପରେ ଖୁବ୍‌ ଜୋରରେ କଣ ଗୋଟେ ଆୱାଜ୍‌ ହେଲା । ସୁବ୍ରତର ମନେହେଲା ଯେମିତି ତାକୁ କିଏ ଶୂନ୍ୟରେ ଟେକି ନେଇ ଯାଉଛି, ଆଉ କିଛିକ୍ଷଣ ପରେ ଏକ ସୁନ୍ଦର ରାଜ୍ୟରେ ସେ ବିଚରଣ କରୁଛି ।

 

ସବୁତ ଆଖି ଖୋଲି ଚାହିଁଲା । ସେ ସଫେଦ ବିଛଣା ଉପରେ ଶୋଇଛି । ତା’ ପାଦକୁ ଲାଗି ଶେଯ ଉପରେ ସୁଚିତ୍ରା ବସିଛି ।

 

ନର୍ସ କଣ ଟିକିଏ ତା ପାଟିରେ ଖୁଆଇ ଦେଇଗଲା ।

 

ସୁଚିତ୍ରା କାନ୍ଦୁଥିଲା, ଟୋପା ଟୋପା ଉଷୁମ ଲୁହ ତା’ ପାଦ ଉପରେ ପଡ଼ି କେମିତି ଏକ ଉତ୍ତେଜନାର ତଡ଼ିତ୍‌ ପ୍ରବାହିତ କରୁଥିଲା । ତା ସାରା ଦେହକୁ ।

 

ସୁଚିତ୍ରା ସ୍ୱୀକାର କଲା । ତୁମେ ଷ୍ଟେରାଇଲ ନୁହେଁ, ସୁବ୍ରତ । ମୁଁ ବନ୍ଧ୍ୟା । ସେଦିନ ହସପିଟାଲକୁ ତୁମେ ଯାଇ ନ ପାରିବାରୁ ମୁଁ ଯାଇଥିଲି ଡକ୍ଟର ମିଶ୍ରଙ୍କଠାରୁ ରିପୋର୍ଟଟା ଆଣିବାକୁ । ଡକ୍ଟର ମିଶ୍ରଙ୍କ ପାଖରେ ବସି ରିପୋର୍ଟଟା ପଢ଼ୁ ପଢ଼ୁ ମୋତେ ଚାରିଆଡ଼େ ଅନ୍ଧାର ଦିଶିଲା ।

 

ମୁଁ ବନ୍ଧ୍ୟା । ବନ୍ଧ୍ୟା ନାରୀକୁ କଣ ସୁବ୍ରତ ଆଉ ଭଲ ପାଇବେ ?

 

ଡକ୍ଟର ମିଶ୍ରଙ୍କୁ କାକୁତି ମିନତି କରି କେତେ କହିଲି । ଅନୁରୋଧ କଲି । ସ୍ତ୍ରୀର ନିବେଦନ ବିଫଳ ହୁଏନା । ଡକ୍ଟର ମିଶ୍ର ଟିକିଏ ହସି ମୋଠାରୁ ରିପୋର୍ଟଟା ଫେରାଇ ନେଲେ । ତା’ ପରେ ମୁଁ ବନ୍ଧ୍ୟା ନ ହୋଇ ତୁମେ ହେଲ ଷ୍ଟେରାଇଲ୍‌ !

 

ମୁଁ ଜାଣେ ତୁମେ ସେହିଦିନରୁ ମାନସିକ ଜ୍ୱାଳାରେ ସମୟ କାଟୁଛ । ନ ଖାଇ ନ ପିଇ ପାଗଳଙ୍କ ପରି ହେଉଛ । ଆଉ ସେଇଥିପାଇଁ ତୁମର ସେ ଘାଟ୍‌ ରୋଡ଼ରେ ଭୟାନକ ଏକ୍‌ସିଡେଣ୍ଟ-। ଭାଗ୍ୟ ଭଲ ଥିବାରୁ ବଞ୍ଚି ଯାଇଛ ।

 

ସୁବ୍ରତ ଏକ ଅବିଶ୍ୱାସର ଚାହାଁଣୀରେ ସୁଚିତ୍ରାକୁ ଚାହିଁଲା ।

 

ମୋତେ ବିଶ୍ୱାସ କର ସୁବ୍ରତ, ମୁଁ ସତ କହୁଛି ।

 

ସୁଚିତ୍ରା ଫୁଲି ଫୁଲି କାନ୍ଦୁଥିଲା ।

 

ବାହାରେ ଡକ୍ଟର ମିଶ୍ର ଅପେକ୍ଷା କରିଛନ୍ତି । ସେ ସବୁ କଥା କହିବେ ।

 

ସୁବ୍ରତ ମୁହଁରେ ପରମତୃପ୍ତିର ହସ ଫୁଟି ଉଠିଲା । ତା’ ଧମନୀରେ ପୁରୁଷ ରକ୍ତର ଉଚ୍ଛୃଙ୍ଖଳ ତରଙ୍ଗ ଖେଳିଗଲା । ସେ ଅନୁଭବ କଲା ତା’ ବାହୁ ଦି’ଟା ଲୁହା ମୁଦ୍‌ଗର ପରି ଟାଣ ଲାଗୁଛି ।

 

ମୁହଁକୁ ଅଣ୍ଡାଳିଲା । ଟାଉଁସିଆ ଦାଢ଼ିଗୁଡ଼ାକ ଅସମ୍ଭବ ରକମର ବଢ଼ି ଯାଇଛି । ନିଶଟା ବି ତାର ଆକୃତି ନେଇ ବଢ଼ି ଆସୁଛି । ଆଉ ସେ ନିଶକୁ ଫୁଲାଇ ଚିତ୍‌କାର କରୁଛି ପୁରୁଷ ସିଂହ ଚୌଧୁରୀ ସୁବ୍ରତ କୁମାର ପଟ୍ଟନାୟକ !

Image

 

Unknown

ପ୍ରତୀକ୍ଷା

 

ଏକ ନମ୍ବର ଫିମେଲ ୱାର୍ଡ଼ର ପଶୁଥିଲେ ଜ୍ୟୋତ୍ସ୍ନାମୟୀ । ତାଙ୍କର ସଫେଦ ଶାଢ଼ୀର ଅଞ୍ଚଳ ପ୍ରଭାତ ସମୀରଣରେ ପହଁରି ପହଁରି ଯାଉଥିଲା ଚିଲିକାର ଶାନ୍ତ ଜଳରାଶିରେ ହଂସରାଳୀ ଖେଳିଲାପରି । ମରାଳ ଗ୍ରୀବାରୁ ରଜତ ଜ୍ୟୋତ୍ସ୍ନା ଝରିପଡ଼ୁଥିଲା ।

 

ସେଇ ଗ୍ରୀବା ବେଷ୍ଟନକରି ଷ୍ଟେଥିସ୍‌କୋପ ଝୁଲି ପଡ଼ିଥିଲା ।

 

ସେ ହେଉଛନ୍ତି ଜ୍ୟୋତ୍ସ୍ନାମୟୀ ପଟ୍ଟନାୟକ । ଛଅନମ୍ବର ସେକ୍ଟରର ଲେଡ଼ି ଡକ୍ଟର ।

 

ୱାର୍ଡ଼ ଭିତରେ ପଶୁପଶୁ ଫିନାଇଲର ଉତ୍କଟ ଅଥଚ ହସପିଟାଲର ପୂତିଗନ୍ଧମୟ ଆବହାୱାକୁ ଶୋଧିତ ଆଉ ନିର୍ମଳ କରୁଥିବା ଗନ୍ଧ ନାକରେ ବାଜିଲା । ଏଇ ଫିନାଇଲ ଗନ୍ଧ ହସପିଟାଲ ପରିବେଷ୍ଟନୀ ଭିତରେ ମନ୍ଦ ଲାଗେନା । ବରଂ ଗତ ରାତ୍ରିରେ ବ୍ୟବହୃତ ହୋଇଥିବା ପାଇଖାନା, ଗାଧୁଆ ଘର କିମ୍ବା ପରିଶ୍ରାଗାରର ଉତ୍କଟ ଅରୁଚିକର ଗନ୍ଧର ଏକମାତ୍ର ରାଜତ୍ୱକୁ ଧ୍ୱଂସ କରୁ କରୁ ଏ ଗନ୍ଧ ନାକରେ ବାଜିଲେ ଯେମିତି ଉପଭୋଗ୍ୟ ହୁଏ, ରୋଗୀମାନଙ୍କର ଛେପ ଖଙ୍କାର ପୂଜ, ରକ୍ତ, ମଳ, ମୂତ୍ର ଏସବୁର ଦୁର୍ଗନ୍ଧ ବହନକରି ଯେଉଁ ଦୂଷିତ ବାୟୂ ଆସୁଥାଏ, ସେ ସବୁ ଉଦରଗତ କରି ଫିନାଇଲ ଗନ୍ଧ ନାକରେ ବାଜିଲେ ସେମିତି ଉପଭୋଗ୍ୟ ହୁଏ, ଆରାମ ଲାଗେ ।

 

ଏଇ ଫିନାଇଲ ବ୍ଳିଚିଂ ପାଉଡ଼ର କିମ୍ବା ଡେଟଲ । କେତେ ବୈଜ୍ଞାନିକର ସାଧନା, କେତେ ରାତ୍ରି ଉଜାଗର, କେତେ ଗବେଷଣାର ଫଳ ତା’ ଜ୍ୟୋତ୍ସ୍ନାମୟୀ ଅନୁଭବ କରନ୍ତି ।

 

ବେହେରା ବେସିନଟା ଧୋଉଥିଲା, ଆଉ ଗୋଟିଏ ବେସିନ ଥୁଆ ହୋଇଥିଲା ତଳେ । ଛେନ୍ଦା ଛେନ୍ଦା ରକ୍ତ, ଥୋଳା ଥୋଳା ସିଙ୍ଗାଣି ଖଙ୍କାର, ଭୁଜଭୁଜକିଆ ମେଞ୍ଚା ମେଞ୍ଚା ଛେପ, ପେଜପରି ବହଳ ବହଳ ପୂଜ, ଈଷତ୍‌ ହଳଦିଆ ମୂତ, ଖଣ୍ଡ ଖଣ୍ଡ ମଳ ଓଦା ବେଣ୍ଡେଜ୍‌କନା, ଆଉ ତୁଳା ସହିତ ଗୋଳେଇ ହୋଇ ସାଲୁବାଲୁ ହୋଇ ବେସିନ୍‌ର ସଫେଦ ଉଦର ଭିତରେ ପଡ଼ି ରହିଥାନ୍ତି । ଉଦରର ଚିକ୍‌କଣ ଚମ ଚିରି, ପାକସ୍ଥଳୀ ଫଟାଇ ଦେଖିଲେ ଦାନ୍ତରେ ପେଷା ହୋଇଥିବା ଖାଦ୍ୟପଦାର୍ଥ ଓ ପିଇବା ପାଣି ଏମିତି ଗୋଳେଇ ହୋଇଥିବ ।

 

ଉପରେ ଚିକ୍‌କଣ ଚମ ସିନା ଢଙ୍କା ହୋଇଛି, ଭିତରେତ ଚଉରାଶି ନର୍କ !

 

ଡିଉଟିରେ ଥିବା ନର୍ସ ନମସ୍କାର ଜଣାଇଲା । ବର୍ଣ୍ଣ ଶ୍ୟାମଳ; କିନ୍ତୁ ସଫେଦ ଇଉନିଫର୍ମ ଭିତରେ ତା’ର ଶ୍ୟାମଳିମା ହଜି ଯାଇଥାଏ । ମୁହଁଟି ସତେଜ, ଆଖି ଦୁଇଟି ଉଜ୍ଜ୍ୱଳ, ଢଳଢଳ ।

 

ବିଚାରୀର ନାଇଟ୍‌ ଡିଉଟି ନଥିଲା । ତେଣୁ କୌଣସି ଯୁବକ ଡାକ୍ତର କିମ୍ବା କମ୍ପାଉଣ୍ଡର ଅଥବା କେହି ଉଚ୍ଛୃଙ୍ଖଳ ଭିଜିଟର ତାକୁ ହଇରାଣ ହରକତ କରିପାରି ନାହାନ୍ତି । ତେଣୁ ବୋଧହୁଏ ତାର ସୁନିଦ୍ରା ହୋଇଛି ।

 

ପ୍ରଥମ ନମ୍ବର ରୋଗିଣୀ ପ୍ରୌଢ଼ା । ଗୋଡ଼ରେ ଚାଲୁଣି ପରି ଘା, ଠିକ୍‌ ବଳା ଗଣ୍ଠିରେ । ଘା’ଟା କଦର୍ଯ୍ୟ ଭାବରେ ଫୁଲିଯାଇଛି, ଚେଙ୍ଗଡ଼ା ଚେଙ୍ଗଡ଼ା ହୋଇ ଫାଟିଛି । ଘା’ ଭିତରକୁ ଚାହିଁଲେ ଧଳାଧଳା ମେଞ୍ଚାମେଞ୍ଚା ପସ୍‌ ଦିଶୁଛି । ଘା’ଟା ଅତଡ଼ା ଖାଉଛି ।

 

ଘା’ଟାର ଦୁର୍ଗନ୍ଧ ନାକରେ ବାଜୁ ବାଜୁ ଭକ୍‌ କରି ପେଟ ଭିତରୁ କଣ ଉଠି ଆସୁଛି । କେମିତି ଏକ ପଚାଳିଆ ବିକଟାଳିଆ ଗନ୍ଧ । ନାକ ଭିତରକୁ ଗଲେ ପେଟରୁ ଭାତ ବାହାର କରିଦେବ !

ନର୍ସ ବେଣ୍ଡେଜ୍‌ ବାନ୍ଧିଲା । ତାପ ରେକର୍ଡ଼ କଲା । ଜ୍ୟୋତ୍ସ୍ନାମୟୀ ଇନ୍‌ଜେକ୍‌ସନ୍‌ ଦେଲେ-

ଦୁଇନମ୍ବର ରୋଗିଣୀ ବୃଦ୍ଧା ।

କଲର୍‌ବୋନ୍‌ ଭାଙ୍ଗିଯାଇଛି । ମୁହଁରେ ଉତ୍କଟ ପାଇରିଆ ଗନ୍ଧ ।

ନର୍ସ ନାକରେ ରୁମାଲ ଗୁଞ୍ଜିଲା । ଜ୍ୟୋତ୍ସ୍ନାମୟୀ ତା’ଆଡ଼କୁ ଟିକିଏ ତୀକ୍ଷ୍ମ ଦୃଷ୍ଟିରେ ଚାହିଁଲେ । ଇନ୍‌ଜେକ୍‌ସନ୍‌ ଦିଆ ସରିଲା ।

ତିନି ନମ୍ବର ରୋଗିଣୀ ଯୁବତୀ, ଅଳ୍ପଦିନ ହେଲା ମା’ ହୋଇଛି । ଶୋଥ ବେମାରି, ତା’ ସାଙ୍ଗକୁ କାମଳ । ଗୋଡ଼ହାତ ଫୁଲି ଯାଇଛି, ସାରା ଅଙ୍ଗ ବିବର୍ଣ୍ଣ ।

ତା’ର ମଧ୍ୟ ଇନ୍‌ଜେକ୍‌ସନ୍‌ ଦିଆ ସରିଲା ।

ଏମିତି ଗୋଟିକ ପରେ ଗୋଟିଏ ରୋଗିଣୀ, ସମସ୍ତେ ଯନ୍ତ୍ରଣାର ପୋଖରୀରେ ଉବୁଟୁବୁ ହେଉଛନ୍ତି । ଆର୍ତ୍ତନାଦ, ଚିତ୍କାର, ଦୀର୍ଘଶ୍ୱାସ ଏମାନେ କଣ୍ଟାଛାଟ ପିଟୁଛନ୍ତି ସାରା ୱାର୍ଡ଼ରେ-

ୱାର୍ଡ଼ଭିତରୁ ବାହାରୁ ଯାଉଁ ଯାଉଁ ଜ୍ୟୋତ୍ସ୍ନାମୟୀ ଟିକିଏ ପଛକୁ ଚାହିଁଲେ । ସେ ସବୁ ଆର୍ତ୍ତନାଦ, ଚିତ୍କାର, ବିକଳ ବାହୁନା ଟିକିଏ କାନଡ଼େରି ଶୁଣିଲେ ।

ଆର୍ତ୍ତଚିତ୍କାର ତାଙ୍କ ହୃଦୟ ଭେଦ କରୁଛି । ସୂକ୍ଷ୍ମ ତନ୍ତ୍ରୀଗୁଡ଼ିକ ଥରି ଉଠୁଛି, ପଞ୍ଜରା ଭିତରେ ସେ ରୋଗିଣୀର ଯନ୍ତ୍ରଣା ଅନୁଭବ କରୁଛନ୍ତି । ତାଙ୍କର ମନେହେଉଛି ଯେମିତି ଏ ସାରା ୱ୍ୟାର୍ଡ଼ଟା ମୃତ୍ୟୁର ମହଣ ମହଣ ଅନ୍ଧକାର ଭିତରେ ବୁଡ଼ିରହିଛି- ଆଉ ସେଇ ଅନ୍ଧକାର ବିରୁଦ୍ଧରେ ଜୀବନର ସଫେଦ ଶଯ୍ୟାଗୁଡ଼ିକ ଅବିରତ ସଂଗ୍ରାମ କରି ନିଜର ଅବସ୍ଥିତି ଓ ପ୍ରାଣ ସ୍ପନ୍ଦନ ବିଷୟରେ ତାଙ୍କୁ ସଚେତନ କରି ଦେଉଛନ୍ତି ।

କିନ୍ତୁ ଏ ସଂଗ୍ରାମ କେତେଦିନ ?

ହୁଏତ ସମୟ ଆସିବ ଏ କରାଳ ଅନ୍ଧକାରର ସାନ୍ଧ୍ରତା କୌଣସି ଗୋଟିଏ ସଫେଦ ଶଯ୍ୟାକୁ ଅତି ନିଷ୍ଠୁର ଭାବରେ ଗ୍ରାସ କରିବ । ସେ ସୂଚୀଭେଦ୍ୟ ଅନ୍ଧକାର ଭିତରେ ତା’ ଅବସ୍ଥିତି ପ୍ରାଣସ୍ପନ୍ଦନ କେହି ଅନୁଭବ କରି ପାରିବ ନାହିଁ ।

ଖଣ୍ଡେ ସଫେଦ ଚାଦର ସାରା ଶଯ୍ୟାକୁ ଆବୃତ କରିବ, ତା’ପରେ କେତେଖଣ୍ଡ କାଠ, ନୂଆଲୁଗା, ନିମ୍ବପତ୍ର, ଗୋମୟ, ଦୁବ, ଅରୁଆ ଚାଉଳର ଆୟୋଜନ । ନଣ୍ଡାମୁଣ୍ଡ କେଇ ପଂକ୍ତି ମନ୍ତ୍ର, ଭୋଜିଭାତ । ସେଇଥିରେ ଆତ୍ମା ମୁକ୍ତିର ଆଲୋକ ଦେଖିବ !

ଜ୍ୟୋତ୍ସ୍ନାମୟୀ ସନ୍ଦେହର ତ୍ରିଛକିରେ ଛିଡ଼ା ହୋଇଥିଲେ । ବଞ୍ଚିବାର ଯନ୍ତ୍ରଣା ଯଦି ଉପଶମ ଲଭେ ମରଣରେ, ଜୀବନର ଆଲୋକ ଅପେକ୍ଷା ଯଦି ମୃତ୍ୟୁର ଅନ୍ଧକାର ଅଧିକ ଶାନ୍ତିପ୍ରଦ, ଜୀବନର ଚରମ ପରିଣତି ଯଦି ହୁଏ ମୃତ୍ୟୁ- ତା’ ହେଲେ ଆମେ ଜନ୍ମହେଉ କାହିଁକି ?

ଜ୍ୟୋତ୍ସ୍ନାମୟୀ ଦୁଇ ନମ୍ବର ପ୍ରସୂତି ଓ୍ୟାର୍ଡ଼ରେ ପଶିଲେ ।

 

ସଫେଦ ଶଯ୍ୟାଧାରରେ ପ୍ରାଣବନ୍ତ ଶିଶୁମାନଙ୍କର ଅଙ୍ଗଚାଳନା ଶିଶୁର କ୍ଷୁଦ୍ର ଦେହରେ ମା’ର ରୋଗପାଣ୍ଡୁର ହାତର ପରଶ, ମା’ର ସ୍ତନରେ କ୍ଷୀରର ଅଫୁରନ୍ତ ଝରଣା ଏସବୁର ଦୃଶ୍ୟ ତାଙ୍କୁ କ୍ଷଣକପାଇଁ ଅବିଭୂତ କରିଦେଲା । ନୂତନ ଜୀବନର ଆଲୋକ ପାଇଁତ ଶିଶୁ ମୁହଁରେ ହସ ଆଉ ନୂତନ ଜନ୍ମଦାତ୍ରୀର ଆଖିରେ ସ୍ନେହ କରୁଣାର ଚାହାଣୀ ।

 

ଏଇ ମାୟାମମତାର ଅଛିଣ୍ଡା ଡୋରି ପାଇଁତ ମା ଶିଶୁ ଉଭୟେ ହସନ୍ତି ! ମୃତ୍ୟୁର କରାଳ ଅନ୍ଧକାର ନିରାଟ ସତ୍ୟ ହେଲେବି ତା’ର ଅବସ୍ଥିତି ଉପଲବ୍‌ଧି କରି ହୁଏନା !

 

କିନ୍ତୁ ଏଇ ପ୍ରସୂତି ଓ୍ୟାର୍ଡ଼କୁ ଆସିଲେ ଜ୍ୟୋତ୍ସ୍ନାମୟୀଙ୍କ ମନ ଭୟାତୁର ହୁଏ । ପଞ୍ଜରାର ହାଡ଼ କେଇଖଣ୍ଡି ଧୂପକାଠି ପରି ଜଳିଯାଏ । ସେ ଭୟାତୁର ମନରେ ମା’ ଛୁଆମାନଙ୍କୁ ଦେଖନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି- ଔଷଧ ଇନ୍‌ଜେକ୍‌ସନ୍‌ ଦିଅନ୍ତି ।

 

ସେ ଲେଡ଼ି ଡାକ୍ତର; ଏସବୁ ତାଙ୍କର କର୍ତ୍ତବ୍ୟ ।

 

ଏକଦା ମାଳ ଅଞ୍ଚଳରେ କୌଣସି ଏକ ସହରରେ ଜ୍ୟୋତ୍ସ୍ନାମୟୀ ଥିଲେ ଲେଡ଼ି ଡାକ୍ତର-। ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରି ସଦ୍ୟ କାର୍ଯ୍ୟରେ ଯୋଗ ଦେଇଥାନ୍ତି ।

 

ବୟସର ଫୁଲଫୁଟା ବେଳ !

 

ସାରା ଅଙ୍ଗରେ ମନମତାଣିଆ ବାତ୍ସ୍ନା । ବେଳେବେଳେ ଏଇ ବାତ୍ସ୍ନାବି ନିଜେ ଜ୍ୟୋତ୍ସ୍ନାମୟୀଙ୍କୁ ବିଭୋର କରି ଦିଏ ।

 

ଏଇ ବାସନାରେ ଗର୍ଭବତୀ ହୋଇ ପବନ ସହର ସାରା ଲୁଚକାଳି ଖେଳିଲା । ସୁରାକ୍‌ ପାଇ ରଙ୍ଗୀନ ପ୍ରଜାପତି ଡେଣା ହଲାଇ ସେଇବାଟ ଦେଇ ଉଡ଼ି ଆସିଲେ; କିନ୍ତୁ ଫୁଲର ଅଠାଳିଆ ରେଣୁ ଭିତରେ କେବଳ ଗୋଟିକର ପାଦ ଆଉ ଡେଣା ଲାଖିଗଲା । ସେ ନାହୁଡ଼ମାରି ମଧୁ ଚୁମ୍ବିବାକୁ ଆରମ୍ଭ କରିଦେଲା ।

 

ସେ ହେଉଛନ୍ତି ସତ୍ୟବ୍ରତ ମିଶ୍ର । ଷ୍ଟେସନାରୀ ସବ୍‌ ମାଜିଷ୍ଟ୍ରେଟ୍‌ ।

 

ତାଙ୍କୁ ନେଇ ଜ୍ୟୋତ୍ସ୍ନାମୟୀ କେତେ ମିଠା ମିଠା ସ୍ୱପ୍ନ ଦେଖି ନଥିଲେ ? ସତ୍ୟବ୍ରତଙ୍କୁ ସେ ପ୍ରେମ କରନ୍ତି । ତାଙ୍କୁ ବିବାହ କରିବେ । ଜନନୀ ହେବେ, ଜୀବନ ସୂର୍ଯ୍ୟାଲୋକର ଉଷ୍ଣତା ପାଇଁ ମୃତ୍ୟୁ ଅନ୍ଧକାରର ଶୀତଳତା ଉଭେଇଯିବ ।

 

କିନ୍ତୁ କ’ଣ ହେଲା ?

 

ନିଜର ଗର୍ଭକୋଷରେ ସତ୍ୟବ୍ରତ ମିଶ୍ରଙ୍କର ରକ୍ତର ସ୍ୱାକ୍ଷର ନେଇ ବିବାହପାଇଁ ସେ ଯେତେବେଳେ ତାଙ୍କର ଦ୍ୱାରସ୍ଥ ହେଲେ ସେ କଣ ଶୁଣିଲେ ?

 

ସତ୍ୟବ୍ରତ ବିବାହିତ ।

 

ତାଙ୍କପାଇଁ ନାରୀର ଦେହ କେବଳ ଭୋଗ ବିଳାସର ସାମଗ୍ରୀ, ନାରୀ କେବଳ କ୍ରୀଡ଼ାପୁତ୍ତଳୀ ।

 

ନିନ୍ଦାଅପବାଦର ଗୁଳି ତାଙ୍କର ବକ୍ଷଭେଦ କରିବା ଆଗରୁ ସେ ନିଜ ହାତରେ ନିଜେ ଇନ୍‌ଜେକ୍‌ସନ୍‌ ନେଲେ ତାଙ୍କ ଗର୍ଭକୋଷରୁ ଅନାଗତର ବିନାଶ କରିବାକୁ ।

 

ଏଇତ ତାଙ୍କ ଜୀବନର ଇତିହାସ, ତାଙ୍କ ନାରୀ ଜୀବନର ଚରମ ବିଫଳତାର କାହାଣୀ-

 

ଆଜି ଯେଉଁ ରୋଗୀମାନେ ଶାରୀରିକ ବ୍ୟାଧିର ଛଟପଟ ହୋଇ ତାଙ୍କଠାରୁ ସେବା ପାଇବାପାଇଁ ବ୍ୟାକୁଳ ହେଉଛନ୍ତି, ସେମାନେ କଣ କେବେ ଜ୍ୟୋତ୍ସ୍ନାମୟୀଙ୍କ ଉତ୍‌କଟ ମାନସିକ ବ୍ୟାଧିପାଇଁ ସମବେଦନା ଜଣେଇଛନ୍ତି ? ସେଥିପାଇଁ ଏକ ନମ୍ବର ଫିମେଲ ଓ୍ୟାର୍ଡ଼, ଯେଉଁଠି ଜୀବନ ଆଉ ମୃତ୍ୟୁର ଅବିରତ ସଂଗ୍ରାମ ଚାଲିଛି, ତାଙ୍କୁ ଅଧିକ ସମୟ ଅଟକାଇ ରଖେ, କାରଣ ସେ ବି ଏଇ ସଂଗ୍ରାମର ଅଗ୍ରଭୂମିରେ ଜଣେ ସୈନିକ ।

 

ସେଇଠି କାର୍ଯ୍ୟବ୍ୟସ୍ତ ରହି ସେ ମୃତ୍ୟୁର ଶାନ୍ତ ଶ୍ୟାମଳ ଛବି ଦେଖନ୍ତି । ଦିନପରେ ଦିନ, ମାସପରେ ମାସ, ବର୍ଷପରେ ବର୍ଷ ସେ ଅପେକ୍ଷା କରିଛନ୍ତି ଶ୍ୟାମଳ ମୃତ୍ୟୁର ସ୍ନିଗ୍‍ଧ ପରଶ ପାଇବାକୁ । ଅନ୍ୟମାନଙ୍କପାଇଁ ଯାହା କରାଳ ଅନ୍ଧକାର ଜ୍ୟୋତ୍ସ୍ନାମୟୀଙ୍କ ପାଇଁ ତାହା ମୁକ୍ତିର ଆଲୋକ ! ଯାହା ମୃତ୍ୟୁ, ବିଲୟ, ତାଙ୍କ ପାଇଁ ତାହା ଜନ୍ମ-ନବଜାତକ !

Image

 

ସମ୍ବାରିଆ ଗୁରୁବାରୀ ଓ ଫ୍ଳାଟଘର

 

ଗ୍ୟାରେଜ ଘରର ତେରେଛା ଛାଇରେ ସମ୍ବାରିଆ ଶୋଇଥିଲା ।

 

ଆଜି ସକାଳଟା କେମିତି ମାନ୍ଦା ମାନ୍ଦା ଲାଗୁଛି । ସକାଳର ଅଳସ ଭାଙ୍ଗିବାକୁ ବାବୁ ବାବୁଆଣୀ ସିନା ମୁହଁ ନଧୋଇ ବିଛଣାରେ ବସି ବସି ଚାହା ଖାଆନ୍ତି; କିନ୍ତୁ ତା ପାଇଁ ଅଳସ ଭାଙ୍ଗିବାକୁ ମାଲିକ କିଛି ବ୍ୟବସ୍ଥା କରି ନାହାନ୍ତି ।

 

ସକାଳର କଅଁଳିଆ ଖରା ଏ ଯାଏଁ ବି ଅଛି; ତଥାପି ଏ ଖରା କେଜାଣି କାହିଁକି ଆଜି ତା’ ଚମ ତଳକୁ ଭେଦିଯାଉଛି । ଚମଡ଼ା ତଳେ ଚଳପ୍ରଚଳ ହେଉଥିବା ଲହୁକୁ ଚାଟି ଖାଇଯାଉଛି ।

 

ସେ’ତ ପଶୁଜନମ ପାଇଛି । ଖରାବର୍ଷା, ଶୀତ, କାକର ଏବସୁ ସହିବାପାଇଁ ତା’ ଚମଡ଼ାଟା ତିଆରି ହୋଇଛି । ଗହଳ ଧଳା ରୁମ ଢଙ୍କା ଚମଡ଼ା ଶୀତଦିନେ ରେଜେଇ ଭଳି କାମକରେ, ଖରାବର୍ଷାରେ ଛତା ଭଳି ତାକୁ ରକ୍ଷା କରେ ।

 

ଯେଉଁ ଚମଡ଼ାଟା ଏତେ ଖରା ଏତେ ବର୍ଷା ସହିଛି ସେ ଆଜି ସକାଳର କଅଁଳିଆ ଖରା ସହିପାରୁ ନାହିଁ କାହିଁକି ?

 

ମୋଟ ଉପରେ ତା’ ମନଟା ଭଲନାହିଁ । ମନ ଖରାପ ଥିଲେ ଦେହଟାବି ଖରାପ ଲାଗେ । କାମରେ ବିରକ୍ତି ଆସେ ।

 

ସମ୍ବାରିଆର ଦୁଇ ନାକପୁଡ଼ା ଦେଇ ଦୀର୍ଘ ନିଶ୍ୱାସ ବାହାରି ଆସିଲା । କେତେବେଳୁ ଡାଆଁସ ଦି’ଟା ତା’ ପେଟ ଉପରେ ବସି ତା’ ଲହୁ ଚୋଷୁଛନ୍ତି । ଭାବନା ଭିତରେ ବୁଡ଼ିରହି ସେମାନଙ୍କୁ ତଡ଼ି ପାରିନଥିଲା ।

 

ଲାଙ୍ଗୁଡ଼ର ଚଅଁରରେ ସେମାନେ ବସିଥିବା ଥାନଟାକୁ ଦୁଇ ପାହାର ପିଟିଲା । ଡାଆଁସ ଦି’ଟା ଛାଟିପିଟି ହୋଇ କିଏ କୁଆଡ଼େ ପଳାଇଲେ ।

 

ନାକ ପୁଡ଼ାରୁ ନିଶ୍ୱାସ ସହିତ ଟିକିଏ ସିଙ୍ଘାଣିବି ବହି ଆସିଛି । ସମ୍ବାରିଆ ତା ଲମ୍ବା ଜିଭଟା ବଢ଼େଇ ତାକୁ ଚାଟିଚୁଟି ସଫା କରିଦେଲା ।

 

ପୁଣି ସେଇ କଥା, ସେଇ ଭାବନା ।

 

ଏଇ କେତେ ଦିନ ହେଲା ପଡ଼ିଶା ଘର ଗୁରୁବାରୀଠାରୁ ତାକୁ ଅଲଗା ରଖା ହୋଇଛି । ଫ୍ଳାଟ ଘର, ଏକା ଘେର ବନ୍ଦୀରେ ତା ମାଲିକ ଓ ଗୁରୁବାରୀ ମାଲିକ ରହୁଛନ୍ତି । ଉତ୍ତରପଟ ଘର ତା ମାଲିକର ଓ ଦକ୍ଷିଣପଟ ଘର ଗୁରୁବାରୀ ମାଲିକର । ଏ ଘରକୁ ତା ମାଲିକ ସହିତ ଆସିବାର ମାସେ ଦି’ ମାସ ବେଶ୍‌ ସୁରୁଖୁରୁରେ କଟିଲା । ସେ ଗୁରୁବାରୀ ସହିତ କେତେ ସାଙ୍ଗ ହୋଇ ନ ଥିଲା ।

 

ସାଥୀ ହୋଇ ସେମାନେ ଗ୍ୟାରେଜ୍‌ ପଛପଟ ଝଂକାଳିଆ ବୁଦା ତଳେ ଶୋଇ ଶୋଇ କେତେ ଖୁସି ଗପ କରୁ ନ ଥିଲେ । କେତେ ସ୍ନେହ ସୋହାଗ ହୋଉ ନ ଥିଲା ତାଙ୍କ ଭିତରେ ।

 

ମାଲିକ ଦୁଇଜଣଙ୍କର ଭଲ ମିଳାମିଶା ମଧ୍ୟ ଥିଲା, ଯିବା ଆସିବା ଖିଆପିଆ ଦିଆନିଆ କେତେ କ’ଣ । ସମ୍ବାରିଆର ମନଟା କୁରୁଳି ଉଠୁଥିଲା । ଗୁରୁବାରୀ ପରି ସାଥିଟିଏ ପାଇ ସେ ପୁରୁଣା ସାଥୀମାନଙ୍କୁ ଭୁଲି ଯାଇଥିଲା ।

 

ଗୁରୁବାରୀଟି ସତେ କେଡ଼େ ସୁନ୍ଦରୀ ! ନାଲି ରେଶମୀ ଶାଢ଼ୀ ପିନ୍ଧି ସେ ଯେତେବେଳେ ତା’ ଆଗରେ ଛିଡ଼ା ହେଉଥିଲା, ତାର ଲମ୍ବ ଲମ୍ବ ନାଲି ଟୁକୁଟୁକୁ କାନ ଦୁଇଟି ହଲେଇ ତାକୁ ସ୍ୱାଗତ ଜଣାଉଥିଲା; ଆଉ ଢଳ ଢଳ ସଜଳ ଆଖି ଦୁଇଟିରେ ତା ଆଡ଼କୁ ଚାହୁଁଥିଲା, ସେତେବେଳେ ସମ୍ବାରିଆ ଭୋକ ଶୋଷ ଭୁଲି ଯାଉଥିଲା । ମୁହଁ ପାଖରେ ମୁହଁ ରଖି କାନ ମୂଳକୁ ଚାଟି ଚୁଟି ସଫା କରି ସେ କେତେ ଆନନ୍ଦ ପାଉ ନ ଥିଲା ।

 

ସକାଳୁ ସାଥୀ ହୋଇ ସେମାନେ ଚରିବାକୁ ଯାଆନ୍ତି । ଚାଲି ଚାଲି ଥକିଗଲେ କୃଷ୍ଣଚୂଡ଼ା ଗଛମୂଳେ କଅଁଳ ଘାସ ଶେଯଉପରେ ଦି’ଜଣ ଶୁଅନ୍ତି । କେତେ ଖୁସିଗପ କରନ୍ତି । ଉପରୁ କୃଷ୍ଣଚୂଡ଼ା ଝରି ପଡ଼ିଥାଏ ସେମାନଙ୍କ ଉପରେ । କେତେ ସ୍ନେହ, କେତେ ଦରଦ, କେତେ ମାନ ଅଭିମାନ, କେତେ ପ୍ରେମ !

 

ଆଜି ସେ ସବୁ ସ୍ୱପ୍ନ ପରି ଲାଗୁଛି । ଗୁରୁବାରୀର ଖାଉଁଦଙ୍କର ସାତଝିଅ, ଦୁଇପୁଅ । ଗୋଟିକ ପରେ ଗୋଟିଏ ତା ତଳକୁ, ତା ତଳକୁ । ରାତି ପାହିଲେ ସେମାନେ ରାଉ ରାଉ ହୁଅନ୍ତି । ଧସ୍ତାଧସ୍ତି କୁସ୍ତାକୁସ୍ତି ଲାଗନ୍ତି । ନିଜ ନିଜ ଭିତରେ ମାଡ଼ଧର ହୁଅନ୍ତି । କନ୍ଦା କଟା କଳି କନ୍ଦଳରେ ଘର ଉଛୁଳେ । ଖାଇବା ପିଇବା ପାଇଁ ଟଣା ଓଟରା ଲାଗେ । ଛୁଆଗୁଡ଼ାକ ଖାଇବା ବିନା ଶୁଖି ଶୁଖି ହରିକାଠ ହେଲେଣି । ଯାହାର ଅଧିକ ଛୁଆପିଲା ସେମାନେ ଚଳିବାରେ କେମିତି ହଇରାଣ ହରକତ ହୁଅନ୍ତି ଗୁରୁବାରୀ ଖାମିନ୍ଦଙ୍କ ପରିବାର ତାର ଜ୍ୱଳନ୍ତ ଉଦାହରଣ !

 

ଏଇ ଭୋକିଲା ପେଟ କାବୁରା ଛୁଆଙ୍କ ଯୋଗୁ କଳି ଆରମ୍ଭ ହେଲା । ତା ଖାଉଁଦାଣୀ ଆଉ ଗୁରୁବାରୀର ଖାଉଁଦାଣୀଙ୍କ ଭିତରେ କଳି ହେଲା । ସ୍ନେହ ମମତାର ବାଲୁବନ୍ତ ଭୁଷୁଡ଼ି ପଡ଼ିଲା-

 

ହିଂସା, ଦ୍ୱେଷ, ମତାନ୍ତର, ମନାନ୍ତର, ଈର୍ଷା, କଳହ ଏ ସବୁର ପ୍ରଖର ସ୍ରୋତ ଗୁରୁ ଗମ୍ଭୀର ଗର୍ଜନ କରି ସେମାନଙ୍କର ମଣିଷପଣିଆଁକୁ କୁଟାଖିଅ ପରି ଭସାଇଦେଲା ।

 

ଗୋଟିଏ ଘର । ଗୋଟିଏ ଚୌହଦୀ । ତା ଭିତରେ ଅଲଗା ଅଲଗା ଚଳିବାରେ ଯେ କି କଷ୍ଟ । ଏ ଘର ପିଲାମାନଙ୍କର ବଲ ସେପଟକୁ ଗଲେ ସେମାନେ ନେଇ ଯାଆନ୍ତି । ସେପଟର କୁକୁଡ଼ା ଏପଟକୁ ଆସିଲେ କଳି ଆରମ୍ଭ ହୋଇଯାଏ । ପିଲାମାନଙ୍କୁ ଶାସନ କରିବାପାଇଁ କେତେ ଗାଳି, ମାଡ଼ ତାର କଳନା ନାହିଁ । ଅବୋଧ୍ୟ ଶିଶୁ ! ସେମାନେ କଣ ବୁଝନ୍ତି ବାପ ମାମାନଙ୍କ ଭିତରେ କଳି ଅଛି ବୋଲି । ପୁଣି ସାଥି ହୋଇ ଖେଳିବାକୁ ବାହାରନ୍ତି । କଳିର ସୂତ୍ରପାତ ହୁଏ ।

 

ଷଣ୍ଢରେ ଷଣ୍ଢରେ ଲଢ଼େଇ ଲାଗିଲା । କିନ୍ତୁ ବେଣା ମୋଟା ଛିଡ଼ିଗଲା । ପରିବାର ଦୁଇଟି ମୁହଁ ଫୁଲାଫୁଲି ହୋଇ ରହିଲେ । ଯେ ଯାହାର ବାଟରେ ଚଳିଲେ । ଫଳରେ ସମ୍ବାରିଆକୁ ଗୁରୁବାରୀ ସହିତ ମିଶିବାର ସୁଯୋଗ ଦିଆଗଲା ନାହିଁ । ଯଦି ସେ କେବେ କେମିତି ଲୁଚି ଲୁଚି ଗୁରୁବାରୀ ପାଖକୁ ଟିକିଏ ଚାଲିଯାଏ ଗୁରୁବାରୀ ଖାଉଁଦର ସେ ଯେଉଁ ଅବେଇଜ ବଡ଼ ପୁଅଟା ଅଛିନା ତାକୁ ପିଟି ପିଟି ଦୋରସ୍ତ ବନେଇ ଦିଏ । ଡହଳ ବିକଳ ହୋଇ ସେ ପଳେଇ ଆସେ । ମାଡ଼ରେ ପିଠିଟା ତାର ଫାଟି ଚେଙ୍ଗଡ଼ା ଚେଙ୍ଗଡ଼ା ହୋଇଥାଏ ।

 

ଆଖିରେ ଲୁହ ଢଳ ଢଳ ହୁଏ ।

 

ସେ ବେଦନାରେ ବୋବାଳି ଛାଡ଼େ ।

 

ମଣିଷମାନଙ୍କ ମତିଗତି ସତେ କି ବିଚିତ୍ର ! ସେ ପଶୁ ହେଲେ ବି ଟିକିଏ ସ୍ନେହ ମମତା ପାଇଁ କେଉଁ ଛଟକରେ ଗୁରୁବାରୀ ପାଖକୁ ଲୁଚି ଲୁଚି ଯାଏ । ମାଡ଼କୁ ଖାତିର କରେନା; ମାତ୍ର ଏ ମଣିଷଗୁଡ଼ାକ ସବୁ ବୁଝି ସବୁ ଜାଣି ସ୍ନେହ, ମମତା, ପ୍ରେମ ଓ ମାନବିକତା ଶିକ୍ଷା ପାଇଁ ରାଶି ରାଶି ବହି ପଢ଼ି ରାଗରେ ଅନ୍ଧ ହୁଅନ୍ତି କେମିତି ? ଏତେ ନିକଟରେ ଥାଇ ପ୍ରତିଦିନ ପରସ୍ପରକୁ ଦେଖି ଏକା ଘରେ ଆତଯାତ ହୋଇ ସେମାନେ ପରସ୍ପରକୁ ଘୃଣା କରନ୍ତି କେମିତି ?

 

ମଣିଷମାନଙ୍କର ଏକପ୍ରକାର ବିଚିତ୍ର ସ୍ୱଭାବ ସମ୍ବାରିଆ ବୁଝି ପାରେନା !

 

ସିଆଡ଼େ ଗୁରୁବାରୀ ବି ନିଛାଟିଆ ତାରା ପରି ବେଦନାରେ ଡହଳ ବିକଳ ହେଉଥାଏ । ସବୁବେଳେ ତା ବେକରେ ଗୋଟେ ପଘା । ଖୁଣ୍ଟରେ ବନ୍ଧା ହୋଇଥାଏ । ତଥାପି କେବେ କେମିତି ବନ୍ଧନରୁ ମୁକୁଳିଲେ ତା ପାଖକୁ ଲୁଚି ଲୁଚି ଚାଲିଆସେ । ତା ମାଲିକ ଘର ଶୁଖୁଥିବା ବଡ଼ି ଓ ଆଚାର ଖାଇବାକୁ ଗୁରୁବାରୀକୁ ଭାରି ଭଲ ଲାଗେ । ମାଇପି ଜାତି ବଡ଼ି, ଆଚାର ଖାଇବାକୁ ସୁଖ ପାଆନ୍ତି କି ନା !

 

ଧରା ପଡ଼ିଲେ ମାଡ଼ ଖାଏ । ମାଡ଼ କଷ୍ଟରେ ଗାଦିଏ ହଗି ପକାଏ । ତା’ ପରେ ତାଙ୍କ ପଟକୁ ଛାଟିପିଟି ହୋଇ ପଳାଏ । ସେପଟରେ ଥାଇଁ ଲୋତକ ଭରା କରୁଣ ନୟନରେ ତା’ ଆଡ଼କୁ ଚାହିଁଥାଏ; ମାତ୍ର ମାଡ଼ ଭୟରେ ଆସି ପାରେନା । (ଗୁରୁବାରୀ ଖାଉଁଦଙ୍କ ବଡ଼ ଝିଅ ମିନତି ବି ସେମିତି ମୋ ଖାଉଁଦଙ୍କ ଘର ଆଡ଼କୁ ସଜଳ ନୟନରେ ଚାହେଁ । ବୋଧହୁଏ ଭାବୁଥାଏ ଏପଟକୁ ଚାଲି ଆସିବ କି ? ମାଉସୀ ମ ! ମୋର ଆଚାରରେ ଭାରି ଶରଧା, ତମ ଆଚାର କେଡ଼େ ଭଲ । ଟିକିଏ ଚାଖିବାକୁ ଦିଅନ୍ତ ନାହିଁ !)

 

ସମ୍ବାରିଆର ମୁହଁ ଉପରେ ମାଛିଟିଏ ଆସି ବସିଲା । କାନ ଦି’ଟା ଫଟ୍‌ ଫଟ୍‌ କରି ଓ ମୁହଁ ହଲେଇ ସେ ମାଛି ଦି’ଟାକୁ ହୁରୁଡ଼େଇ ଦେଲା ।

 

ତଳେ ଗଡ଼ି ଗଡ଼ି ତା ଧଳା ଚମଟା ଧୂଳିଆ ଧୂସର ଦିଶୁଛି । ମଇଳା ଅସନା ଲାଗିଛି ଦେହରେ । ଗୁରୁବାରୀ ସିନା ମଝିରେ ମଝିରେ ଆସି ତା’ ଦେହ ଚାଟିଚୁଟି ସଫା କରୁଥିଲା । ଆଜି ସେସବୁ ସାତ ସପନ ହୋଇଛି !

 

ସମ୍ବାରିଆ ଆଖିରେ ଲୁହ ଜମି ଆସି ଆସୁଥିଲା । ମଣିଷ ମଣିଷ ଭିତରେ ଶତ୍ରୁତା ପାଇଁ ପଶୁ ଦି’ଟାଙ୍କ ଉପରେ କି ଅତ୍ୟାଚାର ହେଉଛି ମଣିଷ ଦିନକୁ ଦିନ ଯେତେ ସଭ୍ୟ ଯେତେ ଶିକ୍ଷିତ ହେଉଛି ସେତେ ସ୍ୱାର୍ଥପର ହେଉଛି । କଳହ, ହିଂସା, ଦ୍ୱେଷ ବଢ଼ି ଚାଲିଛି । ସେମାନଙ୍କ ଭିତରେ । ତା’ ବୋଲି ତାର ଗୁରୁବାରୀ ସହିତ ଶତ୍ରୁତା ହେବ କାହିଁକି ? ତାଙ୍କର ବଞ୍ଚି ରହିବା ପାଇଁ ସ୍ନେହ ମମତା ଯେ କେତେ ଦରକାର !

 

ସେମାନେ ତ ସ୍ୱାର୍ଥପର ମଣିଷ ନୁହନ୍ତି । ସେମାନେ ପଶୁ । ସରଳ ନିରାଡ଼ମ୍ବର ନିରୀହ ପଶୁ ।

 

ସମ୍ବାରିଆ ସେମିତି ଶୋଇ ଶୋଇ ଭାବୁଥିଲା ଏବଂ ମନେ ମନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥିଲା ।

 

ପ୍ରଭୁ ମୋତେ ମଣିଷ ଜନ୍ମ ନ ଦେଇ ଭଲ କରିଛ । ଆମର ମଣିଷ ପରି କଥା କହିବାର ଶକ୍ତି ନାହିଁ କି ଆମେ ମଣିଷ ପରି ବୁଦ୍ଧିମାନ ନୋହୁଁ । ତା ବରଂ ଭଲ ହୋଇଛି । ମଣିଷ ପରି ରାଶି ରାଶି ବହି ପଢ଼ି ସଭ୍ୟ ଶିକ୍ଷିତ ବୋଲି ଗର୍ବ କରି ସ୍ୱାର୍ଥପର ହେବାକୁ ଆମେ ଚାହୁଁନା ।

 

ମୋତେ କେବେହେଲେ ମଣିଷ ଜନ୍ମ ଦେବ ନାହିଁ ପ୍ରଭୁ । ମୁଁ ସେଇ ଜନ୍ମ ପାଏ ମୋତେ ଯେଉଁଥିରେ ଟିକିଏ ସ୍ନେହ ମମତା ମିଳିବ !

Image

 

ମୁଁ, ଆପଣ ଓ ନିତ୍ୟାନନ୍ଦ ସାହୁ

 

ତଳୁ ଉପର ।

 

ଉପରୁ ତଳ ।

 

ତଳ ମହଲାରୁ ଏକ ମହଲା, ତା ପରେ ଦୁଇ ମହଲା, ତିନି ମହଲା, ଏମିତି ଛଅ ମହଲା ସେ ଯାଏ । ପୁଣି ତଳକୁ ଖସେ ।

 

ଥରେ ଅଧେ ନୁହେଁ ଦଶଥର, ପଚାଶ ଥର, ଶହେ ଥର- ଯେତେ ଦରକାର ପଡ଼େ ।

 

ଦୁଆର ଖୋଲିଦେଲେ ଦଳେ ଲୋକ ପଶି ଆସିବେ । ସେ କବାଟ ବନ୍ଦ କରିବ । ତା’ ପରେ ହେଣ୍ଡେଲ ଉପରେ ହାତ ।

 

ଥରେ କାମ ଆରମ୍ଭ ହେଲେ ଖାଲି ଡାକରାର କେଁ କେଁ ଶବ୍ଦ ଓ ଲାଲବତୀ । ତା’ ପରେ ପୁଣି କେଁ କେଁ, ତଳୁ ଉପରକୁ, ଉପରୁ ତଳକୁ ବୋହିବା ତାର କାମ । ସେ ଭାରବାହୀ । ଗଧ ।

 

ଏମିତି ଦିନେ ଅଧେ ନୁହେଁ । ମାସ ମାସ ବର୍ଷ ବର୍ଷ ଧରି ସେ କାମ କରୁଛି । ସକାଳୁ ସଞ୍ଜ ଯାଏ । ମେସିନ୍‌ ପରି ।

 

ପ୍ରଥମେ ଯେତେବେଳେ ସେ ଏ କାମରେ ଯୋଗ ଦେଲା ତା’ ମନରେ କେତେ ଫୁର୍ତ୍ତି, କେତେ ଆନନ୍ଦ ଆସି ନ ଥିଲା । ନୂଆ କାମ, ନୂଆ ଉତ୍ତେଜନା, ନୂଆ ଅନୁଭୂତି ।

 

ସୁନ୍ଦର ଛୋଟିଆ ଘରଟିଏ । ଉପରେ ସିଲିଂ ପଙ୍ଖା, ବସିବାକୁ ଟୁଲଟିଏ । ଆଉ ହାଣ୍ଡେଲ ଉପରେ ହାତ ଦେଲେ ଯେ କି ଆନନ୍ଦ ।

 

ସାଏଁ ସାଏଁ ଉପରକୁ ଉଠେ । ସେ କ’ଣ ମର୍ତ୍ତ୍ୟରୁ ସ୍ୱର୍ଗକୁ ଚାଲି ଯାଉଛି କି ? ନା, ସେ ମହାକାଶଚାରୀ ରକେଟ୍‌ ଚଢ଼ି ଚନ୍ଦ୍ରଲୋକକୁ ଯାଉଛି କି ? ସେ କିଛି ନୂଆ ଜିନିଷ ଦେଖିବ, ନୂଆକଥା ଆବିଷ୍କାର କରିବ । ସେଠାରେ ଥାଇ ତଳକୁ ନୂଆ ସନ୍ଦେଶ ଦେବ; ଆଉ ଫେରିଲା ବେଳେ ଫେରିବ କେତେ ନୂଆ ଅନୁଭୂତି ନେଇ । ତା’ର ଏଇ ଯାତ୍ରା ସମୟତକ ତଳେ ଏଇ ପୃଥିବୀର ମଣିଷମାନେ ଉଦ୍‌ବିଘ୍ନ, ଉତ୍‌କଣ୍ଠିତ ହୋଇ ଚାହିଁ ରହିଥିବେ ।

 

ଏଣିକି ଉପରକୁ ଉଠିବାରେ ଆନନ୍ଦ ଓ ଅହଂକାର ଫେଣ୍ଟିହୋଇ ଏକରକମ ନୂଆଭାବ ତା’ମନକୁ ଆଉ ଗ୍ରାସ କରୁ ନାହିଁ । ଧୀରେ ଧୀରେ ସେ କେବଳ ରୁଟିନ ବନ୍ଧା ନିୟମରେ କାମ କରି ଯାଉଛି । ସେ ଛୋଟ ଘରଟିରେ ପଶିଲେ ହ୍ୟାଣ୍ଡେଲ ଉପରେ ଆପଣାଛାଏଁ ହାତ ପଡ଼ୁଛି । ଉପରକୁ ଉଠୁଛି କିମ୍ବା ତଳକୁ ଖସୁଛି ।

 

ପ୍ରଥମେ ଏଇ ଲିଫ୍‌ଟ୍‌ ଚଳେଇବାର ଅନୁଭୂତି ସତେ ଯେମିତି ତା’ର ବିବାହିତ ଜୀବନର ପ୍ରାଥମିକ ଅନୁଭୂତି ସହିତ ସମାନ । ପ୍ରଥମେ ସେ ଯେତେବେଳେ ସୁଲକ୍ଷଣା ସହିତ ଜୀବନଯାତ୍ରା ଆରମ୍ଭ କରିଥିଲା ସେ ଯାତ୍ରାରେ ଏମିତି ମାଦକତା ଥିଲା, ଏମିତି ଅହଂମିଶା ଆନନ୍ଦ ଥିଲା, ଆନନ୍ଦମୟ ଜୀବନର ରକେଟ୍‌ ଚଢ଼ି ସେ ଶାନ୍ତି ସନ୍ତୋଷରେ ଚନ୍ଦ୍ରାଲୋକକୁ ଯାତ୍ରା କରୁଥିଲା; ମାତ୍ର ଆଜି ତା’ର ଏ ଯାତ୍ରାର ପରିସମାପ୍ତ ଘଟିଛି । ଦେହ ମନରେ ଶିଥିଳତା ଦେଖା ଦେଇଛି । କଳ ପରି ସେ ସଂସାରର ସବୁ କାମ କରି ଯାଉଛି, ସେଥିରେ କୌଣସି ଉତ୍ତେଜନା କି ଆନନ୍ଦ ନାହିଁ । ଯେଉଁ ଜୀବନରେ ଏତେ ଉତ୍ତେଜନା ଭରି ରହିଥିଲା ସେ ଜୀବନ ଆଜି କେମିତି ନିସ୍ତରଙ୍ଗ ହୋଇଯାଇଛି ।

 

ସାଢ଼େ ଦଶଟାରେ ଯେତେବେଳେ ସେ ସଦ୍ୟ ଇସ୍ତ୍ରୀକରା ଖାକି ପୋଷାକ ପିନ୍ଧି କାମକୁ ଆସେ ସେତେବେଳେ ତାକୁ ଦେଖିଲେ କେହି କେବେ ଅନୁମାନ କରିବ ତା’ ମନର ଅବସ୍ଥା କଣ ? ସେଇ ପୋଷାକ ତଳେ ତା’ର ଯେଉଁ ରୂପଟା ଅଛି ସେଥିରେ ଥିବା ହାଡ଼ କେଇଖଣ୍ଡ ଗଣି ହୋଇ ଯାଉଛି ସେ କଥା ବାହାର ଲୋକେ ନ ଜାଣିଲେ ବି ସେ ଜାଣେ । ତା’ ପୋଷାକକୁ ଦେଖିଲେ କେହି କେବେ ଅନୁମାନ କରି ପାରିବେ ନାହିଁ ଯେ, ସେ ପୋଷାକର ଖୋଳ ଭିତରେ ଯେଉଁ ଦେହଟା ଅଛି ତା’ର ପୁଷ୍ଟି ସାଧନ ପାଇଁ କେବଳ ମାସର ପ୍ରଥମ ସପ୍ତାହରେ ଭଲ ଭାବରେ ଗଣ୍ଡେ ଖାଇବାକୁ ମିଳେ । ଆଉ ମାସର କୋଡ଼ିଏ ଦିନ ଯାହା ଖାଏ ସେ ଖାଦ୍ୟରେ ଜୀବନିକା ଶକ୍ତି ଆଦୌ ନ ଥାଏ କିମ୍ବା ଯଦି ଥାଏ ତାହା ଅତି ନଗଣ୍ୟ, ସୁଷମ ଖାଦ୍ୟ କଥା କିଏ ପଚାରୁଛି ? ଡାଲି ଅଛିତ ଚାଉଳ ନାହିଁ । ଚାଉଳ ଅଛିତ ପରିବା ନାହିଁ । ରୋଗ ହେଉଛି ତ ଔଷଧ ନାହିଁ ।

 

ସେ ଦେଶର ବଡ଼ ବଡ଼ ନେତା ଓ ବୁଦ୍ଧିଜିବୀମାନଙ୍କର ବକ୍ତୃତା କେତେ ଥର ଶୁଣିଛି । ଦେଶ କାଳେ ସମାଜବାଦ ଛାଞ୍ଚରେ ଗଢ଼ା ହେଉଛି ! ଆର୍ଥିକ ସମତା ଆଣିବାପାଇଁ ସବୁପ୍ରକାର ଚେଷ୍ଟା ଚାଲିଛି । ଏସବୁ ନୀତିବାଗୀଶମାନଙ୍କ ଆଦର୍ଶବାଦ ଉପରେ ତା’ର ଘୋର ସନ୍ଦେହ ହୁଏ । ଯଦି ଦେଶ ସ୍ୱାଧୀନତା ପାଇବାର କୋଡ଼ିଏ ବର୍ଷ ପରେ ତା’ ପରି ଜଣେ ସକାଳୁ ସଂଜଯାଏ କଠିନ ପରିଶ୍ରମ କରୁଥିବା କର୍ମଚାରୀ ଦୁଇଓଳି ଦୁଇମୁଠା ପେଟ ପୁରାଇ ଖାଇବାକୁ ଓ ଖଣ୍ଡେ ପିନ୍ଧିବାକୁ ଯଥେଷ୍ଟ ହେଉଥିବାର ଅର୍ଥ ଆୟ ନ କରି ପାରିଲା ତେବେ ଏ କି ସମାଜବାଦ ? ଆଉ ଆର୍ଥିକ ସମତା କଥା କିଏ ପଚାରୁଛି ? ବରଂ ଦିନକୁ ଦିନ ଅସମତା ବଢ଼ୁଛି । ଧନୀ ଅଧିକ ଧନୀ ହେଉଛି ଓ ଦରିଦ୍ର ଅଧିକ ଦରିଦ୍ର ହେଉଛି ।

 

ଲିଫଟ୍‌ ଭିତରେ ଭର୍ତ୍ତି ହୋଇ ଯେଉଁ ମଣିଷ କେଇଜଣ ତଳୁ ଉପରକୁ ଉଠନ୍ତି ସେମାନଙ୍କୁ ସେ ନୀରବରେ ନିରୀକ୍ଷଣ କରେ । ବିଭିନ୍ନ ମଣିଷ, ଭିନ୍ନ ଭିନ୍ନ ପୋଷାକ, ଗଢ଼ଣ ଭିନ୍ନ । ବିଭିନ୍ନ ଭାବ ଭଙ୍ଗୀ ଚାଲିଚଳନ ଢଙ୍ଗ ରଙ୍ଗ ।

 

ହେଇ ଆସୁଛନ୍ତି ବଡ଼ହାକିମ, କେଡ଼େ ସୁନ୍ଦର ପାଲିସକରା ମୁହଁ । ଧୋବ ଫରଫର ପୋଷାକ, ବେକରେ ଟାଇ, ମୁହଁରେ ଚୂରୁଟ ହାତରେ ଆଟାଚି ବ୍ୟାଗ୍‌ ।

 

ଦରମା ମାସକୁ ଦୁଇହଜାର !

 

ସେ ଚମକି ଉଠେ । ଦୁଇ...ହଜାର...!

 

ଶହେ ନୁହେଁ, ଦୁଇଶହ ନୁହେଁ...ଏକାବେଳକେ ଦୁଇ ହଜାର । ନୋଟଗୁଡ଼ାକ ଗଣିଗଣି ହାତ ବିନ୍ଧୁଥିବ ! ସେ ନିଶ୍ଚୟ ଖୁସିରେ ଥିବେ !

 

ଯେତେ ଇଚ୍ଛା ସେତେ ଖର୍ଚ୍ଚ କର । ଖାଅ, ପିଅ । ମଉଜମଜଲିସ କର । ସିନେମା ଥିଏଟର ଦେଖ, ଦାମୀ ପୋଷାକ ପିନ୍ଧି ମଟରଗାଡ଼ି ଚଢ଼ି ରାଜପଥରେ ପାଏଁ ପାଏଁ ଉଡ଼ିଯାଅ !

 

ଏ ହେଉଛନ୍ତି ସାନ ହାକିମ । ଦରମା ମାସକୁ ଦେଢ଼ ହଜାର । ତେବେ ବି ବହୁତ ଟଙ୍କା-। ଦଶଟଙ୍କାର ଦଶଟିକିଆ ଥାକ ପନ୍ଦରଟା । ଗଣିବାକୁ ପ୍ରାୟ ଦଶମିନିଟ୍‌ ଲାଗିବ । ସେ ବି ଖୁସିରେ ଖାଇ ପିଇ ମଜା ଫୁର୍ତ୍ତି କରି ଜୀବନ କାଟୁଥିବେ ।

 

ଏ ହେଉଛନ୍ତି ହେଡ଼୍‌ କିରାଣୀ ବାବୁ । ଦରମା ପାଞ୍ଚଶହ । ମନ୍ଦ ନୁହେଁ । ଏତେଟା ଅଭାବ ନ ଥିବ । ମୋଟା ଖାଇ ମୋଟା ପିନ୍ଧି ତାଙ୍କ ସଂସାର ସୁରୁଖୁରୁରେ ଚଳି ଯାଉଥିବ ।

 

ଏମିତି ବଡ଼ ହାକିମ ଠାରୁ ସାନ ହାକିମ, କିରାଣୀ ବାବୁ ମାନଙ୍କୁ ସମସ୍ତଙ୍କୁ ସେ ନିରୀକ୍ଷଣ କରେ । ବଡ଼ ବଡ଼ ମାନଙ୍କ ମୁହଁରେ ଗାମ୍ଭୀର୍ଯ୍ୟ, ଆଉ ସାନ ପାହ୍ୟାର ବାବୁମାନଙ୍କ ମୁହଁରେ ହସ । ନିଶ୍ଚୟ ସେମାନେ ସୁଖରେ ଥିବେ । ନ ହେଲେ ହସନ୍ତେ କାହିଁକି ? ନଦୀ ଯଦି କଳକଳ ରାଗିଣୀ ତୋଳି ଦୁଇକୂଳ ଉଛୁଳାଇ ବହିଯାଏ ତା ବକ୍ଷରେ ଜଳର ପ୍ରାଚୂର୍ଯ୍ୟ ନାହିଁ ବୋଲି କିଏ କହିବ ?

 

ବେଳେବେଳେ ତାକୁ ବାବୁମାନଙ୍କ ମୁହଁ ଦିଶେନା । ମୁହଁ ବଦଳରେ ଦିଶୁଥାଏ ଖାଲି ବିଡ଼ା ବିଡ଼ା ନୋଟ । କେଉଁଠି ଦୁଇ ହଜାରିଆ ଗୋଟିଏ ବିଡ଼ା ତ କେଉଁଠି ପାଞ୍ଚ ଶହର ଗୋଟିଏ ବିଡ଼ା । ଏମାନଙ୍କର ଆଉ ଅଲଗା ପରିଚୟ ବା କ’ଣ ? ଏମାନଙ୍କ ଜ୍ଞାନ ଗାରିମାର କଳନା କହିବାର ମାପକାଠି ଆଉ କ’ଣ ହୋଇପାରେ । କେବଳ ଟଙ୍କା । ଟଙ୍କାହିଁ ସମସ୍ତଙ୍କ ମାପକାଠି । ଆୟ ଭିନ୍ନ ହୋଇପାରେ, ମାତ୍ର ମସସ୍ତେ ଗୋଟିଏ ଶ୍ରେଣୀର, ଗୋଟିଏ ଗୋଷ୍ଠୀର । ସମସ୍ତେ ଚାକିରିଆ । କେଇଟା ଟଙ୍କାପାଇଁ ମୁଣ୍ଡ ବିକା । ସେମାନଙ୍କ ଭିତରେ ଥିବା ମାନବିକତାର ସଂପୂର୍ଣ୍ଣ ଆତ୍ମ ସମର୍ପଣ ।

 

କିନ୍ତୁ ଏଇ ଟଙ୍କାପାଇଁ ନିଜକୁ ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରିଛନ୍ତି ସେଇ ଟଙ୍କାର ବିନିମୟରେ ସୁଖ ସ୍ୱାଚ୍ଛନ୍ଦ୍ୟ ପାଉଛନ୍ତି ତ ?

 

ସେମାନଙ୍କୁ ବାହାରୁ ନେଇ ତା’ର ମନେ ହୁଏ ସେମାନେ ସମସ୍ତେ ସୁଖୀ ଅଛନ୍ତି । ସାର୍ଥକ ସେମାନଙ୍କର ଆତ୍ମସମର୍ପଣ !

 

ଆଉ, ସେ ଏତେ ଅଭାବ ଅନାଟନ ଭିତରେ ଦହଗଞ୍ଜ ହେଉଛି କାହିଁକି ? ତା’ ଠାରୁ କମ୍‌ ଦରମା ପାଉଥିବା କର୍ମଚାରୀ ତ ଏ ଅନୁଷ୍ଠାନରେ ଅଛନ୍ତି । ତେବେ ସେମାନେ ସମସ୍ତେ କ’ଣ ତା’ପରି ଦେହଗଞ୍ଜ ହେଉଥିବେ ?

 

ଧୀରେ ଧୀରେ ତା’ର ଧାରଣା ବଦଳିଯାଉଛି । ବଡ଼ ହାକିମଙ୍କର ଚପରାଶିଠାରୁ ସେ କେତେଥର ଶୁଣିଲାଣି ଯେ ତାଙ୍କର ଯେତେ ଅଭାବ, ହୁଏତ ଆଉ କାହାରି ନଥିବ ! ପେଟ୍ରୋଲ ବିଲ୍‌ ବାକୀ, ଇନ୍‌ସୁରେନ୍‌ସ ଦିଆଯାଇ ପାରୁନାହିଁ । କ୍ଳବ ବିଲ୍‌ ଏମାସ ଅଧା ଦିଆ ଯାଇଛି । ହେଇ ସେ ଦିନ ପରା ଟଙ୍କା ନାହିଁ ବୋଲି ହାକିମ ଆଉ ହାକିମାଣୀଙ୍କ ଭିତରେ ବଚସା ହେଉଥିଲା ସେ ଶୁଣିଛି ।

 

ସାନ ହାକିମଙ୍କ ଅବସ୍ଥା ଆହୁରି ଖରାପ । ସେ ବେଣାକୁ ଛୋଟ ବାଉଁଶକୁ ମୋଟ । ପୁଅ ଝିଅଙ୍କ ପଢ଼ାଖର୍ଚ୍ଚ ନିୟମିତ ପଠେଇ ପାରୁ ନାହାନ୍ତି । ଗାଡ଼ିର ବ୍ୟାଟେରୀ ଫିଉଜ୍‌ ହୋଇ ଯାଇଛି ଯେ ନୂଆ କିଣିବାକୁ ଟଙ୍କା ଯୋଗାଡ଼ ହୋଇପାରୁ ନାହିଁ । ତେଣୁ ଗାଡ଼ି ଗ୍ୟାରେଜରେ ପଡ଼ିଛି ଆଉ ହାକିମ ଚାଲି ଚାଲି ଅଫିସକୁ ଯାଉଛନ୍ତି !

 

ହେଡ଼୍‌ କିରାଣୀବାବୁଙ୍କ ଘରେ ତ ମାସ ଶେଷକୁ ଖାଲି ଭାତ ଆଉ ଡାଲି । ସେ ସବୁ ପୁଣି ବାକି କାଳିରେ ଅଣାଯାଏ । ପରିବା କିଣିବାକୁ ପଇସା ନ ଥାଏ । ପିନ୍ଧିଲା ଭଳି ପୋଷାକ ନାହିଁ ବୋଲି ପିଲାମାନେ ସବୁଦିନେ ସ୍କୁଲ କଲେଜ ଯାଇପାରୁ ନାହାନ୍ତି ।

 

ବଡ଼ବଡ଼ିଆମାନଙ୍କ ଅବସ୍ଥା ତ ଏମିତି ତଳିଆମାନଙ୍କ କଥା କିଏ ପଚାରୁଛି । ଚପରାଶିମାନଙ୍କ ଭିତରୁ କିଏ ଖବରକାଗଜ ବିକି ପଇସା ରୋଜଗାର କରୁଛି ତ ଆଉ କିଏ ଡେଲି ମାର୍କେଟରେ ଆଳୁ, ପିଆଜ ବିକୁଛି । ତା’ ଛଡ଼ା କିରାଣୀବାବୁମାନଙ୍କ ଭିତରୁ ଅଧିକାଂଶ ତ ଉପଯୁକ୍ତ ବ୍ୟବସ୍ଥା କରି ପାନଦୋକାନ, ବହିଦୋକାନ, ଘଣ୍ଟା ମରାମତି ଦୋକାନ, ଡାଲି ଚାଉଳ ଦୋକାନ ଏମିତି କେତେ ଦୋକାନ ଖୋଲିଛନ୍ତି । ନ କଲେ ଭୋକରେ ରହନ୍ତେ ଯେ ।

 

ସେ ଦୀର୍ଘନିଶ୍ୱାସ ଛାଡ଼ିଲା । ଆଭାର ଅନ୍ଧକାର ରାତ୍ରି ସମସ୍ତଙ୍କୁ ଗ୍ରାସ କଲାଣି । ବଡ଼ର ଅଭାବ, ମଧ୍ୟ ଭଳିଆର ଅଭାବ, ସାନର ଅଭାବ । ଏ ଦୁନିଆଁଟାରେ ଯେମିତି ଅଭାବର ଅନ୍ଧକାର ଘୋଟି ଯାଇଛି ଆଉ ସମସ୍ତେ ସେ ଅନ୍ଧକାର ଭିତରେ ପ୍ରାଚୁର୍ଯ୍ୟର ଆଲୋକ ଆଶାରେ ଅଣ୍ଡାଳି ହେଉଛନ୍ତି । ମୁହଁରେ ହସ କେବଳ ଏଇ ଆଶାରେ ଯେ, ଦିନେ ସେମାନେ ଆଲୋକରଶ୍ମି ଦେଖିବେ-

 

ମାତ୍ର ଏ ହସର ଯେ କେବଳ ଛଳନା ସମସ୍ତେ ଉପଲବ୍‌ଧି କଲେ ବି କେହି ମୁହଁ ଖୋଲି କହି ପାରୁ ନାହିଁ ।

 

ସେ ଲିଫଟ୍‌ର ନିଭୃତ କୋଠରୀରେ ବସି ସେମିତି ହ୍ୟାଣ୍ଡେଲ ଉପରେ ହାତରଖି ଭାବୁଥିଲା ତା’ ନିଜକଥା ଆଉ ତା’ ପରି ଅଭାବ ଅନାଟନରେ ନିଷ୍ପେଷିତ ଅନ୍ୟାନ୍ୟ କର୍ମଚାରୀଙ୍କ କଥା । ଦୁଇଟି ମହଲାର ମଝିରେ ସେମିତି ଲିଫଟ୍‌ ଟି ଗତିହୀନ କରି ରଖିଦେଇ ସେ ଭାବି ଯାଉଥିଲା । ତା’ ଆଖି ଆଗରେ ନାଚି ଯାଉଥିଲା କେତେ ଅଭାବି ସଂସାରର ଦୁଃଖ ନିର୍ଯ୍ୟାତନାର କରୁଣ ଚିତ୍ର ।

 

କାହିଁକି ଆଉ ସେ ଉପରକୁ ଯିବ । ତା ତ କଦାପି ସ୍ୱର୍ଗଲୋକର ପଥ ନୁହେଁ ।

 

କାହିଁକିବା ତଳକୁ ଓହ୍ଲାଇବ । ଯେଉଁଠିକି ଗଲେ ଦେଖିବ ତା ପରି ଆତ୍ମାହୁତି ଦେଉଥିବା ଗୁଡ଼ିଏ ମଣିଷ ଯେଉଁମାନଙ୍କ ମୁହଁରେ ସ୍ୱଚ୍ଛଳତାର ଛଳନାପୂର୍ଣ୍ଣ ହସ କିନ୍ତୁ ଅନ୍ତରରେ ଅଭାବର ନିଷ୍ଠୁର ଛାପ ।

 

ସେମିତି ଅଧାବାଟରେ ରହିବାକୁ ତା’ର ଇଚ୍ଛା ହେଉଥିଲା ।

 

ସୁନ୍ଦର ଛୋଟିଆ ଘର । ବେଶ୍‌ ଚିକ୍‌କଣ ପାଲିସକରା କାନ୍ଥ । ଛୋଟିଆ ପଙ୍ଖାଟିଏ ଘୂରୁଛି । ବେଶ୍‌ ଭଲ ଲାଗୁଛି ।

 

ସେ ଲିଫଟ୍‌ସମ୍ୟାନର ଛୋଟିଆ ସଂସାରରୁ ତା’ପରି ଜଣେ ଅଭାବ ମଣିଷର ବଡ଼ ସଂସାରକୁ ଫେରିଗଲେ ଏମିତି ଆନନ୍ଦ ଆଉ ପାଇବ ନାହିଁ ।

 

ଅଧାବାଟରେ ଲିଫଟ୍‌ ରଖି ଏମିତି ଗୁଡ଼ିଏ ଉଦ୍ଭଟ ଭାବନା ସେ ଭାବୁଥିଲା ।

 

ସେ ଆଉ କେହି ନୁହେଁ । ସେ ହେଉଛି ଲିଫଟ୍‌ସମ୍ୟାନ ଆମ ନିତ୍ୟାନନ୍ଦ ସାହୁ ।

 

ମୁଁ ନିତ୍ୟାନନ୍ଦ ସାହୁ ଆଉ ଆପଣ ବି !

Image

 

ଆଜି ଓ କାଲି

 

ବିଶ୍ୱମୋହନ ଆଉ ସ୍ଥିର ହୋଇ ବସିପାରିଲେ ନାହିଁ । ଏଇ କେତେଦିନ ହେଲା ତାଙ୍କର କ’ଣ ହୋଇଛି କେଜାଣି ସେ ସବୁବେଳେ ନିଜର ଦୁରବସ୍ଥା କଥା ଭାବୁଛନ୍ତି । କିରାଣୀ ଚାକିରୀ କରି ବୁଢ଼ା ହେଲେ; ନିଜପାଇଁ ଓ ନିଜର କୁଟୁମ୍ବଙ୍କପାଇଁ ଗଣ୍ଡେ ଦାନା ଖଣ୍ଡେ କନା ଯୋଗାଡ଼ କରିବାପାଇଁ ସବୁବେଳେ ସେ ଫାଇଲ-ନର୍କରେ ଘାଣ୍ଟି ହେଲେ, ତେବେବି ପେଟ ପୁରିଲା ନାହିଁ ।

ପାଠପଢ଼ିଲା ବେଳେ ସେ କେତେ ସ୍ୱପ୍ନ ଦେଖି ନ ଥିଲେ ! ବଡ଼ କାମ କରିବେ, ମୋଟା ବେତନ ପାଇବେ, ଭଲ ଘରେ ରହିବେ, କାର୍‌ ଚଢ଼ି ମଜା ଫୂର୍ତ୍ତିରେ ଦିନ କାଟିବେ; କିନ୍ତୁ ଏସବୁ ଆଶା ତାଙ୍କର ପାଣିଫୋଟକା ପରି ମିଳେଇଗଲା । ଆଉ ବା କେତେ କାଳ ବଞ୍ଚିବେ ? ଆଉ ବର୍ଷ ପାଞ୍ଚଟା ତ ଚାକିରୀ ଅଛି । ତା’ ପରେ ଅବସର । ସେ କୁଟୁମ୍ବ ଭିତରେ ଜଣେ ଅନାବଶ୍ୟକ ଅଲୋଡ଼ା ମଣିଷ ହୋଇ ଖାଲି ମୃତ୍ୟୁ ଅପେକ୍ଷାରେ ବଞ୍ଚି ରହିବେ ।

ଆଃ, କୌଣସି ସୂତ୍ରରୁ ଯଦି କିଛି ମାଲ ମିଳିଯାଆନ୍ତା ତେବେ ଅବଶିଷ୍ଟ ଜୀବନଟା ହେଲେ ଉପଭୋଗ କରନ୍ତେ । ଯୁବା ବୟସରେ ନ ହେଲା ତ ନାଇଁ ଅନ୍ତତଃ ବୁଢ଼ାଦିନେ କାର୍‌ଖଣ୍ଡେ ଚଢ଼ି ଟିକିଏ ଆରାମରେ ରାଜପଥରେ ଘୂରି ଆସନ୍ତେ !

ହଠାତ୍‌ ଧନୀ ହେବାର ସ୍ୱପ୍ନ ଦେଖୁ ଦେଖୁ ବିଶ୍ୱମୋହନ ସ୍ଥିର କଲେ ଖଣ୍ଡିଏ ଲଟେରୀ ଟିକେଟ୍‌ କିଣିବେ । ଲଟେରୀରେ ଲକ୍ଷ ଲକ୍ଷ ଟଙ୍କା ପୁରସ୍କାର ମିଳୁଛି । ଯଦି ଭାଗ୍ୟକୁ ଅନ୍ତତଃ ଲକ୍ଷେଟଙ୍କା ଖଣ୍ଡେ ମିଳିଯାଆନ୍ତା ତେବେ ଛାଡ଼- ଆଉ କିଏ ଛିଣ୍ଡା ଚଟି ଘୋଷାରି ଘୋଷାରି ଅଫିସ ଦଉଡ଼ନ୍ତା ? ଚାକିରୀଟା ଛାଡ଼ିଦେଇ କୌଣସି ଧନ୍ଦା ଧରିଲେ ଲକ୍ଷ୍ମୀଙ୍କର ବାଟ ଫିଟିଯାଆନ୍ତା ।

ଲକ୍ଷେଟଙ୍କା ପାଇବା କିଛି ବଡ଼କଥା ନୁହେଁ । ଖଣ୍ଡେ ଖଣ୍ଡେ ଟିକେଟ୍‌ ତ କିଣି ଲୋକେ ପାଞ୍ଚଲକ୍ଷ, ସାତଲକ୍ଷ ପାଉଛନ୍ତି ।

 

ଘରଖର୍ଚ୍ଚରୁ କୌଣସି ପ୍ରକାରେ କାଟି ବିଶ୍ୱମୋହନ ତାଙ୍କ ଛାତି ପକେଟରେ ଖଣ୍ଡେ ଟଙ୍କିକିଆ ନୋଟ୍‌ ସାଇତି ରଖିଥିଲେ ।

 

ପିଲାମାନେ କେହି ଦେଖିନାହାନ୍ତି, ନଚେତ୍‌ ଏଯାଏଁ ସେ ଟଙ୍କାଟା ନ ଥାନ୍ତା; କେଉଁ ଦିନରୁ ନେଇ ଚିନାବାଦାମ କିମ୍ବା ବାରମଜା ଖାଇସାରନ୍ତେଣି । ଗୃହିଣୀ ବି ଦେଖିନାହାନ୍ତି; ନ ହେଲେ କେଉଁ ଛଟକରେ ସେ ଖଣ୍ଡିକ ନେଇ ଚୂନାମାଛ ଅଧକିଲେ ଆଣି ଓଳିଏ ଆଇଁଷ ପାଟି କରିସାରନ୍ତେଣି । ନଚେତ୍‌ ଖରାବେଳିଆ ସେ ଅଫିସକୁ ଗଲାପରେ ଏବଂ ପିଲାମାନେ ସ୍କୁଲକୁ ଯାଇଥିବାର ସୁଯୋଗ ନେଇ ସାଇପଡ଼ିଶା ସାଙ୍ଗ ସାଥୀଙ୍କୁ ନେଇ ସେ ଟଙ୍କାଟିରେ କିଛି ବରା ପିଆଜି ଆଣି ଉଦରସ୍ଥ କରିସାରନ୍ତେଣି ।

 

ମାର୍କେଟକୁ ଯିବେ ଯିବେ ବୋଲି ସେ ଯାଇପାରୁନାହାନ୍ତି । ଆଜି ରବିବାର; ତେଣୁ ଆଉ କାଳ ବିଳମ୍ବ ନ କରି ଟିକେଟ୍‌ଟା ନେଇଆସିବା ଭଲ । ଉଠାଣ ତାରିଖଟା ବି ପାଖେଇ ଆସୁଛି ।

 

ଜାମାଯୋଡ଼ ହୋଇ ବିଶ୍ୱମୋହନ ବାହାରି ପଡ଼ିଲେ । ରାଜପଥରେ ପାଦ ଦେଉଁ ଦେଉଁ କାର୍‌ଟିଏ ସାଏଁ କରି ତାଙ୍କ ପାଖଦେଇ ଚାଲିଗଲା । ବିଶ୍ୱମୋହନ ରାସ୍ତାକଡ଼କୁ ଘୁଞ୍ଚି ଆସିଲେ ନ ହେଲେ ହୁଏତ ତାଙ୍କ ଦେହରେ ଧକ୍‌କା ଖାଇଥାନ୍ତା ।

 

ସେ ମନେ ମନେ ରକ୍ତଚାଉଳ ଚୋବେଇ ହେଲେ । ହ୍ୟାପ ଡ୍ରାଇଭରି କରୁଛି, ସଂଯତ ହୋଇ ଗାଡ଼ି ଚଳେଇ ଶିଖି ନାହିଁ ।

 

ଆଉ ତାଙ୍କର ଯେତେବେଳେ ଗାଡ଼ି କିଣା ହେବନା ସେ ଡ୍ରାଇଭରକୁ କଡ଼ା ତାଗିଦ୍‌ କରିଦେବେ । କେବେ ଯଦି ଏମିତି ବେପରୁୱା ଭାବରେ ଗାଡ଼ି ଚଳେଇବନା ସାଙ୍ଗେ ସାଙ୍ଗେ କାମରୁ ବରଖାସ୍ତ ।

 

ରାସ୍ତାର ମୋଡ଼ ବୁଲୁ ବୁଲୁ ସେ ଛାତି ପକେଟରେ ଆଉଥରେ ହାତ ଭର୍ତ୍ତି କଲେ । ଟଙ୍କିକିଆ ନୂଆନୋଟ୍‌ଟା ଖଡ଼ ଖଡ଼ କରୁଛି । ମାର୍କେଟ ଭିତରେ ପଶୁ ପଶୁ ବିଶ୍ୱମୋହନ ଶୁଣିବାକୁ ପାଇଲେ ସେହି ଆଶାର ବାଣୀ । ଅନ୍ୟ ଦିନମାନଙ୍କରେ ଯେତେବେଳେ ସେ ଖଡ଼ା ଦି’ଗଛ କି ସାରୁ କିଲେ ଆଣିବା ପାଇଁ ମାର୍କେଟ ଭିତରେ ପଶୁଥିଲେ ଏଇ ଡାକରା ଶୁଣି ତାଙ୍କୁ ବିରକ୍ତ ମନେ ମନେ ଚିଡ଼୍ ଚିଡ଼୍‌ ହେଉଥିଲେ । ଓଃ, କି ଗର୍ଜନ, ମାଇକ୍‌ଟା କାନ ଲାଗୁଥିଲା । ଅତଡ଼ା ପେକଇଦେଉଛି ।

 

କ’ଣନା ଲଟେରୀ ଟିକେଟ୍‌ କିଣନ୍ତୁ । ଲକ୍ଷପତି ହେବାର ସୁଯୋଗ ହରାନ୍ତୁ ନାହିଁ । ହ୍ୟାପ ଯେତେକ ଭାଣ୍ଡାମୀ ।

 

ଆଜି କିନ୍ତୁ ଏ ମାଇକ୍‌ର ଚିତ୍‌କାର ତାଙ୍କ କାନକୁ କର୍କଶ ଶୁଣା ନ ଯାଇ ଖୁବ୍‌ ମିଠା ଲାଗୁଛି ।

 

-ଅପୂର୍ବ ସୁଯୋଗ ହରାନ୍ତୁ ନାହିଁ । କିଏ କହି ପାରିବ କାହାର ଭାଗ୍ୟ ? କେହି କହି ପାରିବେ ନାହିଁ । କେହି କେହି ପାରିନାହାନ୍ତି, ମାତ୍ର ଟଙ୍କାଟିଏ ଦେଇ ଲକ୍ଷପତି ହୁଅନ୍ତୁ ।

 

-କେତେ କୁଆଡ଼େ ଯାଉଛି । ପାନ ସିଗାରେଟ୍‌ରେ ଖର୍ଚ୍ଚ କରୁଛନ୍ତି । ସିନେମା ଥିଏଟର ଦେଖି ପଇସା ଉଡ଼ିଯାଉଛି । ମାତ୍ର ଗୋଟିଏ ଟଙ୍କା ଦେଇ ନିଜର ଭାଗ୍ୟ ପରୀକ୍ଷା କରନ୍ତୁ ।

 

ବିଶ୍ୱମୋହନ ମନେ ମନେ ଖୁସି ହେଲେ । ସତକଥା ତ କହୁଛି ! କେତେ କୁଆଡ଼େ ଯାଉଛି, ଟଙ୍କାଟେ ବା କେତେ, ଅତି ବେଶୀ ହେଲେ ତା ବଦଳରେ ମିଳିବ ସାରୁ ଦି’ କିଲୋ କିମ୍ବା ଖଡ଼ାଗଛ ଦଶଟା । କି ବୁଦ୍ଧି ଯେ ତାଙ୍କର ! ଏଇବାଟେ ସେ ଏତେଥର ଯାଇଛନ୍ତି; ମାତ୍ର ଏ ଯାଏଁ ଏ କଥାରେ ଗୁଢ଼ତତ୍ତ୍ୱ ସମଝିପାରି ନ ଥିଲେ । ଆଗରୁ ଖଣ୍ଡେ ଟିକେଟ୍‌ କିଣିଥିଲେ ଏତେବେଳକୁ ହୁଏତ ଲକ୍ଷପତି ହୋଇ ବସିଥାନ୍ତେ ।

 

ସାପ ପଦ୍ମତୋଳା ଶୁଣି ଗାତ ଭିତରୁ ବାହାରି ଧୀରେ ଧୀରେ କେଳା ପାଖକୁ ଗଲାପରି ବିଶ୍ୱମୋହନ ସେ ମଧୁର ଆବାଜ ଶୁଣି ମାଇକ୍‌ ଆଡ଼କୁ ଆଗେଇଲେ । ହେଇତ, କେତେଜଣ ଛିଡ଼ା ହୋଇଛନ୍ତି ଟିକେଟ୍‌ ପାଇଁ । ଏତେ ଲୋକ ଟିକେଟ୍‌ ନେଉଛନ୍ତି । ଆଉ ସେ ଏଡ଼େ ବୋକା ଯେ ଟଙ୍କାଟା ପକେଟରେ ସାଇତି ରଖିଥିଲେ ମଧ୍ୟ ଖଣ୍ଡେ ଟିକେଟ ଏ ଯାଏଁ ନେଇପାରିନାହାନ୍ତି !

 

ମାଇକ୍‌ ଆଡ଼କୁ ଯାଉଁ ଯାଉଁ ହଠାତ୍‌ ବିଶ୍ୱମୋହନଙ୍କ ନଜର ପଡ଼ିଲା କିଏ ଜଣେ ରାସ୍ତା କଡ଼କୁ ବସିଛି । ତା ସାମ୍ନାରେ ଖଣ୍ଡେ ଗାମୁଛାରେ ଥୁଆ ହୋଇଛି ଧଳା ଧଳା ଗୁଡ଼ିଏ ଅଣ୍ଡା । ରାସ୍ତାର ବିଜୁଳି ଆଲୁଅରେ ଗୋଲାକାର ସଫେଦ୍‌ ଅଣ୍ଡାଗୁଡ଼ିକ ଚିକ୍‌ ଚିକ୍‌ କରୁଛି ।

 

ଆହା କେଡ଼େ ସୁନ୍ଦର ଧୋବ ଫରଫର ଅଣ୍ଡା ଗୁଡ଼ିଏ । ଧାଡ଼ିକି ଧାଡ଼ି ସଜା ହୋଇଛି ।

 

ସେ ଟିକିଏ କାନେଇଲେ । ଲୋକଟି ଡାକୁଛି । ନିଅନ୍ତୁ ଆଜ୍ଞା । କଞ୍ଚା ନିଅନ୍ତୁ, ଖୁସି ହେଲେ ଏଇଠି ଛିଡ଼ା ହୋଇ ସିଝା ଅଣ୍ଡା କେଇଟା ଖାଆନ୍ତୁ । ଗରମ ଗରମ ସିଝା ଅଣ୍ଡା । କାଟିଦେଲେ ବାମ୍ଫ ବାହାରିବ ! ଗୋଲମରିଚ ଗୁଣ୍ଡଲୁଣ ଦେଇ ପୁଞ୍ଜେ ଦିପୁଞ୍ଜା ଯେତେ ଇଚ୍ଛା ସେତେ ଖାଇ ଯାଆନ୍ତୁ । ଗଣ୍ଡାଏ ଦି’ଗଣ୍ଡା ଅଣ୍ଡା ଖାଇ ଭେଣ୍ଡା ହୁଅନ୍ତୁ । ଥଣ୍ଡାଦିନ ଆଜ୍ଞା ଦେହଟାକୁ ତାଜା କରିନିଅନ୍ତୁ ।

 

ବିଶ୍ୱମୋହନ ଟିକିଏ ଛିଡ଼ା ହୋଇ ନିରୀକ୍ଷଣ କଲେ । ଆହା କେଡ଼େ ସୁନ୍ଦର ସଫେଦ୍‌ ଅଣ୍ଡାଗୁଡ଼ିକ । ଏ ମହରଗ କାଳରେ ଖଡ଼ା ତ ମିଳୁନାହିଁ । ଅଣ୍ଡା ମୁହଁ ବା କିଏ ଚାହୁଁଛି । ଅକାଳେ ସକାଳେ କେବେ ଗୋଟେ ଦିଇଟା ଘରକୁ ଆସିଲେ ପିଲାଗୁଡ଼ାକ ଟଣା ଓଟରା ହୁଅନ୍ତି । ସେମାନଙ୍କ ମୁହଁରୁ ବଞ୍ଚିଲେ ସିନା ତାଙ୍କ ତୁଣ୍ଡକୁ ଯିବ !

 

ଦେହ ଟିକିଏ ଶୀତେଇ ଉଠିଲା, ସତେ ତ ବେଶ୍‌ ଥଣ୍ଡା ପଡ଼ିଲାଣି । ଏ ଶୀତକୁ ଯଦି କେତେଟା ଗରମ ଗରମ ସିଝା ଅଣ୍ଡା ପେଟରେ ପଡ଼ିଯାଆନ୍ତା ତେବେ ଛାଡ଼- ପାଞ୍ଚ ମିନିଟ୍‌ରେ ଦେହଟା ତାଜା ହୋଇଯାଆନ୍ତା !

 

ଏଇ ଅଣ୍ଡା ବିଷୟରେ ପିଲାଦିନେ ସ୍ୱାସ୍ଥ୍ୟରକ୍ଷା ବହିରେ ସେ କେତେ ପଢ଼ି ନ ଥିଲେ । ଅଣ୍ଡା ନୁହେଁ ତ ପ୍ରୋଟିନ୍‌ର ଭଣ୍ଡାର । ଏଥିରେ ଖାଲି ଜୀବନୀକା ଖୁନ୍ଦି ହୋଇଛି । ଦିନକୁ ଅନ୍ତତଃ ଗୋଟେ ଲେଖା ଖାଇଲେ ମଣିଷ ବମ୍‌ ବନିଯାଆନ୍ତା !

 

ବିଶ୍ୱମୋହନଙ୍କ ପାଟି ଭିତରେ ଲାଳ ଜକେଇ ଆସିଲା । ଏଇଠି ଏମିତି ଛିଡ଼ା ହୋଇ ଗୋଟାକ ପରେ ଗୋଟେ ଟକ୍‌ଟାକ୍‌ ପାଟିରେ ପକାଇ ଦେଲେ କେମିତି ହୁଅନ୍ତା ? କଞ୍ଚା ଅଣ୍ଡା କିଣି ଘରକୁ ନେଲେ କିଛି ଲାଭ ହେବନି । ଏତେ ଛୁଆଙ୍କ ମୁହଁରେ ଦି ତିନିଟା ଅଣ୍ଡା ବା କୁଆଡ଼କୁ ହେବ-। ଓଟ ମୁହଁକୁ ଜିରା । ପାଟିଟା ଯେତେ ଟକଟକ ହେଲେବି ତାଙ୍କ ଭାଗରେ, ଫାଳେ କି ଚଉଠେ ପଡ଼ିବ ନାହିଁ ।

 

ସେଇଠି ଥକ୍‌କା ହୋଇ ବିଶ୍ୱମୋହନ ଛିଡ଼ା ହୋଇଗଲେ । ମାଇକ୍‌ରୁ ସେମିତି ଆଶାର ବାଣୀ ପ୍ରଚାରିତ ହେଉଛି । ତା’ର ବଜ୍ରନିନାଦରେ ଅଣ୍ଡା ଧରି ବସିଥିବା ମିଆଁର କ୍ଷୀଣସ୍ୱର କୁଆଡ଼େ ହଜିଯାଉଛି ।

 

ସେ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଲେ । ଗୋଟିଏ ଆଡ଼େ ଭବିଷ୍ୟତ ସମ୍ଭୋଗର ରଙ୍ଗୀନ ସ୍ୱପ୍ନ, ଅନ୍ୟ ଆଡ଼େ ବର୍ତ୍ତମାନପାଇଁ ବଞ୍ଚିବାର ମୋହ । କେଉଁଟିକି ସେ ଗ୍ରହଣ କରିବେ ?

 

ଦୁଇଆଡ଼ୁ ଦୁଇଟି ଆକର୍ଷଣ ତାଙ୍କ ମନକୁ ଦୃଢ଼ ଭାବରେ ଓଟାରିବାକୁ ଲାଗିଲା । ସେ କଣ କରିବେ ହଠାତ୍‌ ଠିକ୍‌ କରିପାରିଲେ ନାହିଁ । ମୁଣ୍ଡଟା ତାଙ୍କର ଗୋଳମାଳିଆ ହୋଇଗଲା ।

 

ଦୁଇଟି ସୁନ୍ଦର ଖେଳନା ମଝିରେ ଛିଡ଼ା ହୋଇ ଶିଶୁ ଯେପରି କେଉଁଟିକୁ ନେବ ସ୍ଥିର କରି ନ ପାରି ଦୁଇଆଡ଼େ ପର୍ଯ୍ୟାୟକ୍ରମେ ଚାହେଁ ବିଶ୍ୱମୋହନ ସେମିତି ଥରେ ଲଟେରୀ ଟିକେଟ୍‌ ଆଡ଼େ ଓ ଥରେ ସେ ଅଣ୍ଡାଗୁଡ଼ିକ ଆଡ଼େ ଅବଲୀଳାକ୍ରମେ ବାରମ୍ବାର ଦୃଷ୍ଟିପାତ କରିବାକୁ ଲାଗିଲେ-। ଦୁଇଟି ବିପରୀତ ମୁଖୀ ଚିନ୍ତାସ୍ରୋତ ତାଙ୍କ ମସ୍ତିଷ୍କ ଭିତରେ ଏପରି ବେଗରେ ବହିବାକୁ ଲାଗିଲା ଯେ ତାଙ୍କର ମନକୁ ସେ କୌଣସି ଗୋଟିଏ ସ୍ରୋତର ଅନୁକୂଳରେ ଭସାଇ ଦେଇ ପାରିଲେ ନାହିଁ ।

 

ମାଇକ୍‌ ଆଡ଼େ ଚାହିଁଲେ ତାଙ୍କୁ ଦିଶୁଥିଲା ଖଣ୍ଡେ ଲଟେରୀ ଟିକେଟ୍‌, ଆଉ ତା’ ସହିତ ଥାକ ଥାକ ନୋଟ୍‌ । ଦଶଟଙ୍କିଆ ଶହେଟଙ୍କିଆ ବିଡ଼ାକୁ ବିଡ଼ା । ପାଞ୍ଚ ହଜାର, ଦଶ ହଜାର, ପଚାଶ ହଜାର, ଲକ୍ଷେ । ଏତେଗୁଡ଼ାଏ ନୋଟ ସେ ଏକାବେଳକେ କେବେ ଦେଖି ନ ଥିଲେ । ହଠାତ୍‌ ହଜାର ହଜାର ଟଙ୍କା ଦେଖି ତାଙ୍କ ମୁଣ୍ଡ ଗୋଳମାଳ ହୋଇଗଲା ।

 

ମୁହଁକୁ ବୁଲାଇ ସେ ମିଆଁ ଆଡ଼େ ଚାହିଁଲେ । ସଫେଦ୍‌ ଅଣ୍ଡାଗୁଡ଼ିକ ଜକଜକ ଦିଶୁଥିଲା । ଗୋଟେ ଦୁଇଟା ନୁହେଁ, ଶହଶହ ଅଣ୍ଡା, ଝୁଡ଼ି ଉପରେ ଝୁଡ଼ି । ହଜାର ହଜାର ଅଣ୍ଡା ତାଙ୍କୁ ହାତଠାରି ଡାକୁଥିଲେ । ସେ ଦେଖି ପାରୁଥିଲେ ସଫେଦ୍‌ ଖୋଳପା ଭିତରେ ଆହୁରି ସଫେଦ୍‌ ନରମ ଅଂଶ-। ତା’ଭିତରେ ଈଷତ୍‌ ହଳଦିଆ ଗୋଲାକୃତି ଅଂଶଗୁଡ଼ିକ । ହାତକୁ ଗରମ ଲାଗୁଛି । ବାମ୍ଫ ବାହାରୁଛି-

 

କିଛି ସମୟ ପରେ ସେ ଆଉ କାହାରିକୁ ଦେଖିପାରିଲେ ନାହିଁ । ତାଙ୍କୁ କେବଳ ଦିଶୁଥିଲା ବିଡ଼ା ବିଡ଼ା ନୋଟ । ଝୁଡ଼ି ଝୁଡ଼ି ଅଣ୍ଡା । ଅଣ୍ଡା ଆଉ ନୋଟ, ନୋଟ ଆଉ ଅଣ୍ଡା । ହଠାତ୍‌ ନୋଟଗୁଡ଼ାକ କୁଆଡ଼େ ଉଭେଇ ଗଲେ । ସେ ଦେଖିପାରିଲେ କେବଳ ଅଣ୍ଡା । ଖୋଳପା ଛଡ଼ା ହୋଇ ଛୁରୀରେ କଟାଯାଇଛି । ଗୋଲମରିଚଗୁଣ୍ଡ ଲୁଣଦିଆ ହୋଇଛି । ସେ ହାତରେ ଧରି ଉଷୁମ ଉଷୁମ ଅଣ୍ଡାଖଣ୍ଡଟିମାନ ପାଟିରେ ପକାଉଛନ୍ତି । ଆଃ କି ମୁଲାଏମ, କି ସୁଆଦ !

 

ମିଆଁ ପଚାରୁଥିଲା, ବାବୁ; ତିନିଟା ଖାଇସାରିଲଣି । ଟଙ୍କାକର ହୋଇଗଲା । ଆଉ ଦେବି ?

Image

 

କାଚଘର

 

ଦେବରଙ୍କ ପାଇଁ କନ୍ୟା ଦେଖା ।

 

ଅଚାନକ ସେଦିନ କ୍ୱାଟରରେ ପହଞ୍ଚି ଜିଦ୍‌ କଲେ, ଭାଉଜ, ତୁମେ ନ ଗଲେ ହେବ ନାହିଁ । ଆଉ ଯେତେଲୋକ ଗଲେ ବି ତୁମର ଅନୁମୋଦନ ନହେଲେ ମୁଁ ସେଠି ବିବାହ କରିବି ନାହିଁ ।

 

ଅଗତ୍ୟା ଯିବାକୁ ବାଧ୍ୟ ହେଲେ ଶ୍ୱେତପଦ୍ମା । ସେ ଜାଣିଥିଲେ ଦେବର ଯାହା ଖାଲି ଧର୍ମକୁ ଆଖିଠାର ମାରୁଛନ୍ତି ନ ହେଲେ କଟକରେ ଅଛନ୍ତି ଆଉ ସେ କଟକୀ ଝିଅକୁ ଏଯାଏ ଦେଖି ନଥିବେ । ଜାଣି ଚତୁର !

 

ଟାକ୍‌ସିଟା ଉଜ୍ଜ୍ୱଳ ଆଖି ଦି’ଟାରେ ବାଟ ଦେଖି ଦେଖି ଛୁଟିଥିଲା । ପବନ ସାଇଁ ସାଇଁ ଗର୍ଜ୍ଜୁଛି । ପିଟି ହେଉଛି ତାଙ୍କ ମୁହଁରେ । ଗାଲ ଆଉ କାନମୂଳ କାଲୁଆ ଲାଗିଲାଣି । କେରାଏ କେଶ ଅସଞ୍ଜତ ହୋଇ ତାଙ୍କ ଆଖିଉପରେ ପଡ଼ିଲା । ସେ ତାକୁ ସଜାଡ଼ି ନେଲେ ।

 

ଶ୍ୱେତପଦ୍ମା ଅଶ୍ୱସ୍ତି ବୋଧ କଲେ । ପିଲାଟା ବଡ଼ ଅସୁବିଧାରେ ଶୋଇଛି । ତଥାପି ଙ୍ଘୁଗୁଡ଼ି ମାରିଲାଣି କେତେବେଳୁ । ସେ ବାହାରକୁ ଚାହିଁଲେ । ଆକାଶରେ ମେଘ ତମ୍ବୁ ପକେଇଛି । ତାରାଗୁଡ଼ିକ ଲୁଚି ଗଲେଣି । ବରଷାର ଲୁହଧାର ଝରି ପଡ଼ିବ କି ଆଉ ? ତା’ହେଲେତ ଯିବାରେ ଖୁବ୍‌ ଅସୁବିଧା ହେବ ।

 

ସରୋଜ ସାଥୀରେ ଆସିଥିଲେ; କିନ୍ତୁ ତାଙ୍କର କଣ ସରକାରୀ କାମ ଥିବାରୁ କଟକରେ ଅଟକି ଗଲେ । ଝିଅଦେଖା ପର୍ବ ସରିଲାବେଳକୁ ସନ୍ଧ୍ୟା ସାତଟା । ମାତ୍ର ଘରଦ୍ୱାର ଛାଡ଼ିଯାଇଥିବାରୁ ସେ ଆସିବାକୁ ବାଧ୍ୟହେଲେ ।

 

ଗାଡ଼ିରେ ବସି ବସି ପିଠି ବିନ୍ଧିଲାଣି । କଟକରୁ ବ୍ରହ୍ମପୁର ତ ଅନେକ ବାଟ । ଟାକ୍‌ସିରେ ଗଲେ ବି ମଣିଷ କ୍ଳାନ୍ତ ହୁଏ । ଆକାଶଟା କାନ୍ଦିବାକୁ ଆରମ୍ଭ କରି ଦେଇଛି । ଆର୍ତ୍ତ ବିଳାପ ନୁହେଁ । ଏକ କ୍ରମ କରୁଣ ମୂର୍ଚ୍ଛନା । ଅତି ଧୀରେ, ଅତି ସନ୍ତର୍ପଣରେ ସେ କାନ୍ଦିଛି ବାପଘର କଥା ଝୁରିହୋଇ ନୂଆବୋହୂ ମାନେ ଚୁପିଚୁପି କାନ୍ଦିଲା ପରି । କାଳେ କିଏ ଦେଖିବ । ଶାଶୁ ଜାଣିଲେ କେତେ ଅଭିମାନିଆ କଥା କହିବେ; କାନ୍ଦୁଛୁ ଝିଅ । ଆମଘର କଣ ମନକୁ ଯାଉନାହିଁ ? ତୋ ବାପ ସିନା ବଡ଼ଲୋକ, ତୋତେ ଘିଅ ଖୋଇ କ୍ଷୀରରେ ହାତ ଧୁଆଇଥିଲା । ଆମଘରେ ଖାଲି ଗରିବର ଶାଗ ପଖାଳ ।

 

ଶଶୁର ଶାଶୁଙ୍କ ଉପରେ ବିଗିଡ଼ିବେ । ଆରେ ପିଲାଟା ଏମିତି କାନ୍ଦୁଛି । ତୁମେ ସବୁ କ’ଣ କରୁଛ ?

 

ଶ୍ୱେତପଦ୍ମା ବି ଏମିତି ପ୍ରଥମେ ପ୍ରଥମେ କାନ୍ଦୁଥିଲେ । ଧୀରେ ଧୀରେ ସବୁ ଦେହସୁହା ହୋଇଗଲାଣି ।

 

ବେଶ୍ ରାସ୍ତା ଆଗେଇ ଆସିଲେଣି ସେମାନେ । ହେଇତ ଖୋର୍ଦ୍ଧା । ସହର ଦୀପାଳୀ ଜଳୁଛି । ଦି’ଧାଡ଼ି ଆଲୁଅ ଉଡ଼ିଯାଉଛି । ଖୋର୍ଦ୍ଧା ରହିଯାଇଛି ପଛରେ । ବର୍ଷା ବି ଛାଡ଼ିଗଲାଣି । ଆକାଶଟା ପରିଷ୍କାର ହୋଇଆସୁଛି । ଭିଣା ତୁଳା ଭଳି ମେଘ ଉଡ଼ି ଯାଉଛନ୍ତି ଦୂରକୁ । ବେଶ୍‌ ସୁଲୁସୁଲିଆ ପବନ ବହୁଛି । କୁତୁକୁତୁ ଲାଗୁଛି । ଯାଃ ଏ ପାଗରେ ଯା’ ସରୋଜ ରହିଗଲେ !

 

ପିଲାଟା ମୁତି ଦେଇଛି । ହାତକୁ ଓଦା ଓଦା ଲାଗିଲାଣି । ନା, ଏମିତି ଆଉ ବସି ହେବନାହିଁ । ଟର୍ଚ୍ଚ ଜଳାଇଲେ ।

 

ସେ କନାଟା କାଢ଼ିଦେଇ ଆଉ ଖଣ୍ଡେ ଶୁଖିଲା କନା ଦେଲେ, ପିଲାର ଚୂନା ଚୂନା କେଶକେରାକ ଟିକିଏ ସଜାଡ଼ି ଦେଲେ । ତା ଧନୁଆ ଭ୍ରୁଲତା ଉପରେ ଜମିଥିବା ମଇଳା ଟିକିଏ ଝାଡ଼ିଦେଲେ । କୁନି ଦେହଟି ଉପରେ ହାତର କୋମଳପରଶ ଦେଇ ଆଉଁସି ଦେଲେ । ଓଦାଳିଆ ଲାଗି ତା’ ନିଦ ଭାଙ୍ଗି ଯାଇଥିଲା । ଏଥର ଆଖି ବୁଜିଲାଣି । ଶୋଇଛି । ଛୋଟ ଛୋଟ ଓଠ ପାପୁଡ଼ାରେ କ୍ଷୀଣ ହସରେଖାଟିଏ ଟାଣି ହୋଇଯାଇଛି ।

 

ଶ୍ୱେତପଦ୍ମା ବାହାରକୁ ଚାହିଁଲେ । ଚାନ୍ଦ ଦିଶିଲାଣି । ତାରାମାନେ ମିଟ୍‌ମିଟ୍‌ କରି ଆଖିଠାର ମାରିଲେଣି ।

 

ଏଇ ଚାନ୍ଦଟା ତାଙ୍କର କେତେଦିନରୁ ପରିଚିତ । ତା’ ସୁନ୍ଦର ମୁହଁକୁ ଚାହିଁ ସେ କେତେ ରାତ୍ରି ଉଜାଗର ରହିନାହାନ୍ତି ତାଙ୍କ କୁମାରୀ ଜୀବନରେ ।

 

ସୁନ୍ଦରୀ ବୋଲି ତାଙ୍କୁ ସମସ୍ତେ ପ୍ରଶଂସା କରୁଥିଲେ । ତନୁପାତଳି । ଗହମ ରଙ୍ଗର ଦେହ । କ୍ଷୀଣ କଟୀ । ଦୀର୍ଘ କେଶଦାମ । ନୟନରେ ଭସା ଭସା ବାଦଲର ଚାହାଣୀ । ଆରକ୍ତ ଗଣ୍ଡ । ଉନ୍ନତ ନାସିକା । ରକ୍ତିମ ଅଧର । ସଜଫୁଟା ଗୋଲାପ ପରି ସଜଳ ଛଳଛଳ ମୁହଁ- ଏମିତି କେତେ ସୁନ୍ଦର ସୁନ୍ଦର ଉପମାମାନ ଦେଇ ତାଙ୍କ ସାଙ୍ଗସାଥୀମାନେ ତାଙ୍କ ରୂପର ପ୍ରଶଂସା କରୁଥିଲେ । ଆରତୀ ଅପା ତାଙ୍କ କାନରେ ଚୁପିଚୁପି କହୁଥିଲା, ଆଲୋ ଶ୍ୱେତା ! ମୋଠାରୁ ବୟସରେ ଛୋଟ ହେଲେ ତୋର ସେ ଦୁଇଟି କଣ ମୋ ଅପେକ୍ଷା ଅଧିକ ଉନ୍ନତ ହୋଇ ଗଲାଣି । କଣ କେଉଁଠି କିଛି... ?

 

ଛି ବଜାରିଟା- ବାର ତୁଠରେ ପାଣି ଚାଖିବାକୁ ତାର ମନ !

 

ବିବାହ ପରେ ଯେଉଁଦିନ ସେଇକଥା କହି ସରୋଜ ସେ ଉନ୍ନତ ଉଦ୍ଧତ ବୁକୁର ପ୍ରଶଂସା କରିଥିଲେ ସେ ଏତେ ଲାଜରା ହୋଇ ଯାଇଥିଲେ ଯେ ସାରାଦିନ ତାଙ୍କ ମୁହଁକୁ ଚାହିଁ ପାରି ନଥିଲେ ।

 

ଏବେ ବି ତାଙ୍କ ଦେହରେ ସୌନ୍ଦର୍ଯ୍ୟ ଲହଡ଼ି ଭାଙ୍ଗୁଛି । ଚାରିଟା ବର୍ଷର ବିବାହ । ଗୋଟିଏ ସନ୍ତାନ । ସେଥିରେ ପୁଣି ସରୋଜଙ୍କ ଯେଉଁ ଯତ୍ନ । ସୌନ୍ଦର୍ଯ୍ୟ ଅତୁଟ ରହିଛି ।

 

ତାଙ୍କ ହସରେ କୁଆଡ଼େ ଯାଦୁ ଅଛି । ସେ କଥାତ ସରୋଜ କହନ୍ତି । ସରୋଜଙ୍କ ଛାତିକୁ ଆଉଜି ଯେତେବେଳେ ସେ ଓଠ ପାପୁଡ଼ାରେ ଈଷତ୍‌ ହସ ଖେଳେଇ ସରୋଜଙ୍କୁ ଆକୁଳ ଆବେଗରେ ଚାହିଁ ରହନ୍ତି ତାଙ୍କର ସେଇ ଭଙ୍ଗୀଟି କୁଆଡ଼େ ଅତି ଅପୂର୍ବ ଦେଖାଯାଏ । ସେ କହନ୍ତି, ପଦ୍ମା, ଡାଭିନିସି ଯଦି ପୁଣି ଥରେ ଜନ୍ମ ଗ୍ରହଣ କରନ୍ତେ ତାହାହେଲେ ତୁମର ଏ ଭୁବନମୋହନୀ ରୂପ ଆଉ ଯାଦୁକରୀ ହସ ଦେଖି ସେ ଯେଉଁ ଛବି ଆଙ୍କନ୍ତେ, ନାଁ ତା ହୁଅନ୍ତା ବିଂଶ ଶତାବ୍ଦୀର ‘ମୋନାଲିସା !’

 

ଯାଃ ଆଜି ଖାଲି ଏଇକଥାଗୁଡ଼ାକ ମନେ ପଡ଼ୁଛି ।

 

ଟ୍ୟାକ୍‌ସି ଚାଲିଛି । ପୁଣି ଉତ୍ତରଦିଗରୁ ମେଘମାନେ ଭାସି ଆସୁଛନ୍ତି । ତାରାସବୁ ଅଦୃଶ୍ୟ ହେଲେଣି । ପଳାତକ ଭୀରୁ ସୈନିକ ପରି ଚାନ୍ଦ ବଉଦ ତଳେ ଆତ୍ମଗୋପନ କରିଛି । ବର୍ଷାହେବ ନା କ’ଣ ।

 

ଗୋଡ଼ ଲମ୍ବାଇ ସିଟ୍‌ ଉପରେ ଆଉଜି ଟିକିଏ ଆରାମରେ ବସିଲେ ଶ୍ୱେତପଦ୍ମା ।

 

କୋରାପୁଟରେ ସେମାନେ ଥିଲାବେଳେ ସରୋଜଙ୍କ ବସାବାଟେ ପ୍ରତିଦିନ ଯିବାଆସିବା । ତରତର ଚାଲି । ସ୍କୁଲ ବେଳ ହୋଇ ଯାଉଥିବ ଅଥବା ସ୍କୁଲ ଛୁଟି, ଫେରିବା ବେଳ-। ଦୁନିଆଁ ଯାକର ଭୋକ; କିନ୍ତୁ ରାସ୍ତାଧାରକୁ ଲାଗି ସେଇ ଝରକା ପାଖରେ ଦୁଇଟି ଉଜ୍ଜ୍ୱଳ ଆଖି ନିଶ୍ଚୟ ତା’ ବାଟକୁ ଅପେକ୍ଷା କରିଥିବ ।

 

ସରୋଜ ଇଞ୍ଜିନିୟର, ପ୍ଳାନ, ଏଷ୍ଟିମେଟ୍‌, ଡିଜାଇନ, ସିମେଣ୍ଟ ଓ ଲୁହାଛଡ଼କୁ ନେଇ ତାଙ୍କର ଜୀବନ । ଟୁଲ୍‌ବକ୍‌ସ ଭିତରେ ତାଙ୍କର ଆଶା, ଆକାଙ୍‌କ୍ଷା, ସ୍ୱପ୍ନ ସଂସାର ସବୁ ତାଲା ବନ୍ଦ ହୋଇ ସମୟର ଜିପ୍‌ ପଛରେ ପଡ଼ି ଛଟପଟ ହେଉଥିଲା ମୁକ୍ତିଲାଭ କରିବାକୁ । ଅନୁମୋଦିତ ହୋଇଥିବା ପ୍ଳାନ ଏଷ୍ଟିମେଟ୍‌ ପରି ତାଙ୍କର ଜୀବନଯାତ୍ରା ଶୃଙ୍ଖଳିତ, ରୁଟିନ୍‌ବନ୍ଧା । ସେଥିରେ ତିଳେହେଲେ ବିଚ୍ୟୁତି ନାହିଁ । ତଥାପି ସେଇ କଠୋର ନିୟମବନ୍ଧା ଜୀବନ ଭିତରେ ସେ ଦିନରେ ଦୁଇଥର ଝରକା ପାଖରେ ଅତି ଧୀରେ, ଅତି ସନ୍ତର୍ପଣରେ ଛିଡ଼ା ହୋଇଥାନ୍ତି । ଆଶା, ସେ ଝିଅଟି ନିଶ୍ଚୟ ତା’ର କୋମଳ ଛାତିକୁ କଷ୍ଟ ଦେଇ ଗଦାଏ ବହି ଆଉଜେଇ ସେବାଟେ ଯିବ ।

 

ଲୁହାଛଡ଼ ପରି ତାଙ୍କର ପଞ୍ଜରା କାଠି କଂକ୍ରିଟ ପରି ତାଙ୍କର ହୃଦୟ । ତଥାପି ସେ କଠିନ ପାହାଡ଼ ବୁକୁରୁ ପ୍ରେମର ଝରଣା ଝରିଥିଲା । ସେ ଶ୍ୱେତପଦ୍ମାଙ୍କୁ ବିବାହ କରିବାକୁ ଜିଦ୍‌ ଧରି ବସିଲେ । ଯୌତୁକ ଦରକାର ନାହିଁ । ଶ୍ୱେତପଦ୍ମାତ କନ୍ୟା ନୁହନ୍ତି- କନ୍ୟା ରତ୍ନ ! ଅମାପ ସମ୍ପଦ ।

 

ବାପ, ମା’ ଭାଇ ବନ୍ଧୁ ଆତ୍ମୀୟ ସ୍ୱଜନ ସମସ୍ତେ ଖୁସି ହେଲେ । ଇଞ୍ଜିନିୟର ଜ୍ୱାଇଁ । ଝିଅ ତାଙ୍କର ଟଙ୍କା ଉପରେ ଚାଲିବ । ବିଡ଼ା ବିଡ଼ା ନୋଟ ଶେଯତଳେ ବିଛେଇ ଶୋଇବ ।

 

ଆଉ ଶ୍ୱେତପଦ୍ମା ? ତାଙ୍କର ବିରୋଧ କରିବାରେ କୌଣସି କାରଣ ନ ଥିଲା ।

 

କିଛି କାରଣ ନ ଥିଲା ? ଶ୍ୱେତପଦ୍ମା ଚମକି ଉଠିଲେ । ଭାବନା ଅଟକିଗଲା । ପ୍ରଶ୍ନଟା ଭୁଲିଯିବା ପାଇଁ ସେ ମୁହଁ ଫେରାଇ ବାହାରକୁ ଚାହିଁଲେ । ସାରା ଆକାଶ ମେଘାଚ୍ଛନ୍ନ ହୋଇଗଲାଣି । ଘନ ଅନ୍ଧକାର ଭିତରେ ହାଇୱେର ବୁକୁଚିରି ଟାକ୍‌ସିଟା ଛୁଟିଛି । ପଛରେ ବୃକ୍ଷଲତା, ସହର, ଜନପଦ ନଦୀ ନାଳ ସବୁ ପଡ଼ି ରହିଲା, ପରି ଶ୍ୱେତପଦ୍ମାଙ୍କର ଅତୀତଟା ବି ରହିଗଲାଣି କାହିଁ କେତେ ଦୂରରେ ।

 

ପୁଣି ସେଇ ପ୍ରଶ୍ନ ତାଙ୍କ ମନଙ୍କୁ ଆଲୋଡ଼ିତ କରୁଛି ।

 

ତାଙ୍କ କୁମାରୀ ଜୀବନର ସ୍ୱପ୍ନ କଣ ସଫଳ ହୋଇଛି ? ଦେହ ଶୀତେଇ ଉଠୁଛି । ବିନ୍ଦୁ ବିନ୍ଦୁ ଝାଳ କଣ୍ଟି ଆସୁଛି କପାଳ ଉପରେ । ପ୍ରଶ୍ନଟା ବାରମ୍ବାର ତାଙ୍କ ମନ ଭିତରେ ସାପପରି ଗୁଡ଼େଇ ହେଉଛି । ବିଷଧର ଦଂଶନ କରୁଛି । ଜ୍ୱାଳାରେ ସେ ଛଟପଟ ହେଉଛନ୍ତି ।

 

କ’ଣ ବା ସେ ପ୍ରଶ୍ନର ଉତ୍ତର ? ସବୁ ପ୍ରଶ୍ନର କ’ଣ ଉତ୍ତର ଦେଇ ହୁଏ ?

 

ଦେବରଙ୍କ ବାଗ୍‌ଦତ୍ତା ସେଇ ଝିଅଟି । ସତୁଷ୍ଣ ନୟନରେ ଚାହିଁଥିଲା ଶ୍ୱେତପଦ୍ମାଙ୍କ ମୁହଁକୁ । ତାଙ୍କ କପାଳରେ ଚକମକ୍‌ କରୁଥିବା ସିନ୍ଦୂର ବିନ୍ଦୁ ଓ ମୁଖମଣ୍ଡଳର ପ୍ରଫୁଲ୍ଲତା ଦେଖି ସେ ହୁଏତ ତା ବିବାହିତ ଜୀବନର କଳ୍ପନା କରୁଥିଲା, ସେ ବି ଆଜି ସେମିତି ସୁଖୀ ହେବାକୁ ଯାଉଛି ।

 

କିନ୍ତୁ ମୁହଁ କ’ଣ ସର୍ବଦା ହୃଦୟର ସୂଚୀପତ୍ର ? ସେ ଝିଅଟିର ସ୍ୱପ୍ନର ରାଜକୁମାର ତାଙ୍କ ଦେବର ନା ଆଉ କେହି ?

 

ଉପରକୁ ଚାହିଁ ଶ୍ୱେତପଦ୍ମା କେତେ କଣ ଭାବୁଥିଲେ । କ୍ୱାଟର ଆଗରେ ଟାକ୍‌ସି ରହିବା ଶବ୍ଦରେ ତାଙ୍କ ସମ୍ବିତ୍‌ ଫେରିଲା । ଘନ ଅନ୍ଧାର ଭେଦକରି ସେ କ୍ୱାଟରର ଅବସ୍ଥିତି ଲକ୍ଷ୍ୟକରି ପାରୁଥିଲେ ।

 

ତାଙ୍କୁ କେମିତି ଜଣାଗଲା ଏ ତାଙ୍କ କ୍ୱାଟର ନୁହେଁ । ଏକ ନିବୁଜ କାଚଘର ଯେ କି ତାଙ୍କୁ ଚାରିବର୍ଷ ଧରି ବନ୍ଦିନୀ କରି ରଖିଛି । ଯଦି ଆଜିର ଝଡ଼ଠାରୁ ଆହୁରି ଭୟଙ୍କର ଝଡ଼ କେବେ ଆସେ ତେବେ ଖଣ୍ଡ ଖଣ୍ଡ ଶିଳା ଇତସ୍ତତଃ ବିକ୍ଷିପ୍ତ ହୋଇ ସେ କାଚର କାନ୍ଥମାନଙ୍କୁ ବାରମ୍ବାର ଆଘାତ କରିବ ଯା ଫଳରେ ସେ ପତଳା କାନ୍ଥ ସବୁ ଭାଙ୍ଗି ଚୁରମାର ହୋଇଯିବେ ଏବଂ ସାରା ଘରଟା ତାଙ୍କ ମଥା ଉପରେ ଭୁଷୁଡ଼ି ପଡ଼ି ତାଙ୍କୁ ନିଶ୍ଚିହ୍ନ କରିଦେବ ।

 

ଶ୍ୱେତପଦ୍ମାଙ୍କର ଆଜି ମନ ଭାରି କାନ୍ଦିବାକୁ ଇଚ୍ଛା ହେଉଥିଲା ।

Image

 

କକ୍‌ଟେଲ

 

ସେଇବାଟେ ସବୁଦିନେ ଯିବା ଆସିବା । ସମୟବି ନିର୍ଦ୍ଦିଷ୍ଟ । ଗତି ମଧ୍ୟ ସୀମିତ । ଦଶଟା ପନ୍ଦରରେ ଗାଡ଼ି ଷ୍ଟାର୍ଟ ହେବାର ଶବ୍ଦ ।

 

ଅଫିସ ପାଞ୍ଚମିନିଟ୍‌ର ବାଟ ।

 

ଚିନ୍ମୟ ପ୍ରାୟ ପ୍ରତିଦିନ ଦେଖେ ସେ ଅଫିସକୁ ବାହାରିଲା ବେଳେ ତା ଘର ସାମ୍ନା ଦେଇ ଟ୍ରନସ୍‌ପୋର୍ଟ ବସ୍‌ ଭୋଜିରେ ଗୁଡ଼ାଏ ଖାଇଦେଇ ଚାଲିପାରୁ ନ ଥିବା ଲୋକପରି ଅଳସେଇ ଅଳସେଇ ଚାଲିଯାଏ । ଟିକିଏ ଲକ୍ଷ୍ୟକଲେ ଦିଶେ ଗୁଡ଼ାଏ ହରରଙ୍ଗୀ ଶାଢ଼ୀ, ଦୁପଟା ରିବନ୍‌; ଦିଶିଯାଏ ଛାତି ଅଣ୍ଟା ଓ ଜଙ୍ଘକୁ ଜାବୁଡ଼ି ଧରିଥିବା ମିନି ସ୍କାର୍ଟ ଓ ବ୍ଲାଉଜ । ଭିତରେ ପବନପଶି ଫୁଲିଉଠିଥିବା ଗୁଡ଼ାଏ କେଶ, ବସ୍‌ର ଝରକାରୁ ବାହାରକୁ । ଝୁଲି ପଡ଼ିଥିବା ରିଷ୍ଟୱାଚ କିମ୍ବା ଚୁଡ଼ିପିନ୍ଧା ଅଥବା ଫୁଙ୍ଗଳା ହାତମାନେ । କେତେବେଳେ ଅବା ବସ୍‌ ଝରକାର ରେଲିଂକୁ ବଳାଗଣ୍ଠିଠାରୁ କଟା ଯାଇଥିବା କେତେଟା ସୁନ୍ଦର ସୁନ୍ଦର ହାତମୁଠା ଜାବୁଡ଼ି ଧରିଥାନ୍ତି ।

 

ବସ୍‌ର ପ୍ରବେଶଦ୍ୱାର ଉପରେ ଚିନ୍ମୟର ନଜର ପଡ଼େ । ଉଛୁଳି ପଡ଼ୁଥାଏ ଗୁଡ଼ିଏ ଦେହର ଫେନିଳ ତରଙ୍ଗ । ଆଶଙ୍କା ହେଉଥାଏ ତା ଭିତରୁ କେତେଟା ଅସମ୍ଭାଳ ହୋଇ ରାଜପଥ ଉପରକୁ ଲମ୍ଫ ଦେବେକି ?

 

ଜାଲରେ ଧରା ହୋଇଥିବା ଜଣକର ଗୋଜିଆ ଜୁଡ଼ା ଅନ୍ୟର କାନମୂଳରେ ଭୂଷିହୋଇ କୁତୁକୁତୁ କରି ଦେଉଥାଏ ତ କାହାର ସାମ୍ପୋକରା ଅସଞ୍ଜତ କେଶ ଆଉଜଣଙ୍କର ଡୋଳା ଭିତରେ ଫୋଡ଼ି ହେବାରୁ ଲୁହ ଜକେଇ ଆସୁଥାଏ । କାହାର ବୁକୁ ଅପେକ୍ଷାକୃତ କମ ଉଚ୍ଚତା ବିଶିଷ୍ଟ କେଉଁ ସହଯାତ୍ରିଣୀର ଓଠ ପାଖରେ ଚାପି ହୋଇ ଯାଉଥାଏ ।

 

ବସ୍‌ ଥରେ ଥରେ ଆଗଛକରେ ଥମିଯାଏ ପଞ୍ଜୁରୀ ଭିତରେ ଆଉ ଗୁଡ଼ିଏ ହରରଙ୍ଗୀ ଚଢ଼େଇଙ୍କୁ ଭର୍ତ୍ତି କରିବାକୁ । ଲମ୍ବା ହର୍ଣ୍ଣ ଦେଇ ଚିନ୍ମୟର ଗାଡ଼ି ସେମାନଙ୍କୁ କ୍ରସ୍‌ କରେ ଏବଂ ତା ଗାଡ଼ି ବସ୍‌ ସହିତ ସମାନ୍ତରାଳ ରେଖା ଟାଣୁ ଟାଣୁ ଡାହାଣ ଯୋତାଟା ଆପେ ଆପେ ବ୍ରେକ୍‌ କସି ଦିଏ ଏବଂ ସେ ଉଙ୍କିମାରି ବସ୍‌ର ଝରକା ଦେଇ ଭିତରକୁ ଚାହେଁ । ଗୁଡ଼ିଏ ରଙ୍ଗୀନ ଆଖି ହୁଇସ୍କି ଭରା ଢଳଢଳ ପିଆଲା ପରି ତା ଆଡ଼କୁ ଉଛୁଳି ଆସୁଥାନ୍ତି । ବସ୍‌ ଭିତରୁ ଚଢ଼େଇମାନଙ୍କର କିଚିରିମିଚିରି ଶବ୍ଦ ମଧ୍ୟ ଶୁଭୁଥାଏ ।

 

ବେଳେ ବେଳେ ସେ କେତେଗୁଡ଼ିଏ ରିକ୍‌ସାକୁ ଅତିକ୍ରମ କରେ । ରିକ୍‌ସାର ପଛପଟ ଉଡ଼ନ୍ତା ପର୍ଦ୍ଦା ଦେଇ ସେ ଦେଖେ ଦୁଇ ଦୁଇଟା ଅଧା ଫୁଙ୍ଗୁଳା ପିଠି, ଦୁଇଟି କୃଷ୍ଣକଳା ବେଣୀ, କେବେ କେମିତି ସେଥିରେ ଦି’ଟା ଲାଲ ଗୋଲାପ । କ୍ଷଣକପରେ ଗୋଟିଏ କଳା ପିଠି, କିଛି ଝାଳ ଓ ଟୋପି । ତା’ପରେ ଗୋଟିଏ ଶିରାବହୁଳ ହାତ ଓ ଖଣ୍ଡିଏ ଲୁହା ସାହଯ୍ୟରେ ହେଣ୍ଡେଲ ଉପରେ ପିଟା ଯାଉଥିବାର ଦୃଶ୍ୟ ।

 

କେତେଜଣ ଚାଲି ଚାଲି ଯାଉଥାନ୍ତି । ସେମାନଙ୍କୁ ଚାହିଁଲେ ଖାଲି ଦିଶିଯାଏ ପ୍ରଚୁର ବ୍ୟସ୍ତତା, ନୋଟ୍‌ ବହି, ଖରା ଆଉଟା ତରଳ ସୁନା ଦେହର ଭଗ୍ନାଂଶ ।

 

ଚିନ୍ମୟର ଛାତିରେ ଚମକ ଲାଗେ । ଲିଫ୍‌ଟ ଦେବକି ?

 

ତାକୁ କେବେ କେହି ଲିଫ୍‌ଟ ମାଗେ ନାହିଁ । ନିଜେ କଣ ସାହସ କରି ଏସବୁ କଥା ଆରମ୍ଭ କରି ହୁଏ !

 

ଗାଡ଼ି ସେମାନଙ୍କ ପାଖରେ ଟିକିଏ ସ୍ଳୋ ହେଲେ ସେମାନେ ତଡ଼ିଲା ଆଖିରେ ଚାହାଁନ୍ତି-। ପଳା ପଳା, ଦୂରେଇ ଯା । ଆମେ ଠିକ୍‌ ଅଛୁ । ଆମେ ଚାଲି ପାରିବୁ ।

 

ଚିନ୍ମୟ ଭାବେ ଗାଡ଼ିଟା ଖରାପ ହୁଅନ୍ତା କି ? ତା ପୁଣି ଠିକ୍ ସେ ପାସ କରୁଥିଲାବେଳେ-। ରିକ୍‌ସା ଚକଟା ଅଧିକ ପବନ ପିଇଥିବା ବେଲୁନ ପରି ଢୋ’ କରନ୍ତା କି ? ଚାଲୁ ଚାଲୁ ପାଦ ଦି’ଟା ଛନ୍ଦି ହୋଇ ସେ ବେଶ୍‌ କଚଡ଼ାଟେ ଖାଆନ୍ତା କି ? ଅବଶ୍ୟ ଲିଫ୍‌ଟ୍‌ ମଗାଯାନ୍ତା ।

 

: ଆଜ୍ଞା ବଡ଼ ଅସୁବିଧାରେ ପଡ଼ିଛୁ ।

 

କଲେଜ ବେଳ ହୋଇ ଯାଉଛି । ଟିକିଏ ଛାଡ଼ି ଦେବେ ?

 

: ବେଶ୍‌ ତ ଆସନ୍ତୁନା । ଯେତେଜଣ ଧରିବେ ଆସନ୍ତୁ । ଓଭର ଲୋଡ଼ିଂକୁ ଭୟ ନାହିଁ । ଆରେ ଆଗ ସିଟ୍‌ରେ କେହି ବସିବେ ନାହିଁ ନା କ’ଣ ? ଆସନ୍ତୁନା, କେଜାଏ ବା ବାଟ ।

 

ଲଞ୍ଚ ପାଇଁ ଘରକୁ ଆସିଲାବେଳେ ରାସ୍ତାଟା ଖାଲି ଖାଲି ଲାଗେ । ଶ୍ରୀହୀନ ଦିଶେ । ଖାଇ ଗୋଡ଼ାଏ । ସୁନା ନ ଆଉଟି ବେହିଆ ଖରା କେବଳ କଳା ପିଚୁଗୁଡ଼ାକୁ ଆଉଟୁ ଥାଏ ।

 

: ଆଜ୍ଞା ଟିକିଏ ସାହାଯ୍ୟ କରିବେ ?

 

ସେଦିନ ଲଞ୍ଚ ପାଇଁ ଫେରୁ ଫେରୁ କୋମଳ କଣ୍ଠର ପ୍ରତୀକ୍ଷିତ ଅନୁରୋଧ ଶୁଣି ଚିନ୍ମୟ ବ୍ରେକ କସିଲା । ଅବଶ୍ୟ ଆଗରୁ ତା ଗାଡ଼ି ଆପେ ଆପେ ସ୍ଳୋ ହୋଇ ଆସିଥିଲା । କାରଣ ଦୂରରୁ ସେ ଦେଖୁଥିଲା ଦୁଇଟି ରିକ୍‌ସା ପରସ୍ପରକୁ ବେଶ୍‌ ଆଲିଙ୍ଗନ କରିଛନ୍ତି । ଗୋଟେ ରିକ୍‌ସାରୁ ଫୁଲପକା ଚପଲ ଦି’ଟା ଓହ୍ଲେଇ ଆସୁଛି ।

 

ରିକ୍‌ସା ଦି’ଟା ପରସ୍ପରକୁ ଆଘାତ ଦେଇ ଛନ୍ଦି ହୋଇଛନ୍ତି । ମାଡ଼ ଖାଇ ଇସ୍ପାତ ଲୁହାର ଯେ ମୌଳିକ ଗୁଣ ବାଙ୍କି ଯିବ ଏ କଥା ମୁଖସ୍ଥ କରି ସାରିଲାଣି । ଏସବୁ ଦେଖି ଚିନ୍ମୟ ବେଶ୍‌ ବୁଝି ପାରୁଥିଲା ଯେ ଲଳନା ତ୍ରୟଙ୍କୁ କଲେଜ ଯାଏ ଲିଫ୍‌ଟ ଦେବାକୁ ହେବ ।

 

: ଆମେ ପରୀକ୍ଷା ଦେବାକୁ ଯାଇଥିଲୁ । ରିକ୍‌ସା ଧକ୍‌କା ହେଲା । ବେଳ ହୋଇ ଯାଉଛି-। କଲେଜରେ ଟିକିଏ ଛାଡ଼ିଦେବେ ?

 

ନିମିଷକେ ଗାଡ଼ି ବୁଲି ଆସିଲା । ଚିନ୍ମୟ ଦେଖିଲା ଗୋଟିଏ ସିନ୍ଦୂର ବିନ୍ଦୁ ଓ ଦୁଇଟି ଶୂନ୍ୟ ଲଲାଟ ।

 

ଗୋଟିଏ ଶୂନ୍ୟ ଲଲାଟରେ ତା’ ଦୃଷ୍ଟି ସ୍ଥିର ହୋଇଗଲା । ପୁଣି ସେଇ ଲଲାଟର ଅଧିକାରିଣୀଙ୍କ ପାଦ ପର୍ଯ୍ୟନ୍ତ ଦୃଷ୍ଟି ନଇଁଗଲା ।

 

ଖରା ବଡ଼ ଛୋପରା । ଅଯଥା ପରିଶ୍ରମ କରି ତା’ ସୁନା ଦେହକୁ ଆଉଟି ଥିଲା; କିନ୍ତୁ ତାକୁ ବିବର୍ଣ୍ଣ କରିପାରି ନଥିଲା । ତାର କେରା କେରା ଚୂର୍ଣ୍ଣକୁନ୍ତଳ ଝାଳରେ ଭିଜି ଗାଲ ଉପରକୁ ଝୁଙ୍କି ପଡ଼ିଥିବାରୁ ତାକୁ ଅପୂର୍ବ ମାନୁଥିଲା । ଗତରାତ୍ରିରେ ହୁଏତ ସେ ପରୀକ୍ଷା ପାଇଁ ବହୁତ ପଢ଼ାପଢ଼ି କରି ରାତ୍ରି ଉଜାଗର ରହିଥିଲା । ତେଣୁ ତା ଆଖି ଦୁଇଟିର ନିମ୍ନ ଦେଶର ଚମଡ଼ା ଉପରେ ଅଭ୍ୟସ୍ତ ମଦ୍ୟପଙ୍କ ଭଳି କଳାରେଖା ଦିଶୁଥିଲା ।

 

ଆଉ ସେ ତା’ ଦେହକୁ ମ୍ୟାଚ୍‌ କରି ଆଉଟା ସୁନା ରଙ୍ଗର ଶାଢ଼ୀ ବ୍ଳାଉଜ ପିନ୍ଧିଥିଲା । ଭ୍ରମ ହେଉଥିଲା ସେ କିଛି ପିନ୍ଧି ନାହିଁ ! ବ୍ଳାଉଜର ଯେଉଁ ଜାଗାରେ ସେ କଲମଟି ଖୋସିଥିଲା ତାକୁ ଚାହିଁଲେ ଦେଖାଯାଉଥିଲା ଚିକ୍‌ ଚିକ୍‌ କରୁଥିବା ସେ କଲମର କ୍ଳିପଟି ତା’ର ସେ ଉନ୍ନତ ବୁକୁକୁ ଦୁଇ ଭାଗ କରି ଆହୁରି ଅଧିକ ପରିଷ୍ଫୁଟ କରିଦେଉଛି ।

 

ଚିନ୍ମୟ ଆତ, ଟେନିସ୍‌ବଲ, ସ୍ଳେଟ କମଳା ଓ ବୋମା କଥା ଭାବିଲା ।

 

ଆଜ୍ଞା ଯିବା ପରା ? ଆମର ଡେରି ହେଉଛି !

 

ଯା ମୁହଁରୁ କଥା ଶୁଣିବାପାଇଁ ତା’ ମନ ଛନ୍ନ ଛନ୍ନ ହେଉଥିଲା ସେ କହିଲା ।

 

ରିଫ୍ଳେକସନ ଗ୍ଳାସ ଉପରେ ନଜର ରଖି ଚିନ୍ମୟ ଗାଡ଼ି ଷ୍ଟାର୍ଟ କଲା । ପ୍ରତିଫଳିତ ସୌନ୍ଦର୍ଯ୍ୟ ତାକୁ ଅଧିକ ଉପଭୋଗ୍ୟ ଲାଗୁଥିଲା । ତା’ ଗାଡ଼ିର ପଛ ସିଟ୍‌ ବିଷୟରେ ଭାବିବା ପାଇଁ ପ୍ରଚୁର ଉପାଦାନ ଥିବା ସ୍ଥଳେ ଆଗ ସିଟ୍‌କୁ ଚାହିଁ ଦୁଃଖ ଲାଗୁଥିଲା ।

 

: ଆଜ୍ଞା ବହୁତ ଧନ୍ୟବାଦ । ଆପଣ ବହୁତ ସାହାଯ୍ୟ କଲେ ।

 

ସମସ୍ତେ କହିଲେ; କିନ୍ତୁ ତାକୁ କେବଳ ଜଣଙ୍କ ସ୍ୱର ଶୁଭୁଥିଲା ।

 

ତୁମ ନାଁ କଣ ? କେଉଁ ଇଅର ? କେଉଁଠି ରହୁଛ ? ପୁଣି କେବେ ଦେଖା ହେବ ? ମୋ ଘର... ମୋ ଅଫିସ...

 

କେତେଗୁଡ଼ିଏ ପ୍ରଶ୍ନ ଓ ଅପଚରା ପ୍ରଶ୍ନର ଉତ୍ତରସବୁ ମନଭିତରେ କକ୍‌ଟେଲ ତିଆରି କଲେ; ମାତ୍ର ଗ୍ଳାସରେ ଢଳାଯାଇ ଓଠ ପାଖକୁ ନିଆଯାଇ ପାରିଲା ନାହିଁ ।

 

ଦୂରକୁ ଚାଲିଯାଇଥିଲେ ତିନୋଟି ଜୂଡ଼ା ଓ ଅଧାଫୁଙ୍ଗୁଳା ତିନୋଟି ପିଠି । ମାତ୍ର ଚିନ୍ମୟର ଦୃଷ୍ଟି ସେମାନଙ୍କ ମଝିରେ ଅଟକି ଯାଉଥିଲା । ସେ ଯାହାକୁ ଦେଖିବାର କଥା ସେ ମଝିରେ ଚାଲୁଥିଲେ ।

 

ଚିନ୍ମୟ କ୍ୱାଟରକୁ ଫେରି ଫ୍ରିଜ୍‌ ଖୋଲି ପେଗ୍‌ ପରେ ପେଗ୍‌ ପିଇ ଯାଉଥିଲା । ସେ ବୁଝିପାରୁ ନ ଥିଲା ଏତେଦିନର କଳ୍ପନା ବାସ୍ତବରେ ରୂପାନ୍ତରିତ ହେବାରୁ ସେ ଖୁସିକୁ ସେଲିବ୍ରେଟ୍‌ କରିବାପାଇଁ ଆଜି ଅଧିକ ପିଉଛି ନା ଏତେଦିନର ପ୍ରତୀକ୍ଷା ପରେ ପାଇଲା ଧନ ହରାଇ ଦେଇଥିବାରୁ ତାର ବ୍ୟଥା ଭୁଲିବାପାଇଁ ଆଜି ଏତେ ପିଉଛି !

Image

 

ଅନ୍ୱେଷଣ

 

ଯଦିଓ ତା ନାଁ ବନମାଳୀ ସମସ୍ତେ ତାକୁ ବନା ବୋଲି ଡାକନ୍ତି; କିନ୍ତୁ ଦୁଇ ଅକ୍ଷର ବିଶିଷ୍ଟ ଏଇ ବନା ନାମଟି କଲୋନୀର ପ୍ରତ୍ୟେକ ଘରେ ସକାଳେ ଆଉ ସନ୍ଧ୍ୟାରେ ଏମିତି ଦିନକୁ ଦୁଇଥର ବାରମ୍ବାର ଉଚ୍ଚାରିତ ହୁଏ ।

ସକାଳୁତ ବନାକୁ ଛାଡ଼ି ଚଳିବା ଅତ୍ୟନ୍ତ କଷ୍ଟକର । ବନା ଯଦି ମୁହଁ ମୋଡ଼ି ଦେଉଛି ନା ପିଲାଏ ଠିକ୍‌ ସମୟରେ ସ୍କୁଲ୍‌ ଯାଇ ପାରିବେ ନାହିଁ । ବାବୁମାନଙ୍କର ଅଫିସରେ ନାଲିଛକ ପଡ଼ିବ ।

ଏମିତି କି ଠାକୁରଙ୍କ ପୂଜା ପାଇଁ ଟିକିଏ ଚନ୍ଦନ ଘୋରା ଯାଇ ପାରିବ ନାହିଁ । ଔଷଧ ବଟିକାଟେ ଗିଳି ହେବ ନାହିଁ ।

ସେଥିପାଇଁ ବନା ସମସ୍ତଙ୍କର ପରିଚିତ । ଆଗଡ଼ାକ । ସମସ୍ତେ ବନାକୁ ଆଦୁର୍ଯ୍ୟା ହୁଅନ୍ତି-

ସକାଳୁ କେବେ କେମିତି ବନା ଟିକିଏ ଶୋଇ ପଡ଼ିଲେ ସାରା କଲୋନୀ ଉଚ୍ଛନ୍ନ ହୋଇଯାଏ । ବନାକୁ ଖୋଜାପଡ଼େ ।

ପଡ଼ିଶା ଘର ବୟସ୍କା ଜେମାବୋଉ ଡାକ ଛାଡ଼ନ୍ତି ।

ନିରୁ, ନିରୁ ମ, ବନା ଆସିଲାଣି ?

ଯୁବକ କିରାଣୀଙ୍କ ସଦ୍ୟ ବିବାହିତା ପତ୍ନୀ । ତାଙ୍କର ପିଲାଳିଆ ମୁହଁକୁ ଝରକା ରେଲିଂରେ ଚାପିଧରି ଅନୁଚ୍ଚ ସ୍ୱରରେ ପଚାରନ୍ତି- ନିରୁ ଅପା ବନା ଆସିଲାଣି ?

ଆଉ ବନା ଯେତେବେଳେ କାନ୍ଧରେ ପକାଇଥିବା ବଡ଼ ବାହୁଙ୍ଗିରେ ଦି’ଖଣ୍ଡ ସରୁ ଲୁହା ଛଡ଼ରେ ଝୁଲୁଥିବା ଟିଣ ଦୁଇଟିକୁ ଦୋହଲାଇ ତା ଖୁଣ୍ଟପରି ଗୋଡ଼ ଦି’ଟାକୁ ଆଗକୁ ଠେଲି ଲମ୍ବା ଲମ୍ବା ପାହୁଣ୍ଡ ପକେଇ କଲୋନୀର ନାଲି ରାସ୍ତାରେ ଦେଖାଦିଏ ଦାଣ୍ଡରେ ଖେଳୁଥିବା ପିଲାଏ ପାଟିକରି ଉଠନ୍ତି ।

ବନା ଆସିଲାଣି...ବନା ଆସିଲାଣି...

ଗୃହିଣୀମାନେ ଶାନ୍ତିରେ ନିଶ୍ୱାସ ମାରନ୍ତି ।

ସାରା କଲୋନୀ ପାଇଁ ଗୋଟିଏ କୂଅ । ତା ପୁଣି କଲୋନୀଠାରୁ ବହୁତ ଦୂରରେ ଏବଂ ଚାଳିଶ ଫୁଟ ତଳେ ପାଣି । ବନାପରି ଜଣେ ପାଞ୍ଚ ହାତର ମରଦ ପିଲା ନ ଥିଲେ ଏତେ ଗଭୀର କୂଅରୁ ପାଣି ଟାଣି ସାରା କଲୋନୀକୁ କିଏ ଯୋଗାଇ ପାରନ୍ତା ?

ବନାର ହାତ ଦି’ଟା ଦୁଇଟି ମୁଦ୍‌ଗର ପରି । ଇସ୍ପାତ ପରି ଟାଣ ଛାତି । ଚାଳିଶ ଫୁଟ ତଳରୁ ପାଣି ବାଲ୍‌ଟି ଉଠାଇଲା ବେଳେ ତା’ ହାତର ମାଂସପେଶୀ ଫୁଲି ଉଠେ । ଖରତର ନିଶ୍ୱାସ ବହେ । ଛାତି ଧଡ଼ପଡ଼ ହୁଏ । କିନ୍ତୁ ବନା ସେ ସବୁକୁ ଖାତିର କରେନା । ଚାହୁଁ ଚାହୁଁ ଗୋଟିକ ପରେ ଗୋଟିଏ ଘରେ ସେ ପାଣି ଦେଇଯାଏ । କାହାର ଦୁଇଭାର ତ କାହାର ଚାରିଭାର ଆଉ ବା କାହାର ଭାରେ । ଘରର ଲୋକ ସଂଖ୍ୟାକୁ ଚାହିଁ ଯିଏ ଯେତେ ବନ୍ଦୋବସ୍ତ କରିଥାଏ ।

କାମ ସାରି ବନା କଲୋନୀର ଝଙ୍କାଳିଆ କୃଷ୍ଣଚୂଡ଼ା ମୂଳେ ବସି ଖରା ମଟାଳେ, ଝାଳମାରେ; ପିଲାମାନଙ୍କ ସହିତ ଖେଳେ, କେତେବେଳେ ବା ପିଲାମାନେ ତା’ ଉପରେ କୁଦନ୍ତି । ତା’ ଚୁଟି ଟାଣନ୍ତି । ପିଠିରେ ଲାଉ ହୁଅନ୍ତି । କୃଷ୍ଣଚୂଡ଼ା ଫୁଲର ଶୁଖିଲା ଡେମ୍ଫରେ ତା କାନ ଖଡ଼ ଖଡ଼ କରନ୍ତି । ବନା ସେମାନଙ୍କ ସହିତ ଖେଳ କଉତୁକ କରେ । ହୋ ହୋ ହୋଇ ହସି ଭୂଇଁରେ ଲୋଟି ଯାଏ । ସାରା କଲୋନୀର ଛୁଆଙ୍କୁ ସେ ଆଦର କରେ । ସମସ୍ତେ ଯେମିତି ତା’ର ଖେଳ କଣ୍ଡେଇ ।

କେବେ କେମିତି କାହାର କୁଣିଆ ମଇତ୍ର ଆସିଲେ ବା ଅନ୍ୟ କୌଣସି କାରଣରୁ ଅଧିକ ପାଣି ଦରକାର ହେଲେ ବନା ମୋଟେ ଧରାଛୁଆଁ ଦିଏନା । ବାବୁମାନେ ରାଗିଯାଇ ତାକୁ ଧମକା ଚମକା କଲେତ କଥା ସରିଗଲା । ଟିଣ ଦି’ଟାକୁ ଥୋଇ ଦେଇ ସେଇ କୃଷ୍ଣଚୂଡ଼ା ଗଛମୂଳେ ଗୁମାନ ମାରି ବସେ । ଖୋସାମତ କରି କରି ଲେଙ୍ଗିଡ଼ି ଛିଡ଼ି ଗଲେ ବି ସେ କାହା କଥା ଶୁଣେନା । ମନକୁ ମନ କଣ ଗାରୁ ଗାରୁ ହେଉଥାଏ ।

ଆଉ ମା ମାନେ ଯଦି କଅଁଳେଇ କହନ୍ତି :

ବନୁ ! ଏ ବନମାଳୀ ! ଆଉ ଭାରେ ଦେ’ମ । ଝିଅଟାର ପୁଣି ଗାଧୋଇବା ଦରକାର ପଡ଼ିଲାଣି । ବନା ପଚାରିଲା ପଚାରିଲା ଆଖିରେ ତାଙ୍କ ଆଡ଼କୁ ଚାହେଁ । କ’ଣ ବୁଝେ କେଜାଣି ଟିକିଏ ମୂରୁକି ମୂରୁକି ମୁଚୁକୁନ୍ଦ ହସ ହସେ । ଆଉ ଟିଣ ଦୁଇଟାକୁ ବାହୁଙ୍ଗିରେ ଲଟକାଇ ଢଙ୍ଗ ଢଙ୍ଗ ଶବ୍ଦ କରି ଡଗ ଡଗ ହୋଇ କୂଅ ଆଡ଼କୁ ଚାଲିଯାଏ !

କଲୋନୀ ସାରା ସମସ୍ତ ଜାଣନ୍ତି ଅଧିକ ପାଣି ପାଇଁ ଯେତେ ଦରକାର ଥିଲେ ବିନା ଶୁଣିବ ନାହିଁ କି ହୁଙ୍କିବ ନାହିଁ । ଟିକିଏ ତେଡ଼ା କରି କହିଲେ ରାଗରେ ଫଁ ଫଁ ହେବ ।

କୌଣସି ଝିଅ ବୋହୁଙ୍କ ସୁବିଧା ଅସୁବିଧା କଥା ଦୋସରା ।

ବନା ମୂର୍ଖ ଆଉ ବୋବା ହେଲେ କ’ଣ ହେବ ତାର ଶୃଙ୍ଖଳାଜ୍ଞାନ ବହୁତ ବେଶି । ଯାହାଘରେ ଯେତେବେଳେ ପାଣି ଦେବାର କଥା ସେଥିରେ ତିଳେ ହେଲେ ବ୍ୟତିକ୍ରମ କରେନା । ତା’ର ଯେମିତି ରୋଗ ବଇରାଗ କିଛି ନାହିଁ । ସକାଳ ପାଞ୍ଚଟାରୁ ଉଠି ସେ କଲୋନୀ ଆଡ଼େ ଦଉଡ଼େ । ସମସ୍ତେ ଉଠୁ ଉଠୁ ତା’ର ପାଣି ଦେବା କାମ ସରି ଯାଇଥାଏ । ଖରା ବର୍ଷା ଶୀତ ସବୁଦିନ ତା’ପାଇଁ ସମାନ । ଶୀତଦିନେ ଯଦି ତୁମେ ଚିଡ଼୍ ଚିଡ଼୍‌ ହୋଇ ଏତେ ସକାଳୁ କବାଟ ଫିଟାଇବାକୁ ନାରାଜ ହେଲ ତାହାହେଲେ ସେଦିନ ଚଳୁ କରିବାକୁ ତୁମକୁ ଟିକିଏ ପାଣି ମିଳିବ ନାହିଁ-। ତୁମ ସ୍ତ୍ରୀ ଗାଧୋଇ ରୋଷେଇ କରିବା କଥା ଉଠୁଛି କେଉଁଠୁ ? ଯେତେ ଖୋସାମତ କଲେ ବି ବନା ଆଉ ଟଳିବ ନାହିଁ । ଅଫିସରେ ନାଲିଛକ ନିଶ୍ଚିତ ।

ବନାକୁ ତା’ର ବୟସ କଥା ପଚାରିଲେ କିଛି ଉତ୍ତର ଦିଏନା । ନିରୀହ ମେଷଶାବକ ପରି ଜଳ ଜଳ ଚାହେଁ । ବାହାହେବୁ କି ବୋଲି ଥଟ୍ଟାରେ ପଚାରିଲେ ତଳକୁ ମୁହଁପୋତି ମୂରୁକି ମୂରୁକି ହସେ ।

ବନାର ବୟସ ପ୍ରାୟ ପଇଁତିରିଶି ହେବ । କେବେଠୁ ସେ ଏଠିକି ଆସିଲାଣି କେହି କହିପାରନ୍ତି ନାହିଁ । ତେବେ ଏଠି କଲୋନୀ ତିଆରି ହେଲାଦିନରୁ ସମସ୍ତେ ତାକୁ ଏଠି ଦେଖୁଛନ୍ତି ।

କଲୋନୀରେ କାର ଝିଅର ବାହାଘର ହେଲେ ଏତେ ଲୋକଙ୍କ ବ୍ୟବହାର ପାଇଁ ଯାହା ପାଣି ଦରକାର ହୁଏ ସବୁ ବନା ଯୋଗାଏ । ଟିକିଏ ବି କ୍ଳାନ୍ତ ହୁଏନା । ସଂଧ୍ୟାରୁ ରାତିଅଧ ଯାଏ ଭାର ଭାର ପାଣି ଭାରି ଭାରି ପାଦ ପକେଇ ଅବିରାମ ଗତିରେ ବୋହି ଚାଲିଥାଏ । ଖାଲି ଆଗରୁ ଜବାବ କରିଥିଲେ ହେଲା । ବାହାଘରରେ ତା’ର ପାରିଶ୍ରମିକ ଖଣ୍ଡେ ମୋଟା ଧୋତି ଓ ଖଣ୍ଡେ ମୋଟା କନାର ଫତେଇ । ବାସ୍‌ ସେତିକି ହେଲେ ତୁମେ ପାଣି ବିଷୟରେ ନିଶ୍ଚିନ୍ତ; କିନ୍ତୁ ବର ବେଦୀକୁ ଯାଉଥିଲା ବେଳେ ଦେଖାଯାଏ ବନା ଗୋଟିଏ ଏକଣା ଜାଗାରେ ଟିଣ ଦୁଇଟି ଥୋଇଦେଇ ଗୁମ୍ ମାରି ଅନ୍ଧାରରେ ବସିଛି । ଶଙ୍ଖ ହୁଳହୁଳି ନାଦରେ ଖଞ୍ଜା ଉଛୁଳି ପଡ଼ୁଥିଲାବେଳେ ବନା ସେଇ ଅନ୍ଧାରୁଆ ସ୍ଥାନରେ ବସି ସୁଁ ସୁଁ ହେବାର କେହି କେହି ଶୁଣିଛନ୍ତି; କିନ୍ତୁ ତା ପ୍ରତି କେହି ନଜର ଦିଅନ୍ତି ନାହିଁ । ପାଣିକୁଣ୍ଡ ଭର୍ତ୍ତି ଅଛିତ ବନାର ଆବଶ୍ୟକତା ନାହିଁ ।

ଏଇ ବନା ଭରସାରେ କଟକରୁ ଫିମେଲ ଆର୍ଟିଷ୍ଟ ଆଣି କଲୋନୀର କ୍ଳବପାଇଁ ଡ୍ରାମା କରି କିଛି ଚାନ୍ଦା ଉଠେଇବାକୁ ଉଦ୍ୟୋକ୍ତାମାନେ ଆଗଭର ହେଲେ । କଟକୀ ଝିଅ ପୁଣି କଳାକାର-। ଦିନରେ ଦଶ ଥର ଘସି ମାଜି ଗାଧୋଇବା ଦରକାର ପଡ଼େ । ବନା ନ ଥିଲେ ଏତେ ଦୂରରୁ ପାଣି ବୋହି କିଏ ଯୋଗାଇ ପାରନ୍ତା ।

ବନା କିନ୍ତୁ ଶୃଙ୍ଖଳା ବାହାରେ କୌଣସି କାମ କରିବାକୁ ନାରାଜ । ତିନିଜଣ ଝିଅ ଆଉ ତାଙ୍କ ମା’ ଅଧିକା ଚାରିଜଣକୁ ପାଣି ଯୋଗାଇବା ତା’ ପକ୍ଷରେ କିଛି କଷ୍ଟକର କଥା ନୁହେଁ; କିନ୍ତୁ ଆଜି ଚାରି ଭାରତ କାଲି ଦରକାର ହେଲାଣି ପାଞ୍ଚ ଭାର, ଆଉ କେଉଁଦିନ ଛଅଭାର ।

ବନା ଚିଡ଼୍‌ ଚିଡ଼୍‌ ହୁଏ । ଅଡ଼ି ବସେ ।

ବନା ବିଷୟରେ ସବୁକଥା ଶୁଣିସାରିଲା ପରେ ଦିନେ ଆର୍ଟିଷ୍ଟମାନଙ୍କର ମା କହିଲେ: ରେ ବନୁ ! ପାଣି ଦେବାରେ ହେଳା କରନା । ମୋ ମଝିଆ ଝିଅ ପାର୍ବତୀକୁ ଦେଖୁଛୁନା, ତୁ ପାଣି ଦେଉଥା, ଗଲାଦିନ ପାରୁ ସହିତ ତୋତେ ବାହା କରିଦେବି ।

ବାସ୍‌ ସେତିକି । ଆଉ କିଛି କହିବା ଦରକାର ପଡ଼ିଲା ନାହିଁ । ଯେତେ ପାଣି ଦରକାର ହେଲା ବନା କୌଣସି ଆପତ୍ତି ନ କରି ଯୋଗେଇ ଦେଲା ।

ଯେତେ ପରିଶ୍ରମ ହେଲେ ବି ସବୁତ ପାରୁ ପାଇଁ କରୁଛି । କନିଆଁର ପାଣି ଦରକାର । ଖାଟେଣୀକୁ ଡରି କନିଆଁକୁ ଅଗାଧୂଆ ରଖିବା ଲୋକ ବନା ନୁହେଁ ।

ବେଳେ ବେଳେ ଛପି ଛପି ବନା ପାର୍ବତୀକୁ ଚାହେଁ । ତା’ଠାରୁ ପଦେ କଥା ଶୁଣିବାକୁ, ତା’ ଓଠରେ ଟିକିଏ ହସ ଦେଖିବାକୁ, ବନା ବିଲେଇ ପରି ହେଉଥାଏ !

କେତେବେଳେ ଅବା ଗମ୍ଭୀର ହୋଇ ବନା ପାର୍ବତୀକୁ ଦେଖେ । ତା’ମନକୁ ପରତେ ଯାଏନା । ସତେ କ’ଣ ତା ମା’ ଏଡ଼େ ସୁନ୍ଦରିଆ ଝିଅକୁ ତା’ସହିତ ବାହା ଦେବ ? ପୁଣି ମନକୁ ସାନ୍ତ୍ୱନା ଦିଏ । ଯେତେବେଳେ ତା’ମା ନିଜେ ଜବାବ ଦେଉଛି ସେ ମିଛ ମଣିବ କାହିଁକି ?

ପାର୍ବତୀର ପକେଇଲା ଛେପକୁ ବନା ହାତ ପତେଇ ଥାଏ । ତା’ ପାଲଟା ଲୁଗା ଧୋଇଦିଏ । ତା’ପାଇଁ ଚାହା ତିଆରି କରିଦିଏ । ବଜାର ଛକରୁ ପାନ ଆଣି ଦିଏ । ରିହଲସାଲକୁ ଗଲାବେଳେ ତା’ଜୁଡ଼ାରେ ଲଗେଇବାପାଇଁ ମଲ୍ଲୀଫୁଲର ମାଳ ଗୁନ୍ଥି ଦିଏ । ତା’ ଲୁଗା ସଫାକରି ସାଇତି ରଖେ । ରିହଲସାଲରୁ ଫେରିଲାବେଳେ ତା’ ଚପଲରେ ମାଟି କି ଗୋବର ଲାଗିଥିଲେ ତାକୁ କେଡ଼େ ଯତ୍ନରେ ପୋଛି ସଫା କରିଦିଏ !

ସମସ୍ତେ ଥଟ୍ଟା କରନ୍ତି । ଯାହା ହେଉ, ବନା ଏତେଦିନକେ ଭଲ କନିଆଁଟେ ପାଇଲା । କି ତପ କଲୁରେ ବନବନିଆ, ପାଇଲୁ ଗୋରୀ କନିଆଁ । ବନା ହସି ହସି ଗଡ଼ିଯାଏ । ତା’ ଆଖି ଦୁଓଟି ଛଳ ଛଳ ହୋଇଯାଏ । ଆଖି କୋଣରେ ଆନନ୍ଦାଶ୍ରୁ ଜମି ଆସେ ।

ଏଣିକି ବନାର ଆଉ କେଉଁଠି ମନ ଲାଗେନା । ଖୁବ୍‌ ସକାଳୁ ଉଠି ତର ତର ହୋଇ କଲୋନୀ ସାରା ପାଣି ଦେଇଦିଏ, ଆଉ ଆର୍ଟିଷ୍ଟମାନେ ରହୁଥିବା ଘରପାଖରେ ସୂର୍ଯ୍ୟୋଦୟ ହେଉ ହେଉ ହାଜର ହୁଏ । ରାତିରେ ସେମାନେ ରିହଲସାଲରୁ ଫେରିବାଯାଏ ବନା ଦୁଆରେ ଜଗି ବସିଥାଏ ।

ସେମାନେ ଫେରି ଖିଆପିଆ ସାରିଲାପରେ ଯେତେବେଳେ ବନାକୁ ତା’କୁଡ଼ିଆକୁ ଫେରିଯିବାକୁ କୁହାଯାଏ ବନା ନିଜର ଅନିଚ୍ଛା ସତ୍ତ୍ୱେ ଉଠେ । ପାଦ ଦି’ଟା ଆଗକୁ ବଢ଼ାଇବାକୁ ତା’ ସତ ବଳୁ ନ ଥାଏ ।

ଥିଏଟର ଦିନ ବନାର ଭାରି ଖୁସି । ଗୋଡ଼ତଳେ ପଡ଼ୁ ନ ଥାଏ । ଆଜି ଥିଏଟର ସରିବ-। କାଲି ସକାଳେ ସେମାନେ ସବୁ କଟକ ଫେରି ଯିବାର କଥା । ତା’ ଆଗରୁତ ବାହାଘର । ସେ ବା ଆଉ କାହିଁକି ଏଠି ପଡ଼ି ରହିବ ? ବାହାଘର ପରେ ପାର୍ବତୀ ସହିତ ତା’ ଘରକୁ ଯିବ । ସେଇଠି ରହିବ । ପାରୁର ବୋଲହାକ କରିବ ।

ଥିଏଟର ଶେଷ ଅଙ୍କ ପାଖେଇ ଆସୁଥାଏ । ଶେଷ ଦୃଶ୍ୟରେ ଥିଲା ଚଞ୍ଚଳା ଓରଫ ପାର୍ବତୀର ବାହାଘର । ସେଥିପାଇଁ ତାକୁ କନିଆଁ ବେଶରେ ସଜା ଯାଉଥିଲା । କପାଳରେ ଚନ୍ଦନର ଚିତା, ହାତରେ ମେହେନ୍ଦି, ଜୁଡ଼ାରେ ଫୁଲମାଳ; ଦେହସାରା ଅଳଙ୍କାର, ପାଦରେ ଅଳତା ।

ପାର୍ବତୀକୁ ଚାହା ଦେବାକୁ ବନା ଗ୍ରୀନ୍‌ ରୁମ୍‌କୁ ଗଲା । ପାର୍ବତୀର କନିଆଁ ବେଶ ଦେଖି ତା ଆଖି ଲାଖି ରହିଲା । ସତେ କନିଆଁ ବେଶରେ ପାର୍ବତୀ କେଡ଼େ ସୁନ୍ଦର ଦିଶୁଥିଲା । ବନା ସେଠାରେ ଟିକିଏ ଛିଡ଼ା ହେଲା, ହଠାତ୍‌ କ’ଣ ଭାବି ଗ୍ରୀନ୍‌ ରୁମରୁ ବାହାରିଲା ଓ ତା’ କୁଡ଼ିଆ ଆଡ଼େ ଏକମୁହାଁ ହୋଇ ଧାଇଁଲା ।

ଷ୍ଟେଜ୍‌ ଉପରେ କନିଆଁ ସାଜି ପାର୍ବତୀ ଛିଡ଼ା ହୋଇଥିଲା । ଅଡ଼ିଟୋରିୟମରେ ଅନ୍ଧାର ଥିଲା ଓ ଷ୍ଟେଜ ଉଜ୍ଜ୍ୱଳ ଆଲୋକରେ ଉଦ୍ଭାସିତ ହେଉଥିଲା ।

ହଠାତ୍‌ ଷ୍ଟେଜ୍‌ ଉପରକୁ ଉଠି ଆସିଲା ବନା । ସେ ଇସ୍ତ୍ରୀ କରା ଧୋତି ଓ ଫତେଇ ପିନ୍ଧିଥିଲା । କାନ୍ଧରେ ଚାଦର ପକେଇ ଥିଲା । କପାଳରେ ଚନ୍ଦନ ଚିତା, ବେକରେ ଫୁଲମାଳ ଓ ହାତରେ ଗୋଟା ନଡ଼ିଆ ଓ ଗୁଆକାତି ।

ଏ କଣ ହେଲା ବୋଲି ଷ୍ଟେଜ୍‌ ଉପରେ ହଇଚଇ ଆରମ୍ଭ ହୋଇଗଲା । ନିର୍ଦ୍ଦେଶକ, ସ୍ମାରକ ଓ ଆର୍ଟିଷ୍ଟମାନେ ଷ୍ଟେଜ୍‌ ଉପରେ ଦଉଡ଼ା ଦଉଡ଼ି ଆରମ୍ଭ କରିଦେଲେ । ଦର୍ଶକମାନଙ୍କ ଚିତ୍‌କାର ଓ ହଟ୍ଟଗୋଳରେ କିଏ କାହାକୁ କ’ଣ କହୁଛି କିଛି ଜାଣି ହେଲାନାହିଁ ।

ଘନ ଘନ ହୁଇସିଲ ବାଜିଲା ଓ ଚିତ୍‌କାର କୋଳାହଳ ଭିତରେ ଡ୍ରପ ପଡ଼ିଲା ।

ବନା କିଛି ବୁଝିପାରୁ ନ ଥିଲା । ସେ କହିବାପାଇଁ ପାଟି ପାକୁ ପାକୁ କରୁଥିଲା; ମାତ୍ର ଏକ ବିକୃତ ଏଁ ଏଁ ଶବ୍ଦ ଛଡ଼ା ଆଉ କିଛି କହି ପାରୁ ନ ଥିଲା । ସେ ବୁଝିପାରୁ ନ ଥିଲା ତାକୁ ସମସ୍ତେ ଘେରିଯାଇଁ କାହିଁକି ଏତେ ମାଡ଼ ମାରୁଛନ୍ତି । କ’ଣ ତା’ର ଦୋଷ । କାହିଁ ଏତେ ତ ବାହାଘର ସେ ଦେଖିଛି । କେଉଁଠି ବର ଉପରେ ଏମିତି ନିର୍ଘାତ ମାଡ଼ ହୁଏ ନାହିଁ । ସେ ଚିତ୍‌କାର କରି ହାତଠାରି ଯେତେ ବୁଝେଇବାକୁ ଚେଷ୍ଟା କରୁଥିଲା କେହି ତା’ କଥା ଶୁଣୁ ନ ଥିଲେ ।

ଖାଲି ଧକ୍‌କା ଉପରେ ଧକ୍‌କା, ଚଟକଣି ଉପରେ ଚଟକଣି । ପିଠିରେ ବତିଶପଳିଆ ବିଧା, ଚପଲ ପାହାର ଖଇ ଫୁଟିଲା ପରି ଦେହରେ ଅଜାଡ଼ି ହୋଇ ପଡ଼ୁଥିଲା । କର୍ଣ୍ଣମୂଳିଆ ଦୁଇ ଚାରି ଚଟକଣି ବସିଲା ପରେ ସେ ଟଳି ପଡ଼ିଲା ଓ ଗଁ ଗଁ ହେଲା । ତା ସଂଜ୍ଞା ଲୋପ ହେଲା ।

ଚେତା ଫେରିଲା ବେଳକୁ ବନା ଦେଖିଲା ଚାରିଆଡ଼ ଅନ୍ଧାର । କେହି କୁଆଡ଼େ ନାହିଁ । କିଛି ସମୟ ପରେ ସେ ବୁଝିଲା ଯେ ଷ୍ଟେଜ ଉପରେ ପଡ଼ିଛି ।

ବନା ତା’ ଦେହକୁ ଅଣ୍ଡାଳିଲା । କ୍ଷତ ହୋଇ କେତେ ସ୍ଥାନରୁ ରକ୍ତ ଝରୁଥିଲା ବୋଧହୁଏ-। କାରଣ ଫୁଲା ଜାଗାମାନଙ୍କରେ ହାତ ଦେଲେ ଓଦାଳିଆ ଲଗୁଥିଲା ।

କାହାରି ସ୍ୱର ଶବ୍ଦ ନ ପାଇ ବନା ଉଠିଲା ଓ ଆଟିଷ୍ଟମାନେ ରହୁଥିବା ଘରଆଡ଼େ ଧାଇଁଲା । ଘର ଖୋଲାଥିଲା । ମାତ୍ର ସେମାନେ ନ ଥିଲେ । ସେଠି ଜଗିଥିବା ଜଣେ ପିଅନ କହିଲା ଗାଡ଼ିର ସୁବିଧା ହୋଇଯିବାରୁ ସେମାନେ ସମସ୍ତେ କଟକ ଚାଲିଗଲେ ।

ସକାଳୁ କଲୋନୀରେ ହଇଚଇ ପଡ଼ିଗଲା । ଆରେ ବନା କ’ଣ ଏ ଯାଏଁ ପାଣି ଦେଇ ନାହିଁ । ସବୁ ଘରର ଅବସ୍ଥା ସମାନ । କାହାରି ଘରେ ପାଣି ଟୋପାଏ ନ ଥିଲା ।

ବନା ରହୁଥିବା କୁଡ଼ିଆ ଘର ଖୋଲା ପଡ଼ିଥିଲା । ବନା ସେଠି ନ ଥିଲା ।

ବହୁତ ଖୋଜା ଖୋଜି ପରେ ଦେଖାଗଲା ବନାର ବାହୁଙ୍ଗି ଓ ଟିଣ ଦୁଇଟି କୂଅ ଚାନ୍ଦିନୀ ଉପରେ ଥୁଆ ହୋଇଛି; କିନ୍ତୁ ବନାର ପତ୍ତା ନାହିଁ । ଜଣେ କିଏ କୂଅ ଭିତରକୁ ଚାହିଁ ଚିତ୍‌କାର କଲା-

ଆରେ ଏ କ’ଣ ଭାସୁଛି !

ବନାର ବିରାଟ ଦେହଟା କୂଅର ସୀମିତ ପରିଧି ଭିତରେ ଭାସୁଥିଲା ।

କିନ୍ତୁ ତା’ର ଆତ୍ମାଟା ହୁଏତ ଅନେକବେଳୁ ପାର୍ବତୀର ଅନ୍ୱେଷଣରେ କଟକ ଚାଲି ଯାଇଥିଲା ।

Image

 

ନିରନ୍ଧ୍ର ଅନ୍ଧକାର

 

ଅଷ୍ଟମୀର ଚାନ୍ଦ ଉଇଁଥିଲା ।

 

ଆକାଶରେ ନୁହେଁ । ମାର୍କେଟ୍‌ ବିଲଡ଼ିଂର ସାମ୍ନାରେ ଥିବା ଚୂଡ଼ି ଦୋକାନରେ ।

 

ମୁଁ ଚୂଡ଼ି ଦୋକାନକୁ ପଶିଯିବା ବେଳକୁ ସତେ ଯେମିତି ଏକ ଅଷ୍ଟମୀର ଚାନ୍ଦ ମୂରୁକି ମୂରୁକି ମୁଚକୁନ୍ଦ ହସ ହସୁଥିଲା ଏବଂ ମୋ ଆଖିକୁ ନିମନ୍ତ୍ରଣ ଜଣାଇଥିଲା । ମୋତେ ଦେଖ । ଦେଖ ମୋର ହସକୁ । ତୁମ ମନ କ୍ୟାମେରାରେ ସେ ଛବି ଆଙ୍କ ଆଉ ତାକୁ ଏନଲାର୍ଜ କରି କିଛିଦିନ ସାଇତି ରଖ ।

 

ପୃଷ୍ଠ ଦେଶରେ ସେ ଅଷ୍ଟମୀ ଚାନ୍ଦ ଆକୃତିର ଅନାବୃତ ଅଂଶକୁ ଆଉ ଥରେ ମନ ଭରି ଦେଖିବା ପୂର୍ବରୁ ମୋର ଦୃଷ୍ଟି ନିମ୍ନଗାମୀ ହେଲା ।

 

ସେ ଏକ ବାଇଗଣୀ ରଙ୍ଗର ପଞ୍ଜାବୀ ପିନ୍ଧିଥିଲା । ବାଇଗଣୀ ରଙ୍ଗର ଦୁପଟାର କାନି ଦୁଇଟି ଆଗପଟରୁ ଘେର ନେଇ ପିଠିର ଦୁଇ ପାଖରେ ଆଶ୍ରୟ ନେଇଥିବା କଥା ମୁଁ ପ୍ରଥମେ ଜାଣିପାରି ନ ଥିଲି; କାରଣ ବାଇଗଣୀ ରଙ୍ଗର ସମିଶ୍ରଣ ମୋତେ କଲର୍‌ ବ୍ଳାଇଣ୍ଡ କରି ଦେଇଥିଲା-। ପରକ୍ଷଣରେ ମୁଁ ଯେତେବେଳେ ତା’ର ଅବସ୍ଥିତି ବିଷୟରେ ସଚେତନ ହେଲି କେଜାଣି କାହିଁକି ମୋ ମନରେ ଟିକିଏ ଈର୍ଷା ହେଲା । ସେ ଈର୍ଷାର କାରଣ ମୁଁ ହଠାତ୍‌ ଜାଣିପାରିଲି ନାହିଁ । ମୋର ଯାହା ମନେହୁଏ, ସେ ଦୁପଟାର ସ୍ୱତନ୍ତ୍ର ବ୍ୟବହାର କଥା ସେତେବେଳେ ହୁଏତ ଭାବିଥିଲି ।

 

ସତରେ କୋମଳ ବକ୍ଷର ପରଶ ପାଉଥିବା ଏ ଦୁପଟାଗୁଡ଼ିକ ପ୍ରତି ମୋର ଈର୍ଷା ହୁଏ ।

 

ପଞ୍ଜାବୀର ଶେଷଭାଗ ଯାହାକି ପୃଥୁଳ ନିତମ୍ବର ଯଥେଷ୍ଟ ତଳେ ଥିଲା- ଭାରି ସୁନ୍ଦର ମାନୁଥିଲା । ପ୍ରଥମେ ମୋର ମନେ ହେଲା ଏହାର କାରଣ ହୁଏତ ଧଡ଼ିରେ ଥିବା ସୁନ୍ଦର ସୁନ୍ଦର ଧଳା ଓ ନାଲିଫୁଲର ଏମ୍ବ୍ରଏଡ଼ରି ହୋଇପାରେ କିନ୍ତୁ ଆଉ ଟିକିଏ ବିଶ୍ଳେଷଣ କରି ଜାଣିଲି ଯେ ଏ ଶେଷ ଭାଗ ନିତମ୍ବର ତଳକୁ ଏମିତି ଏକ ବିଶେଷ ଅଂଶ ପର୍ଯ୍ୟନ୍ତ ଲମ୍ବି ଯାଇଛି, ଯା ଫଳରେ ନିତମ୍ବର ଆକୃତି ବେଶ୍‌ ପରିସ୍ଫୁଟ ହୋଇଛି ଏବଂ ଏହାହିଁ ହୁଏତ ଏମିତି ସୁନ୍ଦର ମାନୁଥିବାର ପ୍ରକୃତ କାରଣ ।

 

ଧଳା ସାଲୱାର ତା’ ପାଦ ପର୍ଯ୍ୟନ୍ତ ଅତି ନିବିଡ଼ ଭାଗରେ ଲମ୍ବି ଯାଇଥିଲା ଏବଂ ପାଦକୁ କଳାରଙ୍ଗର ଫିତା ସାହାଯ୍ୟରେ ଚେନା ଚେନା କାଟିଥିବା ଯୋତାକୁ ଚୁମା ଦେଉଥିଲା । କଳା ଯୋତା ଭିତରେ ତା’ ପାଦର ଭଗ୍ନାଂଶ କଷଟିପଥରରେ ସୁନା ପରଖର ଦାଗ ଭଳି ଜଣାପଡ଼ୁଥିଲା ।

 

ପୁଣି ଦୃଷ୍ଟି ଊର୍ଦ୍ଧ୍ୱଗାମୀ ହେଲା ଆଉ ସେ ଅର୍ଦ୍ଧ ଚନ୍ଦ୍ରାକୃତି ପୃଷ୍ଠ ଦେଶରେ ନିବଦ୍ଧ ହେଲା । ଚୂଡ଼ିଦୋକାନର ଉଜ୍ୱଳ ଆଲୋକରେ ସେ ଉନ୍ମୁକ୍ତ ଅଂଶର ରନ୍ଧ୍ରେ ରନ୍ଧ୍ରେ ଈଷତ୍‌ ପିଙ୍ଗଳ ବର୍ଣ୍ଣର କ୍ଷୁଦ୍ର ଲୋମଗୁଡ଼ିକ ସଂଘବଦ୍ଧ ହୋଇ ସେ ଆଉଟା ସୁନା ରଙ୍ଗର ଅଂଶକୁ ଦୁଇଭାଗ କରୁଥିଲେ ।

 

ସେ ବେଣୀବନ୍ଧନ ପରେ ତା’ର ନିମ୍ନଅଂଶକୁ ମଧ୍ୟଭାଗରୁ ପୁଣି ଉପରକୁ ନେଇ ଏକାଠି ବନ୍ଧନଯୁକ୍ତ କରିଥିଲେ । ଯାହା ଫଳରେ ତାଙ୍କ ଯୁଡ଼ା ଏକ ଲମ୍ବିତ ବେଲୁନ ଭଳି ଲମ୍ବି ଆସି ଏଇ ଅର୍ଦ୍ଧଚନ୍ଦ୍ରକୁ ସ୍ପର୍ଶ କରୁ କରୁ ଶେଷ ହୋଇ ଯାଇଥିଲା । ଟିକିଏ ଦୂରରୁ ଏ ଜୁଡ଼ାର ଅଗ୍ରଭାଗ ଏକ ଗୋଲାକୃତି କୃଷ୍ଣ ଦାଗଭଳି ଦିଶୁଥିଲା; ତେଣୁ ମୋର ପ୍ରଥମେ ଭ୍ରମ ହୋଇଥିଲା ଯେ ଏ କୃଷ୍ଣ ଦାଗ ଅର୍ଦ୍ଧଚନ୍ଦ୍ରରେ ଥିବା ଶଶାଙ୍କର ଚିହ୍ନ ।

ସେ ଗଳାରେ ପିନ୍ଧିଥିବା ଏକ କଳାମାଳିର ଯେଉଁ ଅଂଶ ମୋତେ ଦିଶୁଥିଲା ତାକୁ ନିରୀକ୍ଷଣ କରି ଦେଖିଲି ଯେ ମାଳିର ଆକୃତି ଖୁବ୍‌ ଛୋଟ ମୃଦଙ୍ଗ ଭଳି; ହୁଏତ ମୃଦଙ୍ଗର ଅନେକ ସହସ୍ର ଭଗ୍ନାଂଶ, ତମ୍ବାର ଯାଉଁଳି କଡ଼ା ସାହାଯ୍ୟରେ ଯୁକ୍ତ ହୋଇଛି । ତା’ କଣ୍ଠ ଦେଶରେ ଏ କଳାମାଳି ଚମତ୍‌କାର ମାନୁଥିଲା । ସୁନାଚେନ୍‌ ପିନ୍ଧିଥିଲେ ହୁଏତ ଏତେ ସୁନ୍ଦର ଦିଶନ୍ତା ନାହିଁ; କାରଣ ତା’ ଦେହର ରଙ୍ଗ ନିକଟରେ ସୁନାର ରଙ୍ଗ ମଳିନ ଦିଶନ୍ତା ।

ତା’ ନିକଟରେ ଜଣେ ପୌଢ଼ ଛିଡ଼ା ହୋଇଥିଲେ ଓ ସୁନା ସାପପରି ତା’ ଡାହାଣ ହାତକୁ ଧରି ଚୂଡ଼ି ପିନ୍ଧେଇ ଦେଉଥିଲେ । କଳାରଙ୍ଗର ସରୁ ସରୁ କାଚଚୂଡ଼ି ତା’ ବଳାଗଣ୍ଠିରେ ଶନିଗ୍ରହର ବଳୟ ପରି ଶୋଭା ପାଉଥିଲା ।

ମୋ ହୃଦୟ-ସମୁଦ୍ରରେ ଅଚାନକ ଝଡ଼ ଉଠିଥିଲା । ଆଶାର ଫେନିଳ ତରଙ୍ଗମାନେ ଉତ୍‌ଶୃଙ୍ଖଳ ହୋଇ ହୃଦୟର ବେଳାଭୂମିରେ ମଥା ପିଟୁଥିଲେ ।

ସେ ଟିକିଏ ପଛକୁ ଫେରି ଚାହାନ୍ତା କି ?

ସେଇଠି ସ୍ଥାଣୁ ଭଳି ଛିଡ଼ା ହୋଇ ମୁଁ କଳ୍ପନା କରୁଥିଲି ତା’ ମୁଖ ପଦ୍ମର ଶୋଭା । ଘଞ୍ଚ କେଶଦାମର ବୁକୁ ଚିରି ସିମନ୍ତିନୀର ସରଳରେଖା ମୋତେ ଦିଶି ଯାଉଥିଲା । ଦିଶି ଯାଉଥିଲା ତା’ କପାଳରେ ଚିକ୍‌ମିକ୍‌ କରୁଥିବା କୁଙ୍କୁମ ବିନ୍ଦୁ । ଇନ୍ଦ୍ରନୀଳ ଆଖି ଦୁଇଟିରେ ଭରି ରହିଥିଲା ଯୁଗ ଯୁଗର ସଂଚିତ କ୍ଷୁଧା, ଆତ୍ମୋର୍ତ୍ସଗର ଇସାରା ! ତା’ର ଆରକ୍ତ ଗଣ୍ଡ, ଶାଣିତ ଚିବୁକ, ରସାଣିତ ଅଧର ମୁଁ କଳ୍ପନାରେ ଦେଖୁଥିଲି ଓ ଆତ୍ମବିଭୋର ହେଉଥିଲି; ତେବେ ବି ସେ ପାଷାଣୀ ଟିକିଏ ଫେରି ଚାହିଁଲା ନାହିଁ !

ତା’ର ସେ ସୁନ୍ଦର ମୁଖମଣ୍ଡଳର ଝଲକ ଟିକିଏ ଦେଖିବାପାଇଁ ସେମିତି ଲୋଭିଲା ଆଖିରେ ଚାହିଁ ରହିଲି । ମୁଁ ବୋଧହୁଏ ସଂବିତ୍‌ ହରାଇ ସାରିଥିଲି, କାରଣ ମୁଁ ଆଗକୁ ଯାଇପାରୁ ନ ଥିଲି କିମ୍ୱା ପଛକୁ ଫେରିପାରୁ ନ ଥିଲି ।

ଅକସ୍ମାତ୍‌ ପୌଢ଼ା ମୁହଁ ବୁଲାଇଲେ ଏବଂ ତା’ ଡାହଣ ହାତକୁ ଧରି ଟିକିଏ ଟାଣିଲେ ଓ ପୁଣି ଛାଡ଼ି ଦେଲେ ।

କିନ୍ତୁ ଏ କଣ ହେଲା ?

ମୁଁ ତା’ ମୂଖମଣ୍ଡଳର ଶୋଭା ମନଭରି ଦେଖିବା ପୂର୍ବରୁ ସେ ମୋର ଟିକିଏ ସାମ୍ନାରେ ଝୁଣ୍ଟିପଡ଼ିଲା ଏବଂ ନିଜର ଭାରସାମ୍ୟ ହରାଇ ମୋ ସହିତ ଧକ୍‌କା ଖାଇ ପଡ଼ିଯାଉଥିଲା ।

ମୁଁ ହତଚକିତ ହୋଇ ତା’ ଦୁଇହାତରେ ତୋଳିଧରିଲି । ପୁନଶ୍ଚ ମୋ ଦେହରୁ ବିଛିନ୍ନ କରି ଖୁନୀ ଆସାମୀ ଭଳି ଛିଡ଼ା ହୋଇ ରହିଲି । ସେ ଅତି ସନ୍ତର୍ପଣରେ ଛିଡ଼ା ହେଲା ଓ ଭୀତତ୍ରସ୍ତା କପୋତୀ ପରି ଥରିବାକୁ ଲାଗିଲା ।

ପୌଢ଼ ଯେକି ଟିକିଏ ଆଗକୁ ଚାଲିଯାଇଥିଲେ ଫେରିପଡ଼ିଲେ ଓ ତାକୁ ହାତର ସାହାରା ଦେଲେ । ମୋତେ ଚାହିଁ ଅପରାଧିନୀ ଭଳି ବେଦନାତୁରା ସ୍ୱରରେ କହିଲେ- ବାପା, କିଛି ମନେ କରିବ ନାହିଁ । ବିଚାରୀ ଦେଖିପାରୁ ନାହିଁ !

ମୁଁ ସେମିତି ହତବାକ୍‌ ହୋଇ ଛିଡ଼ାହୋଇ ରହିଲି । ତା’ ଦେହତରଙ୍ଗର ଆଘାତ ପାଇ ମୋ ମନ ସମୁଦ୍ରରେ ଯେଉଁ ଉଲ୍ଲାସର ଝଡ଼ ଉଠିଥିଲା ତା ହଠାତ୍‌ ଶାନ୍ତ ହୋଇଗଲା । ନିଷ୍ଠୁର ବାସ୍ତବତା ମୋତେ ଯେତେ ଚାବୁକ ପ୍ରହାର କଲେ ବି ମୋର ବିଶ୍ୱାସ ହେଉ ନଥିଲା ଯେ ସେ ଚିତ୍ର ପ୍ରତିମା ଯାହାର ଛବି ଏଡ଼େ ସୁନ୍ଦର, ଯାହାର ଦେହଲତା ଏଡ଼େ କୋମଳ, ଯାହାର କଟୀରେ ଅପରୂପା ନର୍ତ୍ତକୀର ଛନ୍ଦ, ତା’ ଆଖି ଦୁଇଟିକୁ ଘେରି ରହିଛି କ୍ରୂର କରାଳ ଅନ୍ଧକାର !

ମୋତେ ଜଣାଯାଉଥିଲା ଯେମିତି ସେ ଚୂଡ଼ିଦୋକାନ ଓ ତା’ ଭିତରେ ଥିବା ପଦାର୍ଥସବୁ ଆକାଶମାର୍ଗରେ ଘୂରୁଛନ୍ତି । ମୁଁ ଯେଉଁ ଚଟାଣଉପରେ ଛିଡ଼ା ହୋଇଛି ତା’ ଯେମିତି ଭୀମ ବେଗରେ ରସାତଳଗାମୀ ହେଉଛି ।

ସେମାନେ ଚାଲି ଯାଉଥିଲେ । ସେ ଅଷ୍ଟମୀର ଚନ୍ଦ୍ର ବ୍ୟଥାର ହସ ହସି ମୋ ଆଖି ଆଗରୁ ଧୀରେ ଧୀରେ ଅପସରି ଯାଉଥିଲା । ମୁଁ ଦେଖିପାରୁଥିଲି ସେ ଚନ୍ଦ୍ରର ଅପର ପାର୍ଶ୍ୱରେ ଭରି ରହିଥିଲା ନିରନ୍ଧ୍ର ଅନ୍ଧକାର । ରାସ୍ତା ବାର୍‌ଲାଇଟ୍‌ଗୁଡ଼ିକ ଶତଚେଷ୍ଟା କଲେ ବି ସେ ଅନ୍ଧକାରକୁ ଭେଦ କରିପାରିବେ ନାହିଁ ।

ସେ ସତ୍ୟ ଶିବ ସୁନ୍ଦର ଭଗବାନଙ୍କ ଭିତରେ ମୁଁ ଦେଖିପାରୁଥିଲି ସଇତାନର କୁତ୍ସିତ କରାଳ ରୂପ ଓ ଶୁଣିପାରୁଥିଲି ତା’ର ବିକଟ ଅଟ୍ଟହାସ !

Image

 

ନାନୀ

 

ଏମିତି ଅଚାନକ ଭାବରେ ନାନୀଙ୍କ ସହିତ ଦେଖା ହୋଇଯିବ ବୋଲି ଆଶା କରି ନଥିଲି । ବିଗତ ପନ୍ଦର ବର୍ଷ ହେଲା ମୁଁ ତାଙ୍କଠାରୁ ବିଚ୍ଛିନ୍ନ ରହି ତାଙ୍କୁ ଏକରକମ ଭୁଲି ଯାଇଥିଲି । ଏଇ ସଂସାର ସମରଭୂମିରେ ଅବିଶ୍ରାନ୍ତ ସମର ଚଳେଇ ହତାଶା, ବିଫଳତା ଓ ପରାଜୟର ଗ୍ଳାନି ନେଇ କ୍ଷତବିକ୍ଷତ ହୋଇଥିବା ମୋପରି ଜଣେ ନିରସ୍ତ୍ର ସୈନିକର ହୃଦୟରେ ଏକ ଆତ୍ମକୈନ୍ଦ୍ରିକ ମନୋବୃତ୍ତି ପ୍ରସାର ଲାଭ କରିବା କିଛି ବିଚିତ୍ର ନୁହେଁ । ନିଜର ସାଂସାରିକ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାକୁ ମୁଁ ଏତେ ସ୍ୱାର୍ଥପର ହୋଇଯାଇଛି ଯେ ଦୈନନ୍ଦିନ ଜୀବନ ଜଞ୍ଜାଳରୁ ନିସ୍ତାର ପାଇ ନାନୀଙ୍କ ପରି ଜଣେ ମହିୟସୀ ମହିଳାଙ୍କର ସ୍ମୃତି ରୋମନ୍ଥନ କରିବା ମୋ ପକ୍ଷରେ ସମ୍ଭବ ହୋଇନାହିଁ ।

 

ଛାତ୍ର ଜୀବନର ଉଚ୍ଛୃଙ୍ଖଳ ଦ୍ୱିପହରଗୁଡ଼ିକରେ ଆମେ ଯେତେବେଳେ ଶ୍ରେଣୀରେ ବସି ଅଧ୍ୟୟନରେ ମନୋନିବେଶ କରିବାପାଇଁ ଆପ୍ରାଣ ଉଦ୍ୟମ କରୁଥିଲୁ, ନାନୀଙ୍କର ପିତାଙ୍କ ଉଦ୍ୟାନରେ ସଯତ୍ନ ପାଳିତ ଆମ୍ବ, ଲିଚୁ, ସପେଟା ଓ ପିଜୁଳି ପ୍ରଭୃତି ଫଳଗୁଡ଼ିକର ସ୍ୱାଦସ୍ମୃତି ଆମ ଜିହ୍ୱାକୁ ରସାପ୍ଳୁତ କରି ଦେଉଥିଲା । ଉଦ୍‌ବିଘ୍ନ ହୋଇ ବସୁଥିଲୁ, କେତେବେଳେ ଖେଳ ଛୁଟି ଘଣ୍ଟାର ମଧୁର ସ୍ୱର ଝଙ୍କାର ବିଦ୍ୟାଳୟର ବାୟୁମଣ୍ଡଳକୁ ଆଲୋଡ଼ିତ କରିବ ଯେତେବେଳେ ଆମେ ଶ୍ରେଣୀରୁ ଏକ ପ୍ରକାର ଲମ୍ଫ ପ୍ରଦାନ କରି ସେ ଉଦ୍ୟାନକୁ ଧାଇଁବୁ । ଅବଶ୍ୟ ଶ୍ରେଣୀର ସବୁ ଛାତ୍ର ଏ ଦୁଃସାହସିକ କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉ ନଥିଲେ, ଆମେ କେବଳ କେତେଜଣ ବଛା ବଛା ଛାତ୍ର ଯେଉଁମାନେ କି ଗୃହକର୍ତ୍ତାଙ୍କର ଅଜ୍ଞାତରେ ଉଦ୍ୟାନର ଫଳ ବୃକ୍ଷଗୁଡ଼ିକରୁ ଲୁକ୍‌କାୟିତ ଭାବରେ ଫଳ ଆହରଣ କରିପାରୁଥିଲୁ, ଏ ଦୁଃସାହସିକ କାର୍ଯ୍ୟ ପାଇଁ ଆଗଭର ହେଉଥିଲୁ ।

 

ଆଜି କାହାରି ବିନାନୁମତିରେ କୌଣସି ଦ୍ରବ୍ୟ ଆହରଣ କରିବାକୁ ଚୌର୍ଯ୍ୟବୃତ୍ତି ବେଲି ଆଖ୍ୟା ଦେଇ ଅପହରଣକାରୀ ଉପଯୁକ୍ତ ଶାସ୍ତି ପାଇବା ଉଚିତ ବୋଲି ମନ୍ତବ୍ୟ ଦେଉଥିଲାବେଳେ ମୋତେ ଆଶ୍ଚର୍ଯ୍ୟ ଲାଗେ ଛାତ୍ର ଜୀବନରେ ଶିକ୍ଷକମାନଙ୍କଠାରୁ ଏତେ ନୀତି ବାକ୍ୟ ଶୁଣୁଶୁଣୁ ଆମେ କେମିତି ଏ ଚୌର୍ଯ୍ୟବୃତ୍ତି କରିବାକୁ ଘୃଣା କରୁ ନ ଥିଲୁ ।

 

ଏମିତି ଦିନେ ଏକ ନିର୍ଜନ ଦ୍ୱିପ୍ରହରରେ ଆମେ ସେହି ଉଦ୍ୟାନରେ ଆମ୍ବ ତୋଳୁଥିଲାବେଳେ ମୁଁ ଦେଖିଲି ଶୁକ୍ଳ ବସ୍ତ୍ର ପରିହିତା ଜଣେ ଷୋଡ଼ଶୀ ଯୁବତୀ କଟି ଦେଶରେ ଏକ ଗଗରୀ ରଖି ଆମ ଆଡ଼କୁ ଆସୁଥିଲେ । ତାଙ୍କୁ ଦେଖି ଆମେ ସବୁ ଚୁପ୍‌ଚାପ୍‌ ହୋଇ ପତ୍ର ଗହଳରେ ଆତ୍ମଗୋପନ କରିବାକୁ ଚେଷ୍ଟା କଲୁ । ଉଦ୍ଦେଶ୍ୟ ସେ ଉଦ୍ୟାନର ଦ୍ୱାର ଦେଶରେ ଥିବା କୂପରୁ ଜଳ ନେଇ ଚାଲିଗଲା ପରେ ଆମେ ମୁକ୍ତିର ପଥ ଖୋଜିବୁ । ବର୍ତ୍ତମାନ ହଲଚଲ ହେଲେ କି କୌଣସି ଶବ୍ଦ କଲେ ସେ ହୁଏତ ଜାଣିପାରିବେ ଏବଂ ତାଙ୍କର ଚାକରମାନଙ୍କୁ ଡାକି ଆମକୁ ଅପଦସ୍ତ କରିବେ ।

 

ଯୁବତୀଜଣକ ନିକଟତର ହେଉଥିଲେ । ମାତ୍ର ମୁଁ ଦେଖିଲି ସେ କପ ନିକଟରେ ଗଗରୀଟି ଥୋଇଦେଇ ଏଣେତେଣେ ଚାହିଁଲେ ଏବଂ କ’ଣ ଭାବି ଟିକିଏ ଛିଡ଼ା ହେଲେ । ପରକ୍ଷଣରେ ସେ ଧୀରେ ଧୀରେ ଆମ ଆଡ଼କୁ ଆଗେଇଲେ ।

 

ସେ ଯେତେ ନିକଟତର ହେଉଥିଲେ ମୋ ଛାତିର ସ୍ପନ୍ଦନ ସେତେ ବଢ଼ି ଯାଉଥିଲା । ପାଦ ଦିଟା ଥରି ଉଠୁଥିଲା । ଆଶଙ୍କା ହେଉଥିଲା ସେ ପାଦ ଦିଟା ହୁଏତ ମୋ ଦେହର ଭାରସାମ୍ୟ ରକ୍ଷା କରି ପାରିବ ନାହିଁ ଯା ଫଳରେ ମୁଁ ଉଚ୍ଚ ଶାଖାରୁ ଭୂପତିତ ହେବି ।

 

ସେ ଧୀରେ ଧୀରେ ଆଗେଇ ଆସୁଥିଲେ । ଧଳା ଶାଢ଼ୀ ସାଙ୍ଗକୁ ସେ ଧଳା ବ୍ଳାଉଜ ମଧ୍ୟ ପିନ୍ଧିଥିଲେ ଯା ଫଲରେ ତାଙ୍କୁ ଦେଖିଲେ ଦେବଦାସୀ ବୋଲି ଭ୍ରମ ହେଉଥିଲା । ତାଙ୍କର ଅଯତ୍ନ କେଶରାଶି କେରା କେରା ହୋଇ କପାଳ ଉପରେ ପଡ଼ିଥିଲା ଏବଂ ତାଙ୍କ ମୁଖମଣ୍ଡଳରେ ଦୃଷ୍ଟି ନିବଦ୍ଧ କଲେ ଜଣାଯାଉଥିଲା ଯେମିତି ବ୍ୟଥାର ବାଦଲ ତାଙ୍କ ସୁନ୍ଦର ମୁଖମଣ୍ଡଳକୁ ଆଚ୍ଛନ୍ନ କରିଛି ।

 

ଜଣେ ଅଷ୍ଟମଶ୍ରେଣୀ ଛାତ୍ରର ଦୂରଦୃଷ୍ଟି ନେଇ ମୁଁ ତାଙ୍କର ସେ ଚାହାଣୀକୁ ବିଶ୍ଳେଷଣ କରୁଥିଲି । ମୋତେ ଜଣାଗଲା ମୂଷଳଧାରା ବୃଷ୍ଟିର ସଂକେତଦେଇ ଯେମିତି ସାରା ଆକାଶକୁ ବାଦଲର ଘନ ଆସ୍ତରଣ ଢାଙ୍କି ଦିଏ ଆମେ ତାଙ୍କ ଉଦ୍ୟାନରେ ଅନଧିକାର ପ୍ରବେଶ କରିଥିବା ଜାଣି କ୍ରୋଧ ସେମିତି ତାଙ୍କର ମୁଖମଣ୍ଡଳକୁ ଆଚ୍ଛାଦିତ କରିଛି ଏବଂ ଯେତେବେଳେ ସେ ଆମ ନିକଟରେ ପହଞ୍ଚିବେ ସେତେବେଳେ କ୍ରୋଧ ରୂପାନ୍ତରିତ ହୋଇ ଗାଳି ବୃଷ୍ଟି ହେବ ।

 

ଯୁବତୀ କନ୍ୟାମାନେ ଏମିତି ଶୁକ୍ଳବସ୍ତ୍ର ପରିଧାନ କରିବା ମୁଁ ସେଯାଏଁ ଦେଖି ନ ଥିଲି । ତେଣୁ ତାଙ୍କର ସେ ବେଶ ମୋତେ ରୁକ୍ଷ ଓ ନିଷ୍ଠୁର ଜଣାପଡ଼ିଲା । ଭାବିଲି ଆଜି ଆଉ ତାଙ୍କଠାରୁ ନିସ୍ତାର ନାହିଁ !

 

ସେ ବୃକ୍ଷତଳକୁ ଆସିଲେ ଏବଂ ଡାକ ଦେଲେ :

 

ପିଲାମାନେ ଡରିବାର କିଛି କାରଣ ନାହିଁ । ସମସ୍ତେ ତଳକୁ ଓହ୍ଲେଇଆସ । ତାଙ୍କର ସ୍ୱର ଏଡ଼େ ମଧୁର ଓ ଆଶ୍ୱାସିତ ଜଣାପଡ଼ିଲା ଯେ ମୋର ମନେହେଲା କେମିତି ନିଜେ ଦେବୀ ସରସ୍ୱତୀ ଆମକୁ ଏ ଦୁର୍ଦ୍ଦଶାରୁ ରକ୍ଷା କରିବାପାଇଁ ମର୍ତ୍ତ୍ୟକୁ ଓହ୍ଲେଇ ଆସିଛନ୍ତି । ଆମେ ସମସ୍ତେ ଓହ୍ଲାଇଲୁ ଓ ଅପରାଧୀ ଭଳି ତାଙ୍କ ନିକଟରେ ଛିଡ଼ା ହେଲୁ ।

 

ସେ କହିଲେ : ପିଲାମାନେ ଭୟକରନା । ଆମ୍ବ ଖାଇବତ ମୋତେ ମାଗିଲ ନାହିଁ କାହିଁକି ? ଏତେ ପରିଶ୍ରମ କରି ଗଛଚଢ଼ିବା କି ଦରକାର ଥିଲା ? ଆଛା ତୁମ୍ଭେମାନେ ଅପେକ୍ଷା କର- ମୁଁ ଆସୁଛି ।

 

ଚଞ୍ଚଳ ପଦକ୍ଷେପରେ ସେ ଉଦ୍ୟାନରୁ ନିଷ୍କ୍ରାନ୍ତ ହେଲେ ।

 

ଆମ ଭିତରୁ ଜଣେ ଦି’ଜଣ ମୋତେ କହିଲେ : ରମେଶ ଆଉ ଏଠି ରହିବା ଆଦୌ ଉଚିତ ନୁହେଁ । ସେ ହୁଏତ ତା ବାପାକୁ ଡାକିବାକୁ ଯାଇଛି ।

 

ଭୟାତୁର ଆଖିରେ ମୁଁ ତାଙ୍କ ଘରଆଡ଼କୁ ଚାହିଁଲି । ମୋତେ ଦିଶିଯାଉଥିଲା ଯେମିତି ଜଣେ ବୃଦ୍ଧ ହାତରେ ଯଷ୍ଟିଧରି ଆମଆଡ଼କୁ ଦୌଡ଼ି ଆସୁଛନ୍ତି ପ୍ରହାର କରିବାକୁ ।

 

ଆମେ ଚୁପ୍‌ଚାପ୍‌ ଦୌଡ଼ି ପଳାଇବାକୁ ଉଦ୍ୟତ ହେଉଥିବାବେଳେ ଦେଖିଲୁ ହାତରେ ଗୋଟିଏ ଚାଙ୍ଗୁଡ଼ି ଧରି ସେ ଆସୁଛନ୍ତି ।

 

ବିନା ପରିଶ୍ରମରେ ଆମେ ସେଦିନ ବହୁତ ଆମ୍ବ ଖାଇଥିଲୁ । ଆମକୁ ଏତେ ଆଦର କରି ବଳେଇ ବଳେଇ ଏତେଗୁଡ଼ିଏ ଆମ୍ବ ଖୋଇଥିଲେ ଯେ ସେ ନାନୀଙ୍କ ବ୍ୟତୀତ ଆଉ କେହି ନୁହେଁ । ତା’ପରେ ଯେତେଦିନ ଆମେ ବିଦ୍ୟାଳୟରେ ପଢ଼ୁଥିଲୁ ଆମକୁ ଆଉ ତାଙ୍କ ଉଦ୍ୟାନରୁ କୌଣସି ଫଳ ଚୋରୀ କରିବାକୁ ପଡ଼ି ନ ଥିଲା ।

 

କଲେଜରେ ପଢ଼ିଲାବେଳେ ନାନୀଙ୍କ ସାନଭାଇ ମୋର ସହପାଠୀ ଥିଲେ । ଯେତେବେଳେ ଛୁଟି ଦିନମାନଙ୍କରେ ମୁଁ ତାଙ୍କ ଘରକୁ ଯାଉଥିଲି ନାନୀଙ୍କର ଆଦର ସ୍ନେହ ମୋତେ ଅଭିଭୂତ କରି ଦେଉଥିଲା । ସତେ ଯେମିତି ସେ ମୂର୍ତ୍ତିମତୀ ଦୟା ଓ କରୁଣା !

 

ତାଙ୍କ ହାତର ସଜ ପଖାଳ, ଆମ୍ବ ଚଟଣୀ, ବଡ଼ି ରାଇତା ଓ ଲେଉଟିଆ ଶାଗ ଭାଜି ମନେ ପଡ଼ିଲେ ଏବେ ବି ମୋ ଜିହ୍ୱାରେ ରସ କ୍ଷରଣ ହୁଏ !

 

ସେଇ ନାନୀ, ସେଇ ମୂର୍ତ୍ତିମତୀ କରୁଣାଙ୍କୁ ତାଙ୍କ ସାନ ଭାଇଙ୍କର ପୁଅ ବ୍ରତୋପୟନ ଉତ୍ସବରେ ଦେଖି ହଠାତ୍‌ ଚିହ୍ନି ପାରିଲି ନାହିଁ । କଣ ହେଲାଣି ସେ ରୂପ ! ବୟସର ନିଷ୍ଠୁର ଛାପ ତାଙ୍କର ସେଦିନର ସୁନ୍ଦର ମୂଖମଣ୍ଡଳକୁ ବିବର୍ଣ୍ଣ କରି ଦେଲାଣି । ଜଣା ଯାଉଥିଲା ଯେମିତି ସେ ଏଇ କେଇବର୍ଷ ଧରି ଜୀବନ ସହିତ ଅହରହ ସଂଗ୍ରାମ ଚଳେଇ ଆସିଛନ୍ତି ।

 

ଆଜି ବି ନାନୀ ଶୁକ୍ଳବସ୍ତ୍ର ପରିହିତା, କାରଣ ଏହା ତ ତାଙ୍କର ସାମାଜିକ ସ୍ୱୀକୃତି ଲାଭ କରିବା ପୋଷାକ ! ସେ ଯେ ବାଲ୍ୟ ବିଧବା !

 

ନାନୀଙ୍କର ଶୀର୍ଣ୍ଣ ବିବର୍ଣ୍ଣ ଚେହେରା ଓ ପାଣ୍ଡୁର ମୁଖମଣ୍ଡଳରେ ମୁଁ ଦେଖିବାକୁ ପାଉଥିଲି ଜଣେ ବାଲ୍ୟବିଧବାର ଧୂପକାଠି ଭଳି ତିଳ ତିଳ ହୋଇ ଦଗ୍‌ଧ ହେବାର କରୁଣ ଦୃଶ୍ୟ । ତାଙ୍କ ସ୍ୱରରେ ଶୁଣି ପାରୁଥିଲି ଜଣେ ଅଲିଅଳ କନ୍ୟାର ବୈଧବଯନ୍ତ୍ରଣା ଜନିତ ଆର୍ତ୍ତଚିତ୍‌କାର, ପ୍ରଶ୍ୱାସରେ ଅନୁଭବ କରୁଥିଲି ଜଣେ ସ୍ତ୍ରୀର ପୁଞ୍ଜିଭୂତ ବ୍ୟଥା ଓ ବେଦନାର ଦୀର୍ଘଶ୍ୱାସ ଓ ତାଙ୍କ ଚାହାଣୀରେ ଦେଖୁଥିଲି ଏଇ ସ୍ୱାର୍ଥପର ସମାଜ ବିରୁଦ୍ଧରେ ନୀରବ ଅଭିଯୋଗ । ଜଣେ ଅଲିଅଳ କୁମାରୀକନ୍ୟା, ଜଣେ ସୁଖସମ୍ଭୋଗଲିପ୍‌ସୁ ସ୍ତ୍ରୀ ସମାଜର ରକ୍ତଚକ୍ଷୁକୁ ଭୟକରି ଏତେ ତ୍ୟାଗ କରିପାରେ ତା’ ମୋର ଆଦୌ ବିଶ୍ୱାସ ହେଉ ନଥିଲା ।

 

ବ୍ରତୋପନୟନ ଉତ୍ସବରେ ନିମନ୍ତ୍ରିତ ଅତିଥି, ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନଙ୍କ ଆନନ୍ଦ କୋଳାହଳରେ ବାତାବରଣ ମୁଖରିତ ହୋଇ ଉଠିଥିଲା । ପୁରୁଷ ଅତିଥିମାନଙ୍କ ଉଲ୍ଲସିତ ଆଲୋଚନା ଓ ସୁନ୍ଦରୀ ଯୁବତୀମାନଙ୍କର ମଧୁର ଗୁଞ୍ଜନ ଶୁଣି ମୋର ମନେ ହେଉଥିଲା ଯେମିତି ଏମାନଙ୍କଠାରେ ଜୀବନମୃତ୍ୟୁକୁ ହାତମୁଠାରେ ରଖି ମହୋଲ୍ଲାସରେ ଧାଇଁଛି । ମାତ୍ର ନାନୀଙ୍କର ଗମ୍ଭୀର ବେଦନାପ୍ଳୁତ ମୁଖମଣ୍ଡଳକୁ ଚାହିଁ ଦେଖିଲି ତାଙ୍କ ଦେହରେ କରାଳ ମୃତ୍ୟୁ ଜୀବନକୁ ହାତମୁଠାରେ ରଖି ବିକଟାଳ ମୁଖ ବିସ୍ତାର କରି ପ୍ରଖର ବେଗରେ ଧାଉଁଛି ଆଉ ଶ୍ୱେତବସ୍ତ୍ର ପରିହିତା ବାଲ୍ୟବୈଧବ ଯନ୍ତ୍ରଣାରେ ନିଷ୍ପେସିତା ନାନୀ ସେ ମୁଖ ଗହ୍ୱରରେ ମୁକ୍ତିର ପଥ ସନ୍ଧାନ କରୁଛନ୍ତି !

Image

 

ଗଦାଧରଙ୍କ ଶୋକ

 

ନୟନରେ ତନ୍ଦ୍ରା ଘାରିଲା ପରି ରାତ୍ରିର ମସୀକୃଷ୍ଣ ଅନ୍ଧକାର ଧୀରେ ଧୀରେ ପୃଥିବୀକୁ ଆଛନ୍ନ କରି ଦେଇଛି । ଆକାଶ ବାଦଲର ତମ୍ବୁ ଭିତରେ ଆଜି ଘୁମନ୍ତ, ଅନ୍ଧକାରାଚ୍ଛନ୍ନ । ସବୁଦିନପରି ଆଜି ଆକାଶରେ ନାହିଁ ଅନେକ ତାରାର ସମାରୋହ, ନାହିଁ ସେମାନଙ୍କ ନୟନରେ ଅନେକ ଜିଜ୍ଞାସା । ଆକାଶ ସହିତ ସମବ୍ୟଥା ଜଣାଇ ରାତ୍ରି ବି ଆଜି ଘୂମନ୍ତ ଚକ୍ଷୁର ବ୍ୟଥାର କାହାଣୀ କହୁଛି ।

 

ଗଦାଧର ଇଜିଚେୟାର ଉପରେ ବସିଥିଲେ । ରାତ୍ରିର ସେ ମସୀକୃଷ୍ଣ ଅନ୍ଧକାର ସାରା ବାରଣ୍ଡାକୁ ଗ୍ରାସ କଲାଣି । ଜାଣିଶୁଣି ସେ ବାରଣ୍ଡାର ଲାଇଟ୍‌ଟା ଜଳେଇ ନାହାନ୍ତି । କି ଦରକାର ? ଆଲୋକ ଜଳାଇ ସେ ହୁଏତ ରାତ୍ରିର ନିବିଡ଼ ଅନ୍ଧକାରକୁ ବାରଣ୍ଡାରୁ ବିତାଡ଼ିତ କରିଦେବେ; ମାତ୍ର ତାଙ୍କ ଅନ୍ତର ଭିତରେ ଯେଉଁ ଘନ ଅନ୍ଧକାର କାକପକ୍ଷ ବିସ୍ତାର କରି ଗହନ ନିଦରେ ଶୋଇଛି, ସେ ଅନ୍ଧକାରକୁ ବିତାଡ଼ିତ କରିବାକୁ ସେ କେଉଁ ଆଲୋକ ରଶ୍ମିର ସନ୍ଧାନ କରିବେ ?

 

ଅବସରପ୍ରାପ୍ତ ଅନୁଶାସନ ସଚ୍ଚିବ ଗଦାଧର ମହାପାତ୍ର ରାତ୍ରିର ସେ ନିରନ୍ଧ୍ର ଅନ୍ଧକାର ମଧ୍ୟରେ ବୁଡ଼ି ରହି ଅତୀତକୁ ରୋମନ୍ଥନ କରୁଥିଲେ । ତାଙ୍କର ପକ୍ୱକେଶ, ଲୋଳିତ ଚର୍ମ ଓ ନିସ୍ତେଜ ସ୍ନାୟୁଗ୍ରନ୍ଥିର ରୁକ୍ଷତା ଭିତରେ ଖୋଜୁଥିଲେ ସଦ୍ୟ ବିବାହିତ ଯୁବକ ଗଦାଧରକୁ; ଯାହାର ଦେହ ସମୁଦ୍ରରେ ଯୌବନ ଲହଡ଼ି ଭାଙ୍ଗୁଥିଲା । ସୁଶ୍ରୀ ବଳିଷ୍ଠ ଅବୟବ, ସୁନ୍ଦର ଦିପ୍ତୀମାନ ମୂଖମଣ୍ଡଳ ଓ ଉନ୍ନତ ନାସିକ ପ୍ରଶସ୍ତ ଲଲାଟର ଅଧିକାରୀ ଯୁବକ ଗଦାଧର ତାଙ୍କ ଆଗରେ ଉଭା ହେଉଥିଲା ।

 

ତାଙ୍କ ଜୀବନର ସେ ଏକ ଅତୀବ କରୁଣ ଅବିସ୍ମରଣୀୟ ଘଟଣା ଯାହା ମନେ ପଡ଼ିଲା ଗଦାଧର ସାରା ଦେହରେ ଅନୁଭବ କରନ୍ତି ଶତ ବୁଶ୍ଚିକର ଦଂଶନ । ତାଙ୍କ ଶୋଣିତ ଗ୍ରନ୍ଥିରେ ପ୍ରବାହିତ ହୁଏ ଏକ ବରଫ ଶୀତଳ ହିମସ୍ରୋତ । ସେ ଘଟଣା ସ୍ମରଣରେ ତାଙ୍କ ସ୍ନାୟୁକେନ୍ଦ୍ର ହୁଏ ନିସ୍ତେଜ, ଚଳଶକ୍ତିରହିତ, ଜଡ଼ । ଛତ୍ରପୁରରେ ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟ୍‌ ଥିଲାବେଳେ ଗଦାଧର ତାଙ୍କ ଜୀବନର ଶ୍ରେଷ୍ଠ ସମୟଗୁଡ଼ିକୁ ଉପଭୋଗ କରୁଥିଲେ । ସାରାଦିନ ପରିଶ୍ରମ ପରେ ସେ ସେତେବଳେ କ୍ଳାନ୍ତି ଆଉ ଅବସାଦର ହାଇମାରି କ୍ୱାଟରର ଦ୍ୱାରଦେଶରେ ପାଦ ଦେଉଥିଲେ ସଦ୍ୟ ବିବାହିତ ପତ୍ନୀ ଈଷତ୍‌ ଅବଗୁଣ୍ଠନବତୀ କମଳାଙ୍କର ଦ୍ରହସିତ ସୁନ୍ଦର ମୁହଁ ଦେଖି ସେ ଆତ୍ମବିଭୋର ହୋଇ ଯାଉଥିଲେ । ତାଙ୍କ କପାଳ ଉପରେ ଝିଲ୍‌ମିଲ୍‌ କରୁଥିବା ସିନ୍ଦୁର ବିନ୍ଦୁଟି ଥିଲା ତାଙ୍କର ପ୍ରିୟତମ ତାରକା; ତାଙ୍କ ଜୀବନର ଧ୍ରୁବତାରା, ଯାହାକୁ ଦେଖି ସେ ଅଜସ୍ର କ୍ଳାନ୍ତି ଓ ଅବସାଦ ଭୁଲି ଯାଉଥିଲେ ଏବଂ ନୂତନ ଦିନର କର୍ମଜଞ୍ଜାଳର ଭଉଁରୀ ଭିତରକୁ ଲମ୍ଫ ଦେବାକୁ ପ୍ରେରଣା ପାଉଥିଲେ । କମଳାଙ୍କ ସୁବାସିତ କେଶରାଶି ଭିତରେ ଗହନରାତ୍ରିର ସ୍ୱପ୍ନ ଦେଖି ଶଯ୍ୟାତ୍ୟାଗ କଲାବେଳକୁ ସେ ବେଶ୍‌ ସୁସ୍ଥ ସତେଜ ଜଣାପଡ଼ୁଥିଲେ ।

 

ତାଙ୍କର ସେ ସୁନ୍ଦର ଜୀବନ-ଯମୁନାରେ ଅବିଶ୍ରାନ୍ତ ଝଡ଼ି ଉଠିଲା କାହିଁକି ? କିଏ ବୃନ୍ତଚ୍ୟୁତ କଲା ତାଙ୍କ ଜୀବନର ରୋମାଞ୍ଚିତ କଦମ୍ବ ? କିଏ ସେ ନିର୍ମମ ଭାଙ୍ଗି ଚୁର୍‌ମାର କରିଦେଲା ତାଙ୍କ ମୋହନ ବଂଶୀ ଯାହାକୁ ଅଧରରେ ରଖି ସେ ତୋଳୁଥିଲେ ମିଳନର ମଧୁର ମୂର୍ଚ୍ଛନା ।

 

କେତେଜଣ ସହକର୍ମୀ ବନ୍ଧୁ କମଳାଙ୍କ ପରି ରୂପବତୀ ଗୁଣବତୀ ସ୍ତ୍ରୀ ପାଇଥିବାରୁ ଯେଉଁମାନେ ତାଙ୍କ ସୌଭାଗ୍ୟକୁ ଈର୍ଷା କରୁଥିଲେ । ବନ୍ଧୁତାର ମୁଖୋସ୍‌ ପିନ୍ଧି ସେମାନେ ତାଙ୍କ ମନରେ ସନ୍ଦେହର ଜୀବାଣୁ ଛାଡ଼ିଦେଲେ । ଅବଶେଷରେ ସେ ଜୀବାଣୁ ବଂଶବୃଦ୍ଧିକରି ସଂକ୍ରମିତ ହେଲେ ତାଙ୍କ ମନରେ । ସେ ଜୀବାଣୁମାନଙ୍କର ବିଷକ୍ରିୟାରେ ତାଙ୍କ ମନ ଉତ୍କଟ ବ୍ୟାଧିରେ ଆକ୍ରାନ୍ତ ହୋଇପଡ଼ିଲା, ଯା ଫଳରେ ସେ ଅତି ସ୍ୱାର୍ଥପର ଓ ସନ୍ଦେହୀ ହୋଇଉଠିଲେ ଏବଂ କମଳାଙ୍କପରି ସତୀ ସାଧ୍ୱୀ, ପତିବ୍ରତା ସ୍ତ୍ରୀକୁ ଘୃଣା କରିବାକୁ ଆରମ୍ଭ କଲେ ।

 

କ୍ଳବରେ ବ୍ରିଜ ଖେଳିଲାବେଳେ ତାଙ୍କର କେତେଜଣ ଅନ୍ତରଙ୍ଗ ବନ୍ଧୁ ଯେଉଁମାନଙ୍କ ସହିତ ନାନା ହାସ ପରିହାସ ହେଉଥିଲା ଦିନେ କଥାଛଳରେ କହିଲେ ତାଙ୍କ ସ୍ତ୍ରୀ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଜୀବନକୁ ଉପଭୋଗ କରୁଛନ୍ତି । ସେ ପଡ଼ୋଶୀ ପୁରୁଷ ବନ୍ଧୁମାନଙ୍କ ସହିତ ପ୍ରେମାଳାପ କରି ସମୟ ଅତିବାହିତ କରୁଛନ୍ତି ।

 

ପ୍ରଥମେ ପ୍ରଥମେ ଗଦାଧର ଏସବୁ କଥାରେ କର୍ଣ୍ଣପାତ କରୁ ନଥିଲେ । ଏ ଅଭିଯୋଗକୁ ପରିହାସ ବୋଲି ଭାବି କଥାକୁ ହାଲୁକା କରିବାକୁ ହସି ହସି ଗଡ଼ି ଯାଉଥିଲେ । କିନ୍ତୁ ବନ୍ଧୁମାନଙ୍କର କ୍ରମାଗତ ଅଭିଯୋଗ ଫଳରେ ସେ ସନ୍ଦେହୀ ହୋଇ ଉଠିଲେ । ତେଣୁ କମଳାଙ୍କର ଗତିବିଧି ଲୁଚିଛପି ଲକ୍ଷ୍ୟ କରିବାକୁ ଲାଗିଲେ ।

 

ଦିନେ ଅଧେ ନୁହେଁ ଏମିତି ମାସ ମାସ ଧରି ତାଙ୍କର ମର୍ମବେଦନା ତାଙ୍କୁ ଦଗ୍‌ଧ କରିବାକୁ ଲାଗିଲା । କୋଟ୍‌ରେ ବସିଥିଲାବେଳେ ସେ ହଠାତ୍‌ ଉଠନ୍ତି ଓ କ୍ୱାଟର ଆଡ଼େ ଧାଇଁଆସନ୍ତି । କ୍ଳବରେ ବ୍ରିଜ ଖେଳୁ ଖେଳୁ ଫେରିବା ସମୟ ହୋଇ ନଥିଲେ ମଧ୍ୟ ଶରୀର ଅସୁସ୍ଥ ଥିବାର ଛଳନା କରି ଶୀଘ୍ର ପଳାଇ ଆସନ୍ତି । ଯଦି ଘରେ କମଳା ଥାଆନ୍ତି ତ ଭଲ । ସେ ସ୍ୱସ୍ତିରେ ନିଶ୍ୱାସ ମାରନ୍ତି । ଯଦି ସେ ଆସିଲାବେଳକୁ କମଳା କୌଣସି ପଡ଼ିଶା ଘରକୁ ଯାଇଥାନ୍ତି (ଜଣେ ମହିଳା ପଡ଼ିଶା ଘରେ ଯାଇଁ କୌଣସି ସ୍ତ୍ରୀବନ୍ଧୁଙ୍କ ସହିତ ସମୟ କଟେଇବା କିଛି ଗର୍ହିତ କାର୍ଯ୍ୟ କି-?) ତେବେ ସେ କ୍ରୋଧାନ୍ୱିତ ହୁଅନ୍ତି । ଏମିତି କି କମଳା ଯଦି ଦାଣ୍ଡପଟରୁ କବାଟ ବନ୍ଦକରି ଘରଭିତରେ ଥାଆନ୍ତି ତେବେ ସେ ଦରଜାରେ କରାଘାତ କରୁ କରୁ କମଳା ଦ୍ୱାର ଖୋଲିଲେ ଭଲ-। ଟିକିଏ ବିଳମ୍ବ ତାଙ୍କପାଇଁ ଅସହ୍ୟ ହୁଏ । ଘର ଭିତରେ ପଶୁ ପଶୁ ସେ ବାରିପଟ ଦୁଆର ଆଡ଼କୁ ସନ୍ଦେହ ଦୃଷ୍ଟିରେ ଚାହାନ୍ତି । ତାଙ୍କୁ ଜଣାଯାଏ କିଏ ଯେମିତି ସେ ପଥଦେଇ ସଦ୍ୟ ଚାଲିଯାଇଛି ଓ ତାର ପାଦଶବ୍ଦ ଧୀରେ ଧୀରେ ମିଳେଇ ଯାଉଛି ।

 

ସ୍ୱାମୀ ସ୍ତ୍ରୀର ସମ୍ପର୍କ ଏକ ଗଭୀର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ସେ ବିଶ୍ୱାସର ମୂଳଦୁଆକୁ ସନ୍ଦେହର ଭୂକମ୍ପନ ଥରାଇ ଦିଏ ତେବେ ବୈବାହିକ ଜୀବନର ସଯତ୍ନ ଗଠିତ ପ୍ରଣୟ ସୌଧ ଭୁଲୁଣ୍ଠିତ ହେବାକୁ ବିଳମ୍ବ ହୁଏନା । ଗଦାଧରଙ୍କ ଜୀବନରେ ସେଇଆ ହେଲା । କମଳାଙ୍କ ପ୍ରତି ତାଙ୍କର ସନ୍ଦେହ ଏତେ ଘନୀଭୂତ ହେଲା ଯେ ସେ ସକଳ ବିଶ୍ୱାସ ହରାଇ ବସିଲେ ଓ ତାଙ୍କୁ ଘୃଣା କରିବାକୁ ଲାଗିଲେ; ଏମିତି କି ନିଜର ବ୍ୟବହାର ପାଇଁ କମଳା ଯେତେବେଳେ ଶାଢ଼ୀ କିମ୍ବା କୌଣସି ପ୍ରସାଧନ ସାମଗ୍ରୀ ଆଣି ଦେବାକୁ ଅନୁରୋଧ କରନ୍ତି ଗଦାଧର ଭାବନ୍ତି ସେ ସବୁରେ ଭୂଷିତା ହୋଇ ନିଜର ପ୍ରେମିକମାନଙ୍କ ସହିତ ଆନନ୍ଦ ଉଲ୍ଲାସ କରିବା ପାଇଁ କମଳା ଏ ସବୁ ମାଗୁଛନ୍ତି । ଘୃଣାରେ ସେ ନାସିକା କୁଞ୍ଚନ କରନ୍ତି- ଅସତୀ, କୁଳଟା, ଦୋଚାରୁଣୀ । କିନ୍ତୁ ମୁହଁଖୋଲି କିଛି କହି ପାରନ୍ତି ନାହିଁ ।

 

ଆଉ ଆଗକୁ ଭାବିବାକୁ ଗଦାଧର ସାହସ କରୁ ନ ଥିଲେ । ଏକ ଅଜ୍ଞାତ ଭୟ ଗ୍ରାସ କରି ତାଙ୍କୁ ଚିନ୍ତାଶକ୍ତି ରହିତ କରି ଦେଉଥିଲା ।

 

ଝର ଝର ହୋଇ ବର୍ଷା ଝରିଲାଣି । ଉଦ୍ୟାନର ଉଇକାଲିପଟ୍‌ସ ଗଛରେ ମଥା ପିଟି ବତାସ ଏକ କରୁଣ ବେଦନାପ୍ଳୁତ ସ୍ୱର ତୋଳୁଛି ।

 

ଗଦାଧରଙ୍କ ଅନ୍ତର କାନ୍ଦିଉଠିଲା । ତାଙ୍କ କୋଟରାଗତ ଚକ୍ଷୁର ପକ୍ଷ୍ମତଳେ ସଂଚିତ ହେଉଥିଲା ବ୍ୟଥାର ଲୋତକ ବିନ୍ଦୁ । ସେଦିନର ସେ ସର୍ବନାଶୀ ରାତ୍ରି ମଧ୍ୟ ଘୂମନ୍ତ ବର୍ଷଣମୁଖର ଓ ଭୟଙ୍କର ଥିଲା । କ୍ଳବ ଅଗଣାର ଝାଉଁ ଗଛରେ ମଥା ପିଟୁଥିଲା ବଙ୍ଗୋପସାଗରର ପାଗଳ ବତାସ-

 

ତାଙ୍କର ଅନିଚ୍ଛା ସତ୍ତ୍ୱେ କେତେଜଣ ବନ୍ଧୁ ତାଙ୍କୁ ବାଧ୍ୟକରି କ୍ଳବ ନେଇ ଯାଇଥିଲେ ।

 

ଅନେକକ୍ଷଣ ପରେ ଆଉ ଜଣେ ବନ୍ଧୁ ବ୍ୟସ୍ତ ପଦକ୍ଷେପରେ ସେଠାରେ ପ୍ରବେଶ କଲେ ଏବଂ ଜଣକ କାନ ପାଖରେ କଣ ଚୁପ୍‌ ଚୁପ୍‌ କହିଲେ । ତା’ ପରେ ସେମାନଙ୍କ ଭିତରେ ଏକ ଅସ୍ପଷ୍ଟ ଗୁଞ୍ଜନ ଖେଳିଗଲା ଏବଂ ସମସ୍ତେ ଗଦାଧରଙ୍କ ଆଡ଼କୁ ଚାହିଁ ଅର୍ଥପୂର୍ଣ୍ଣ ହସ ହସିବାକୁ ଲାଗିଲେ ।

 

ବହୁତ ଅନୁରୋଧ ପରେ ଆଗନ୍ତୁକ ଜଣାଇଲେ ଯେ ଗଦାଧରଙ୍କ ଅନୁପସ୍ଥିତିର ସୁଯୋଗ ନେଇ କମଳା ସହରର ଜଣେ କୁଖ୍ୟାତ ନଷ୍ଟ ଚରିତ୍ର ଯୁବକ ସହିତ ନିଜ ଶୟନ କକ୍ଷରେ ବସି ଆଳାପ କରୁଥିବାର ସେ ଦେଖି ଆସିଛନ୍ତି । ବର୍ତ୍ତମାନ ଯଦି ଗଦାଧର ନିଜ ଘରକୁ ଫେରି ଯାଆନ୍ତି ସେ ସବୁ ଦେଖି ପାରିବେ ।

 

ବାହାରେ ବତାଶ ଗର୍ଜୁଥିଲା । ଗଦାଧରଙ୍କ ଅନ୍ତର ଭିତରେ ମଧ୍ୟ ପ୍ରଖର ବେଗରେ ବହୁଥିଲା ଗର୍ଜନ ଚାଳିଶା । ଝଡ଼ ଝଞ୍ଜା ପ୍ରତି ଭ୍ରୂକ୍ଷେପ ନ କରି ଗଦାଧର କ୍ୱାଟର ଆଡ଼େ ଧାଇଁଲେ । ସେ ଯେମିତି ଏକ ଉତ୍ତାଳ ତରଙ୍ଗ ସ୍ଫୀତ ହୋଇ ତଟ ଦେଶର ବାଲିଚରକୁ ପ୍ଳାବିତ କରି ଦେବାକୁ ସବେଗରେ ଧାଇଁଛନ୍ତି ।

 

ଭିତରୁ ଦରଜା ବନ୍ଦ ଥିଲା । ବହୁତଥର କରାଘାତ ପରେ ଯେତେବେଳେ କମଳା ଦରଜା ଖୋଲିଲେ ଗଦାଧର ତାଙ୍କର ଅପରୂପ ସୌନ୍ଦର୍ଯ୍ୟ ଓ କେଶ ପରିପାଟୀ ଦେଖି ଈର୍ଷାନଳରେ ଦଗ୍‌ଧ ହୋଇଗଲେ । ସେ ନିଶ୍ଚିତ ଭାବରେ ସ୍ଥିର କରିନେଲେ ଯେ ପ୍ରେମିକର ସନ୍ତୋଷ ପାଇଁ କମଳା ନିଜକୁ ଏମିତି ସଜେଇଛି । କମଳାଙ୍କ କପାଳରେ ସିନ୍ଦୁରବିନ୍ଦୁ ପିସ୍ତଲର ଗୁଳିଭଳି ତାଙ୍କ ବକ୍ଷ ଭେଦକଲା । ତାଙ୍କ ଅସଂଯତ କେଶରାଶି କ୍ରୋଧିତା ନାଗୁଣୀ ଭଳି ଜିହ୍ୱା ଲହ ଲହ କରି ତାଙ୍କୁ ଦଂଶନ କରିବାକୁ ଆଗେଇ ଆସିଲେ । ଗଦାଧର ଝଡ଼ ବେଗରେ ଶୟନ କକ୍ଷରେ ପ୍ରବେଶ କଲେ-

 

ସେଠାରେ କେହି ନ ଥିଲେ । ସେ ବାଡ଼ିପଟ ଦରଜା ଆଡ଼କୁ ଚାହିଁଲେ । ତାଙ୍କୁ ଜଣାଗଲା ଯେମିତି କାହାର ଛାୟା ସେ ବାଟେ ଧୀରେ ଧୀରେ ନିଷ୍‌କ୍ରାନ୍ତ ହେଉଛି । କମଳା ନିଶ୍ଚୟ ଅସତୀ, କମଳା ଦୋଚାରୁଣୀ । କିନ୍ତୁ ପ୍ରମାଣ କାହିଁ ?

 

ଗଦାଧର ପାଗଳଙ୍କ ପରି ଶଯ୍ୟା ଓ ଶଯ୍ୟାଧାର ଖୋଜିବାକୁ ଲାଗିଲେ । ହୁଏତ ସେ ଯୁବକ ତାର ଅଭିସାରର କୌଣସି ଚିହ୍ନ ଛାଡ଼ି ଯାଇନାହିଁ ।

 

ଅତି ସାବଧାନତାର ସହିତ ଖୋଜୁ ଖୋଜୁ ଗଦାଧର ଦେଖିଲେ ଭାଙ୍ଗ ହୋଇ ଖଣ୍ଡିଏ କନା ପଡ଼ିଛି ଯାହାକୁ ଖୋଲିଲାପରେ ଦେଖାଗଲା ତାହା ଏକ ରୁମାଲ । ରୁମାଲର ଗୋଟିଏ କଣରେ ଲେଖାଥିଲା ଏକ ପୁରୁଷର ନାମ ଯେ କି ଏକ ନଷ୍ଟ ଚରିତ୍ର ବୋଲି ସାରା ସହରରେ ପରିଚିତ ଥିଲା । ଗଦାଧରଙ୍କର ରକ୍ତସବୁ ମସ୍ତିଷ୍କରେ ଜମାଟ ବାନ୍ଧିବାକୁ ଆରମ୍ଭ କଲା । ସେ କ୍ରୋଧରେ ଥରିବାକୁ ଲାଗିଲେ । ସେ ନିଜ ହାତରେ ପ୍ରମାଣ ଦେଖି ନିଶ୍ଚିତ ଭାବରେ ଜାଣିଲେ କମଳା ଏକ ଅସତୀ କୁଳଟା ରମଣୀ- ଯାହାକୁ ବିବାହ କରିବା ଏକ ଅଭିଶାପ, ପାପ । କ୍ରୋଧରେ ଅନ୍ଧ ହୋଇ ଗଦାଧର ସ୍ତ୍ରୀଙ୍କ ଉପରେ ଅଜସ୍ର ଗାଳି ବର୍ଷଣ କଲେ । ଅସତୀ, କୁଳଟା, ଦୋଚାରୁଣୀ ଏମିତି କେତେଗୁଡ଼ିଏ ଅସଭ୍ୟ ଭାଷା ପ୍ରୟୋଗ କରିବା ସଙ୍ଗେ ସଙ୍ଗେ ସେ କମଳାଙ୍କୁ ନିର୍ମମ ଭାବରେ ପ୍ରହାର କରିବାକୁ ଲାଗିଲେ ।

 

କମଳାଙ୍କ ମୁହଁରେ ଭାଷା ନ ଥିଲା । ସେ କେବଳ ଆର୍ତ୍ତଚିତ୍‌କାର କରି ଅଶ୍ରୁମୋଚନ କରିବାକୁ ଲାଗିଲେ । ଅନ୍ୟ ଏକ ପୁରୁଷର ନାମାଙ୍କିତ ରୁମାଲ ତାଙ୍କ ଶଯ୍ୟାଧାରରୁ ମିଳିବାର ଏକ ଘଟଣାକୁ ସେ ବିଶ୍ୱାସ କରି ପାରୁ ନ ଥିଲେ ।

 

ତା’ ପରର ଘଟଣା ଅତି ସଂକ୍ଷିପ୍ତ । କମଳା ଫାଶି ଦେଇ ସେଦିନ ରାତିରେ ଆତ୍ମହତ୍ୟା କରିଥିଲେ । ସେ ଏକ ପତ୍ର ଲେଖି ଜଣାଇ ଦେଇ ଯାଇଥିଲେ ଯେ ମୃତ୍ୟୁ ପର୍ଯ୍ୟନ୍ତ ସ୍ୱାମୀଙ୍କ ବ୍ୟତୀତ ଅନ୍ୟ କୌଣସି ପୁରୁଷର ଚିନ୍ତା କରି ନାହାନ୍ତି । ସ୍ୱାମୀଙ୍କ ମୁହଁରୁ ଦୋଚାରୁଣୀ ଆଖ୍ୟା ପାଇଁ ସେ ଆଉ ବଞ୍ଚିଥାନ୍ତେ କହା ଭରସାରେ ? ତାଙ୍କର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ।

 

ସେମିତି ଇଜି ଚେୟାର ଉପରେ ବସି ଗଦାଧର କାନ୍ଦୁଥିଲେ । ତାଙ୍କ କୋଟରାଗତ ଚକ୍ଷୁ ଦୁଇଟିରୁ ଝରୁଥିଲା ଅଶ୍ରୁର ଝରଣା । ଅନୁତାପ ଓ ଅନୁଶୋଚନାରେ ଦଗ୍‌ଧ ହୋଇ ସେ ନିଜକୁ ଧିକ୍‌କାର କରୁଥିଲେ । ସେ କେତେ ନିର୍ବୋଧ । ଈର୍ଷାପରାୟଣ ତଥାକଥିତ ବନ୍ଧୁମାନଙ୍କ ଚକ୍ରାନ୍ତ ସେ ବୁଝି ପାରିଲେ ନାହିଁ । କ୍ଳବକୁ ଯାଇ ଯେଉଁ ବନ୍ଧୁଜଣକ ତାଙ୍କୁ ଖବର ଦେଲେ, ସେ ଗଲାବେଳେ ରୁମାଲଟି ତାଙ୍କ ଶୟନ କକ୍ଷର ଝରକା ଦେଇ ଭିତରକୁ ଫିଙ୍ଗି ଦେଇଥିଲେ ଏବଂ ବାଡ଼ିପଟ ଦରଜାରେ ଯେଉଁ ଛାୟା ତାଙ୍କୁ ଦିଶିଲା ସେ କେବଳ ତାଙ୍କ ମାନସିକ ବିକୃତିର ଛାୟା ରୂପ ! ତାଙ୍କ ବିରୁଦ୍ଧରେ ଏକ ସୁଚିନ୍ତିତ ଚକ୍ରାନ୍ତର ଶୀକାର ହୋଇ ସେ କମଳାଙ୍କ ପରି ସ୍ତ୍ରୀକୁ ହରାଇ ବସିଲେ ।

 

ଲୋତକର ବନ୍ୟା ଭସାଇ ଭାବୁଥିଲେ ବୃଦ୍ଧ ଗଦାଧର । ସେ ଏକ ନରପିଶାଚ ଘାତକ ଖୁଣୀ । ସେ କମଳାଙ୍କୁ ଅତି ନିର୍ମମ ନିଷ୍ଠୁର ଭାବରେ ହତ୍ୟା କରିଛନ୍ତି । ତାଙ୍କ ପାପର ପ୍ରାୟଶ୍ଚିତ୍ତ ନାହିଁ ।

 

ସୂଚୀଭେଦ୍ୟ ଅନ୍ଧକାର ଭିତରେ ଗଦାଧର ଦେଖିପାରୁଥିଲେ ଆକାଶ ଫୁଲି ଫୁଲି କାନ୍ଦୁଛି ଏବଂ ବତାସ କ୍ରନ୍ଦନରୋଳ ଛୁଟାଇ ଇଉକାଲିପଟାସ୍‍ ଗଛରେ ମଥା ପିଟୁଛି ।

Image

 

ସବୁଜ ସଂହାର

 

ଚେନାଏ ଜାଗା ।

 

ସବୁଜ ସ୍ନିଗ୍‌ଧ ଆଉ ଶୀତଳ ।

 

ଦେଖିଲେ ଆଖି ଲାଖି ରହେ, ମନ କୁରୁଳି ଉଠେ, ଓଠରେ ହସ ଚହଟେ ।

 

ଈଷତ୍‌ ଗୋଲାକାର ତିନିକୋଣିଆ ଜାଗା ଖଣ୍ଡେ । ଚାରିପଟରେ ନିଗ୍ରୋ ଯୁବକର କଳା ମିଚ୍‌ମିଚ୍‌ ଓସାରିଆ ଛାତିପରି ରାସ୍ତା । ଉଚ୍ଚାହୋଇ ଜାଗା ଖଣ୍ଡେ । ଧାରେ ଧାରେ ସିମେଣ୍ଟ ଲାଇନିଂ-। ତା’ ମଝିରେ ସେଇ ସବୁଜିମା’ର ରୂପ ସମ୍ଭାର । ସଜଳ ଢଳ ଢଳ, ଛଳ ଛଳ । ପ୍ରଭାତରେ ଶିଶିର ସ୍ନାନ ସାରି ସୁନେଲି ସୂର୍ଯ୍ୟ କିରଣରେ ଯେତେବେଳେ ଏ ସବୁଜ ପରିବେଷ୍ଟନୀ ଭିତରେ ରଙ୍ଗ ଉକୁଟି ଉଠେ, ଜଣାଯାଏ ସତେ ଯେମିତି ଏକ ରୂପସୀ ଷୋଡ଼ଶୀ ଓଠରେ ଚେନାଏ ହସ ଲାଖି ରହିଛି !

 

ଅପରାହ୍ନରେ ଯେତେବେଳେ ତିନିମହଲା ଅଫିସର ଛାଇ ଲମ୍ବି ଆସି ଏ ସବୁଜ ସଂସାରକୁ ଶୀତଳ ଆଲିଙ୍ଗନ ଦିଏ, ମଧ୍ୟାହ୍ନର ଜ୍ୱଳନକୁ ଉପଶମ କରେ ଓ ଦୁର୍ବାଦଳ କୁଟୁମ୍ବର ଛୋଟ ବଡ଼ ପ୍ରତ୍ୟେକ ଜୀବକୋଷରେ କୃତଜ୍ଞତା ଭରିଯାଏ ।

 

ସକାଳେ ସଞ୍ଜେ ରହେମାନ ସ୍ଥିର ଦୃଷ୍ଟିରେ ଚାହିଁ ରହେ ଏ ସବୁଜ ପରିବେଷ୍ଟନୀକୁ ।

 

ଆହା କେଡ଼େ ମଧୁର ସେ ଦର୍ଶନର ଅନୁଭବ । କେଡ଼େ ଶାନ୍ତ ଶୀତଳ ତା’ର ପ୍ରଭାବ ।

 

ଦିନେ ଅଧେ ନୁହେଁ ଆଜିକୁ ପ୍ରାୟ କୋଡ଼ିଏ ବର୍ଷ ହେଲା ରହେମାନ ଏ ସବୁଜ ସଂସାରର ହସ କାନ୍ଦ, ସୁଖ ଦୁଃଖ, ଉନ୍ନତି ବିପର୍ଯ୍ୟୟ ସବୁକିଛି ଦେଖି ଆସିଛି ।

 

ପ୍ରଭାତରେ ଯେତେବେଳେ ଏ ସବୁଜ ସଂସାର ସୁନେଲି ସ୍ୱପ୍ନରେ ବିଭୋର ହୁଏ ରହେମାନ ଆଖିରେ ମଧ୍ୟ ନିଶା ଘାରେ । ରାକା ରଜନୀରେ ଏ ସବୁଜିମା ଭିତରେ ଯେତେବେଳେ ଚାନ୍ଦ ମୂରୁକି ମୂରୁକି ହସେ ରହେମାନର ଅନ୍ତର ଆନନ୍ଦରେ କୁରୁଳି ଉଠେ । ବର୍ଷାମୁଖର ଶ୍ରାବଣର ଝଡ଼ ଯେତେବେଳେ ବରୁଣାସ୍ତ୍ର ମାରି ଏ ଦୁର୍ବାଦଳମାନଙ୍କୁ ବିପର୍ଯ୍ୟସ୍ତ କରେ, ବେଦନାପ୍ଳୁତ କରେ, କିମ୍ବା ବୈଶାଖ ଯେତେବେଳେ ଆଗ୍ନେୟାସ୍ତ୍ର ପ୍ରୟୋଗ କରି ସେମାନଙ୍କୁ କ୍ଷତ ବିକ୍ଷତ କରେ ରହେମାନର ଅନ୍ତର ସମବେଦନାରେ ଭରିଯାଏ ।

 

ଚୌକିଦାର ରହେମାନ ଏମିତି କୋଡ଼ିଏ ବର୍ଷଧରି ଏଇ ସବୁଜ ସଂସାରର ହସରେ ହସିଛି, ଦୁଃଖରେ କାତରେ ହୋଇଛି, କାନ୍ଦରେ ଲୁହ ଝରାଇଛି !

 

ବୈଶାଖର ପ୍ରଚଣ୍ଡ ସୂର୍ଯ୍ୟ ଯେତେବେଳେ ଏ ସବୁଜ ଦୁର୍ବାଦଳମାନଙ୍କ ଛାତି ଚିରି ରକ୍ତ ଶୋଷେ ରହେମାନ ମାଳୀମାନଙ୍କୁ ତାଗିଦ୍‌ କରେ ଭଲଭାବରେ ଜଳସେଚନ କରି ସେମାନଙ୍କର କ୍ଷତ ଉପଶମ କରିବାକୁ । ବର୍ଷାର ଜଳସେଚନ ପାଇ ଏ ଦୁର୍ବାଦଳମାନେ ଗର୍ବରେ ଉନ୍ମତ୍ତ ହୋଇ ଉଚ୍ଛୃଙ୍ଖଳ ଭାବରେ ଉପରକୁ ମୁଣ୍ଡ ଟେକନ୍ତି ଆଉ ଦମ୍ଭରେ ଏଇ ତିନିମହଲା ଅଫିସ ଘରକୁ ଉପହାସ କରି କହନ୍ତି- ଆମେ ବି ତୋ ଉଚ୍ଚ ହେବୁ ଓ ତୋ ସହିତ ଶତ୍ରୁତା ସାଧିବୁ, ସେତେବେଳେ ମାଳୀମାନେ ଘାସକଟା ଯନ୍ତ୍ର ସାହାଯ୍ୟରେ ଏମାନଙ୍କ ଗର୍ବ ଖର୍ବ କରି ତାଙ୍କର ଉନ୍ନତ ଆଉ ଉଦ୍ଧତ ମସ୍ତକ ଛେଦନ କରନ୍ତି । ରହେମାନ କିନ୍ତୁ ଏମାନଙ୍କ ପ୍ରତି ତା’ର ନିବିଡ଼ ସ୍ନେହ ଓ ମମତା ଭୁଲି ପାରେନା । ତାର ମନେହୁଏ ଯେମିତି କେହି ନିଷ୍ଠୁର ଘାତକ ତା ନିଜର ପିଲାମାନଙ୍କ ମସ୍ତକ ଛେଦନ କରୁଛି । ସେ ମାଳୀମାନଙ୍କୁ ତାଗିଦ୍‌ କରି କହେ- ଖବରଦାର, ବେଶୀ କାଟ ନାହିଁ । ସେମିତି ନଷ୍ଟ କର ନାହିଁ । ଆହା ମା’ ଛେଉଣ୍ଡ ପିଲାଗୁଡ଼ାକ । ମୁ ତାଙ୍କୁ କେଡ଼େ ଯତ୍ନରେ ନଜର ବନ୍ଦୀରେ ରଖିଛି । ସେମାନଙ୍କୁ ଏମିତି କଷ୍ଟ ଦିଅନା !)

 

ଯେଉଁ ସମୟତକ ରହେମାନ ଅଫିସରେ ରହେ ତା ନଜରଥାଏ ଏ ଜାଗା ଖଣ୍ଡକ ଉପରେ । ଦିନେ ଦିନେ ସକାଳେ ଆସି ସେ ଦେଖେତ କିଏ ସେଠି କାଗଜ ପୁଳାଏ ମୋଡ଼ା ମୋଡ଼ି କରି ପକେଇଛି । ଆଉ କେତେବେଳେ ଦେଖେ ରୋନିଓ କରା କଳା ବିଲବିଲ କାଗଜ କେତେଖଣ୍ଡ ପଡ଼ିଛି । ରହେମାନର ରାଗହୁଏ । ଧେତ୍‌- କିଏ ସେ ଅନାଡ଼ି ଏମିତି ଅପରିଷ୍କାର କରିଛି ।

 

ରହେମାନ ସେ ସବୁ ଉଠାଇ ଦେଇ ସଫା କରିଦିଏ । ଆହା କି କଅଁଳ ଛନଛନିଆଁ ଦୂବଘାସ ମନ୍ଦାଏ । ଦେଖିଲେ ପେଟ ପୂରି ଯାଉଛି ।

 

ଦିନେ ଦିନେ କେତେ ରାତି ଯାଏ ରହେମାନ ସେ ସିମେଣ୍ଟ ଲାଇନିଂ ଉପରେ ବସି ଦୂବଗଛ ଗୁଡ଼ିକୁ ହାତରେ ସାଉଁଳେଇ ଦିଏ । ଅନୁଭବ କରେ । କେତେବେଳେ ଅବା ଆନନ୍ଦର ଆତିଶଯ୍ୟରେ ସେମାନଙ୍କର କୋମଳ ଶେଯରେ ଦମେ ଗଡ଼ିଯାଏ ।

 

ଶୀତଳ ପବନ ତା’ ଦେହକୁ ଛୁଇଁ ଛୁଇଁ ଯାଉଥାଏ । ଉପରେ ଜହ୍ନ ମେଘ ସହିତ ଲୁଚକାଳି ଖେଳୁଥାଏ । ତାରାମାନେ ମିଟି ମିଟି କରି ତାକୁ ଆଖିଠାର ମାରୁଥାନ୍ତି ।

 

ରହେମାନ ନିଜେ ବି ବେଳେ ବେଳେ ଆଶ୍ଚର୍ଯ୍ୟ ହୁଏ । ସେ ତ ଅଫିସ ଚୌକିଦାର । ସକାଳେ ଅଫିସ ଖୋଲିବା ଓ ସନ୍ଧ୍ୟାରେ ବନ୍ଦ କରିବା ତା’ର କାମ । ତା ଛଡ଼ା ଦିନବେଳେ କେବେ କେମିତି ହାକିମ ହୁକୁମା ବାବୁଭାୟାମାନଙ୍କର ବୋଲହାକ କରିବା କଥା । ସେ କବି ନୁହେଁ ଯେ ଏ ଶ୍ୟାମଳ ଛବି ଦେଖି କାବ୍ୟ କବିତା ଲେଖିବ । ସେ ଚିତ୍ରକାର ନୁହେଁ ଯେ ସେ ସବୁଜ ସଂସାରର ହସ କାନ୍ଦ କ୍ଷୟ ସୃଜନକୁ ତା ତୁଳୀରେ ରୂପ ଦେବ । ସେ ବି ପ୍ରେମିକ ନୁହେଁ ଯେ ଏ ସବୁଜ ଘାସର ଗାଲିଚା ତା’ ପ୍ରେମିକାକୁ ନିବିଡ଼ ବାହୁବନ୍ଧନରେ ଜଡ଼ାଇ ଧରି ଆକାଶକୁ ଚାହିଁ ତାରା ଫୁଲର ଶୋଭା ଦେଖିବ !

 

ତେବେ କାହିଁକି ତାର ଏ ଜାଗା ଖଣ୍ଡିକ ପ୍ରତି ମମତା ? କଣ ପାଇଁ ତା’ର ଏ ଦରଦ ?

 

କେତେ ହାକିମ ହୁକୁମା, କେତେ ବାବୁଭାୟା, କେତେ କିରାଣୀ ଚପରାଶି ପ୍ରତିଦିନ ଏଇବାଟେ ଆତଯାତ ହୁଅନ୍ତି । କେହି ତ ଦିନେ ଆଡ଼ ଆଖିରେ ଏ ଜାଗା ଖଣ୍ଡକୁ ଚାହିଁ ନାହିଁ । କେହି ତ ଦିନେ ଏ ସବୁଜ ଶୋଭା ସମ୍ପଦ ଉପଭୋଗ କରିବାକୁ ଦଣ୍ଡେ ଛିଡ଼ା ହୋଇ ଯାଇନାହିଁ ।

ତେବେ ତା ମନ କାହିଁକି ଏତେ ଆତୁର ହୁଏ । ତା’ ଆତ୍ମା କାହିଁକି ଡହଳ ବିକଳ ହୁଏ ?

ରହେମାନ ମନେ ମନେ କାରଣ ଖୋଜେ ।

ଏ କଣ ଖାଲି କ୍ରମାଗତ ଦେଖିବାର ମୋହ ?

ଖାଲି ସାକ୍ଷାତର ମମତା !

ଏମିତି କେତେ ଲୋକ ଅଛନ୍ତି ଯେଉଁମାନେ ଖାଲି ଦୂରରୁ ରୂପ ସମ୍ଭାର ଦେଖନ୍ତି । ଆଖିରେ ଅନୁଭବ କରନ୍ତି । ନଥାଉ ପଛେ ଆଳାପ ଅବା ବୁଝାମଣା ତଥାପି ସେମାନେ ମମତା ଡୋରିରେ ବାନ୍ଧିହୋଇ ଯାଆନ୍ତି । ହରାଇଲେ ବେଦନାର ଦୀର୍ଘଶ୍ୱାସ ଆପେ ଆପେ ବାହାରିଆସେ-

ଆଳାପ ପରିଚୟ ନଥିଲେ ବି ଯଦି କେହି ପଡ଼ୋଶିନୀ ପ୍ରତିଦିନ ତାଙ୍କ ରୂପର ଝଲକ ଦେଖାଇ ମାୟା ଲଗେଇଥାନ୍ତି ଏବଂ ହଠାତ୍‌ ଦିନେ ତାଙ୍କୁ ସ୍ଥାନାନ୍ତର କରିବାପାଇଁ ଟ୍ରକ ଦାନବ ଚିତ୍‌କାର କରିଉଠେ, ତାହାହେଲେ ମମତାର ଡୋରି ଛିଡ଼ିଯାଏ । ମନରେ ଦୁଃଖ ଆସେ । ଆଉ ବେଶ୍‌ କିଛିଦିନ ଅତି ଆପଣାର କେହିଜଣେ ହଜିଗଲାପରି ଲାଗେ ।

ରହେମାନର ଏଇ ଜାଗା ଖଣ୍ଡିକ ପ୍ରତି ମମତା ବୋଧହୁଏ କେବଳ ସାକ୍ଷାତର । ପ୍ରତିଦିନ ଦେଖି ଦେଖି ଏ ସବୁଜ ସଂସାର ପ୍ରତି କେମିତି ମାୟା ଲାଗି ଯାଇଛି ।

ଆଜି ରହେମାନ ଗମ୍ଭୀର ହୋଇ ବସିଛି । ଯେଉଁ ଜାଗା ଖଣ୍ଡକ ପ୍ରତି ଏତେ ମମତା, ଯେଉଁ ଦୁର୍ବାଦଳମାନଙ୍କୁ ସେ ଏତେ ସ୍ନେହ ଶ୍ରଦ୍ଧା କରିଥିଲା, ଯେଉଁ ସବୁଜିମାରେ ସେ ଆତ୍ମବିଭୋର ହେଉଥିଲା ତାକୁ ଆଜି ତା’ରି ଆଗରେ ହତ୍ୟା କରାଯାଉଛି ।

ଏ ସବୁଜ ସମ୍ଭାର ତା’ ପାଇଁ ଥିଲା ଏକ ସୌନ୍ଦର୍ଯ୍ୟର ଉତ୍ସ, କର୍ମପାଇଁ ପ୍ରେରଣା, ସଂସାର ଜଞ୍ଜାଳର ଜ୍ଜ୍ୱାଳା ଉପଶମ କରିବାର ଏକ ନିଦାନ । କିନ୍ତୁ ଆଜି ଏସବୁ କଣ ହୋଇ ଯାଉଛି-?

ଯେଉଁ ତିନିମହଲା କୋଠାଟା ତା’ର ଶୀତଳ ଛାୟାରେ ତାପକ୍ଳୀଷ୍ଟ ଦୁର୍ବାଦଳରେ ଜୀବନ ସଞ୍ଚାର କରୁଥିଲା- ସେ ତାର ସର୍ବଗ୍ରାସୀ ପ୍ରସାର ଲାଳସାରେ ଅନ୍ଧ ହୋଇ ଏ ସବୁଜ ସଂସାରକୁ ଗ୍ରାସ କରିବାକୁ ବସିଛି ।

ସମସ୍ତେ କହୁଛନ୍ତି ଦେଶରେ ପ୍ରଗତି ହେଉଛି । ବେଶୀ ଫାଇଲ ହେଲା, ଚପରାଶି କିରାଣୀ ହାକିମଙ୍କ ସଂଖ୍ୟା ବଢ଼ିଲା, ତେଣୁ ଅଧିକ ଘର ଦରକାର । ସେଥିପାଇଁ ଅଫିସର ଏକ୍‌ସଟେନସନ ହେଉଛି ।

ବୃଦ୍ଧ ରହେମାନ କିନ୍ତୁ ବୁଝିପାରୁ ନଥିଲା । ଫାଇଲ ବଢ଼ିଲେ କିମ୍ବା କର୍ମଚାରୀ ସଂଖ୍ୟା ବଢ଼ିଲେ କ’ଣ ଦେଶର ପ୍ରଗତି ହୋଇଯିବ ! ଯାହାହେଉ ପ୍ରଗତିର ପ୍ରକୃତ ସଂଜ୍ଞା କ’ଣ ହୋଇପାରେ ତା କ୍ଷୁଦ୍ର ମସ୍ତିଷ୍କରେ ସେ ଭାବିପାରୁ ନଥିଲା । ତା’ର ଖାଲି ଦୁଃଖ ହେଉଥିଲା ସେ ଚେନାଏ ଜାଗାକୁ ଚାହିଁ ଯେଉଁଠି ଏଯାଏଁ ବି ସବୁଜ ରୂପ ସମ୍ଭାର ତା’ କୋଟରାଗତ ଆଖି ଦୁଇଟିକୁ ଇସାରା ଦେଇ ଡାକୁଛି ।

କେଇଜଣ କୁଲି ସେ ସବୁଜ ଜାଗାଟାକୁ କୋଦାଳରେ ହାଣି, ଖିନ୍‌ ଭିନ୍‌ କରି ମାଟି ଉଠୋଉ ଥିଲେ ।

ରହେମାନର ମନେ ହେଉଥିଲା ତା’ର ଆଖି ଦି’ଟାକୁ କିଏ ଯେମିତି ଦାଢ଼ୁଆ ଛୁରୀରେ ଖୋଳି ପକାଉଛି, ଆଉ ସେ କୌଣସି ବାଧା ନ ଦେଇ ଜଳ ଜଳ ଚାହିଁ ରହିଛି !

Image